କୋଭିଡ-୧୯ ସଂକ୍ରମିତ ହେବାର ଆଠ ଦିନ ପରେ, ରାମଲିଙ୍ଗ ସନପ ଚିକିତ୍ସାଳୟରେ ମୃତ୍ୟୁବରଣ କଲେ ଯେଉଁଠାରେ ସେ ସଂକ୍ରମଣ ପାଇଁ ଚିକିତ୍ସିତ ହେଉଥିଲେ। କିନ୍ତୁ ଏହା ଭୂତାଣୁ ନଥିଲା ଯିଏକି ତାଙ୍କୁ ହତ୍ୟା କରିଥିଲା।
୪୦ ବର୍ଷୀୟ ରାମଲିଙ୍ଗ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ତାଙ୍କ ସ୍ତ୍ରୀ ରାଜୁବାଇଙ୍କୁ ଚିକିତ୍ସାଳୟରୁ ଟେଲିଫୋନ୍ କରିଥିଲେ। ତାଙ୍କର ୨୩ ବର୍ଷୀୟ ପୁତୁରା ରବି ମୋରାଲେ କୁହନ୍ତି, "ଯେତେବେଳେ ସେ ତାଙ୍କର ଚିକିତ୍ସାରେ ହେଉଥିବା ବ୍ୟୟ ବିଷୟରେ ଜାଣିଲେ ସେ କାନ୍ଦି ପକାଇଲେ"। "ସେ ଚିନ୍ତାକଲେ ଯେ ଚିକିତ୍ସାଳୟର ବିଲ୍ ପରିଶୋଧ ପାଇଁ ତାଙ୍କୁ ତାଙ୍କର ଦୁଇ ଏକର ଚାଷଜମି ବିକ୍ରି କରିବାକୁ ପଡିବ।"
ରାଜୁବାଇଙ୍କ ଭାଇ ପ୍ରମୋଦ ମୋରାଲେ କୁହନ୍ତି, ମହାରାଷ୍ଟ୍ରର ବିଡ୍ ସହରରେ ଥିବା ଦୀପ ଚିକିତ୍ସାଳୟ ଯେଉଁଠାରେ କି ରାମଲିଙ୍ଗ ମଇ ମାସ ୧୩ ତାରିଖରେ ଭର୍ତ୍ତି ହୋଇଥିଲେ, ତାଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୧ ଲକ୍ଷ ୬୦ ହଜାର ଟଙ୍କାର ବିଲ୍ ଦେଇଥିଲେ। ସେ କୁହନ୍ତି, "ଆମେ ଯେକୌଣସି ଉପାୟରେ ଏହାକୁ ଦୁଇଟି କିସ୍ତିରେ ପୈଠ କଲୁ, କିନ୍ତୁ ଚିକିତ୍ସାଳୟ କର୍ତ୍ତୃପକ୍ଷ ଆହୁରି ୨ ଲକ୍ଷ ଟଙ୍କା ଦେବାକୁ କହୁଥିଲେ"। "ସେମାନେ ପରିବାରକୁ ନକହି ରୋଗୀଙ୍କୁ ଏହି ବିଷୟରେ କହିଥିଲେ। ତାଙ୍କୁ ଏପରି ଚାପ ଦେବାର କ’ଣ ଆବଶ୍ୟକତା ଥିଲା?"
ଚିକିତ୍ସାଳୟ ବିଲ୍ ଯାହାକି ପାଖାପାଖି ତାଙ୍କ ପରିବାରର ବାର୍ଷିକ ରୋଜଗାରର ଦୁଇଗୁଣ ବିଷୟରେ ଚିନ୍ତା କରି ଭାରାକ୍ରାନ୍ତ ହୋଇଗଲେ। ମଇ ମାସ ୨୧ ତାରିଖ ଦିନ ନିର୍ଜନ ସମୟରେ ସେ କୋଭିଡ ୱାର୍ଡରୁ ବାହାରିଗଲେ ଏବଂ ଚିକିତ୍ସାଳୟ କରିଡରରେ ଫାଶୀ ଲଗାଇଦେଲେ।
ମଇ ମାସ ୨୦ ତାରିଖ ଦିନ ରାତିରେ ଯେତେବେଳେ ସେ ଫୋନ୍ କଲେ ୩୫ ବର୍ଷୀୟା ରାଜୁବାଇ ମାନସିକ ଅଶାନ୍ତିରେ ଥିବା ତାଙ୍କର ସ୍ୱାମୀଙ୍କୁ ଶାନ୍ତ କରିବାକୁ ଚେଷ୍ଟାକଲେ । ସେ ତାଙ୍କୁ କହିଲେ ସେମାନେ ତାଙ୍କର ମୋଟର ସାଇକେଲକୁ ବିକ୍ରି କରିଦେବେ ଓ ଉଭୟ କାମକରୁଥିବା ପଶ୍ଚିମ ମହାରାଷ୍ଟ୍ରର ଚିନିକଳରୁ ଟଙ୍କା ଧାର ଆଣି ପାରିବେ। ସେ କହିଲେ, ତାଙ୍କର ଭଲ ହେବା କେବଳ ତାଙ୍କ ପାଇଁ ଜରୁରୀ ଥିଲା। କିନ୍ତୁ ରାମଲିଙ୍ଗ ବୋଧେ ଏହି ଅର୍ଥ ପରିଶୋଧ କରିପାରିବେ ବୋଲି ନିଶ୍ଚିତ ନଥିଲେ।
ପ୍ରତ୍ୟେକ ବର୍ଷ, ବିଡ ଜିଲ୍ଲା କୈଜ ତାଳୁକାର ନିଜ ଗାଁରୁ ରାମଲିଙ୍ଗ ଓ ରାଜୁବାଇ ପଶ୍ଚିମ ମହାରାଷ୍ଟ୍ରରେ ଥିବା ଆଖୁ କ୍ଷେତଗୁଡିକୁ କାମ କରିବାକୁ ଯାଆନ୍ତି। ସେମାନେ ଉଭୟ ମିଶି ଏପ୍ରିଲରୁ ନଭେମ୍ବର ମାସ ୧୮୦ ଦିନ କଠିନ ପରିଶ୍ରମ କରି ୬୦,୦୦୦ ଟଙ୍କା ରୋଜଗାର କରନ୍ତି। ତାଙ୍କର ଅନୁପସ୍ଥିତିରେ, ତାଙ୍କର - ୮ ବର୍ଷରୁ ୧୬ ବର୍ଷ ବୟସ ମଧ୍ୟରେ - ଥିବା ତିନୋଟି ପିଲା ରାମଲିଙ୍ଗଙ୍କ ବିପତ୍ନୀକ ବାପାଙ୍କ ଦାୟିତ୍ୱରେ ରହିବେ।











