ସେମାନେ ଭାରତର ସ୍ୱାଧୀନତା ପାଇଁ ଲଢିଲେ। ଆଉ ସ୍ୱାଧୀନତାର ୭୦ ବର୍ଷ ପରେ ବି ସେମାନେ ଲଢୁଛନ୍ତି - ଏଥର ଦେଶର କୃଷକ ଓ କୃଷି ଶ୍ରମିକଙ୍କୁ ନ୍ୟାୟ ଦେବା ପାଇଁ।

ହାଉସାବାଇ ପାଟିଲ , ଏବେ ତାଙ୍କୁ ୯୧ ବର୍ଷ। ସେ ତୋଫାନ ସେନା (ଘୂର୍ଣ୍ଣିଝଡ଼ ସେନା) ର ସଦସ୍ୟ ଥିଲେ। ସେତେବେଳେ ମହାରାଷ୍ଟ୍ର ସତାରା ଅଞ୍ଚଳରେ ପ୍ରତି ସରକାର (ପ୍ରୋଭିଜନାଲ ଅଣ୍ଡରଗ୍ରାଉଣ୍ଡ ଗଭର୍ଣ୍ଣମେଣ୍ଟ)ର ଏହା ଥିଲା ସଶସ୍ତ୍ର ସେନାନୀ। ୧୯୪୩ରେ ଏହି ସେନା ବ୍ରିଟିଶଠାରୁ ସ୍ୱାଧୀନତା ଘୋଷଣା କରିଥିଲା। ୧୯୪୩ ରୁ ୧୯୪୬ ମଧ୍ୟରେ ବ୍ରିଟିଶ ଟ୍ରେନ୍, ସରକାରୀ ଟ୍ରେଜେରୀ ଓ ପୋଷ୍ଟ ଅଫିସ୍ ଉପରେ ଆକ୍ରମଣ କରିଥିବା ଟିମ୍‌ର ସେ ସଦସ୍ୟ ଥିଲେ।

ତୋଫାନ ସେନାର ‘ଫିଲ୍ଡ ମାର୍ଶାଲ’ ଥିଲେ ରାମଚନ୍ଦ୍ର ଶ୍ରୀପତି ଲାଡ୍। କ୍ୟାପଟେନ୍ ଭାଉ (ମରାଠୀରେ ଭାଉ ଅର୍ଥ ବଡ଼ ଭାଇ) ନାଁରେ ସେ ବେଶ ପରିଚିତ। ୧୯୪୩, ଜୁନ୍ ୭ ତାରିଖରେ ପୁନେ-ମିରାଜ ଟ୍ରେନ୍ ଉପରେ ଏକ ସ୍ମରଣୀୟ ଆକ୍ରମଣ କରିଥିଲେ। ଏହି ଟ୍ରେନ୍‌ରେ ବ୍ରିଟିଶ ରାଜ କର୍ମଚାରୀଙ୍କ ଦରମା ଟଙ୍କା ଯାଉଥିଲା।

ଆମେ ଯେତେବେଳେ ୨୦୧୬ରେ ଲାଡ୍‌ଙ୍କୁ ଭେଟିଲୁ, ସେତେବେଳେ ତାଙ୍କୁ ୯୪ ବର୍ଷ ହୋଇଥିଲା। ଆମକୁ ସେ ଜଣେଇବାକୁ ଚାହୁଁଥିଲେ ଯେ, ‘‘ଏହି ଟଙ୍କା କାହାର ବ୍ୟକ୍ତିଗତ ପକେଟ୍‌କୁ ନୁହେଁ, ପ୍ରତି ସରକାରକୁ ଯାଉଥିଲା। ଗରିବ ଅସହାୟ ଲୋକଙ୍କୁ ଆମେ ସେ ଟଙ୍କା ବାଣ୍ଟୁଥିଲୁ।’’

୨୦୧୮ ନଭେମ୍ବର ୨୯-୩୦ରେ କିଷାନ ମୁକ୍ତି ମୋର୍ଚ୍ଚାର ଆନ୍ଦୋଳନରେ ଚାଷୀ ଓ କୃଷି ଶ୍ରମିକଙ୍କୁ ସମର୍ଥନ କରିଥିଲେ କ୍ୟାପଟେନ୍ ଭାଉ ଓ ହାଉସାବାଇ। କୃଷି ସଂକଟ ଉପରେ ନିଷ୍ପତ୍ତି କରିବାକୁ ସଂସଦର ୨୧ ଦିନିଆ ଅଧିବେଶନ ପାଇଁ ଦାବି ହୋଇଥିଲା।

ଚାଷୀଙ୍କ ଆତ୍ମହତ୍ୟା କେତେ ଲଜ୍ଜାଜନକ ତାହା ଏହି ଭିଡିଓରେ ଆମକୁ ମନେ ପକାଇ ଦେଇଛନ୍ତି କ୍ୟାପଟେନ୍ ଭାଉ, ଏବଂ ସରକାର ଚାଷୀଙ୍କ ଫସଲର ଅଧିକ ମୂଲ୍ୟ ଦେବାକୁ ଆଉ ଜଗ୍ରତ ହୋଇ ଗରିବଙ୍କ ପାଇଁ କାମ କରିବାକୁ ଜୋର ଦେଉଛନ୍ତି ହାଉସାବାଇ।

ଅନୁବାଦ: ଓଡ଼ିଶାଲାଇଭ୍‍

Bharat Patil

ଭାରତ ପାଟିଲ ପିପୁଲ୍ସ ଆର୍କାଇଭ ଅଫ ରୁରାଲ ଇଣ୍ଡିଆର ଜଣେ ସ୍ଵେଛାସେବୀ

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ଭାରତ ପାଟିଲ୍
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE