ଘର ବାହୁଡ଼ା ପାଇଁ ଆବେଦନ
ମୁଁ ଘରକୁ ବାହୁଡ଼ିଯିବାର ବ୍ୟବସ୍ଥା କରିଦିଅ
ହେ ମୌଳପନ୍ଥୀ ରାଷ୍ଟ୍ରବାଦୀମାନେ!
ଯାହାକୁ ବି ଘର ବା ଉଦ୍ଭବ କୁହନ୍ତି ଆପଣ
ମୂଳ ଧର୍ମ, ମୂଳ ରାଷ୍ଟ୍ର,
ମୂଳ ସଂସ୍କୃତି, ମୂଳ ଉତ୍ପତ୍ତି…
ନିଜର ଉତ୍ପତ୍ତି ପର୍ଯ୍ୟନ୍ତ ପହଞ୍ଚିବାର ଅଧିକାର ଅଛି ଆମର
ଆପଣଙ୍କର ବି କର୍ତ୍ତବ୍ୟ ଲୋକଙ୍କୁ ମୂଳ ପର୍ଯ୍ୟନ୍ତ ପହଞ୍ଚାଇବାର ।
ହେ ବିଷ୍ଣୁ ! ହେ ବ୍ରହ୍ମା !!
ଅସ୍ତିତ୍ୱର ଏହି ଚମକୁଥିବା ଜ୍ୟୋତିର୍ଲିଙ୍ଗର
ଆପଣ ମୂଳ ଖୋଜନ୍ତୁ
ଆପଣ ଖୋଜନ୍ତୁ ଅନ୍ତ,
ମୋତେ ବି ମୋ ଘର ଦେଖାଇ ଦିଅନ୍ତୁ
ହେ କଠୋର ରାଷ୍ଟ୍ରବାଦୀ !
ଠିକ୍ ଯେମିତି
ବସୁଧୈବ କୁଟମ୍ବକମ୍’ର ସ୍ଲୋଗାନ୍ ଦେଇ
ରୋହିଙ୍ଗ୍ୟାମାନଙ୍କୁ ମିଆଁମାର ପର୍ଯ୍ୟନ୍ତ ଛାଡ଼ି ଆସିବେ ଆପଣ
ଯେମିତି ବଙ୍ଗଳାଦେଶୀ ଯିବେ ବଙ୍ଗଳାଦେଶ
ଯେମିତି ସବୁ ମୁସଲମାନ ଯିବେ ପାକିସ୍ଥାନ
ସବୁ ଆଲ୍ଜେରୀୟ ଯେମିତି ଛାଡ଼ିବେ ଫ୍ରାନ୍ସ
ସବୁ ରୋମାନ୍ ଜର୍ମାନୀରୁ ଫେରିବେ ନିଜ ଘରକୁ
ଯେମିତି ସବୁ ଗୋରା ଆମେରିକା ଛାଡ଼ି ଯିବେ ୟୁରୋପକୁ
ଯେମିତି ସବୁ ହିନ୍ଦୁ ମରିସସ୍ ଓ ସୁରିନାମ୍ରୁ ଫେରିବେ
ପୂଣ୍ୟ ଭୂମିକୁ
ଯେମିତି ଆଦିମାତାଙ୍କ ସନ୍ଧାନରେ ଆମେ ସମସ୍ତେ ଯିବା ଆଫ୍ରିକା
ଯେମିତି ବମ୍ବେ ଓ ଅହମ୍ମଦାବାଦରୁ ଭାଇମାନେ ଫେରିବେ
ଯେମିତି ଗୁଜୁରାଟୀ ଦିଲ୍ଲୀ ଛାଡ଼ି ଚାଲିଯିବେ
ଯେମିତି ଆଦିବାସୀ ଯିବେ ଜଙ୍ଗଲ (କ୍ଷମା କରିବେ ଜଙ୍ଗଲର ଆବଶ୍ୟକତା ତ ସରକାରଙ୍କର ରହିଛି !)
ମୋତେ ମୋ ଘର ଫେରେଇଦିଅ ।
କେବଳ ମୁଁ କାହିଁକି, ଆପଣ ବି ଚାଲନ୍ତୁ – ଆମେ ସମସ୍ତେ ଯିବା
ପୁଣି ପଛକୁ .. ଅନେକ ପଛକୁ .. ନିଜ ଘରର ସନ୍ଧାନରେ
ହାତକୁ ମାଟି ଉପରେ ରଖନ୍ତୁ
ଗଛ ଉପରେ ଚଢ଼ନ୍ତୁ, ମାଟି ଭିତରେ ଧସିଯାଆନ୍ତୁ,
ପାଣିକୁ ଡେଇଁ ପଡ଼ନ୍ତୁ
କୃମି ପରି ଆତ୍ମସମ୍ଭୋଗ କରନ୍ତୁ
ମାଛଙ୍କ ପରି ଗାଲିସିରେ ନିଶ୍ୱାସ ନିଅନ୍ତୁ ।
ମୌଳିକତାର ମହାସାଗରରେ ଚେତନାର ଆଦିମ ସ୍ତରରେ
ଏକକୋଷୀ କୀଟ ହୋଇ ଚରନ୍ତୁ ଓ ବିଚରନ୍ତୁ …
ଈଶ୍ୱରଙ୍କ ପ୍ରତ୍ୟକ୍ଷ ସାନିଧ୍ୟରେ
ଶରୀରର ଆବରଣ ହଟାଇ – ଏକାକାର ହୁଅନ୍ତୁ ।
ଅଧ୍ୟାତ୍ମିକ ଡି.ଏନ୍.ଏ.ର ସନ୍ଧାନରେ
ଉତ୍ପତ୍ତି ଆଡ଼କୁ ଫେରିବାର ଏହି ମହାଶୋଭାଯାତ୍ରା, ଆଦିମ ଆବାସ, ଆଦିମ ଉତ୍ସ ଆଡ଼କୁ
ଏହି ଅଧ୍ୟାତ୍ମିକ ମହାପ୍ରୟୋଗ,
ଫର୍ ଫର୍ ହୋଇ ଉଡ଼ୁଥିବା ଏହି ଧର୍ମ ଧ୍ୱଜା, ବଜାରର ଏହି ବାଜା
ଏହି କୋଳାହଳ, ଏହି ମହାକୋଳାହଳ
ଆସନ୍ତୁ ଯିବା ସେହି କୃଷ୍ଣ ଗର୍ତ୍ତକୁ;
ମହାନାଦ ସହ ଅନ୍ତ ହେଉ
ମୂଳସହ ମାନବତାର ପୁନର୍ମିଳନ ।
ଏକ ସାମୂହିକ ମୌଳିକ ଆତ୍ମଘାତ ଆଡ଼କୁ ଚାଲନ୍ତୁ
ହେ ଅତି-ଜାତୀୟତାବାଦୀ !



