ଦାଧ୍ରେରେ କୃଷି ହେଉଛି ଆୟର ମୁଖ୍ୟ ଉତ୍ସ । କାଥୋଲେ କହନ୍ତି, “ଯେଉଁମାନେ ପାଠପଢ଼ା ଜାରି ରଖନ୍ତି ସେମାନେ ଚାଷ କାମକୁ ଅବହେଳା କରନ୍ତି ଏବଂ ଯେଉଁମାନେ ଚାଷ ଜମିରେ କାମ କରିବାକୁ ପସନ୍ଦ କରନ୍ତି ସେମାନେ ସ୍କୁଲ ଛାଡ଼ିଥାଆନ୍ତି । ଏହି ଦୁଇ ପ୍ରକାରର ପିଲାଙ୍କୁ ମିଶାଇବା ଆମର ଲକ୍ଷ୍ୟ ।” ଛାତ୍ରଛାତ୍ରୀଙ୍କ ପାଇଁ ଚାଷ ସହ ସମ୍ପର୍କ ରଖିବା କେତେ ମହତ୍ୱପୂର୍ଣ୍ଣ ସେ ତା’ ଉପରେ ଗୁରୁତ୍ୱାରୋପ କରିଛନ୍ତି: “ଅନେକ ସହରକୁ ଯାଇପାରିବେ ନାହିଁ । ଯଦି ସେମାନଙ୍କ ପାଖରେ କୃଷି ନାହିଁ, ତେବେ ସେମାନେ କେବଳ ଛୋଟ ମୋଟ କାମ ହିଁ କରନ୍ତି ।”
ଛାତ୍ରମାନେ ଜିଲ୍ଲା ପରିଷଦ ସ୍କୁଲରୁ ପାସ୍ କରିବା ପରେ, କାଥୋଲେ ଏବଂ ତାଙ୍କର ଚାରିଜଣ ସହକର୍ମୀ ସେମାନଙ୍କ ସହ କାମ କରନ୍ତି । ଗାଁର ଗୋଟିଏ ହଲ୍ରେ କ୍ଲାସ୍ ଅନୁଷ୍ଠିତ ହୁଏ । ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା, ଯାହାକି ସେମାନେ ଘରୋଇ ଭାବେ ଦିଅନ୍ତି ।
ଏହା ଆରମ୍ଭ ହେବାର ଦୁଇ ବର୍ଷ ପରେ, ୯୨ ଜଣ ଛାତ୍ରଛାତ୍ରୀ – ୪୮ ଜଣ ବାଳିକା ଏବଂ ୪୪ ଜଣ ବାଳକ - ସମସ୍ତେ ଆଦିବାସୀ ସମ୍ପ୍ରଦାୟର ଏହି ଅନୌପଚାରିକ ଅନୁଷ୍ଠାନରେ ପାଠ ପଢୁଛନ୍ତି । ସ୍କୁଲ ଚଳାଇବାକୁ ବର୍ଷକୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ - ଯାହା ମଧ୍ୟରୁ ଅଧିକାଂଶ ବନ୍ଧୁ ଏବଂ ପରିଚିତମାନଙ୍କ ଦାନରୁ ଆସିଥାଏ । ଏହି ପାଞ୍ଚଜଣ ଶିକ୍ଷକ ଅନ୍ୟାନ୍ୟ ଖର୍ଚ୍ଚ ଯେପରିକି କ୍ଷେତ୍ର ପରିଦର୍ଶନ ଖର୍ଚ୍ଚ ବହନ କରନ୍ତି ଏବଂ ଜିଲ୍ଲାର ଅନ୍ୟ ସ୍କୁଲରେ ଶିକ୍ଷାଦାନ କରି ଜୀବିକା ଉପାର୍ଜନ କରନ୍ତି ।
ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଏକ ସହଜ ପ୍ରକ୍ରିୟା ନୁହେଁ । ଯଦିଓ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀ ପାଠ୍ୟକ୍ରମ ପାଇଁ ପ୍ରସ୍ତୁତ ହେବା କଥା, ଏମାନଙ୍କ ମଧ୍ୟରୁ ଅନେକଙ୍କ ପକ୍ଷରେ ଏକ ଅର୍ଥପୂର୍ଣ୍ଣ ବାକ୍ୟ ଗଠନ କରିବା ମଧ୍ୟ କଷ୍ଟକର । କାଥୋଲେ କହନ୍ତି, “ଆମେ ୧୩ ବର୍ଷୀୟଙ୍କ ମଧ୍ୟରୁ କେତେକଙ୍କ ସହିତ କରୁଥିବା କାମ ସେମାନଙ୍କ ସହ ସାତ କିମ୍ବା ଆଠ ବର୍ଷ ବୟସରେ ହେବା ଉଚିତ୍ । ଅନେକ ମୌଳିକ ଗଣନା ମଧ୍ୟ କରିପାରନ୍ତି ନାହିଁ । ପ୍ରାୟ ସମସ୍ତେ ବ୍ୟକ୍ତିଗତ ଧ୍ୟାନ ଆବଶ୍ୟକ କରନ୍ତି।”
ଗାଁର ଜିଲ୍ଲା ପରିଷଦ ସ୍କୁଲରେ ପାଠାଗାର ଭଳି ସୁବିଧା ନାହିଁ ଏବଂ ପର୍ଯ୍ୟାପ୍ତ ସଂଖ୍ୟକ ତାଲିମପ୍ରାପ୍ତ ଶିକ୍ଷକ ମଧ୍ୟ ନାହାନ୍ତି। ଛାତ୍ରଛାତ୍ରୀ ଏହାର ମୂଲ୍ୟ ଦିଅନ୍ତି: ଏକ ଖରାପ ଶିକ୍ଷା । କାଥୋଲେ କହନ୍ତି, ‘‘ପିଲାଙ୍କୁ କୌଣସି ପ୍ରସଙ୍ଗ ବୁଝାଇବା ପରିବର୍ତ୍ତେ ଘୋଷି ମନେରଖିବା ଉପରେ ଗୁରୁତ୍ୱ ଦିଆଯାଏ । ଫଳସ୍ୱରୂପ, ସମସ୍ତଙ୍କର ଲେଖା ସମାନ ହୋଇଥାଏ; ଦାଧ୍ରେର ଅନ୍ୟ ଜଣେ ଶିକ୍ଷକ ଏବଂ ପ୍ରହଲ୍ଲାଦଙ୍କ ଭାଇ ବୋହୂ ରୋଶନା କାଥୋଲେ କହନ୍ତି, “ସମସ୍ତଙ୍କ ମା’ ସର୍ବଦା ନୀଳ ରଙ୍ଗର ଶାଢ଼ୀ ପିନ୍ଧନ୍ତି।’’
କାଥୋଲେଙ୍କ ପ୍ରଥମ ପଦକ୍ଷେପ ମଧ୍ୟରୁ ଗୋଟିଏ ଥିଲା ପାଠାଗାର ନିର୍ମାଣ । ଏହି ଅନୌପଚାରିକ ଶ୍ରେଣୀଗୃହର ଏକ କୋଣରେ ଏବେ ମରାଠୀ, ହିନ୍ଦୀ ଏବଂ ଇଂରାଜୀର ବିଭିନ୍ନ ପୁସ୍ତକ ରଖାଯାଇଛି: ଏଥିରେ ହାନାର ସୁଟକେସ୍ଠାରୁ ଆରମ୍ଭ କରି ବ୍ୟୋମକେଶ ବକ୍ସିଙ୍କ କାହାଣୀ ପର୍ଯ୍ୟନ୍ତ ବହିସବୁ ରହିଛି । ପଢ଼ିବା ଛାତ୍ରମାନଙ୍କୁ ସ୍ୱାଧୀନ ଭାବରେ ଚିନ୍ତା କରିବା ଆରମ୍ଭ କରିବାରେ ସାହାଯ୍ୟ କରେ । କାଥୋଲେ କୁହନ୍ତି, ‘‘ପାଠ୍ୟକ୍ରମ ବାହାରେ ପଢ଼ିବା ହେଉଛି ଏକମାତ୍ର ଉପାୟ ଯାହା ଛାତ୍ରଛାତ୍ରୀଙ୍କୁ ନିଜକୁ ମୁକ୍ତ ଭାବରେ ପ୍ରକାଶ କରିବାକୁ ଶିଖାଇପାରେ’’।
ଫଳାଫଳଗୁଡ଼ିକ ସ୍ପଷ୍ଟ: ଛାତ୍ରଛାତ୍ରୀଙ୍କ ଦ୍ୱାରା ଲିଖିତ କେତେକ ପ୍ରବନ୍ଧ, ଯେଉଁମାନେ ଖୁବ୍ କଷ୍ଟରେ ଲେଖିପାରୁଥିଲେ, ଏବେ ସେଗୁଡ଼ିକ ଗଭୀର ଭାବରେ ବର୍ଣ୍ଣିତ ହୋଇଛି ଏବଂ ସେମାନଙ୍କର ଜଟିଳ ବାସ୍ତବତାକୁ ପ୍ରତିଫଳିତ କରୁଛି । ଦାହରଣ ସ୍ୱରୂପ, ଯେତେବେଳେ ସେମାନଙ୍କ ଗାଁ ବାବଦରେ ବର୍ଣ୍ଣନା କରିବାକୁ କୁହାଗଲା, ୧୪ ବର୍ଷୀୟ ବୈଶାଳୀ କାଭତେ ଯୌତୁକ ପ୍ରଥା ବିଷୟରେ ଲେଖି ବ୍ୟୟବହୁଳ ବିବାହ ଉପରେ ପ୍ରଶ୍ନ କରିଥିଲେ । ସେ ଲେଖିଲେ ‘‘ମଧ୍ୟମ ଆୟ ଥିବା ପିତାମାତାମାନେ କିପରି ନିଜ ଝିଅମାନଙ୍କୁ ବିବାହ କରାଇବେ ? ଜଣଙ୍କର କ୍ଷମତାଠାରୁ ଅଧିକ ଖର୍ଚ୍ଚ କରିବାର ବ୍ୟବସ୍ଥା ଶେଷ ହେବା ଆବଶ୍ୟକ।”