କୁଦଲର ବାତାବରଣରେ ଥିବା ଭୟର ମେଘ ଅପସରି ଗଲା। କିନ୍ତୁ ଦୂରଦୃଷ୍ଟି ଅଭାବ କାରଣରୁ ଜଙ୍ଗଲ ବିଭାଗ ତଦନ୍ତ ଭିତରକୁ ଆସିଗଲା। ଧରାଯାଇଥିବା ତିନୋଟି ବଣୁଆ ହାତୀଙ୍କ ମଧ୍ୟରୁ ଗୋଟିଏ ସେମାନଙ୍କର ତାଲିମ ସମୟରେ ଚଳିତ ବର୍ଷ ଫେବୃଆରୀ ମାସରେ ପ୍ରାଣ ହରାଇଲା। ତା’ର ବୟସ ୪୦ ଥିଲା। ଯେତେବେଳେ କି ହାତୀମାନଙ୍କର ହାରାହାରି ବୟସ ୮୦। କଦମ କୁହନ୍ତି, ‘‘ଏହା ଏକ ପ୍ରାକୃତିକ ମୃତ୍ୟୁ ଥିଲା, ଆମେ ତାକୁ ଅନ୍ୟ ଦୁହିଁଙ୍କଠାରୁ ଭିନ୍ନ ବ୍ୟବହାର ଦେଇନଥିଲୁ।’’ ତେବେ ସ୍ଥାନୀୟ ସାମ୍ବାଦିକ ଚନ୍ଦୁ ଶେଯେ କୁହନ୍ତି, ‘‘ଅଞ୍ଚଳରେ ହାତୀମାନଙ୍କ ସ୍ୱାସ୍ଥ୍ୟରେ ବିଶେଷ ଅଭିଜ୍ଞତା ଥିବା ଡାକ୍ତର ନାହାଁନ୍ତି। ଯେତେବେଳେ ଡକାଯାଏ ସେତେବେଳେ ଜଣେ ଡାକ୍ତର ମହୀଶୂରରୁ ଆସନ୍ତି।
ହାତୀକୁ ଲୁପ୍ତପ୍ରାୟ ଶ୍ରେଣୀରେ ରଖାଯାଇଥିବା ବେଳେ ଏହାର ସଂରକ୍ଷଣ କ୍ରମଶଃ ଅଧିକ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଗୋଟିଏ ହାତୀ ଦୈନିକ ନଡ଼ା, କୁଟା, ଗଛଲତା ସହ ୩୦ କିଲୋ ପରିମାଣର ଖାଦ୍ୟ ଏବଂ ସମାନ ପରିମାଣର ପାଣି ଆବଶ୍ୟକ କରିଥାଏ। ଏହାଛଡ଼ା କାଦୁଅ ମଧ୍ୟ ହାତୀଙ୍କର ପ୍ରିୟ। ସେମାନଙ୍କ ସ୍ୱେଦଗ୍ରନ୍ଥି ନ ଥିବାରୁ ସେମାନେ ଅଧିକାଂଶ ସମୟରେ କାଦୁଅରେ ବୁଡ଼ି ଖରାରେ ନିଜ ଶରୀରର ତାପ କମ୍ କରନ୍ତି। ଶିନ୍ଧେ କୁହନ୍ତି, ‘‘ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିବା ସମୟରେ ଗୋଟିଏ ଖୁଆଡ଼ରେ ଆବଶ୍ୟକ ପରିମାଣର କାଦୁଅ ଯୋଗାଡ଼ କରିବା କୌଣସି ମତେ ସମ୍ଭବ ନୁହେଁ। ଆମେ ନିଜକୁ ପଚାରିବା ଉଚିତ୍ ହାତୀମାନଙ୍କୁ ପାଳିବା ପାଇଁ ଆମର କ୍ଷମତା ଅଛି କି? ମୋ ମତରେ ଆମର ମଣିଷ ବଳ ମଧ୍ୟ ନାହିଁ’’।
ପୁନେର ଜଙ୍ଗଲ ଅଧୀକାରୀ ସୁନିଲ ଲିମାୟେ ଏହି ହାତୀର ମୃତ୍ୟୁରେ ଅନୁତାପ ପ୍ରକାଶ କରି କହିଲେ, ‘‘ଆମେ ଏଥିରୁ ଶିକ୍ଷା ପାଇଲୁ ଏବଂ ଭବିଷ୍ୟତରେ ଗୋଟିଏ ହାତୀ ଆବଶ୍ୟକ କରୁଥିବା ସବୁକିଛି ଯୋଗାଇ ଦେବା ସୁନିଶ୍ଚିତ କରିବୁ’’।
କିନ୍ତୁ ଏହା ପରେ ନିକଟରେ ଏକ ଶନିବାର ଅପରାହ୍ନରେ ଅମ୍ବେରୀ ନିଜର ସ୍ନିଗ୍ଧତା ହରାଇଲା। ଏଠାରେ ଥିବା ବଳକା ଦୁଇ ହାତୀଙ୍କ ମଧ୍ୟରୁ ଗୋଟିଏ ଅସୁସ୍ଥ ହୋଇପଡିଲା। ଏହା ତାପମାତ୍ରା ସହ୍ୟ କରି ନପାରିବା ପରି ମନେ ହେଉଥିଲା ଏବଂ ହଠାତ୍ ତଳେ ପଡ଼ିଗଲା। ତା’ର ଆଖି ଲାଲ୍ ହୋଇଗଲା। ୭-୮ଜଣ ଲୋକ ତାକୁ ନିଜ ଗୋଡ଼ରେ ଛିଡ଼ା କରାଇବା ପାଇଁ ଖୁବ୍ ଉଦ୍ୟମ କଲେ। ଏହି ଦୃଶ୍ୟ ଖୁବ୍ କରୁଣ ଥିଲା। ଏହି ବିଶାଳ ହାତୀ ଏତେ ଦୁର୍ବଳ ହୋଇ ପଡିଥିଲା ଯେ ନିଜ ଓଜନ ସହ୍ୟ କରିପାରୁନଥିଲା। ଲୋକମାନେ ତାକୁ ଗୋଟିଏ ଦଉଡିରେ ବାନ୍ଧି ଉଠାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେ ଅଧା ପର୍ଯ୍ୟନ୍ତ ଉଠି ପୁଣି ପଡ଼ି ଯାଉଥିଲା। କେତୋଟି ଅସଫଳ ଉଦ୍ୟମ ପରେ ସେ ସ୍ଥିର ଭାବରେ ପଡ଼ିଗଲା। ମନେ ହେଉଥିଲା ସେ ଯେମିତି ଏକ ଦୁର୍ବଳ ଯୋଦ୍ଧା ଯେ କି ସବୁକିଛି ହରାଇ ସାରିଛି।
ପରିବେଶ କ୍ରମଶଃ ଉତ୍ତେଜନାମୟ ହୋଇଗଲା। ସ୍ଥାନୀୟ ପଶୁ ଡାକ୍ତରଙ୍କୁ ଡକାଗଲା ଏବଂ ସେମାନେ ସାଲାଇନ ଦେଲେ। ଅନ୍ୟମାନେ ତାକୁ କଦଳୀ ଗଛ ଖୁଆଇଲେ। କେତେଜଣ ଗୋଟିଏ ପାଇପ୍ ଯୋଗାଡ଼ କରି ତା’ ଉପରେ ପାଣି ପକାଇଲେ। ପରେ ବରଫଖଣ୍ଡ ମଧ୍ୟ ଦିଆଗଲା। ସେ ସାରାଦିନ ଉଠିଲା ନାହଁ, ଅନ୍ୟ ହାତୀଟି ଅସହାୟ ଭାବରେ ଦେଖୁଥିଲା। ପରଦିନ ସେ ନିଜ ଗୋଡ଼ରେ ଛିଡ଼ା ହେଲା। କିନ୍ତୁ ଏହା ଏକ ଅସ୍ଥାୟୀ ଆଶ୍ୱସ୍ତି ଥିଲା। କାରଣ ଏହା ଗୋଟିଏ ମାସ ମଧ୍ୟରେ ମଇ ୨୯ ତାରିଖରେ ମୃତ୍ୟୁବରଣ କଲା।
ଶିନ୍ଧେ କୁହନ୍ତି, ‘‘ସେମାନେ କୁଦଲରେ ଜଣେ ପୂର୍ଣ୍ଣକାଳୀନ ହାତୀ ବିଷାରଦଙ୍କୁ ନିଯୁକ୍ତି ଦେବା ଉଚିତ୍ ଥିଲା।’’ କଦମ କୁହନ୍ତି, ‘‘ମହାରାଷ୍ଟ୍ର ଏବେ ବି ବଣୁଆ ହାତୀମାନଙ୍କୁ ପରିଚାଳନା କରିବା ପାଇଁ ଏକ ଉପାୟ ଖୋଜୁଛି। ସେ କୁହନ୍ତି, ‘‘କର୍ଣ୍ଣାଟକରେ ଶହ ଶହ ବର୍ଷ ଧରି ସେମାନେ ଅଛନ୍ତି। ୨୦୦୪ ପୂର୍ବରୁ ମହାରାଷ୍ଟ୍ରରେ କେହି କେବେ ଏମିତି ଏକ ସଂଘର୍ଷ ବିଷୟରେ ଚିନ୍ତା କରିନଥିଲେ’’।
ହାତୀମାନେ ଯେଉଁଭଳି ଭାବରେ ତାଲିମ ପାଉଛନ୍ତି ତାହାକୁ ନେଇ ମଧ୍ୟ ଏକ ଆପତ୍ତି ଉଠିଥିଲା। ଅଞ୍ଚଳ ଆଖପାଖରେ ଥିବା ସାକ୍ଷୀମାନେ କୁହନ୍ତି ହାତୀମାନଙ୍କୁ ତାଲିମ ସମୟରେ ପିଟାଯାଏ ଏବଂ ନିର୍ଯାତନା ଦିଆଯାଏ। ଶିନ୍ଧେ କୁହନ୍ତି, ‘‘ଏହା ଏକ ପୁରୁଣାକାଳିଆ ପଦ୍ଧତି। ହାତୀ ପରି ଏକ ସମ୍ବେଦନଶୀଳ ଜୀବର ପ୍ରଥମେ ବିଶ୍ୱାସ ଜନ୍ମାଇବା ଏବଂ ଏହା ପରେ ତାଲିମ ଦେବା ଆବଶ୍ୟକ।’’ ବିଶେଷଜ୍ଞମାନଙ୍କର ବିଶ୍ୱାସ ଏହି ପୁରୁଣାକାଳିଆ ପଦ୍ଧତି ଦୁଇ ହାତୀଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁର କାରଣ ହୋଇଥାଇପାରେ। ଶିନ୍ଧେ କୁହନ୍ତି, ‘‘ଗୋଟିଏ ଜଙ୍ଗଲୀ ହାତୀ ସାରା ଜୀବନ ନିଜ ଶୈଳୀରେ ବଞ୍ଚେ। ହଠାତ୍ ତାକୁ ଜବତ କରି ଖୁଆଡ଼ ଭିତରେ ରଖିଲେ ତା’ର ମାନସିକତା ବିଚଳିତ ହୁଏ ଏବଂ ସେହି କାରଣରୁ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ। ହାତୀମାନଙ୍କୁ ସେମାନଙ୍କ ସ୍ୱାଭାବିକ ପ୍ରବୃତି ଅନୁସରଣ କରିବାକୁ ଛାଡ଼ି ଦେବା ଉଚିତ୍। ଯଦି ଆମେ ଏକ ସୂଚିତ ଅଭୟାରଣ୍ୟରେ ଉପଯୁକ୍ତ ବାସସ୍ଥଳୀ ଯୋଗାଇ ଦେବା ସେମାନେ ଗାଁ ଭିତରକୁ ପଶି ଆସିବେ ନାହିଁ। ଚାଷୀମାନେ ବିନା ଭୟରେ ବଞ୍ଚିବେ ଏବଂ ଆମର ଏକ ସଂରକ୍ଷିତ ଜଙ୍ଗଲ ମଧ୍ୟ ରହିବ’’।
ଲିମାୟେ କୁହନ୍ତି, ‘‘ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସୀମାରେ ଦାଣ୍ଡେଲି-ତିଲାରୀ ହାତୀ ସଂରକ୍ଷିତ ଜଙ୍ଗଲ ଏହି ସଂଘର୍ଷ ପାଇଁ ଏକ ଦୀର୍ଘକାଳୀନ ସମାଧାନ ହେବ। ଏହା ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାରମାନଙ୍କର ଏକ ମିଳିତ ପଦକ୍ଷେପ ହୋଇପାରିବ। ’’ ଏଥିସହ ସେ ମତ ଦିଅନ୍ତି ଯେ, ଏକ ତୁରନ୍ତ ଲକ୍ଷ୍ୟ ହେଉଛି କୃଷକମାନଙ୍କୁ ଶିକ୍ଷିତ କରିବା ଏବଂ ସଚେତନତା ସୃଷ୍ଟି କରିବା। କାରଣ ଭୟଭୀତ ହେବାର ଆଚରଣ ବଣୁଆ ହାତୀଙ୍କଠାରେ କ୍ରୋଧ ସୃଷ୍ଟି କରେ ଏବଂ ସେମାନେ ମୃତ୍ୟୁର କାରଣ ହୁଅନ୍ତି। ଲିମାୟେ ଏକଥା ମଧ୍ୟ ବିଶ୍ୱାସ କରନ୍ତି ଯେ, ‘‘କ୍ଷତିପୂରଣ ପଦ୍ଧତି ଦ୍ରୁତ ହେବା ଆବଶ୍ୟକ’’।
ଭାରତୀୟ ବନ୍ୟଜୀବ ଟ୍ରଷ୍ଟର ମୁଖ୍ୟ ସଂରକ୍ଷକ ଡକ୍ଟର ଏନ୍.ଭି.କେ ଅସରଫ୍ଙ୍କର କୃଷକମାନଙ୍କ ପାଇଁ ଏକ ଭିନ୍ନ ପ୍ରକାରର ପରାମର୍ଶ ରହିଛି। ସେ କୁହନ୍ତି, ‘‘ଯେଉଁ ଫସଲ ହାତୀମାନଙ୍କୁ ଆକୃଷ୍ଟ କରେ, ତାହାକୁ କ୍ଷେତ ଭିତରକୁ ରଖନ୍ତୁ। ହାତୀମାନେ ଲେମ୍ବୁ, ଲଙ୍କା ଏବଂ ମହୁ ଫେଣାକୁ ଘୃଣା କରନ୍ତି। ସେଗୁଡ଼ିକୁ କ୍ଷେତର ବାହାର ସୀମାରେ ରଖନ୍ତୁ’’।
ପରାମର୍ଶ ମାନିବା ଯୋଗ୍ୟ କିନ୍ତୁ ବଣୁଆ ହାତୀଙ୍କ ପାଇଁ ସ୍ଥାନ ସଂକୁଚିତ ହେଉଛି ଏବଂ ମନୁଷ୍ୟର ଅତିକ୍ରମଣ ବଢ଼ୁଛି। ତେଣୁ ସମାଧାନ ଖୁବ୍ କମ୍। ଉଭୟ ଗୋଷ୍ଠୀ ଭୟ ମଧ୍ୟରେ ବଞ୍ଚୁଛନ୍ତି ଏବଂ ସ୍ୱାଧୀନତା ଏବଂ ଅନେକ କିଛି ହରାଉଛନ୍ତି।
ଏ ମଧ୍ୟରେ ସୂର୍ଯ୍ୟ ଆକାଶରୁ ତଳକୁ ଓହ୍ଲାଇବା ଆରମ୍ଭ କରିଥିଲେ। ନାନୋଙ୍କ ପତ୍ନୀ ସବୁ ଝରକା ଏବଂ କବାଟ ଠିକ୍ ଭାବରେ ବନ୍ଦ ହୋଇଥିବା ସୁନିଶ୍ଚିତ କଲେ। ସେ ତାଙ୍କ ନାତିନାତୁଣୀ, ପୁଅ-ବୋହୂମାନଙ୍କୁ ଘରକୁ ଫେରିବା ପାଇଁ ନିର୍ଦ୍ଦେଶ ଦେଲେ। ନାନୋ ଗୋଟିଏ ଠେଙ୍ଗା ଏବଂ ଟର୍ଚ୍ଚ ସହ କ୍ଷେତର ମଞ୍ଚା ଉପରେ ରାତି କଟାଇବା ପାଇଁ ପ୍ରସ୍ତୁତ ହେଉଥିଲେ। ଆଜି ତାଙ୍କର ପାଳି।
ଅନୁବାଦ: ଓଡ଼ିଶାଲାଇଭ୍