ମୁଁ ଜାମନଗର ଜିଲ୍ଲାର ଲାଲପୁର ତାଲୁକାର ସିଙ୍ଗଚା ଗ୍ରାମରୁ ଏକ ରାବାରୀ ପରିବାରରୁ ଆସିଛି। ଲେଖିବା ମୋ ପାଇଁ ନୂଆ, ଯାହା ମୁଁ କରୋନା ସମୟରେ ଆରମ୍ଭ କରିଥିଲି। ପଶୁପାଳକ ସମୂହ ସହ କାମ କରୁଥିବା ଏକ ଅଣସରକାରୀ ସଂଗଠନ ସହ ମୁଁ ଜଣେ ସମୂହ ସଂଗଠକ ଭାବରେ କାର୍ଯ୍ୟ କରେ। ଗୁଜରାଟିକୁ ମୁଖ୍ୟ ବିଷୟ ଭାବରେ ରଖି ମୁଁ କଳାରେ ସ୍ନାତକ ପାଠ୍ୟକ୍ରମର ଜଣେ ବାହ୍ୟ ଛାତ୍ର। ଗତ ୯ ମାସ ହେବ ମୋ ସମୂହର ଲୋକମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ସଚେତନତା ଏବଂ ଆଗ୍ରହ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ମୋ ସମୂହରେ ମହିଳାମାନଙ୍କ ମଧ୍ୟରେ ଶିକ୍ଷାର ସ୍ତର ଉଦ୍ବେଗଜନକ ଭାବରେ ନିମ୍ନ। ଆପଣ ଏଠାରେ ଖୁବ୍ କମ୍ ଶିକ୍ଷିତ ମହିଳା ପାଇପାରିବେ।
ମୂଳତଃ, ଆମେ ହେଉଛୁ ପଶୁପାଳକ ସମୂହ ଯେଉଁମାନେ ଚରଣ, ଭାରୱାର୍ଡ ଏବଂ ଅହିର୍ ସମୂହ ପରି ମେଷ ପାଳନରେ ନିୟୋଜିତ। ଆମମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ଆମର ପାରମ୍ପରିକ ବୃତ୍ତିକୁ ତ୍ୟାଗ କରିଛନ୍ତି ଏବଂ ବଡ଼ ବଡ଼ କମ୍ପାନୀରେ କିମ୍ବା ଚାଷ ଜମିରେ ଦିନ ମଜୁରିଆ ଶ୍ରମିକ ଭାବରେ କାମ କରୁଛନ୍ତି। କଳକାରଖାନାରେ ଏବଂ ଚାଷ ଜମିରେ ଶ୍ରମିକ ଭାବରେ କାମ କରୁଥିବା ମହିଳା ଅଛନ୍ତି। ଏହି ସମାଜ ଏସବୁ ମହିଳା ଏବଂ ସେମାନଙ୍କର କାମକୁ ସ୍ୱୀକାର କରୁଛି କିନ୍ତୁ ମୋ ପରି ଏକୁଟିଆ କାମ କରୁଥିବା ମହିଳାମାନଙ୍କ ପାଇଁ ସାମାଜିକ ସ୍ୱୀକୃତି ମିଳିବା କଷ୍ଟକର।



