ଜୟପୁରସ୍ଥିତ ହାଇକୋର୍ଟର ଏକ ସୁନ୍ଦର ପରିସର ରହିଛି। ସେଠାକାର ବଗିଚାରେ କିନ୍ତୁ ଗୋଟିଏ ଜିନିଷ ଅଛି ଯାହାକୁ ରାଜସ୍ଥାନର ବହୁ ଲୋକ ବିବାଦୀୟ ବୋଲି ମନେ କରନ୍ତି। ବୋଧହୁଏ ଏହା ହେଉଛି ଦେଶର ଏକମାତ୍ର କୋର୍ଟ ପରିସର ଯେଉଁଠାରେ ‘ମନୁ, ଆଇନଦାତାଙ୍କର ପ୍ରତିମୂର୍ତ୍ତି ରହିଛି (କଭର ଫଟୋ ଦେଖନ୍ତୁ)।
ମନୁ ନାମକ ଜଣେ ବ୍ୟକ୍ତି କେବେ ଥିଲେ ବୋଲି କୌଣସି ପ୍ରମାଣ ନାହିଁ, ସେହି ପ୍ରତିମୂର୍ତ୍ତି ଶିଳ୍ପୀଙ୍କର କଳ୍ପନାପ୍ରସୂତ ଥିଲା। ଏହା ଏକ ନିର୍ଦ୍ଧିଷ୍ଟ କଳ୍ପନାକୁ ନେଇ ନିର୍ମିତ ହୋଇଛି। ଏଠାରେ ମନୁ ଜଣେ ‘ଋଷି’ଙ୍କ ଭଳି ଉପସ୍ଥାପିତ ହୋଇଛନ୍ତି।
ଲୋକକଥା ଅନୁସାରେ ଏହି ନାମରେ ଜଣେ ବ୍ୟକ୍ତି ମନୁସ୍ମୃତି ରଚନା କରିଥିଲେ। ସ୍ମୃତି ହେଉଛି ସେହି ନିୟମ ବାବଦରେ ଯାହାକୁ ଶହ ଶହ ବର୍ଷ ତଳେ ବ୍ରାହ୍ମଣମାନେ ସମାଜରେ ଲାଗୁ କରିଥିଲେ। ସେହି ନିୟମ ଗୁଡିକ ଭୟଙ୍କର ଭାବେ ଜାତିଗତ। ଅନେକ ଗୁଡିଏ ସ୍ମୃତି ରହିଛି, ଯେଉଁ ଗୁଡିକ ଖ୍ରୀଷ୍ଟପୂର୍ବ ୨୦୦ରୁ ୧୦୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଲିଖିତ। ସେ ସବୁ ବିଭିନ୍ନ ରଚୟିତାଙ୍କ ଦ୍ୱାରା ଦୀର୍ଘ ସମୟ ଧରି ରଚନା ହୋଇଛି। ସେଗୁଡିକୁ ମଧ୍ୟରୁ ସବୁଠାରୁ ଅଧିକ ପ୍ରସିଦ୍ଧ ହେଲା ମନୁସ୍ମୃତି, ଯାହାକି ସମାନ ଅପରାଧ ପାଇଁ ଭିନ୍ନ ଭିନ୍ନ ଜାତିର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଦଣ୍ଡବିଧାନ ଉଲ୍ଲେଖ କରିବା ନେଇ ଅସାଧାରଣ।
ଏହି ସ୍ମୃତିରେ, ତଳ ଜାତିର ଲୋକଙ୍କ ଜୀବନର ମୂଲ୍ୟ ଖୁବ୍ କମ୍। ଜଣେ ଶୁଦ୍ରଙ୍କର ହତ୍ୟା ପାଇଁ ସେହି ପ୍ରାୟଶ୍ଚିତ କରିବାକୁ ହେବ, ଯାହା ଗୋଟିଏ ବେଙ୍ଗ, କୁକୁର, ପେଚା ବା ଗୋଟିଏ କୁଆ ମାରିଥିଲେ କରିବାକୁ ହୋଇଥାନ୍ତା। ଜଣେ ଧାର୍ମିକ ଶୁଦ୍ରଙ୍କୁ ହତ୍ୟା କଲେ ଅତି ବେଶୀରେ, ଜଣେ ବ୍ରାହ୍ମଣକୁ ହତ୍ୟାର ୧୬ ଭାଗରୁ ଏକ ଭାଗ ପ୍ରାୟଶ୍ଚିତ କରିବାକୁ ହେବ।
ଖୁବ୍ କମ୍ ସ୍ଥଳରେ ଆଇନ ସମ୍ମୁଖରେ ସମାନତା ଉପରେ ପର୍ଯ୍ୟବସିତ ଏକ ବ୍ୟବସ୍ଥା ଆଣିବାର ଆବଶ୍ୟକତା ଥାଏ। କୋର୍ଟରେ ସେମାନଙ୍କୁ ଅତ୍ୟାଚାରର ଏହି ସଙ୍କେତର ଉପସ୍ଥିତି ରାଜସ୍ଥାନର ଦଳିତଙ୍କୁ କ୍ରୋଧିତ କରେ। ସେମାନଙ୍କୁ ଅଧିକ ଚିଡାଇବା ଭଳି କଥା ହେଲା କୋର୍ଟ ପରିସରରେ ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ସ୍ଥାନ ନ ପାଇବା। ଡକ୍ଟର ବାବା ସାହେବ ଆମ୍ବେଦକରଙ୍କର ଗୋଟିଏ ପ୍ରତିମୂର୍ତ୍ତି ରାସ୍ତାର ଗୋଟିଏ କୋଣରେ ଟ୍ରାଫିକ୍ ପୋଷ୍ଟକୁ ସାମ୍ନା କରି ରହିଛି। ମନୁ କିନ୍ତୁ କୋର୍ଟକୁ ଆସୁଥିବା ସମସ୍ତଙ୍କୁ ମୁହଁ କରି ରହିଛନ୍ତି।





