ଗତ ତିନିମାସ ତଳେ ୟାରାଗୁଣ୍ଟଲା ନାଗରାଜୁ ଡେଲ୍ଟା ଚିନି କଳରେ ନିଜର ୩୦ ବର୍ଷ ପୁରୁଣା ଚାକିରି ହରାଇଲେ। ୧୯୮୩ରେ ଚିନି କାରଖାନା ସ୍ଥାପନ ହେବାଠାରୁ ସେ ଏଠାରେ ଇଲେକ୍ଟ୍ରିସିଆନ୍ ଭାବରେ କାମ କରୁଥିଲେ, ତାଙ୍କୁ ସେତେବେଳେ ୧୮ ବର୍ଷ ବୟସ ହୋଇଥିଲା।
୨୦୧୭ ନଭେମ୍ବର ମାସର ଶେଷ ସପ୍ତାହରେ ତାଙ୍କୁ ଓ ତାଙ୍କ ଭଳି ଅନ୍ୟ ୨୯୯ ଜଣ କର୍ମଚାରୀଙ୍କୁ ଡିସେମ୍ବର ମାସରୁ କାମକୁ ନଆସିବାକୁ କୁହାଗଲା। ଏସବୁ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ ଓ ଦଳିତ ସମ୍ପ୍ରଦାୟର। ଏଥିପାଇଁ ଆଗୁଆ ନୋଟିସ୍ ମଧ୍ୟ ଦିଆଯାଇନଥିଲା। ନଭେମ୍ବର ମାସରେ ଲେଖକ ଯେତେବେଳେ ନାଗରାଜୁଙ୍କୁ ଭେଟିଥିଲେ ସେତେବେଳେ ସେ କହିଲେ- ଆମକୁ ଦୁଇମାସ ହେବ ଦରମା ଦିଆଯାଇନି, ଆଉ ଏବେ ପରିଚାଳନା କର୍ତ୍ତୃପକ୍ଷ କ୍ଷତିର ବାହାନା ଦେଖାଇ କମ୍ପାନୀ ବନ୍ଦ କରୁଛନ୍ତି। ସେ ତାଙ୍କ ଚିନି କାରଖାନାର କର୍ମଚାରୀ ସଂଘର ନେତା, ଏହି ସଂଘ ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ୍ କଂଗ୍ରେସ ସହ ଅନୁବନ୍ଧିତ।
ନଭେମ୍ବର ୨୬ ତାରିଖରୁ କର୍ମ ସଂସ୍ଥାନହରା କର୍ମଚାରୀମାନେ କାରଖାନା ଆଗରେ ଏକ ଅସ୍ଥାୟୀ ଶିବିରରେ ରିଲେ ଅନଶନ ଧର୍ମଘଟରେ ବସିଲେ। ସେମାନଙ୍କର ଦାବି ଥିଲା ସେମାନେ କାମ କରିଥିବା ଦୁଇ ମାସର ଦରମା ଓ ଏଥିସହ ଚୁକ୍ତି ଭଙ୍ଗ କରିବାର କ୍ଷତିପୂରଣ ଭାବରେ ପ୍ରତି କର୍ମଚାରୀଙ୍କୁ ୨୪ମାସର ଦରମା କମ୍ପାନୀ କର୍ତ୍ତୃପକ୍ଷ ପ୍ରଦାନ କରନ୍ତୁ। କାରଖାନାର ଅଧିକାଂଶ କର୍ମଚାରୀ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। କାରଖାନାର ବନ୍ଦ ଫାଟକ ବାହାରେ କେଇ ସପ୍ତାହ ଅନଶନରେ ବସିବା ବେଳେ ସେମାନଙ୍କୁ ପରିବାର ଚଳାଇବା ନିମନ୍ତେ ଖୁବ୍ କଷ୍ଟ କରିବାକୁ ହୋଇଥିଲା। ନାଗରାଜୁ କମ୍ପାନୀର ସ୍ଥାୟୀ କର୍ମଚାରୀ ଥିଲେ ଓ ମାସକୁ ୧୪,୦୦୦ ଟଙ୍କା ଦରମା ପାଉଥିଲେ। ଚାକିରି ହରାଇବା ପରେ ସେ ନିଜ ଜମା ଅର୍ଥରୁ ଘର ଖର୍ଚ୍ଚ କଲେ। ଅବଶ୍ୟ ତାଙ୍କ ପତ୍ନୀ ଜଣେ କୃଷି ଶ୍ରମିକ ଓ ପୁଅ ଅଟୋରିକ୍ସା ଚାଳକ।











