କୋଭିଡ-୧୯ ସଂକ୍ରମିତ ହେବାର ଆଠ ଦିନ ପରେ, ରାମଲିଙ୍ଗ ସନପ ଚିକିତ୍ସାଳୟରେ ମୃତ୍ୟୁବରଣ କଲେ ଯେଉଁଠାରେ ସେ ସଂକ୍ରମଣ ପାଇଁ ଚିକିତ୍ସିତ ହେଉଥିଲେ। କିନ୍ତୁ ଏହା ଭୂତାଣୁ ନଥିଲା ଯିଏକି ତାଙ୍କୁ ହତ୍ୟା କରିଥିଲା।

୪୦ ବର୍ଷୀୟ ରାମଲିଙ୍ଗ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ତାଙ୍କ ସ୍ତ୍ରୀ ରାଜୁବାଇଙ୍କୁ ଚିକିତ୍ସାଳୟରୁ ଟେଲିଫୋନ୍‍ କରିଥିଲେ। ତାଙ୍କର ୨୩ ବର୍ଷୀୟ ପୁତୁରା ରବି ମୋରାଲେ କୁହନ୍ତି, "ଯେତେବେଳେ ସେ ତାଙ୍କର ଚିକିତ୍ସାରେ ହେଉଥିବା ବ୍ୟୟ ବିଷୟରେ ଜାଣିଲେ ସେ କାନ୍ଦି ପକାଇଲେ"। "ସେ ଚିନ୍ତାକଲେ ଯେ ଚିକିତ୍ସାଳୟର ବିଲ୍‍ ପରିଶୋଧ ପାଇଁ ତାଙ୍କୁ ତାଙ୍କର ଦୁଇ ଏକର ଚାଷଜମି ବିକ୍ରି କରିବାକୁ ପଡିବ।"

ରାଜୁବାଇଙ୍କ ଭାଇ ପ୍ରମୋଦ ମୋରାଲେ କୁହନ୍ତି, ମହାରାଷ୍ଟ୍ରର ବିଡ୍‍ ସହରରେ ଥିବା ଦୀପ ଚିକିତ୍ସାଳୟ ଯେଉଁଠାରେ କି ରାମଲିଙ୍ଗ ମଇ ମାସ ୧୩ ତାରିଖରେ ଭର୍ତ୍ତି ହୋଇଥିଲେ, ତାଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ  ୧ ଲକ୍ଷ ୬୦ ହଜାର ଟଙ୍କାର ବିଲ୍‍ ଦେଇଥିଲେ। ସେ କୁହନ୍ତି, "ଆମେ ଯେକୌଣସି ଉପାୟରେ  ଏହାକୁ ଦୁଇଟି କିସ୍ତିରେ ପୈଠ କଲୁ, କିନ୍ତୁ ଚିକିତ୍ସାଳୟ କର୍ତ୍ତୃପକ୍ଷ  ଆହୁରି ୨ ଲକ୍ଷ ଟଙ୍କା ଦେବାକୁ କହୁଥିଲେ"। "ସେମାନେ ପରିବାରକୁ ନକହି ରୋଗୀଙ୍କୁ ଏହି ବିଷୟରେ କହିଥିଲେ। ତାଙ୍କୁ ଏପରି ଚାପ ଦେବାର କ’ଣ ଆବଶ୍ୟକତା ଥିଲା?"

ଚିକିତ୍ସାଳୟ ବିଲ୍‍ ଯାହାକି ପାଖାପାଖି ତାଙ୍କ ପରିବାରର ବାର୍ଷିକ ରୋଜଗାରର ଦୁଇଗୁଣ ବିଷୟରେ ଚିନ୍ତା କରି ଭାରାକ୍ରାନ୍ତ ହୋଇଗଲେ। ମଇ ମାସ ୨୧ ତାରିଖ ଦିନ ନିର୍ଜନ ସମୟରେ ସେ କୋଭିଡ ୱାର୍ଡରୁ ବାହାରିଗଲେ ଏବଂ ଚିକିତ୍ସାଳୟ କରିଡରରେ ଫାଶୀ ଲଗାଇଦେଲେ।

ମଇ ମାସ ୨୦ ତାରିଖ ଦିନ ରାତିରେ ଯେତେବେଳେ ସେ ଫୋନ୍‍ କଲେ ୩୫ ବର୍ଷୀୟା ରାଜୁବାଇ ମାନସିକ ଅଶାନ୍ତିରେ ଥିବା ତାଙ୍କର ସ୍ୱାମୀଙ୍କୁ ଶାନ୍ତ କରିବାକୁ ଚେଷ୍ଟାକଲେ । ସେ ତାଙ୍କୁ କହିଲେ ସେମାନେ ତାଙ୍କର ମୋଟର ସାଇକେଲକୁ ବିକ୍ରି କରିଦେବେ ଓ ଉଭୟ କାମକରୁଥିବା ପଶ୍ଚିମ ମହାରାଷ୍ଟ୍ରର ଚିନିକଳରୁ ଟଙ୍କା ଧାର ଆଣି ପାରିବେ। ସେ କହିଲେ, ତାଙ୍କର ଭଲ ହେବା କେବଳ ତାଙ୍କ ପାଇଁ ଜରୁରୀ ଥିଲା। କିନ୍ତୁ ରାମଲିଙ୍ଗ ବୋଧେ ଏହି ଅର୍ଥ ପରିଶୋଧ କରିପାରିବେ ବୋଲି ନିଶ୍ଚିତ ନଥିଲେ।

ପ୍ରତ୍ୟେକ ବର୍ଷ, ବିଡ ଜିଲ୍ଲା କୈଜ ତାଳୁକାର ନିଜ ଗାଁରୁ ରାମଲିଙ୍ଗ ଓ ରାଜୁବାଇ ପଶ୍ଚିମ ମହାରାଷ୍ଟ୍ରରେ ଥିବା ଆଖୁ କ୍ଷେତଗୁଡିକୁ କାମ କରିବାକୁ ଯାଆନ୍ତି। ସେମାନେ ଉଭୟ ମିଶି ଏପ୍ରିଲରୁ ନଭେମ୍ବର ମାସ ୧୮୦ ଦିନ କଠିନ ପରିଶ୍ରମ କରି ୬୦,୦୦୦ ଟଙ୍କା ରୋଜଗାର କରନ୍ତି। ତାଙ୍କର ଅନୁପସ୍ଥିତିରେ, ତାଙ୍କର - ୮ ବର୍ଷରୁ ୧୬ ବର୍ଷ ବୟସ ମଧ୍ୟରେ - ଥିବା ତିନୋଟି ପିଲା ରାମଲିଙ୍ଗଙ୍କ ବିପତ୍ନୀକ ବାପାଙ୍କ ଦାୟିତ୍ୱରେ ରହିବେ।

Ravi Morale says they took his uncle Ramling Sanap to a private hospital in Beed because there were no beds in the Civil Hospital
PHOTO • Parth M.N.

ରବି ମୋରାଲେ କୁହନ୍ତି ସେମାନେ ତାଙ୍କର ପିଇସା ରାମଲିଙ୍ଗ ସନପଙ୍କୁ ବିଡରେ ଥିବା ଏକ ଘରୋଇ ଚିକିତ୍ସାଳୟକୁ ନେଇଥିଲେ କାରଣ ସିଭିଲ ଚିକିତ୍ସାଳୟରେ କୌଣସି ବେଡ ଉପଲବ୍ଧ ନଥିଲା

ବିଡ ସହରରୁ ୫୦ କିଲୋମିଟର ଦୂରରେ, ଥିବା ନିଜ ଗାଁ ତନନ୍ଦଲଚିୱାଡିକୁ ଫେରିବା ପରେ ରାମଲିଙ୍ଗ ଓ ରାଜୁବାଇ ନିଜ କ୍ଷେତରେ ଜୋୱାର, ବାଜରା ଓ ସୋୟାବିନ ଚାଷ କରିଥିଲେ। ରାମଲିଙ୍ଗ ମଧ୍ୟ ବଡ କୃଷିକ୍ଷେତ୍ରଗୁଡିକରେ ସପ୍ତାହକୁ ପାଖାପାଖି ୩ ଦିନ ଟ୍ରାକ୍ଟର ଚଲାଇ ଦିନକୁ ୩୦୦ ଟଙ୍କା ରୋଜଗାର କରନ୍ତି।

ରାମଲିଙ୍ଗ ଯେତେବେଳେ ଅସୁସ୍ଥ ହେଲେ, ତାଙ୍କର ଚିକିତ୍ସା ନିମନ୍ତେ ନିଜର ଗୁଜୁରାଣ ମେଣ୍ଟାଇବାକୁ ସଂର୍ଘଷ କରୁଥିବା ପରିବାର ପ୍ରଥମ ପସନ୍ଦ ଥିଲା ବିଡରେ ଥିବା ସିଭିଲ ଚିକିତ୍ସାଳୟ। ରବି କୁହନ୍ତି, "କିନ୍ତୁ ସେଠାରେ କୌଣସି ବେଡ୍‍ ଖାଲି ନଥିଲା"। "ତେଣୁ ଆମେ ତାଙ୍କୁ ଘରୋଇ ଚିକିତ୍ସାଳୟକୁ ନେଲୁ।"

ଦ୍ୱିତୀୟ ଲହରରେ କରୋନା ଭୂତାଣୁର ଦ୍ରୁତ ସଂକ୍ରମଣ ଗ୍ରାମୀଣ ଭାରତର ଖରାପ ଜନ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ପଦାରେ ପକାଇଦେଇଛି। ଉଦାହରଣସ୍ୱରୁପ, ବିଡରେ ଥିବା ଦୁଇଟି ବଡ ସରକାରୀ ଚିକିତ୍ସାଳୟ ଜିଲ୍ଲାର ୨୬ ଲକ୍ଷ ଜନସାଧାରଣଙ୍କୁ ସେବା ଯୋଗାଉଛି।

ଯେହେତୁ ସରକାରୀ ଚିକିତ୍ସାଳୟଗୁଡିକରେ କୋଭିଡ ରୋଗୀମାନଙ୍କ ସଂଖ୍ୟା ଏହାର ବେଡ୍‍ ସଂଖ୍ୟାଠାରୁ ବହୁତ ଅଧିକ ରହିଛି, ଲୋକମାନଙ୍କୁ ଘରୋଇ ଚିକିତ୍ସାଳୟଗୁଡିକୁ ଯିବାକୁ ପଡୁଥିଲା ଯଦିଓ ସେମାନେ ଏହାର ଖର୍ଚ୍ଚ ବହନ କରିବାକୁ ଅସମର୍ଥ।

ଅନେକଙ୍କ ପାଇଁ, ଗୋଟିଏ ଥରର ଜରୁରୀ ଅବସ୍ଥା ଏକ ଦୀର୍ଘ ମିଆଦି ଋଣରେ ପରିଣତ ହେଉଥିଲା।

୨୦୨୧ ମସିହା ମାର୍ଚ୍ଚ ମାସରେ ଆମେରିକା ସ୍ଥିତ ପିୟୁ ରିସର୍ଚ୍ଚ ସେଣ୍ଟରରେ ପ୍ରକାଶିତ ରିପୋର୍ଟ ଜଣାଏ, ‘‘ଆକଳନ ଅନୁଯାୟୀ କୋଭିଡ-୧୯ ଦ୍ୱାରା ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ଯୋଗୁଁ ଭାରତରେ ଗରିବ(ଯାହାର ରୋଜଗାର ୨ ଡଲାର ବା ତାଠାରୁ କମ୍‍) ଲୋକମାନଙ୍କ ସଂଖ୍ୟା ଆହୁରି ୭୫ ମିଲିୟନ ବଢିଯାଇଛି’’। ଏହି ରିପୋର୍ଟ ପ୍ରକାଶ କରେ, ୨୦୨୦ ମସିହାରେ ଆକଳନ ଅନୁସାରେ ଭାରତରେ ମଧ୍ୟବିତ୍ତ ପରିବାର ସଂଖ୍ୟା ୩୨ ମିଲିୟନ କମିଯାଇଛି, ଯାହାକି ବିଶ୍ୱରେ ବୃଦ୍ଧି ପାଇଥିବା ଦାରିଦ୍ରର ୬୦ ପ୍ରତିଶତ ଅଟେ।

ଏହି ମହାମାରୀର ପ୍ରଭାବ ବିଶେଷ ଭାବରେ ବିଡ ଓ ଓସାମାନାବାଦରେ ପରିଲକ୍ଷିତ-ମହାରାଷ୍ଟ୍ରର ମରାଠାୱାଡା ଅଞ୍ଚଳର ପଡୋଶୀ ଜିଲ୍ଲାଗୁଡିକ-  ପୂର୍ବରୁ ଏହି ସମୟରେ ଜଳବାୟୁ ପରିବର୍ତ୍ତନ, ଜଳାଭାବ ଓ କୃଷି ସମସ୍ୟା ସହ ସଂଘର୍ଷ କରୁଥିଲା ଓ ଏବେ କୋଭିଡ ସହିତ ମଧ୍ୟ। ୨୦୨୧ ମସିହା ଜୁନ୍‍ ମାସ ସୁଦ୍ଧା ବିଡର ରେକର୍ଡ ଅନୁଯାୟୀ ୯୧,୬୦୦ ଜଣ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ବେଳେ ୨୪୫୦ ଜଣ ମୃତ୍ୟୁବରଣ କରିଥିଲେ, ଏବଂ ଓସାମାନାବାଦରେ ୬୧,୦୦୦ ଜଣ ସଂକ୍ରମିତ ହୋଇଥିଲେ ଓ ୧୫୦୦ ଜଣ ମୃତ୍ୟୁବରଣ କରିଥିଲେ।

Left: A framed photo of Vinod Gangawane. Right: Suresh Gangawane fought the hospital's high charges when his brother was refused treatment under MJPJAY
PHOTO • Parth M.N.
Suvarna Gangawane (centre) with her children, Kalyani (right) and Samvidhan

ବାମ: ବିନୋଦ ଗଙ୍ଗୱାନେଙ୍କ ବନ୍ଧେଇ ଫଟୋ ଡାହାଣ: ସୁବର୍ଣ୍ଣ ଗଙ୍ଗୱାନେ(ମଝିରେ) ତାଙ୍କର ଦୁଇ ପିଲାଙ୍କ ସହିତ, କଲ୍ୟାଣି (ଡାହାଣ) ଓ ସ ମ୍ବି ଧାନ

ସରକାରୀ କାଗଜ ପତ୍ରରେ, ଯଦିଓ, ଗରିବମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।

ମହାରାଷ୍ଟ୍ର ସରକାର କୋଭିଡ ରୋଗୀମାନେ ଚିକିତ୍ସାରେ ନିଜର ସମସ୍ତ ସଂଚୟ ନହରାଇବାକୁ ସୁନିଶ୍ଚିତ କରାଇବା ନିମନ୍ତେ ଘରୋଇ ଡାକ୍ତରଖାନାଗୁଡିକର ଦେୟ ଧାର୍ଯ୍ୟ କରିଛନ୍ତି। ଚିକିତ୍ସାଳୟଗୁଡିକ ସାଧାରଣ ୱାର୍ଡ ବେଡ୍‍ ଦିନ ପିଛା ୪୦୦୦ ଟଙ୍କା, ଇଣ୍ଟେନ୍‍ସିଭ କେୟାର ୟୁନିଟି (ଆଇସିୟୁ) ବେଡ୍‍ ପିଛା ୭୫୦୦ ଟଙ୍କା ଏବଂ ଭେଣ୍ଟିଲେଟର ସହ ଆଇସିୟୁ ବେଡ୍‍ ପାଇଁ ୯୦୦୦ଟଙ୍କାରୁ ଅଧିକ ନେଇପାରିବେ ନାହିଁ ବୋଲି ନିୟମ କରାଯାଇଛି।

ରାଜ୍ୟ ସରକାରଙ୍କର ପ୍ରମୁଖ ସ୍ୱାସ୍ଥ୍ୟ ବୀମା ଯୋଜନା - ମହାତ୍ମା ଜ୍ୟୋତିରାଓ ଫୁଲେ ଜନ ଆରୋଗ୍ୟ ଯୋଜନାରେ (ଏମଜେପିଜେଏୱାଇ)ଚିକିତ୍ସାଗତ ଖର୍ଚ୍ଚ(୨.୫ ଲକ୍ଷ ପର୍ଯ୍ୟନ୍ତ) ପ୍ରଦାନ କରିଥାଏ।  ଏହି ଯୋଜନାର ସୁବିଧା ପାଇବା ପାଇଁ ଯୋଗ୍ୟ ହେଉଛନ୍ତି ବାର୍ଷିକ ରୋଜଗାର ଏକ ଲକ୍ଷ ଟଙ୍କାରୁ କମ୍‍ଥିବା ପରିବାରଗୁଡିକ ଏବଂ ବିଡ ଓ ଓସମାନାବାଦ ଭଳି କୃଷି କ୍ଷେତ୍ରରେ ପଛୁଆ ଥିବା ୧୪ଟି ଜିଲ୍ଲାର ପରିବାରଗୁଡିକ। ଏମଜେପିଜେଏୱାଇ ବ୍ୟବସ୍ଥାରେ ୪୪୭ଟି ସରକାରୀ ଓ ଘରୋଇ ଚିକିତ୍ସାଳୟଗୁଡିକୁ ସୂଚୀ ଭୁକ୍ତ କରାଯାଇଛି, ଯେଉଁଠାରେକି ଏହି ଯୋଜନା ଅଧିନରେ ଅସୁସ୍ଥତା ଓ ଚିହ୍ନଟ କରାଯାଇଥିବା ଶଲ୍ୟଚିକିତ୍ସା ପ୍ରକ୍ରିୟାଗୁଡିକର ନଗଦବିହୀନ ଚିକିତ୍ସା କରାଯାଏ।

କିନ୍ତୁ ଏପ୍ରିଲ୍‌ ମାସରେ ଓସମାନାବାଦର ଚିରାୟୁ ଚିକିତ୍ସାଳୟ ୪୮ ବର୍ଷୀୟ ବିନୋଦ ଗଙ୍ଗୱାନେଙ୍କୁ ଏମଜେପିଜେଏୱାଇ ଯୋଜନା ଅଧିନରେ ଚିକିତ୍ସା କରିବାକୁ ମନାକରିଦେଲେ। ତାଙ୍କର ଭାଇ ୫୦ ବର୍ଷୀୟ ସୁରେଶ ଗଙ୍ଗାୱାନେ, ଯିଏକି ବିନୋଦଙ୍କୁ ଘରୋଇ ଚିକିତ୍ସାଳୟକୁ ନେଇଥିଲେ, କୁହନ୍ତି,"ଏହା ଏପ୍ରିଲ୍‌ ମାସର ପ୍ରଥମ ସପ୍ତାହ ଥିଲା ଓ ଓସମାନାବାଦରେ ସଂକ୍ରମଣ ସଂଖ୍ୟା ବହୁତ ଅଧିକ ଥିଲା। କୌଣସି ସ୍ଥାନରେ ଏକ ବେଡ୍ ପାଇବା କଷ୍ଟକର ଥିଲ"। "ଚିରାୟୁ ଚିକିତ୍ସାଳୟର ଜଣେ ଡାକ୍ତର କହିଲେ ,‘ଆମେ ସେହି  ଯୋଜନା ଅଧିନରେ ଆସୁନାହୁଁ, ତେବେ ମୋତେ କୁହ ତୁମର ବେଡ୍‍ ଦରକାର ନା ନାହିଁ’। ସେହି ସମୟରେ ଆମେ ଭୟଭୀତ ହୋଇଯାଇଥିଲୁ ତେଣୁ ଆମେ ସେମାନଙ୍କୁ ଚିକିତ୍ସା ଆରମ୍ଭ କରିବାକୁ କହିଲୁ।"

ଓସମାନାବାଦ ଜିଲ୍ଲା ପରିଷଦର ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିବା ସୁରେଶ, ସ୍ୱାଧିନ ଭାବରେ ତଦନ୍ତ କଲେ, ସେ ଜାଣିବାକୁ ପାଇଲେ ଯେ ଏମଜେପିଜେଏୱାଇ ଯୋଜନା ଅନ୍ତର୍ଭୁକ୍ତ ଥିବା ଚିକିତ୍ସାଳୟଗୁଡିକ ତାଲିକାରେ ସେହି ଚିକିତ୍ସାଳୟଟି ଥିଲା। ସେ କହିଲେ,"ମୁଁ ଏହି ବିଷୟରେ ଚିକିତ୍ସାଳୟର କର୍ତ୍ତୃପକ୍ଷଙ୍କ ସହ କଥାହେଲି, କିନ୍ତୁ ସେମାନେ ମୋତେ କହିଲେ ମୁଁ ଏହି ଯୋଜନା ଆବଶ୍ୟକ କରୁଛି ନା ମୋର ଭାଇ ଆବଶ୍ୟକ କରୁଛି"। "ସେମାନେ ଏହା ମଧ୍ୟ କହିଲେ ଯେ ଯଦି ଆମେ ନିୟମିତ ଭାବରେ ବିଲ୍‍ ପୈଠ ନକରିବୁ ଚିକିତ୍ସା ବନ୍ଦ କରିଦିଆଯିବ।"

Left: A framed photo of Vinod Gangawane. Right: Suresh Gangawane fought the hospital's high charges when his brother was refused treatment under MJPJAY
PHOTO • Parth M.N.

ଯେତେବେଳେ ଏମଜେପିଜେଏୱାଇ ଯୋଜନା ଅଧିନରେ ତାଙ୍କର ଭାଇକୁ ଚିକିତ୍ସା କରିବାକୁ ମନା କରିଦିଆଗଲା ସୁରେଶ ଗଙ୍ଗୱାନେ ଚିକିତ୍ସାଳୟର ଅତ୍ୟଧିକ ମୂଲ୍ୟ ଦାବିର ବିରୋଧ କରିଥିଲେ

ଓସମାନାବାଦ ସହରର ଉପାନ୍ତରେ ଗଙ୍ଗୱାନେ ପରିବାରର ଚାରି ଏକର ଚାଷ ଜମି ରହିଥିଲା, ବିନୋଦଙ୍କ ଚିକିତ୍ସା ପାଇଁ ଚିକିତ୍ସାଳୟରେ ୨୦ ଦିନର ମେଡିସିନ, ପରୀକ୍ଷା ଓ ଚିକିତ୍ସାଳୟର ବେଡ୍‍ ପାଇଁ ୩ ଲକ୍ଷ ୫୦ ହଜାର ଦେଇ ସାରିଥିଲେ। ସୁରେଶ କହିଲେ, ଯେତେବେଳେ ସେ ଏପ୍ରିଲ ମାସ ୨୬ ତାରିଖରେ ମୃତ୍ୟୁ ବରଣ କଲେ, ଚିକିତ୍ସାଳୟ ପୁଣି ୨ ଲକ୍ଷ ଟଙ୍କା ଦାବି କରିଥିଲେ ମାତ୍ର ସେ ଦେବା ପାଇଁ ମନା କରିଦେଲେ। ସେଠାରେ ତାଙ୍କର ଓ ଚିକିତ୍ସାଳୟର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେ କୁହନ୍ତି, "ମୁଁ କହିଲି ଏହି ମୃତ ଶରୀର ମୁଁ ନେବି ନାହିଁ"। ଚିକିତ୍ସାଳୟ କର୍ତ୍ତୃପକ୍ଷ ନିଜର ଅଧିକ ଦେୟ ଦାବିକୁ ପ୍ରତ୍ୟାହାର ନକରିବା ଯାଏଁ ପୁରା ଦିନ ବିନୋଦଙ୍କ ମୃତ ଶରୀର ଚିକିତ୍ସାଳୟରେ ପଡିରହିଥିଲା।

ଚିରାୟୁ ଚିକିତ୍ସାଳୟର ମାଲିକ ଡ. ବିରେନ୍ଦ୍ର ଗୱାଲି କହିଲେ ଯେ ବିନୋଦ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧିନରେ ଭର୍ତ୍ତି ହୋଇ ନଥିଲେ କାରଣ ସୁରେଶ ତାଙ୍କର ଆଧାର କାର୍ଡ ଜମା କରାଇ ନଥିଲେ। ଜବାବରେ ସୁରେଶ କୁହନ୍ତି,ଏହା ସବୁ ମିଥ୍ୟା ଏଟେ: "ଚିକିତ୍ସାଳୟ ଏମଜେପିଜେଏୱାଇ ଯୋଜନା ବିଷୟରେ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲା"।

ଡ. ଗୱାଲି କୁହନ୍ତି, ଚିରାୟୁରେ ଥିବା ସମସ୍ତ ସେବା ହେଉଛି ସାଧାରଣ। ସେ କୁହନ୍ତି,"କିନ୍ତୁ ଯେତେବେଳେ ରୋଗୀମାନଙ୍କ ସଂଖ୍ୟା ବଢିବାକୁ ଲାଗିଲା, [ଜିଲ୍ଲା] ପ୍ରଶାସନ ଆମକୁ କୋଭିଡ ରୋଗୀ ଭର୍ତ୍ତି କରିବାକୁ ଅନୁରୋଧ କଲେ। ମୋତେ ମୌଖିକ ଭାବରେ ସେମାନଙ୍କର ଦାୟିତ୍ୱ ନେବାକୁ କୁହାଯାଇଥିଲା,ଏବଂ ଯଦି କୌଣସି ଅସୁବିଧା ହୁଏ, ତେବେ ସେମାନଙ୍କୁ ଅନ୍ୟ ଚିକିତ୍ସାଳୟକୁ ପଠାଇଦେବାକୁ  ନିର୍ଦ୍ଦେଶ ଦେଇଥିଲେ।"

ଡ.ଗୱାଲି କହିଲେ, ଚିକିତ୍ସାଳୟରେ ଭର୍ତ୍ତି ହେବାର ୧୨-୧୫ ଦିନ ପରେ ଯେତେବେଳେ ବିନୋଦଙ୍କୁ ନିଃଶ୍ୱାସ ଓ ପ୍ରଶ୍ୱାସ ନେବାରେ ଅସୁବିଧା ହେଲା, ସେ ତାଙ୍କ ପରିବାର ସଦସ୍ୟଙ୍କୁ ତାଙ୍କୁ ଅନ୍ୟ ଏକ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ କହିଥିଲେ। "ସେମାନେ ମନାକରିଦେଲେ। ଆମେ ତାଙ୍କୁ ବଞ୍ଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କଲୁ। କିନ୍ତୁ ଏପ୍ରିଲ୍‌ ୨୫ ତାରିଖରେ ତାଙ୍କୁ ଏକ ଦୃଦ୍‍ଘାତ ଆସିଲା ଓ ପରଦିନ ସେ ମୃତ୍ୟୁବରଣ କରିଥିଲେ।"

ସୁରେଶ କହିଲେ, ବିନୋଦଙ୍କୁ ଅନ୍ୟ ଏକ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ମାନେ ଥିଲା ଓସମାନାବାଦରେ ଆଉ ଏକ ଅମ୍ଳଜାନ ସଂଲଗ୍ନ ବେଡ୍‍ ଖୋଜିବା। ପରିବାରଟି ସପ୍ତାହେ ଦେଲା ପ୍ରଗାଢ ମାନସିକ ଧକ୍କାର ସାମ୍ନା କରୁଥିଲା। ବିନୋଦ ଓ ସୁରେଶଙ୍କ ୭୫ ବର୍ଷୀୟ ବୃଦ୍ଧ ବାପା ବିତ୍ତାହାଲ ଗଙ୍ଗୱାନେ କିଛିଦିନ ପୂର୍ବରୁ କୋଭିଡ-୧୯ ରେ ମୃତ୍ୟବରଣ କରିଥିଲେ। କିନ୍ତୁ ପରିବାର ସଦସ୍ୟମାନେ ବିନୋଦଙ୍କୁ ଏହି ଖବର ଦେଇ ନଥିଲା। ବିନୋଦଙ୍କ ସ୍ତ୍ରୀ ୪୦ ବର୍ଷୀୟା ସୁବର୍ଣ୍ଣା କୁହନ୍ତି,"ଆଗରୁ ହିଁ ସେ ଆତଙ୍କିତ ଅବସ୍ଥାରେ ଥିଲେ"। "ଯେତେବେଳେ ତାଙ୍କ ୱାର୍ଡରେ କେହିବି ରୋଗୀ ମୃତ୍ୟୁବରଣ କରୁଥିଲେ ସେ ବିବ୍ରତ ହୋଇ ଯାଉଥିଲେ"।

The Gangawane family at home in Osmanabad. From the left: Suvarna, Kalyani, Lilawati and Suresh with their relatives
PHOTO • Parth M.N.

ଓସମାନାବାଦରେ ଥିବା ଘରେ ଗଙ୍ଗୱାନେ ପରିବାର । ବାମରେ: ସୁବର୍ଣ୍ଣା, କଲ୍ୟାଣି, ଲିଲାବତି, ସୁରେଶ, ସମ୍ଵିଧାନ ଏବଂ ଜଣେ ପାରିବାରିକ ବନ୍ଧୁ

ତାଙ୍କର ୧୫ ବର୍ଷୀୟା ଝିଅ କଲ୍ୟାଣି କୁହନ୍ତି, "ବିନୋଦ ସବୁବେଳେ ତାଙ୍କ ବାପାଙ୍କୁ ଦେଖା କରିବାକୁ କହୁଥିଲେ"। "କିନ୍ତୁ ଆମେ ସବୁବେଳେ କିଛି ନା କିଛି କହି ଭୁଲାଇ ଦେଉଥିଲୁ। ସେ ମୃତ୍ୟୁ ବରଣ କରିବାର ଦୁଇ ଦିନ ପୂର୍ବରୁ, ଆମେ ଆମ ଜେଜେମାଙ୍କୁ [ବିନୋଦଙ୍କ ମା, ଲିଲାବତି] ଚିକିତ୍ସାଳୟ ନେଇଥିଲୁ ଯାହାଦ୍ୱାରା କି ସେ ତାଙ୍କୁ ଦେଖିପାରିଲେ।"

ଚିକିତ୍ସାଳୟକୁ ଯିବା ସମୟରେ ଲିଲାବତି ମଥାରେ ସିନ୍ଦୁର ଲଗାଇଥିଲେ - ଯାହାକି ହିନ୍ଦୁ ବିଧବାଙ୍କୁ ବିଧି ଅନୁସାରେ ନିଷେଧ କରାଯାଇଛି। ସେ କୁହନ୍ତି, "ଆମେ ତାଙ୍କ ମନରେ କୌଣସି ପ୍ରକାର ସଂଦେହ ଆଣିବାକୁ ଚାହୁଁ ନଥିଲୁ, କାରଣ କିଛିଦିନ ମଧ୍ୟରେ ନିଜ ପୁଅ ଓ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିଥିଲେ ସେ  ସମ୍ପୁର୍ଣ୍ଣ ରୂପେ ଭାଙ୍ଗିପଡିଥାନ୍ତେ"।

ସୁବର୍ଣ୍ଣା ଯିଏକି ଗୃହିଣୀ କୁହନ୍ତି, ପରିବାରକୁ ଏହି ଆର୍ଥିକ ସଂକଟରୁ ବାହାରିବା ପାଇଁ ସଂଘର୍ଷ କରିବାକୁ ପଡିବ। "ମୁଁ ମୋର ସମସ୍ତ ଗହଣା ବନ୍ଧା ପକାଇଥିଲି ଏବଂ ଆମେ ପରିବାରର ସମସ୍ତ ସଂଚୟକୁ ହରାଇ ସାରିଥିଲୁ।" ସେ କୁହନ୍ତି, କଲ୍ୟାଣି ଡାକ୍ତର ହେବାକୁ ଚାହୁଁଛି। "ମୁଁ ତାର ସ୍ୱପ୍ନ କିପରି ପୁରଣ କରିବି?" ଯଦି ଚିକିତ୍ସାଳୟଟି ଆମକୁ ଏହି ଯୋଜନାର ସୁବିଧା  ଫେରାଇ ଦିଅନ୍ତା, ମୋ ଝିଅର ଭବିଷ୍ୟତ ଅନ୍ଧାର ଭିତରେ ରୁହନ୍ତା ନାହିଁ।"

ବିଜୟ ଭୁତେକର ଯିଏକି ଏହି ଯୋଜନାର ଜିଲ୍ଲା ସମନ୍ୱୟକାରୀ କୁହନ୍ତି, ଏପ୍ରିଲ୍‌ ୧ ରୁ ମଇ ୧୨ ମଧ୍ୟରେ ଓସାମାନାବାଦର ଘରୋଇ ଚିକିତ୍ସାଳୟରେ ଏମଜେପିଜେଏୱାଇ ଯୋଜନା ଅଧିନରେ ମାତ୍ର ୮୨ ଜଣ କୋଭିଡ-୧୯ ରୋଗୀ ଚିକିତ୍ସିତ ହୋଇଛନ୍ତି। ବିଡରେ ଥିବା ଜିଲ୍ଲା ସମନ୍ୱୟକାରୀ ଅଶୋକ ଗୈକୱାଡ, କୁହନ୍ତି ଯେ ସେଠାରେ ଏପ୍ରିଲ୍‌ ୧୭ ରୁ ମଇ ୨୭ ତାରିଖ ମଧ୍ୟରେ ୧୭୯ ଜଣ ରୋଗୀ ଘରୋଇ ଚିକିତ୍ସାଳୟରେ ଏହି ଯୋଜନାର ଲାଭ ପାଇଛନ୍ତି। ଏହି ସଂଖ୍ୟାଗୁଡିକ ହେଉଛି ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ମୋଟ ରୋଗୀମାନଙ୍କ ସଂଖ୍ୟାର ଏକ ଅଂଶ ମାତ୍ର।

ଅନିକେତ ଲୋହିୟା ଯିଏକି ବିଡର ଆମ୍ବେଜୋଗାଇ ସହରର ଗ୍ରାମାଞ୍ଚଳ ବିକାଶ ସଂସ୍ଥା ‘ମାନବଲୋକ’ର ସଂପାଦକ,  କୁହନ୍ତି, "ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକୁ ଉନ୍ନତ ଓ ଶକ୍ତିଶାଳୀ କରିବା ଦରକାର ଯାହା ଦ୍ୱାରା କି ଲୋକମାନଙ୍କୁ ଘରୋଇ ଚିକିତ୍ସାଳୟ କୁ ଯିବାକୁ ପଡିବ ନାହିଁ"। ସେ କୁହନ୍ତି, "ଆମର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକ ଏବଂ ଗ୍ରାମାଞ୍ଚଳର ଉପ-କେନ୍ଦ୍ରଗୁଡିକରେ ବହୁତ କମ୍‍ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ଅଛନ୍ତି, ତେଣୁ ଜନସାଧାରଣ ଗ୍ରହଣୀୟ ସ୍ୱାସ୍ଥ୍ୟ ସେବା ପାଇପାରୁ ନାହାଁନ୍ତି"।

Ever since the outbreak of coronavirus in March 2020, the MJPJAY office in Mumbai has received 813 complaints from across Maharashtra – most of them against private hospitals. So far, 186 complaints have been resolved and the hospitals have returned a total of Rs. 15 lakhs to the patients
PHOTO • Parth M.N.

ରାଗିଣି ଫାଡକେ ଓ ମୁକୁନ୍ଦରାଜ

୨୦୨୦ ମସିହା ମାର୍ଚ୍ଚ ମାସରୁ କୋଭିଡ-୧୯ ବ୍ୟାପିବା ଠାରୁ, ମୁମ୍ବାଇରେ ଥିବା ଏମଜେପିଜେଏୱାଇ ଅଫିସ ସମଗ୍ର ମହାରାଷ୍ଟ୍ରରୁ ୮୧୩ ଟି ଅଭିଯୋଗ ଗ୍ରହଣ କରିଛି - ସେଗୁଡିକ ମଧ୍ୟରୁ ଅଧିକାଂଶ ହେଉଛି ଘରୋଇ ଚିକିତ୍ସାଳୟ ବିରୋଧରେ। ଏ ପର୍ଯ୍ୟନ୍ତ ୧୮୩ ଟି ଅଭିଯୋଗର ସମାଧାନ କରାଯାଇଛି ଏବଂ ଚିକିତ୍ସାଳୟଗୁଡିକ ମୋଟ ୧୫ ଲକ୍ଷ ଟଙ୍କା ରୋଗୀମାନଙ୍କୁ ଫେରାଇ ସାରିଲେଣି

ଲୋହିୟା କୁହନ୍ତି, "ଏପରିକି ବଡ ଚିକିତ୍ସାଳୟ ଗୁଡିକରେ ସ୍ୱାସ୍ଥ୍ୟ କର୍ମୀଙ୍କ ଅଭାବ ରହିଛି ଏବଂ ଡାକ୍ତର ଓ ନର୍ସମାନେ ରୋଗୀମାନେ ଆବଶ୍ୟକ କରୁଥିବା ସେବା ଦେଇପାରୁ ନାହାଁନ୍ତି"। "ଅନେକ କ୍ଷେତ୍ରରେ, ଲୋକମାନେ ଘରୋଇ ଚିକିତ୍ସାଳୟକୁ ଯାଆନ୍ତି ଯଦିଓ ସେମାନେ ଏହାର ବ୍ୟୟ ଭାର ବହନ କରିବାକୁ ଅସମର୍ଥ କାରଣ ସରକାରୀ ଚିକିତ୍ସାଳୟଗୁଡିକ ଲୋକମାନଙ୍କର ଭରସାଯୋଗ୍ୟ ହୋଇପାରୁ ନାହାନ୍ତି।"

ଏହି କାରଣ ଯୋଗୁଁ, ଯେତେବେଳେ ବିଠଲ ଫାଡେକେ ମଇ ମାସରେ କୋଭିଡ ଲକ୍ଷଣ ସହିତ ଅସୁସ୍ଥ ହେଲେ, ସେ ନିକଟସ୍ଥ ସରକାରୀ ଚିକିତ୍ସାଳୟରେ ବେଡ୍‍ ପାଇବା ପାଇଁ ବ୍ୟସ୍ତ ହେଲେ ନାହିଁ। ତାଙ୍କର ଭାଇ ଲକ୍ଷ୍ମଣ କୋଭିଡ ନିମୋନିଆ ସଂକ୍ରମିତ ହୋଇ ମାତ୍ର ଦୁଇ ଦିନ ପୂର୍ବରୁ ସେଠାରେ ମୃତ୍ୟୁବରଣ କରିଥିଲେ।

୨୦୨୧ ମସିହା ଏପ୍ରିଲ୍‌ ଶେଷ ସପ୍ତାହରେ ଲକ୍ଷ୍ମଣ କୋଭିଡର ଲକ୍ଷଣ ଅନୁଭବ କରିବାକୁ ଲାଗିଲେ। ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦୃତ ଅବନତି ଦେଖାଦେଲା, ବିଠଲ ତାଙ୍କୁ ତାଙ୍କ ସହର ପାର୍ଲିରୁ ୨୫ କିଲୋମିଟର ଦୂର ଅମ୍ବେଯୋଗାଇ (ଏସଆରଟିଆରଏମସିଏ)ସ୍ଥିତ ସ୍ୱାମୀ ରାମାନନ୍ଦ ତୀର୍ଥ ଗ୍ରାମୀଣ ସରକାରୀ ଭେଷଜ ମହାବିଦ୍ୟାଳୟକୁ ନେଇଥିଲେ। ଲକ୍ଷ୍ମଣ ଚିକିତ୍ସାଳୟରେ ମାତ୍ର ଦୁଇ ଦିନ ପାଇଁ ରହିଥିଲେ।

ସରକାରୀ ଚିକିତ୍ସାଳୟରେ ନିଜ ଭାଇଙ୍କ ମୃତ୍ୟୁକୁ ଦେଖି ସେ ଭୟଭିତ ହୋଇଯାଇଥିଲେ, ବିଠଲ ଯେତେବେଳେ ନିଶ୍ୱାସ ଓ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ସେ ଘରୋଇ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଗଲେ। ଲକ୍ଷ୍ମଣଙ୍କ ୨୮ ବର୍ଷୀୟ ସ୍ତ୍ରୀ ରାଗୀଣି କୁହନ୍ତି, "ସେହି ଚିକିତ୍ସାଳୟଟି [ଏସଆରଟିଆରଏମସିଏ] ଅମ୍ଳଜାନ ନିମନ୍ତେ ପ୍ରତ୍ୟେକ ଦିନ ଚାରିଆଡେ ଘୁରି ବୁଲୁଥିଲେ। ତୁମେ ବାରମ୍ବାର ଚିତ୍କାର ନକଲେ ଡାକ୍ତର ଓ କର୍ମୀମାନେ ରୋଗୀମାନଙ୍କ ପ୍ରତି ଧ୍ୟାନ ଦେଉନଥିଲେ। ସେମାନେ ଏକ ସମୟରେ ଅନେକ ରୋଗୀମାନଙ୍କର ଚିକିତ୍ସା କରୁଥିଲେ।" "ଏହି ଭୂତାଣୁ ପ୍ରତି ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଯାଇଥିଲା ଏବଂ ସେମାନେ ଯତ୍ନ ଆବଶ୍ୟକ କରୁଥିଲେ। ସେମାନେ ଡାକ୍ତରମାନଙ୍କ ଠାରୁ ଆଶ୍ୱାସନା ଚାହୁଁଥିଲେ। ସେଥିପାଇଁ ବିଠଲ ଟଙ୍କା ବିଷୟରେ ଚିନ୍ତା କରୁନଥିଲେ[ଘରୋଇ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ]"।

ବିଠଲ ସୁସ୍ଥ ହେଲେ ଏବଂ ଏକ ସପ୍ତାହ ମଧ୍ୟରେ ଘରକୁ ଫେରିଲେ, କିନ୍ତୁ ଏହି ଉପଶମ ବେଶୀ ଦିନ ରହିଲା ନାହିଁ।

ଚିକିତ୍ସାଳୟ କର୍ତ୍ତୃପକ୍ଷ ତାଙ୍କୁ ୪୧,୦୦୦ଟଙ୍କା ପରିଶୋଧ କରିବା ପାଇଁ କହିଲେ। ଏହା ବ୍ୟତିତ ସେ ଔଷଧ ବାବଦକୁ ୫୬,୦୦୦ଟଙ୍କା ଖର୍ଚ୍ଚ କରିଥିଲେ-ଯାହାକି ତାଙ୍କର ବା ଲକ୍ଷ୍ମଣର ୨୮୦ ଦିନର ରୋଜଗାର ସହ ସମାନ। ସେ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ କିଛି ରିହାତି ଦେବା ପାଇଁ ଅନୁରୋଧ କଲେ, ମାତ୍ର ସେମାନେ ଶୁଣିଲେ ନାହିଁ। ରାଗୀଣି କହିଲେ," ଆମେ ବିଲ୍‍ ପରିଶୋଧ କରିବା ପାଇଁ ଟଙ୍କା କରଜ କରି ଆଣିଲୁ"।

Ragini Phadke with her children outside their one-room home in Parli. The autorickshaw is the family's only source of income
PHOTO • Parth M.N.

ରାଗିଣୀ ଫାଡକେ ନିଜ ପିଲାମାନଙ୍କ ସହ ପାର୍ଲିରେ ଥିବା ନିଜର ଏକ କୋଠରୀ ବିଶିଷ୍ଟ ଘର ବାହାରେ ଛିଡା ହୋଇଛନ୍ତି ଅଟୋରିକ୍ସା‍ଟି ହେଉଛି ତାଙ୍କ ପରିବାରର ରୋଜଗାରର ଏକମାତ୍ର ଉତ୍ସ

ବିଠଲ ଓ ଲକ୍ଷ୍ମଣ ପର୍ଲିରେ ଅଟୋରିକ୍ସା ଚଳାଇ ନିଜର ଜୀବିକା ନିର୍ବାହ କରନ୍ତି। ରାଗୀଣି କୁହନ୍ତି,"ଲକ୍ଷ୍ମଣ ଏହାକୁ ଦିନରେ ଚଲାନ୍ତି, ଏବଂ ବିଠଲ ରାତିରେ ଚଲାନ୍ତି"। ସେମାନେ ଉଭୟ ଦୈନିକ ୩୦୦ଟଙ୍କାରୁ ୩୫୦ଟଙ୍କା ରୋଜଗାର କରନ୍ତି। କିନ୍ତୁ ୨୦୨୦ ମସିହା ମାର୍ଚ୍ଚ ମାସରେ  ଲକ୍‍ଡାଉନ ଆରମ୍ଭ ହେବାଠାରୁ ସେମାନଙ୍କର ରୋଜଗାର ଭୀଷଣ ଭାବରେ ପ୍ରଭାବିତ ହୋଇଛି। କ୍ୱଚିତ୍ କେହି ଅଟୋରିକ୍ସା ନିଯୁକ୍ତ କରିଥିଲେ । ଆମେ କିପରି ବଞ୍ଚିଛୁ ତାହା କେବଳ ଆମେ ଜାଣୁ। ”

ରାଗୀଣି ହେଉଛନ୍ତି ଜଣେ ଗୃହିଣୀ ଓ ତାଙ୍କର ଏମଏ ଡିଗ୍ରୀ ଅଛି କିନ୍ତୁ ସେ ଆଶଙ୍କା ମଧ୍ୟରେ ଅଛନ୍ତି ଯେ କିପରି ନିଜର ଦୁଇ ପିଲା- ସାତ ବର୍ଷର କାର୍ତ୍ତିକ ଓ ଶିଶୁ ମୁକୁନ୍ଦରାଜଙ୍କର ଲାଳନ ପାଳନ କରିବେ। "ସେ ଭୟଭୀତ ଯେ ଲକ୍ଷ୍ମଣଙ୍କ ବିନା ସେମାନଙ୍କର ଯତ୍ନ କିପରି ନେବେ। ଆମ ପାଖରେ ଅର୍ଥ ନାହିଁ। ମୋତେ ଏପରିକି ତାଙ୍କର ଅନ୍ତିମ ସତ୍କାର ନିମନ୍ତେ କରଜ କରିବାକୁ ପଡିଥିଲା।"

ଭାଇଙ୍କର ଅଟୋ ରିକ୍ସାଟି - ତାଙ୍କର ଏକ କୋଠରୀ ବିଶିଷ୍ଟ ଘର ନିକଟରେ ଥିବା ଏକ ଗଛ ତଳେ ରଖାଯାଇଥିଲା - ଯେଉଁଠାରେ ସେମାନେ ସେମାନଙ୍କ ପିତା ମାତାଙ୍କ ସହ ରୁହନ୍ତି - କରଜ ପରିଶୋଧ ପାଇଁ ପରିବାରର ରୋଜଗାରର ଏକମାତ୍ର ମାଧ୍ୟମ। କିନ୍ତୁ କରଜରୁ ମୁକ୍ତି ମିଳିବା ଏକ ଲମ୍ବା ରାସ୍ତା ହେବ - ଅର୍ଥବ୍ୟବସ୍ଥା ଭୁଷୁଡି ପଡିଛି ଏବଂ ପାର୍ଲିର ସଂକୀର୍ଣ୍ଣ ରାସ୍ତାକୁ ଅତିକ୍ରମ କରିବା ପାଇଁ  ପରିବାରରେ ଜଣେ ଚାଳକଙ୍କର ଅଭାବ ରହିଯାଇଛି।

ଏହି ସମୟରେ ଓସମାନାବାଦର ଜିଲ୍ଲାପାଳ, କୁସ୍ତୁଭ ଦିୱେଗାଓଁକର, ଘରୋଇ ଚିକିତ୍ସାଳୟମାନଙ୍କ ଦ୍ୱାରା ଅତ୍ୟଧିକ ଦେୟ ଦାବି କରାଯାଉଥିବା ଘଟଣାର ତଦନ୍ତ କରିଥିଲେ। ସେ ମଇ ମାସ ୯ ତାରିଖରେ ଓସମାନାବାଦ ସହରସ୍ଥିତ ସହ୍ୟାଦ୍ରି ମଲ୍ଟି ସ୍ପେଶିଆଲିଟି ଚିକିତ୍ସାଳୟକୁ ନୋଟିସ୍‍ ପଠାଇ ଦର୍ଶାଇଥିଲେ ଯେ ଯଦିଓ ଏପ୍ରିଲ ମାସ ୧ ତାରିଖ ରୁ ମଇ ୬ ତାରିଖ ମଧ୍ୟରେ ଚିକିତ୍ସାଳୟରେ ୪୮୬ ଜଣ ରୋଗୀମାନଙ୍କୁ ଭର୍ତ୍ତି କରାଯାଇଥିଲା, ମାତ୍ର ୧୯ ଜଣ ରୋଗୀମାନଙ୍କୁ ଏମଜେପିଜେଏୱାଇ ଯୋଜନା ଅଧିନରେ ଚିକିତ୍ସା କରାଯାଇଥିଲା।

ଏହି ଘଟଣା ଉପରେ ଟିପ୍ପଣୀ ଦେବାକୁ ମନାକରି, ସହ୍ୟାଦ୍ରି ଚିକିତ୍ସାଳୟର ନିର୍ଦ୍ଦେଶକ ଡ. ଦିଗ୍ଗଜ ଦାପକେ-ଦେଶମୁଖ ମୋତେ କହିଲେ ଯେ ତାଙ୍କର ଆଇନ୍‍ ପରାମର୍ଶ ଟିମ୍‍ ଜିଲ୍ଲାପାଳଙ୍କ ନୋଟିସ୍‍ର ଉତ୍ତର ରଖିବେ।

Pramod Morale
PHOTO • Parth M.N.

ପ୍ରମୋଦ ମୋରାଲେ

୨୦୨୦ ମସିହା ଡିସେମ୍ବର ମାସରେ ଦିୱେଗାଓଁକର, ଏମଜେପିଜେଏୱାଇ ଯୋଜନାକୁ କାର୍ଯ୍ୟକାରୀ କରାଉଥିବା ଷ୍ଟେଟ ହେଲ୍‍ଥ ଆସ୍ୟୁରାନ୍ସ ସୋସାଇଟିକୁ ଶେନ୍ଦଗେ ହସ୍ପିଟାଲ ଓ ରିସର୍ଚ ସେଣ୍ଟରକୁ ସୂଚୀଭୁକ୍ତ ତାଲିକାରୁ ବାଦ୍‍ ଦେବାପାଇଁ ଲିଖିତ ଆକାରରେ ଜଣାଇଥିଲେ। ତାଙ୍କ ଚିଠିରେ ଓସମାନାବାଦ ସହର ଠାରୁ ୧୦୦ କିଲୋମିଟର ଦୂର ଉମରଗାରେ ଥିବା ଚିକିତ୍ସାଳୟ ବିରୁଦ୍ଧରେ ଅଭିଯୋଗ କରିଥିବା ରୋଗୀମାନଙ୍କର ତାଲିକା ଥିଲା।

ଏହି ଶେନ୍ଦଗେ ଚିକିତ୍ସାଳୟ ବିରୁଦ୍ଧରେ ଥିବା ଅଭିଯୋଗଗୁଡିକ ମଧ୍ୟରୁ ଅନ୍ୟତମ ଥିଲା ବହୁତ ରୋଗୀଙ୍କର କରାଯାଇଥିବା ନକଲି ଆର୍ଟେରିଆଲ ବ୍ଲଡ ଗ୍ୟାସ୍‍ ଟେଷ୍ଟ। ଏହି ଚିକିତ୍ସାଳୟ ବିରୁଦ୍ଧରେ  ମଧ୍ୟ ଜଣେ ସାଧାରଣ ରୋଗୀଙ୍କର ଭେଣ୍ଟିଲେଟର ବେଡ୍‍ର ମିଥ୍ୟା ବିଲ୍‍ କରିଥିବାର ଅଭିଯୋଗ କରାଯାଇଥିଲା।

ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ଫଳରେ ଚିକିତ୍ସାଳୟଟି ଏବେ ଏମଜେପିଜେଏୱାଇ ଯୋଜନାରରୁ ବାଦ୍‍ ପଡିଛି। ଯାହାହେଉ ଏହାର ମାଲିକ ଡ. ଆର.ଡି. ଶେନ୍ଦଗେ କହିଲେ ନିଜର ବୟସ ଯୋଗୁଁ ସେ ଦ୍ୱିତୀୟ ଲହର ସମୟରେ ଏହି ଯୋଜନାରୁ ବାହାରି ଗଲେ। ଚିକିତ୍ସାଳୟ ବିରୁଦ୍ଧରେ କରାଯାଇଥିବା ସମସ୍ତ ଅଭିଯୋଗ ବିଷୟରେ ଜ୍ଞାତ ନଥିବା କହି ସେ କହିଲେ,"ମୋର ଡାଏବେଟିସ୍‍ ମଧ୍ୟ ରହିଛି"।

ଘରୋଇ ଚିକିତ୍ସାଳୟର ମାଲିକମାନେ କୁହନ୍ତି ଯେ ଅର୍ଥନୈତିକ ଦୃଷ୍ଟିକୋଣରୁ ଏମଜେପିଜେଏୱାଇ ଯୋଜନା ସାଧନଯୋଗ୍ୟ ନୁହେଁ। ନାନ୍ଦେଡରେ ରହୁଥିବା  ପ୍ଲାଷ୍ଟିକ ସର୍ଜନ ଡା. ସଞ୍ଜୟ କଦମ କୁହନ୍ତି, "ସମସ୍ତ ପରିଚାଳନାଗତ ଯୋଜନାଗୁଡିକ ସମୟ ସହିତ ବଦଳିବା ଦରକାର। ନଅ ବର୍ଷ ହେଲା ଏହାକୁ ପ୍ରଚଳିତ କରାଯାଇଥିଲା, ଏହି ଯୋଜନାଗୁଡିକ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ [୨୦୧୨ ମସିହାରେ] ହେବାଠାରୁ ଏହାର ପ୍ୟାକେଜ ଦେୟରେ କୌଣସି ପରିବର୍ତ୍ତନ ଅଣାଯାଇ ନାହିଁ"। ନିକଟରେ ଘରୋଇ ଚିକିତ୍ସାଳୟଗୁଡିକୁ ପ୍ରତିନିଧିତ୍ୱ କରିବା ପାଇଁ ଗଢା ଯାଇଥିବା ହସ୍ପିଟାଲ୍‍ ୱେଲଫେୟାର ଆସୋସିଏସନର ସେ ଜଣେ ସଦସ୍ୟ। ସେ ବୁଝାଇ କୁହନ୍ତି, "ତୁମେ ଯଦି ୨୦୧୨ ମସିହାରୁ ମୁଦ୍ରାସ୍ପୀତିକୁ ବିଚାରକୁ ନେବ, ଏହି ଏମଜେପିଜେଏୱାଇ ଯୋଜନାର ପ୍ୟାକେଜଗୁଡିକର ଦେୟ ବହୁତ କମ୍‍ ହେବ-ସାଧାରଣ ଦେୟର ଅଧାରୁ କମ୍‍ ହେବ"।

ଏକ ସୂଚୀଭୁକ୍ତ ଚିକିତ୍ସାଳୟ ଏହାର ସମୁଦାୟ ବେଡ୍‍ର ୨୫ ପ୍ରତିଶତ ବେଡ୍‍ ଏମଜେପିଜେଏୱାଇ ଯୋଜନା ଅଧିନରେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ପାଇଁ ସଂରକ୍ଷିତ ରଖିବାକୁ ବାଧ୍ୟ। ଡା. କଦମ କୁହନ୍ତି, "ଯଦି ୨୫ ପ୍ରତିଶତ କୋଟା ପୂର୍ଣ୍ଣ ହୋଇଯାଏ, ତେବେ ଏହି ଯୋଜନା ଅଧିନରେ ଅଧିକ ରୋଗୀ ଭର୍ତ୍ତି କରାଯାଇପାରିବ ନାହିଁ"।

ଏମଜେପିଜେଏୱାଇର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଡ. ସୁଧାକର ଶିନ୍ଦେ, କୁହନ୍ତି, "ଘରୋଇ ଚିକିତ୍ସାଳୟଗୁଡିକ ବହୁତ କ୍ଷେତ୍ରରେ ଅବହେଳା ଓ ଅନିୟମିତତା କରିବାର ଜଣାପଡିଛି। ଆମେ ଏହି ଦିଗରେ ଅଧିକ ତଦନ୍ତ କରୁଅଛୁ।"

୨୦୨୦ ମସିହା ମାର୍ଚ୍ଚ ମାସରେ କରୋନା ମହାମାରୀ ଆରମ୍ଭ ହେବାଠାରୁ, ମୁମ୍ବାଇରେ ଥିବା ଏମଜେପିଜେଏୱାଇ ଅଫିସ୍‍ ସାରା ମହାରାଷ୍ଟ୍ରରୁ ୮୧୩ ଅଭିଯୋଗ ଗ୍ରହଣ କରିଛି - ସେଗୁଡିକ ମଧ୍ୟରୁ ଅଧିକାଂଶ ହେଉଛି ଘରୋଇ ଚିକିତ୍ସାଳୟଗୁଡିକ ବିରୋଧରେ। ଏ ପର୍ଯ୍ୟନ୍ତ ୧୮୬ଟି ଅଭିଯୋଗର ସମାଧାନ କରାଯାଇଛି ଏବଂ ଚିକିତ୍ସାଳୟଗୁଡିକ ରୋଗୀମାନଙ୍କୁ ସମୁଦାୟ ୧୫ ଲକ୍ଷ ଟଙ୍କା ଫେରାଇ ସାରିଲେଣି।

ମାନବଲୋକର ଲୋହିୟା ଅନୁଭବ କରନ୍ତି ସାଧାରଣତଃ ଚିନ୍ତା କରାଯାଏ ଯେ ଅସାଧୁ ଉପାୟ ଅବଲମ୍ବନ କରୁଥିବା ଓ ଅତ୍ୟଧିକ ଦେୟ ଦାବି କରୁଥିବା ଏହି ଘରୋଇ ଚିକିତ୍ସାଳୟଗୁଡିକ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ପୃଷ୍ଠପୋଷକତାରେ ଚାଲିଛି। "ଏହା ସାଧାରଣ ଲୋକଙ୍କୁ ସେମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ ଅସୁବିଧାରେ ପକାଇଥାଏ।"

କିନ୍ତୁ ରାମଲିଙ୍ଗ ସନପ ଆତ୍ମହତ୍ୟା କରି ମୃତ୍ୟୁବରଣ କରିବା ଦିନ ସକାଳେ କ୍ରୋଧରେ ଜର୍ଜରିତ ତାଙ୍କର ପରିବାର ଦିପ ଚିକିତ୍ସାଳୟକୁ ଏଥିପାଇଁ ଦାୟୀ କରି ଥିଲେ। ସେହିଦିନ ଯେତେବେଳେ ସେମାନେ ପହଁଚିଲେ ସେଠାରେ କୌଣସି ଡାକ୍ତର ନଥିଲେ। ରବି କହିଲେ, "ମୃତ ଶରୀରଟି ପୋଲିସ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଥିଲା ବୋଲି କର୍ମଚାରୀ ଜଣକ କହିଲେ।"

Ramling Sanap's extended family outside the superintendent of police's office in Beed on May 21
PHOTO • Parth M.N.

ମଇ ମାସ ୨୧ ରେ ବିଡ ସହରରେ ଥିବା ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ବାହାରେ ରାମଲିଙ୍ଗ ସନପଙ୍କ ସମଗ୍ର ପରିବାର ଅପେକ୍ଷା କରିଛନ୍ତି

ତାଙ୍କର ପରିବାର ସିଧା ଜିଲ୍ଲା ଆରକ୍ଷୀଙ୍କ ନିକଟକୁ ଗଲେ ଓ ଅଭିଯୋଗ କଲେ ଯେ ଚିକିତ୍ସାଳୟ କର୍ତ୍ତୃପକ୍ଷ ରାମଲିଙ୍ଗଙ୍କୁ ଟଙ୍କା ମାଗି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲେ। ତାଙ୍କର ଦୁଃଖଦ ମୃତ୍ୟୁର କାରଣ ହେଉଛି ଚିକିତ୍ସାଳୟର ବେଖାତିର ମନୋଭାବ, ସେମାନେ କହିଲେ, ସେହି ସମୟରେ ୱାର୍ଡରେ ଚିକିତ୍ସାଳୟର କୌଣସି କର୍ମଚାରୀ ଉପସ୍ଥିତ ନଥିଲେ।

ଏକ ପ୍ରେସ୍‍ ବିବୃତ୍ତିରେ ଦୀପ ଚିକିତ୍ସାଳୟ ପକ୍ଷରୁ କୁହାଯାଇଥିଲା ଯେ ରାମଲିଙ୍ଗ ଯେଉଁ ସ୍ଥାନକୁ ଯାଇଥିଲେ ସେଠାରେ ୱାର୍ଡ ସହାୟକ ତାଙ୍କୁ ଦେଖିପାରିଲେ ନାହିଁ। ଏହି ବିବୃତ୍ତି ଜଣାଏ, "ଚିକିତ୍ସାଳୟ କର୍ତ୍ତୃପକ୍ଷ ବାରମ୍ବାର ଟଙ୍କା ମାଗିବା ଅଭିଯୋଗଟି ମିଥ୍ୟା ଅଟେ। ଚିକିତ୍ସାଳୟ କର୍ତ୍ତୁପକ୍ଷ ପରିବାର ଠାରୁ ମାତ୍ର ୧୦,୦୦୦ ଟଙ୍କା ଗ୍ରହଣ କରିଥିଲେ। ଏହି ଆତ୍ମହତ୍ୟା ହେଉଛି ଦୁଃଖଦପୂର୍ଣ୍ଣ। ଆମେ ତାଙ୍କର ମାନସିକ ସ୍ଥିତିକୁ ପରଖିପାରିଲୁ ନାହିଁ।"

ପ୍ରମୋଦ ମୋରାଲେ ରାଜି ହେଲେ ଯେ ଚିକିତ୍ସାଳୟ କର୍ତ୍ତୃପକ୍ଷ ୧୦,୦୦୦ ଟଙ୍କାର ବିଲ୍‍ ଦେଇଥିଲେ। "କିନ୍ତୁ ସେମାନେ ଆମ ଠାରୁ ଏକ ଲକ୍ଷ ୬୦ ହଜାର ଟଙ୍କା ନେଇଥିଲେ।"

ରାଜୁବାଇ କୁହନ୍ତି, ରାମଲିଙ୍ଗ ଜଣେ ହସ ଖୁସି ମିଜାଜର ଲୋକ ଥିଲେ। "ମୃତ୍ୟୁର ଏକ ଦିନ କିମ୍ବା ଦୁଇ ଦିନ ପୂର୍ବରୁ ସେ ମୋତେ ଫୋନ୍‍ କରି କହିଥିଲେ ଯେ ସେ ମାଂସ ଓ ଅଣ୍ଡା ଖାଇଥିଲେ। ସେ ପିଲାମାନଙ୍କ ବିଷୟରେ ମଧ୍ୟ ପଚାରିଲେ।" ତା ପରେ ସେ ଚିକିତ୍ସାଳୟର ଦେୟ ବିଷୟରେ ଶୁଣିଲେ। ସେ କରିଥିବା ଶେଷ ଫୋନ୍‍ କଲ୍‌ରେ ତାଙ୍କର ଭୟ ବିଷୟରେ ଜଣାଇଲେ।

ପ୍ରମୋଦ କୁହନ୍ତି, "ପୋଲିସ କହିଥିଲେ ସେମାନେ ଏହି ଘଟଣାର ଅଧିକ ତଦନ୍ତ କରିବେ କିନ୍ତୁ ଏ ପର୍ଯ୍ୟନ୍ତ ଚିକିତ୍ସାଳୟ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ"। "ଏହା ଦର୍ଶାଉଛି ଗରିବ ଲୋକଙ୍କର ସ୍ୱାସ୍ଥ୍ୟସେବା ପାଇବା ପାଇଁ ଅଧିକାର ନାହିଁ।"

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Parth M.N.
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE