ଆମ ସମୟର ଅତ୍ୟାଚାର, ଯୁଦ୍ଧ ଏବଂ ରକ୍ତପାତ ଯୋଗୁଁ ଅଧିକାଂଶ ସମୟରେ ବିଶ୍ୱ ଶାନ୍ତି ବିଷୟରେ ଆମେ ପ୍ରଶ୍ନ ଉଠାନ୍ତି।  କିନ୍ତୁ ପ୍ରତିଯୋଗିତା, ଲୋଭ, ଶତ୍ରୁତା, ଘୃଣା ଏବଂ ହିଂସା ଉପରେ ଆଧାରିତ ସଭ୍ୟତା କିଭଳି ଭାବେ ଏହାର କଳ୍ପନା କରିପାରିବ? ଆମେ ଯେଉଁ ସ୍ଥାନରୁ ଆସିଛୁ ସେଠାରେ ଏଭଳି ସଂସ୍କୃତି ଥିବା ମୁଁ କେବେ ଦେଖିନାହିଁ।  ଆମ ଆଦିବାସୀମାନଙ୍କର ସଭ୍ୟତା ବିଷୟରେ ନିଜସ୍ୱ ଧାରଣା ରହିଛି। ଶିକ୍ଷିତ ଲୋକମାନେ ରାତିରେ ଚୁପଚାପ୍‌ ଅଳିଆ ଫିଙ୍ଗିଦେଇ ଯିବା ଏବଂ ଜଣେ ଅଶିକ୍ଷିତ ଲୋକ ସକାଳୁ ସେହି ସ୍ଥାନକୁ ସଫା କରିବାରେ ଆମେ ବିଶ୍ୱାସ କରି ନଥାଉ। ଆମେ ତାହାକୁ ସଭ୍ୟତା ବୋଲି କହି ନଥାଉ ଏବଂ ଏଭଳି ସଭ୍ୟତାରେ ନିଜକୁ ସାମିଲ କରିନଥାଉ । ଆମେ ନଦୀରେ ଶୌଚକର୍ମ କରିନଥାଉ। ପାଚିବା ପୂର୍ବରୁ ଆମେ ଗଛରୁ ଫଳ ତୋଳି ନଥାଉ । ହୋଲି ପାଖେଇ ଆସିଲେ ଆମେ ଜମିରେ ହଳ କରିବା ବନ୍ଦ କରିଦେଇଥାଉ। ଆମେ ଆମ ଜମିରେ ବର୍ଷକ ଭିତରେ ଏକାଧିକ ଫସଲ ଅମଳ କରି ଜମିକୁ ଚାପଗ୍ରସ୍ତ କରିନଥାଉ। ଆମେ ଜମିକୁ ନିଃଶ୍ଵାସ ମାରିବାକୁ ସମୟ ଦେଇ ତାହାକୁ ପୁନଃର୍ଜୀବିତ କରିବାକୁ ସମୟ ଦେଇଥାଉ। ଆମେ ମାନବ ଜୀବନକୁ ଯେତିକି ସମ୍ମାନ ଦେଇଥାଉ, ପ୍ରକୃତିକୁ ମଧ୍ୟ ସେତିକି ସମ୍ମାନ ପ୍ରଦର୍ଶନ କରୁ।

ଜିତେନ୍ଦ୍ର ବସୱା ଦେହୱାଲି ଭିଲିରେ କବିତା ଆବୃତ୍ତି କରୁଥିବା ଶୁଣନ୍ତୁ

ଇଂରାଜୀ ଅନୁବାଦ ସହ ପ୍ରତିଷ୍ଠା ପାଣ୍ଡ୍ୟା କବିତା ଆବୃତ୍ତି କରୁଥିବା ଶୁଣନ୍ତୁ

ଆମେ କାହିଁକି ଜଙ୍ଗଲରୁ ଫେରିଲୁ ନାହିଁ

ଆମ ପୂର୍ବଜମାନଙ୍କୁ ତୁମେ ଜତୁଗୃହରେ ଜଳାଇଲ।
ସେମାନଙ୍କ ଆଙ୍ଗୁଠି କାଟିଲ।
ସେମାନଙ୍କୁ ନିଜ ଭାଇମାନଙ୍କ ବିରୁଦ୍ଧରେ
ଏପରି ପରଚାଳିତ କଲ ଯେ ସେମାନେ
ପରସ୍ପର ବିରୁଦ୍ଧରେ ଲଢିଲେ ଓ ପରସ୍ପରଙ୍କୁ ମାରିଲେ!
ଏପରିକି କେତେକଙ୍କୁ ଏଭଳି ପ୍ରବର୍ତ୍ତାଇଲ ଯେ ସେମାନେ
ତୁମେ ନିଜ ଘର ନିଜେ ହିଁ ଧ୍ଵଂସ କରିଦେଲେ!
ତୁମ ଭୟଙ୍କର ସଭ୍ୟତା ଓ ତାହାର ବର୍ବରତା ଯୋଗୁଁ
ଆମେ ଜଙ୍ଗଲରୁ ଫେରିଲୁ ନାହିଁ।

ଗଛରୁ ପାଚିଲାପତ୍ର ଯେଉଁ ଭଳି ସହଜରେ
ଝଡିପଡ଼େ ମାଟି ଉପରେ ଓ ଏକାକାର ହୁଏ –
ସେଥିରୁ ହିଁ ପାଇଥାଉ ଆମେ ମୃତ୍ୟୁର ଧାରଣା।
ଏଇଠି ମୃତ୍ୟୁର ଦର୍ଶନ କରିଥାଉ ଆମେ।
ସ୍ଵର୍ଗରେ ନୁହେଁ ଦେବତାମାନଙ୍କୁ ଆମେ
ପ୍ରକୃତିରେ ଅନୁଭବ କରିଥାଉ।
ଜୀବନରେ ଆମେ କୌଣସି କଳ୍ପନା କରୁନାହିଁ
ନିର୍ଜୀବକୁ ନେଇ, ପ୍ରକୃତି ହିଁ ଆମରି ସ୍ଵର୍ଗ।
ଏହାର ବିରୁଦ୍ଧାଚରଣ ହେଉଛି ନର୍କ।
ଆମ ଜୀବନର ଧର୍ମ ହେଉଛି ସ୍ଵାଧୀନତା।
ତୁମେ କୁହ ଏହା ଏକ ଜାଲ, କିନ୍ତୁ ଏହା ତୁମ ଧର୍ମର ବନ୍ଦୀତ୍ଵ।
ବାବୁ ସାହେବ, ତୁମ ଭୟଙ୍କର ସଭ୍ୟତା ଓ ତାହାର ବର୍ବରତା ଯୋଗୁଁ
ଆମେ ଜଙ୍ଗଲରୁ ଫେରିଲୁ ନାହିଁ।

ଆମେ ହେଉଛୁ ଏ ପୃଥିବୀର ଭୂମିସେନା ବାବୁ ସାହେବ!
ଆମ ଜୀବନ କେବଳ ନିଜକୁ ବଞ୍ଚାଇ ରଖିବା ନୁହେଁ,
ଜମି, ଜଳ, ଜଙ୍ଗଲ ଓ ଜୀବଜନ୍ତୁ ସଭିଙ୍କୁ ନେଇ ଆମ ଜୀବନ
ଆମ ଅସ୍ତିତ୍ଵ ରହିଛି ସେମାନେ ସମସ୍ତଙ୍କୁ ନେଇ।
ଆମ ପୂର୍ବଜମାନଙ୍କୁ ତୁମେ ତୋପ ମୁହଁରେ ବାନ୍ଧି ଥିଲ
ଗଛ ଡାଳରେ ସେମାନଙ୍କୁ ଝୁଲାଇ ତଳୁ ଲଗାଇ ଥିଲ ନିଆଁ
ସେମାନଙ୍କ ଭିତରୁ ଅଲଗା ଦଳ ଗଢ଼ି
ତାଙ୍କରି ହାତରେ ଆମର ହିଁ ହତ୍ୟା କରାଇଥିଲ।
ଆମର ପ୍ରାକୃତିକ ଶକ୍ତିକୁ ନିପାତ କଲ,
ନୈସର୍ଗିକ ଶକ୍ତିକୁ ନିପାତ କରିବାକୁ
ଚୋର, ଲୁଟେରା, ଘୁଷୁରି, ବିଦ୍ରୋହୀ ଆଦି
କେତେ କ’ଣ ଅପଶବ୍ଦ ତୁମେ କହିଲ ଆମକୁ!
ଖଣ୍ଡେ କାଗଜ ଦ୍ଵାରା ତୁମେ ମାରି ଦେଇପାର ଆମ ସମସ୍ତଙ୍କୁ
ଏହା ହିଁ ତୁମ ହତ୍ୟାକାରୀ ସଭ୍ୟତାର ଭୟାନକ ରୂପ ବାବୁ ସାହେବ,
ସେଥିପାଇଁ ଆମେ ଜଙ୍ଗଲରୁ ଫେରିଲୁ ନାହିଁ!

ତୁମେ ଆମ ଜୀବନକୁ ବଜାରରେ ପରିଣତ କରିଦେଲ
ତୁମେ ଶିକ୍ଷିତ ଲୋକମାନେ ଦେଖିବା ଆଖି ହରାଇ ବସିଲ ବାବୁ ସାହେବ,
ସଂସ୍କୃତି ଓ ସଭ୍ୟତା ନାଁରେ ତୁମ ଶିକ୍ଷାଦୀକ୍ଷା
ତୁମ ଆତ୍ମାର ସଉଦା କଲା
ଆମ ସମସ୍ତଙ୍କୁ ବଜାରରେ ଠିଆ କରିଦେଲା।

ଗଦା ଗଦା ଆବର୍ଜ୍ଜନା ଜମେଇଛ ତୁମେ!
ଏହାକୁ କି କହୁଛ ତୁମେ ଏକ ନବଯୁଗ ନିର୍ମାଣ,
ଯେଉଁଠି ମଣିଷ ଘୃଣା କରେ ଆଉ ଜଣେ ମଣିଷକୁ?
ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛ କି ତୁମେ
ବନ୍ଧୁକ ଓ କ୍ଷେପଣାସ୍ତ୍ର ଦ୍ଵାରା?
ତୁମ ହତ୍ୟାକାରୀ ସଭ୍ୟତାର ଭୟାନକ ରୂପ ଯୋଗୁଁ ବାବୁ ସାହେବ,
ଆମେ ଜଙ୍ଗଲରୁ ଫେରିଲୁ ନାହିଁ!


କବିତା ଅନୁବାଦ: କପିଳାସ ଭୂୟାଁ
ଅନୁବାଦ: ଓଡ଼ିଶାଲାଇଭ୍‍

Poem and Text : Jitendra Vasava

ଜିତେନ୍ଦ୍ର ବାସବ ଗୁଜରାଟ ନର୍ମଦା ଜିଲ୍ଲାର ମହୁପଡ଼ା ଗାଁର ଜଣେ କବି, ଯିଏ ଦେହୱାଲି ଭିଲି ଭାଷାରେ ଲେଖନ୍ତି। ସେ ଆଦିବାସୀ ସାହିତ୍ୟ ଏକାଡେମୀ (୨୦୧୪) ର ପ୍ରତିଷ୍ଠାତା ସଭାପତି ଏବଂ ଆଦିବାସୀ ସ୍ୱରଗୁଡ଼ିକ ଉଦ୍ଦେଶ୍ୟରେ ସମର୍ପିତ ଏକ କବିତା ପତ୍ରିକା ଲାଖାରାର ସମ୍ପାଦକ। ସେ ମଧ୍ୟ ଆଦିବାସୀ ମୌଖିକ ସାହିତ୍ୟ ଉପରେ ଚାରିଟି ପୁସ୍ତକ ପ୍ରକାଶିତ କରିଛନ୍ତି। ତାଙ୍କର ଡକ୍ଟରେଟ ଗବେଷଣା ନର୍ମଦା ଜିଲ୍ଲାର ଭିଲମାନଙ୍କ ମୌଖିକ ଲୋକ କଥାଗୁଡ଼ିକର ସାଂସ୍କୃତିକ ଓ ପୌରାଣିକ ଦିଗ ଉପରେ କେନ୍ଦ୍ରିତ ଥିଲା। ପରୀରେ ପ୍ରକାଶିତ ତାଙ୍କର କବିତାଗୁଡ଼ିକ ତାଙ୍କର ଆଗାମୀ ଓ ପ୍ରଥମ କବିତା ସଂଗ୍ରହରୁ ଅଣାଯାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Jitendra Vasava
Painting : Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Editor : Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Pratishtha Pandya
Translator : Kapilas Bhuyan

କପିଳାସ ଭୂୟାଁ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ୨୦୦୬ରେ ଜାତୀୟ ଚଳଚିତ୍ର ପୁରସ୍କାର ରଜତ କମଳ ପ୍ରାପ୍ତ ନିର୍ଦ୍ଦେଶକ। ଏହା ବ୍ୟତୀତ ସେ ୨୦୦୪ରେ ଫେଷ୍ଟିଭାଲ ଡୁ ସିନେମା ଡେ ପ୍ୟାରିସଠାରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଓ ନ୍ୟୁୟର୍କ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଜୁରୀଙ୍କ ସ୍ୱତନ୍ତ୍ର ଉଲ୍ଲେଖ ପାଇଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Kapilas Bhuyan
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE