ଦେବାଶିଷ ମଣ୍ଡଳ ତାଙ୍କ ଘରର ଭଙ୍ଗା କାନ୍ଥକୁ ଶୂନ୍ୟ ଭାବରେ ଅନାଇ ରୁହନ୍ତି । ସେ ଯେଉଁ ଘରେ ୩୫ବର୍ଷ ତଳେ ଜନ୍ମ ହୋଇଥିଲେ ତାହାର କେବଳ ଯାହା ବାକି ରହିଛି ଭଙ୍ଗା ଇଟା, ସିମେଣ୍ଟ ଗଦା ଏବଂ ଭାଙ୍ଗି ଯାଇଥିବା ଛାତ ହିଁ ରହିଛି
ଉତ୍ତର କୋଲକାତାର ତଲାହ ବ୍ରିଜ ତଳେ ଯେଉଁ କଲୋନୀରେ ସେମାନେ ରହୁଥିଲେ, ସେଠାରେ ପ୍ରାୟ ୬୦ଟି ପରିବାର ବାସ କରୁଥିଲେ, ନଭେମ୍ବର ୧୧ ତାରିଖରେ ତାହା ମାଟିରେ ମିଶିଗଲା। ସ୍ଥାନୀୟ ନଗରପାଳିକା କର୍ତ୍ତୃପକ୍ଷ ଏବଂ ଲୋକ ନିର୍ମାଣ ବିଭାଗ (ପିଡବ୍ଲୁଡି)ର ବ୍ୟକ୍ତିବିଶେଷ, ସେହିଦିନ ସକାଳେ ପ୍ରାୟ ୧୦ଟା ୩୦ ବେଳକୁ ପୋଲିସମାନଙ୍କ ଦଳ ସହ ଆସିଲେ। ସେମାନେ ଭାଙ୍ଗିବା ପାଇଁ ଶ୍ରମିକ ନେଇ ଆସିଥିଲେ ଏବଂ ଦୁଇଦିନ ପରେ କେତେକ ସିମେଣ୍ଟ ନିର୍ମାଣ ପାଇଁ ବୁଲଡୋଜର ମଧ୍ୟ ଡକାଗଲା। ବସ୍ତିକୁ ଭାଙ୍ଗିବାକୁ ପ୍ରାୟ ଏକ ସପ୍ତାହ ଲାଗିଥିଲା। ଦୁଇଟି ଅଧାଭଙ୍ଗା ଘର ଏବେ ବି ଛିଡ଼ା ହୋଇଛି, ଦିନ ମଜୁରିଆମାନେ ଭୂମିକୁ ସମାନ କରିବା, ଏବଂ ଭଗ୍ନାବଶେଷ ସଫା କରିବା (ଡିସେମ୍ବରରେ) ଜାରି ରଖିଛନ୍ତି।
ତଲାହ ବ୍ରିଜ ବିଟି ରୋଡର ନଜରୁଲ ପାଲି ଗଳିରେ ଅବସ୍ଥିତ। ବସ୍ତିର ଅଧିବାସୀମାନେ ଆକଳନ କରନ୍ତି ଯେ ସେମାନଙ୍କ କଲୋନୀ-ପିଡବ୍ଲୁଡି ଅଧୀନରେ ଥିବା ଏହି ଜମି ଉପରେ ନିର୍ମିତ ୭୦ବର୍ଷରୁ ଅଧିକ ପୁରୁଣା।
ମାସିକ ଟ. ୯୦୦୦ ଟଙ୍କା ଆୟ କରୁଥିବା ଆମ୍ବୁଲାନ୍ସ ଡ୍ରାଇଭର ଦେବାଶିଷ କୁହନ୍ତି, ‘‘ଏହା ଚଡ଼କ ପଡ଼ିବା [ପରି] ଥିଲା। ଯେଉଁ ଚାଳଘରେ ତାଙ୍କ ବାପା ଜନ୍ମ ହୋଇଥିଲେ ତାହାକୁ ସେହି ସ୍ଥାନରେ ପକ୍କା ଘର ତିଆରି ପାଇଁ ସେ ସ୍ଥାନୀୟ ସାହୁକାର ଏବଂ ସାଙ୍ଗସାଥୀଙ୍କଠାରୁ ପ୍ରାୟ ଟ. ୧.୫ ଲକ୍ଷ ଧାର ଆଣିଥିଲେ। ତାଙ୍କର ଜେଜେବାପା, ଜେଜେମାଆ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ୨ ବ୍ଲକ୍ରେ ଥିବା ଦାଉଦପୁର ଗ୍ରାମ-ସୁନ୍ଦରବନର ଏକ ଅଂଶ-ରୁ କେଇ ଦଶକ ତଳେ କାମର ସନ୍ଧାନରେ ଆସିଥିଲେ।
ଦେବାଶିଷ ନିର୍ମାଣ କରିଥିବା ଘର ଭାଙ୍ଗି ଦିଆଯାଇଛି । କିନ୍ତୁ ସେ ଉଚ୍ଚ ସୁଧ ହାରରେ ଆଣିଥିବା ଋଣର ଅଧିକାଂଶ ଭାଗ ବାକି ଅଛି।
ଯେତେବେଳେ ପିଡବ୍ଲୁଡି ଏବଂ ମହାନଗର ନିଗମ କର୍ତ୍ତୃପକ୍ଷ ସେମାନଙ୍କୁ ମୌଖିକ ଭାବରେ ସୂଚିତ କଲେ ଯେ ଏହି ପୋଲ ମରାମତି ହେବ, ସେତେବେଳେ ଅର୍ଥାତ୍ ସେପ୍ଟେମ୍ବର ୨୪ ତାରିଖରେ ତଲାହ କଲୋନୀର ବାସିନ୍ଦାଙ୍କ ପାଇଁ ସମସ୍ୟା ଆରମ୍ଭ ହୋଇଗଲା। ସେମାନଙ୍କୁ ଅଳ୍ପ କେଇଟି ଜିନିଷ ସହ ଏହି ସ୍ଥାନ ଛାଡ଼ିବାକୁ ହେବ ଏବଂ ଯେତେବେଳେ ମରାମତି ସରିବ, ସେତେବେଳେ ଫେରିବାକୁ ହେବ। ସେପ୍ଟେମ୍ବର ୨୫ ସନ୍ଧ୍ୟାରେ ଏଠାରେ ବାସ କରୁଥିବା ୬୦ଟି ପରିବାର ଦୁଇଟି ନିକଟସ୍ଥ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତରିତ ହେଲେ। ଏ ମଧ୍ୟରୁ ଗୋଟିଏ ରେଳବାଇ ଜମି ଉପରେ ରହିଛି ଅନ୍ୟଟି ରାଜ୍ୟ ଜଳସେଚନ ବିଭାଗ ମାଲିକାନାରେ ଥିବା ଗୋଟିଏ ଜମି ଉପରେ କେନାଲ କୂଳରେ ରହିଛି ।










