ତୃତୀୟ ବୋରୱେଲ୍ ମଧ୍ୟ ଯେତେବେଳେ ଶୁଖିଗଲା, ଡି. ଅମରନାଥ ରେଡ୍ଡୀଙ୍କ ପାଖରେ ନିଜ ଜମିରେ ପାଣି ମଡ଼ାଇବା ଲାଗି ବର୍ଷା ଜଳ ଉପରେ ଭରସା କରିବା ଠାରୁ ଆଉ କୌଣସି ଚାରା ନଥିଲା। ଆନ୍ଧ୍ରପ୍ରଦେଶର ମରୁଡ଼ି ପ୍ରବଣ ଅଞ୍ଚଳ ରାୟଲସୀମାରେ ବୃଷ୍ଟିପାତକୁ ନେଇ ସବୁବେଳେ ଅନିଶ୍ଚିତତା ଲାଗି ରହିଥାଏ, ଯେଉଁ ଅଞ୍ଚଳରେ କି ୫୧ ବର୍ଷୀୟ ଅମରନାଥ ଚାଷ କରିଥାନ୍ତି। ତେଣୁ ସେ ଚିତ୍ତୁର ଜିଲ୍ଲାର ମୁଡିଭେଦୁ ଗ୍ରାମରେ ଥିବା ନିଜର ତିନି ଏକର ଚାଷ ଜମିରେ ବୋରୱେଲ୍ ଖୋଳିବା ଲାଗି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ବୋରୱେଲ୍ ଖୋଳିବା ଲାଗି ସେ ଘରୋଇ ସାହୁକାରଙ୍କଠାରୁ ଋଣ ଆଣିଥିଲେ। ପ୍ରଥମ ବୋରୱେଲରୁ ପାଣି ନବାହାରିବାରୁ ସେ ପୁଣିଥରେ ଚେଷ୍ଟା କଲେ। ଏପରି ଭାବେ ତୃତୀୟ ଥର ପ୍ରୟାସ ବେଳକୁ ତାଙ୍କର ଋଣ ଭାର ବଢ଼ିଯାଇଥିଲା, କିନ୍ତୁ ପାଣି ସ୍ୱପ୍ନ ପାଲଟିଯାଇଥିଲା।
ଅମରନାଥ ଏପ୍ରିଲ-ମେ ୨୦୨୦କୁ ଆଗ୍ରହର ସହିତ ଅପେକ୍ଷା କରିଥିଲେ, ଭଲ ଫସଲ ହେଲେ କିଛି ଋଣ ସୁଝିବେ ବୋଲି ତାଙ୍କର ଆଶା ଥିଲା। ତାଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ଋଣ ବୋଝ ଥିଲା-ବୋରୱେଲରେ ତାଙ୍କର ଖର୍ଚ୍ଚ, ବଡ଼ ଝିଅ ବାହାଘର ପାଇଁ ଉଧାର ଓ ଏକ କୃଷି ଋଣ ବୋଝ ମଧ୍ୟ ତାଙ୍କ ଉପରେ ଥିଲା। କିନ୍ତୁ ଗତବର୍ଷ ମାର୍ଚ୍ଚ ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଅପ୍ରତ୍ୟାଶିତ ଲକଡାଉନ ତାଙ୍କର ସମସ୍ତ ଯୋଜନାକୁ ପଣ୍ଡ କରି ଦେଇଥିଲା। ସେ ନିଜର ଟମାଟୋ ତୋଳିବାକୁ କିମ୍ବା ବିକ୍ରି କରିବାକୁ ସକ୍ଷମ ହେଲେ ନାହିଁ, ତାଙ୍କ ଆଖି ଆଗରେ ସବୁ ପାଚିଗଲା ଓ ନଷ୍ଟ ହୋଇଗଲା।
ସେପ୍ଟେମ୍ବର ୧୭,୨୦୨୦ରେ ଅମରନାଥ ବିଷ ପିଇଦେଇଥିଲେ। ଏ ସମ୍ପର୍କରେ ତାଙ୍କର ପତ୍ନୀ ଡି. ବିମଳା କୁହନ୍ତି, “ମହାମାରୀ ସମୟରେ ପରିସ୍ଥିତିରେ ସୁଧାର ଆସିବ ନାହିଁ ବୋଲି ସେ ନିଶ୍ଚିତ ଭାବେ ଚିନ୍ତା କରିଥିବେ, ଏବଂ ସମସ୍ତ ଆଶା ହରାଇଥିବେ। ଦଶ ଦିନ ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆମେ ତାଙ୍କ ଜୀବନ ରକ୍ଷା କରିବା ଲାଗି ତାଙ୍କୁ ବେଙ୍ଗାଲୁରୁ (ଏଠାରୁ ୧୮୦କିମି ଦୂର)ର ବଡ଼ ଡାକ୍ତରଖାନାକୁ ନେଇଗଲୁ। ଆମେ ସେତେବେଳେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କଲୁ।” ବିମଳା ଏହା କହିବା ସହିତ ତାଙ୍କ ସ୍ୱାମୀଙ୍କୁ ଆଉ ଏପରି ନକରିବା ଲାଗି ନିବେଦନ କରିଥିଲେ।
ଚିତ୍ତୁରରେ ଚାଷୀ ଆତ୍ମହତ୍ୟା ସମ୍ପର୍କରେ ପୁଲିସରେ ହୋଇଥିବା ରିପୋର୍ଟରେ ବୋରୱେଲ୍ ଖନନ ଫେଲ ମାରିବାକୁ ସବୁଠୁ ବଡ଼ କାରଣ ଭାବେ ଦର୍ଶାଯାଇଥାଏ। ଅନ୍ୟ ବିଫଳତାଗୁଡ଼ିକ ହେଉଛି ଟମାଟୋ ଫସଲରେ କ୍ଷତି ଓ କୃଷି ଋଣ ବୋଝ। ପରିବାରଗୁଡ଼ିକୁ କ୍ଷତିପୂରଣ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶରେ ଅଧିକ କାରଣ ସାମିଲ ରହିଛି : “ବୋରୱେଲ୍ ଖନନ ବିଫଳ ହେବା, ଅଧିକ ଖର୍ଚ୍ଚ ସହ ସହିତ ବାଣିଜ୍ୟିକ ଫସଲ ଚାଷ, ଅନୌପଚାରିକ ଭାଗଚାଷ ଏବଂ ବ୍ୟାଙ୍କ ଋଣ ପାଇବାକୁ ଯୋଗ୍ୟ ନହେବା, ଅଧିକ ସୁଧ ହାରରେ ଘରୋଇ ସାହୁକାରଙ୍କ ଠାରୁ ଉଧାର, ପ୍ରତିକୂଳ ପାଣିପାଗ, ପିଲାମାନଙ୍କ ଶିକ୍ଷା ପାଇଁ ଅଧିକ ଖର୍ଚ୍ଚ, ଖରାପ ସ୍ୱାସ୍ଥ୍ୟ ଏବଂ ବିବାହ ଆଦି ଭିନ୍ନ ଭିନ୍ନ କାରଣ ଆତ୍ମହତ୍ୟା ପାଇଁ ଦାୟୀ।’’
ଆହୁରି ଅନେକଙ୍କ ଲାଗି, ଗତ ବର୍ଷର ଅପ୍ରତ୍ୟାଶିତ ଲକଡାଉନ ପରିସ୍ଥିତି ଅଧିକ ଜଟିଳ ହୋଇଯାଇଥିଲା। କେବଳ ୨୦୨୦ରେ, ଚିତ୍ତୁର ଜିଲ୍ଲାର ୩୪ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ-୨୦୧୪ ପରଠାରୁ ଏହା ସର୍ବାଧିକ ଥିଲା। ସେମାନଙ୍କ ମଧ୍ୟରୁ ୨୭ ଜଣ ଏପ୍ରିଲ ଓ ଡିସେମ୍ବର ମାସ ମଧ୍ୟରେ ପ୍ରାଣ ହରାଇଥିଲେ।







