ଆମ ସମୟର ଅତ୍ୟାଚାର, ଯୁଦ୍ଧ ଏବଂ ରକ୍ତପାତ ଯୋଗୁଁ ଅଧିକାଂଶ ସମୟରେ ବିଶ୍ୱ ଶାନ୍ତି ବିଷୟରେ ଆମେ ପ୍ରଶ୍ନ ଉଠାନ୍ତି। କିନ୍ତୁ ପ୍ରତିଯୋଗିତା, ଲୋଭ, ଶତ୍ରୁତା, ଘୃଣା ଏବଂ ହିଂସା ଉପରେ ଆଧାରିତ ସଭ୍ୟତା କିଭଳି ଭାବେ ଏହାର କଳ୍ପନା କରିପାରିବ? ଆମେ ଯେଉଁ ସ୍ଥାନରୁ ଆସିଛୁ ସେଠାରେ ଏଭଳି ସଂସ୍କୃତି ଥିବା ମୁଁ କେବେ ଦେଖିନାହିଁ। ଆମ ଆଦିବାସୀମାନଙ୍କର ସଭ୍ୟତା ବିଷୟରେ ନିଜସ୍ୱ ଧାରଣା ରହିଛି। ଶିକ୍ଷିତ ଲୋକମାନେ ରାତିରେ ଚୁପଚାପ୍ ଅଳିଆ ଫିଙ୍ଗିଦେଇ ଯିବା ଏବଂ ଜଣେ ଅଶିକ୍ଷିତ ଲୋକ ସକାଳୁ ସେହି ସ୍ଥାନକୁ ସଫା କରିବାରେ ଆମେ ବିଶ୍ୱାସ କରି ନଥାଉ। ଆମେ ତାହାକୁ ସଭ୍ୟତା ବୋଲି କହି ନଥାଉ ଏବଂ ଏଭଳି ସଭ୍ୟତାରେ ନିଜକୁ ସାମିଲ କରିନଥାଉ । ଆମେ ନଦୀରେ ଶୌଚକର୍ମ କରିନଥାଉ। ପାଚିବା ପୂର୍ବରୁ ଆମେ ଗଛରୁ ଫଳ ତୋଳି ନଥାଉ । ହୋଲି ପାଖେଇ ଆସିଲେ ଆମେ ଜମିରେ ହଳ କରିବା ବନ୍ଦ କରିଦେଇଥାଉ। ଆମେ ଆମ ଜମିରେ ବର୍ଷକ ଭିତରେ ଏକାଧିକ ଫସଲ ଅମଳ କରି ଜମିକୁ ଚାପଗ୍ରସ୍ତ କରିନଥାଉ। ଆମେ ଜମିକୁ ନିଃଶ୍ଵାସ ମାରିବାକୁ ସମୟ ଦେଇ ତାହାକୁ ପୁନଃର୍ଜୀବିତ କରିବାକୁ ସମୟ ଦେଇଥାଉ। ଆମେ ମାନବ ଜୀବନକୁ ଯେତିକି ସମ୍ମାନ ଦେଇଥାଉ, ପ୍ରକୃତିକୁ ମଧ୍ୟ ସେତିକି ସମ୍ମାନ ପ୍ରଦର୍ଶନ କରୁ।


Narmada, Gujarat
|WED, AUG 03, 2022
ଜଙ୍ଗଲର ସଭ୍ୟତା
ଦେହୱାଲି ଭିଲିରେ ଲେଖାଯାଇଥିବା ୫ଟି କବିତା ସମୂହ ମଧ୍ୟରୁ ନିଜର ଚତୁର୍ଥ କବିତାରେ ଜଣେ ଆଦିବାସୀ କବି ଆମର ତଥାକଥିତ ସଭ୍ୟତାର ଆତ୍ମ-ବିନାଶକାରୀ ପ୍ରକୃତି ଏବଂ ଶାନ୍ତିର ଫମ୍ପା ଧାରଣାକୁ ନିନ୍ଦା କରିଛନ୍ତି
Poem and Text
Painting
Editor
Translator
ଆମେ କାହିଁକି ଜଙ୍ଗଲରୁ ଫେରିଲୁ ନାହିଁ
ଆମ ପୂର୍ବଜମାନଙ୍କୁ ତୁମେ ଜତୁଗୃହରେ ଜଳାଇଲ।
ସେମାନଙ୍କ ଆଙ୍ଗୁଠି କାଟିଲ।
ସେମାନଙ୍କୁ ନିଜ ଭାଇମାନଙ୍କ ବିରୁଦ୍ଧରେ
ଏପରି ପରଚାଳିତ କଲ ଯେ ସେମାନେ
ପରସ୍ପର ବିରୁଦ୍ଧରେ ଲଢିଲେ ଓ ପରସ୍ପରଙ୍କୁ ମାରିଲେ!
ଏପରିକି କେତେକଙ୍କୁ ଏଭଳି ପ୍ରବର୍ତ୍ତାଇଲ ଯେ ସେମାନେ
ତୁମେ ନିଜ ଘର ନିଜେ ହିଁ ଧ୍ଵଂସ କରିଦେଲେ!
ତୁମ ଭୟଙ୍କର ସଭ୍ୟତା ଓ ତାହାର ବର୍ବରତା ଯୋଗୁଁ
ଆମେ ଜଙ୍ଗଲରୁ ଫେରିଲୁ ନାହିଁ।
ଗଛରୁ ପାଚିଲାପତ୍ର ଯେଉଁ ଭଳି ସହଜରେ
ଝଡିପଡ଼େ ମାଟି ଉପରେ ଓ ଏକାକାର ହୁଏ –
ସେଥିରୁ ହିଁ ପାଇଥାଉ ଆମେ ମୃତ୍ୟୁର ଧାରଣା।
ଏଇଠି ମୃତ୍ୟୁର ଦର୍ଶନ କରିଥାଉ ଆମେ।
ସ୍ଵର୍ଗରେ ନୁହେଁ ଦେବତାମାନଙ୍କୁ ଆମେ
ପ୍ରକୃତିରେ ଅନୁଭବ କରିଥାଉ।
ଜୀବନରେ ଆମେ କୌଣସି କଳ୍ପନା କରୁନାହିଁ
ନିର୍ଜୀବକୁ ନେଇ, ପ୍ରକୃତି ହିଁ ଆମରି ସ୍ଵର୍ଗ।
ଏହାର ବିରୁଦ୍ଧାଚରଣ ହେଉଛି ନର୍କ।
ଆମ ଜୀବନର ଧର୍ମ ହେଉଛି ସ୍ଵାଧୀନତା।
ତୁମେ କୁହ ଏହା ଏକ ଜାଲ, କିନ୍ତୁ ଏହା ତୁମ ଧର୍ମର ବନ୍ଦୀତ୍ଵ।
ବାବୁ ସାହେବ, ତୁମ ଭୟଙ୍କର ସଭ୍ୟତା ଓ ତାହାର ବର୍ବରତା ଯୋଗୁଁ
ଆମେ ଜଙ୍ଗଲରୁ ଫେରିଲୁ ନାହିଁ।
ଆମେ ହେଉଛୁ ଏ ପୃଥିବୀର ଭୂମିସେନା ବାବୁ ସାହେବ!
ଆମ ଜୀବନ କେବଳ ନିଜକୁ ବଞ୍ଚାଇ ରଖିବା ନୁହେଁ,
ଜମି, ଜଳ, ଜଙ୍ଗଲ ଓ ଜୀବଜନ୍ତୁ ସଭିଙ୍କୁ ନେଇ ଆମ ଜୀବନ
ଆମ ଅସ୍ତିତ୍ଵ ରହିଛି ସେମାନେ ସମସ୍ତଙ୍କୁ ନେଇ।
ଆମ ପୂର୍ବଜମାନଙ୍କୁ ତୁମେ ତୋପ ମୁହଁରେ ବାନ୍ଧି ଥିଲ
ଗଛ ଡାଳରେ ସେମାନଙ୍କୁ ଝୁଲାଇ ତଳୁ ଲଗାଇ ଥିଲ ନିଆଁ
ସେମାନଙ୍କ ଭିତରୁ ଅଲଗା ଦଳ ଗଢ଼ି
ତାଙ୍କରି ହାତରେ ଆମର ହିଁ ହତ୍ୟା କରାଇଥିଲ।
ଆମର ପ୍ରାକୃତିକ ଶକ୍ତିକୁ ନିପାତ କଲ,
ନୈସର୍ଗିକ ଶକ୍ତିକୁ ନିପାତ କରିବାକୁ
ଚୋର, ଲୁଟେରା, ଘୁଷୁରି, ବିଦ୍ରୋହୀ ଆଦି
କେତେ କ’ଣ ଅପଶବ୍ଦ ତୁମେ କହିଲ ଆମକୁ!
ଖଣ୍ଡେ କାଗଜ ଦ୍ଵାରା ତୁମେ ମାରି ଦେଇପାର ଆମ ସମସ୍ତଙ୍କୁ
ଏହା ହିଁ ତୁମ ହତ୍ୟାକାରୀ ସଭ୍ୟତାର ଭୟାନକ ରୂପ ବାବୁ ସାହେବ,
ସେଥିପାଇଁ ଆମେ ଜଙ୍ଗଲରୁ ଫେରିଲୁ ନାହିଁ!
ତୁମେ ଆମ ଜୀବନକୁ ବଜାରରେ ପରିଣତ କରିଦେଲ
ତୁମେ ଶିକ୍ଷିତ ଲୋକମାନେ ଦେଖିବା ଆଖି ହରାଇ ବସିଲ ବାବୁ ସାହେବ,
ସଂସ୍କୃତି ଓ ସଭ୍ୟତା ନାଁରେ ତୁମ ଶିକ୍ଷାଦୀକ୍ଷା
ତୁମ ଆତ୍ମାର ସଉଦା କଲା
ଆମ ସମସ୍ତଙ୍କୁ ବଜାରରେ ଠିଆ କରିଦେଲା।
ଗଦା ଗଦା ଆବର୍ଜ୍ଜନା ଜମେଇଛ ତୁମେ!
ଏହାକୁ କି କହୁଛ ତୁମେ ଏକ ନବଯୁଗ ନିର୍ମାଣ,
ଯେଉଁଠି ମଣିଷ ଘୃଣା କରେ ଆଉ ଜଣେ ମଣିଷକୁ?
ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛ କି ତୁମେ
ବନ୍ଧୁକ ଓ କ୍ଷେପଣାସ୍ତ୍ର ଦ୍ଵାରା?
ତୁମ ହତ୍ୟାକାରୀ ସଭ୍ୟତାର ଭୟାନକ ରୂପ ଯୋଗୁଁ ବାବୁ ସାହେବ,
ଆମେ ଜଙ୍ଗଲରୁ ଫେରିଲୁ ନାହିଁ!
କବିତା ଅନୁବାଦ: କପିଳାସ ଭୂୟାଁ
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଜଙ୍ଗଲର-ସଭ୍ୟତା

