‘ବାହାର ଲୋକମାନଙ୍କ ପ୍ରବେଶ ନିଷେଧ’ – ସିୟାଦେହୀ ଗ୍ରାମର ପ୍ରବେଶ ଦ୍ୱାରରେ ନିର୍ମାଣ କରାଯାଇଥିବା ବାଉଁଶ ବାଡରେ ଲାଗିଥିବା ପ୍ରାଚୀର ପତ୍ରରେ ଏହା ଲେଖାଯାଇଛି। ଯେତେବେଳେ ଏହି ରିପୋର୍ଟର ଛତିଶଗଡର ଧମ୍ତାରି ଜିଲ୍ଲାର ନାଗ୍ରୀ ବ୍ଲକ୍ ଅନ୍ତର୍ଗତ ଏହି ଗ୍ରାମକୁ ଯାଇଥିଲା, ସେତେବେଳେ ପାଖରେ ବସିଥିବା ସ୍ଥାନୀୟ ନିବାସୀଙ୍କ ଏକ ଦଳ କଥା ହେବା ପାଇଁ ସେହି ବାଡ଼ ପାଖକୁ ଆସିଲେ – କିନ୍ତୁ କିଛି ଦୂରରେ ରହିଲେ ।
“ଆମେ ଗ୍ରାମବାସୀମାନେ, ସର୍ବସମ୍ମତ ଭାବେ ଆମମାନଙ୍କୁ ମାରାତ୍ମକ କରୋନା ଭୂତାଣୁଠାରୁ ସୁରକ୍ଷିତ ରଖିବା ପାଇଁ ଏହି ବାଡ଼ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛୁ” ବୋଲି ପଡୋଶୀ କଙ୍କେର ଜିଲ୍ଲାରେ ଏକ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାମ କରୁଥିବା ଭାରତ ଧ୍ରୁବ କହିଲେ । ସିୟାଦେହୀ- ମୁଖ୍ୟତଃ ଗୋଣ୍ଡ ଆଦିବାସୀମାନେ ରହୁଥିବା ଏକ ଗ୍ରାମ ଯାହାର ଜନସଂଖ୍ୟା ପ୍ରାୟ ୯୦୦ ଅଟେ । ଏହା ଛତିଶଗଡର ରାଜଧାନୀ ରାୟପୁରଠାରୁ ପ୍ରାୟ ୮୦କିଲୋମିଟର ଦୂରରେ ଅବସ୍ଥିତ ।
“ଆମେମାନେ ସାମାଜିକ ଦୂରତା ବଜାୟ ରଖିବାକୁ ଚାହୁଁଛୁ’। ଏହି ଲକ୍ଡାଉନ୍ ସମୟରେ ବାହାରର କେହି ଆମ ଗ୍ରାମକୁ ବୁଲିବାକୁ ଆସନ୍ତୁ ତାହା ଆମେ ଚାହୁନାହୁଁ କିମ୍ବା ବାହରକୁ ଯାଇ ଆମେ ନିୟମ ଉଲଂଘନ କରିବାକୁ ମଧ୍ୟ ଚାହୁଁନୁ । ଏଣୁ, ଏହି ବାଡ’’, ବୋଲି ରାଜେଶ କୁମାର ନେତାମ ନାମକ ଏହି ଗ୍ରାମର ଜଣେ ନାମମାତ୍ର ଚାଷୀ ଓ ଶ୍ରମିକ କୁହନ୍ତି ।
“ କାହା ସଂସ୍ପର୍ଶରେ ନ ଆସିବା ପାଇଁ ଏଠାକୁ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଆମେ ଏଠାରେ ଅଟକାଇ ଦେଉଛୁ। ଆମେ ସେମାନଙ୍କୁ ନିଜ ଗ୍ରାମକୁ ଫେରି ଯିବାକୁ ଅନୁରୋଧ କରୁଛୁ,” ବୋଲି ସାଜ୍ଜିରାମ ମନ୍ଦାବି ନାମକ ଜଣେ ଶ୍ରମିକ କୁହନ୍ତି । “ଏକ ଦକ୍ଷତା ବିକାଶ ପ୍ରକଳ୍ପ ଅଧିନରେ ଆମର କିଛି ଯୁବକ ମହାରାଷ୍ଟ୍ରକୁ ଯାଇଥିଲେ କିନ୍ତୁ ସେମାନେ ହୋଲି ପୂର୍ବରୁ ଫେରି ଆସିଥିଲେ” ବୋଲି ସେ କହିଲେ । “ତଥାପି ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସେମାନଙ୍କ କୌଣସି ବିବରଣୀ ନେବାକୁ ଆସିନାହାନ୍ତି’’।
ସିୟାଦେହୀର ଅନ୍ୟ ପ୍ରବାସୀମାନେ ଯେଉଁମାନେ ବର୍ତ୍ତମାନ ଫେରୁଛନ୍ତି ସେମାନେ କ’ଣ କରିବେ? ସେମାନଙ୍କୁ କ’ଣ ଭିତରକୁ ପ୍ରବେଶ କରିବାକୁ ଦିଆହେବ? “ହଁ,” ବୋଲି ମନୋଜ ମେଶ୍ରମ, ପଞ୍ଚାୟତ ଅଧିକାରୀ କୁହନ୍ତି । “କିନ୍ତୁ ସରକାରଙ୍କ ମାର୍ଗଦର୍ଶିକା ମୁତାବକ ସେମାନଙ୍କୁ ନିର୍ଦ୍ଧାରିତ ସମୟ ପାଇଁ କ୍ୱାରେଣ୍ଟାଇନ୍ରେ ରହିବାକୁ ହେବ’’।






