“ମୋ ପାଖରୁ ସୂତା ସରିଗଲାଣି । ହାତରେ ଆଉ ଟଙ୍କା ବି ନାହିଁ । କିନ୍ତୁ, ଲକ୍ଡାଉନ୍ କାରଣରୁ ମୁଁ (ପ୍ରସ୍ତୁତ) ଶାଢ଼ିଗୁଡ଼ିକୁ ସେଠ୍ଙ୍କୁ ଦେଇପାରିବି ନାହିଁ ।” ଏହା କହନ୍ତି ସୁରେଶ କୋଲି, ବୁଡ୍ୱାର ଗାଁର ଜଣେ ଚନ୍ଦେରୀ ବସ୍ତ୍ର ବୁଣାକାର ।
କୋଭିଡ୍-୧୯ ଲକ୍ଡାଉନ୍ର ପାଖାପାଖି ଗୋଟିଏ ସପ୍ତାହ ଭିତରେ ୩୧ ବର୍ଷ ବୟସ୍କ ସୁରେଶଙ୍କ ପାଖରେ ଥିବା ଶେଷ ସୂତା ବଣ୍ଡିଲଗୁଡ଼ିକ ବୁଣା ସରିଥିଲା। ବୁଣାକାମ ସରିଥିବା ତିନିଟି ଶାଢ଼ି, ପ୍ରାନ୍ପୁର ଗାଁରେ ରହୁଥିବା ଚନ୍ଦେରୀ ବସ୍ତ୍ର ଉଦ୍ୟୋଗର ଜଣେ ସେଠ୍ ଆନନ୍ଦି ଲାଲଙ୍କୁ ଦିଆଯିବା ପାଇଁ ପଡ଼ି ରହିଥିଲା।
ଉତ୍ତର ପ୍ରଦେଶର ଲଲିତପୁର ଜିଲ୍ଲା ଅନ୍ତର୍ଗତ ବେଟୱା ନଦୀର ରାଜଘାଟ ବନ୍ଧ ନିକଟରେ ଏହି ବୁଣାକାରଙ୍କ ଗାଁ । ନଈ ଆରପଟେ, ମଧ୍ୟ ପ୍ରଦେଶର ଅଶୋକନଗର ଜିଲ୍ଲାରେ ରହିଛି ଚନ୍ଦେରୀ ସହର- ସେଇ ଏକା ନାଁରେ ଜଣାଶୁଣା ହସ୍ତତନ୍ତ ବସ୍ତ୍ରର ପ୍ରମୁଖ କେନ୍ଦ୍ର । ଏହି ସହର ନିକଟରେ ସେଠ୍ଙ୍କ ଗାଁ ପ୍ରାନ୍ପୁର ।
ସଡ଼କ ପଥରେ ବୁଡ୍ୱାର ଓ ଚନ୍ଦେରୀ ମଧ୍ୟରେ ଦୂରତା ୩୨ କିଲୋମିଟର ଏବଂ ଲକ୍ଡାଉନ୍ ଯୋଗୁଁ ଦୁଇ ଗାଁ ମଝିରେ ଥିବା ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ସୀମାରେ ବ୍ୟାରିକେଡ୍ ଲଗାଇ ପହରା ଦେଉଥିବା ପୋଲିସ୍ ଆନନ୍ଦି ଲାଲ ଓ ସୁରେଶଙ୍କୁ ଅଲଗା କରିଦେଇଛି। ସୁରେଶ କହନ୍ତି, “ମୁଁ ବୁଝିପାରୁନି କ’ଣ ସବୁ ହେଉଛି। ଦିଲ୍ଲୀରୁ ଯେଉଁମାନେ ଘରକୁ ଫେରୁଛନ୍ତି, ସେମାନଙ୍କୁ ପୋଲିସ ଧରି ନେଇଯାଉଛି। ଆମ ଗାଁକୁ ଏ ବୀମାରି (ରୋଗ) ଆଉ କେମିତି ଆସିବ ? ହେଲେ ସରକାର ଆମ ଜିଲ୍ଲାରେ ଲକ୍ଡାଉନ୍ କରିଦେଇଛନ୍ତି ଏବଂ ଆମମାନଙ୍କର ଜୀବନଧାରା ପୂରା ଓଲଟି ଯାଇଛି ।”
ବୁଣା ସରିଥିବା ତିନିଟି ଶାଢ଼ିର ପାଉଣା ବାବଦରେ ୫,୦୦୦ ଟଙ୍କା ଦେବା ଲାଗି ସୁରେଶ ଆନନ୍ଦି ଲାଲଙ୍କୁ କହିଥିଲେ । ସେ କହନ୍ତି, “ସେ ଯୋଗାଡ଼ କରି ମୋ ପାଖକୁ ମାତ୍ର ୫୦୦ ଟଙ୍କା ପଠାଇଲେ ଏବଂ କହିଲେ ଯେ ବଜାର ନ ଖୋଲିଲା ଯାଏଁ ପୂରା ପାଉଣା ଦେଇ ହେବନାହିଁ ।”
ଲକ୍ଡାଉନ୍ ପୂର୍ବରୁ, ସେଠ୍ ସୁରେଶଙ୍କୁ କପା ସୂତା, ରେଶମ ସୂତା ଏବଂ ଜରି ସୂତା ଭଳି କଞ୍ଚାମାଲ ଦେଉଥିଲେ ଏବଂ ଶାଢ଼ି, ଦୁପଟ୍ଟା, ଷ୍ଟୋଲ୍, କପଡ଼ାର ଛୋଟମୋଟ ସାମଗ୍ରୀ କିମ୍ବା କେବଳ କପଡ଼ା ବୁଣିବାକୁ ତାଙ୍କୁ ନିୟୋଜିତ କରୁଥିଲେ। ସେ ତାଙ୍କୁ ଡିଜାଇନ୍ ମଧ୍ୟ ଦେଉଥିଲେ । ଅର୍ଡର ଅନୁସାରେ ଦର ସ୍ଥିର ହେଉଥିଲା ଏବଂ ପ୍ରସ୍ତୁତ ସାମଗ୍ରୀ ପହଞ୍ଚାଇବା ବେଳେ, ସବୁ ସମୟରେ ନଗଦ ଟଙ୍କାରେ ହିଁ ପ୍ରାପ୍ୟ ମିଳି ଯାଉଥିଲା ।
ବୁଣାକାର ଓ ବ୍ୟବସାୟୀଙ୍କ ମଧ୍ୟରେ ଥିବା ଏହି ନିୟମିତ ବ୍ୟବସ୍ଥାରେ ଲକ୍ଡାଉନ୍ ବ୍ୟାଘାତ ସୃଷ୍ଟି କରିଛି । କାମ ଅବ୍ୟାହତ ରଖିବା ଲାଗି ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା, ସୁରେଶ ଅଧିକ ସୂତା ଓ ଜରି ଆବଶ୍ୟକ କରନ୍ତି ଏବଂ ପରିବାର ଚଳାଇବା ଲାଗି ଅର୍ଥ ବି ଦରକାର ହୋଇଥାଏ । ତେଣୁ ସେ ବ୍ୟାକୁଳତାର ସହ ସବୁଦିନ ଆନନ୍ଦି ଲାଲଙ୍କୁ ଫୋନ୍ କରିବା ଆରମ୍ଭ କଲେ । ଶେଷରେ, ଏପ୍ରିଲ ୨୭ ତାରିଖ ଦିନ ତାଙ୍କୁ ବ୍ୟାରିକେଡ୍ ନିକଟରେ ଦେଖା କରିବା ଲାଗି ସେଠ୍ ରାଜି ହେଲେ । ସେ ତାଙ୍କୁ କେତେକ ସୂତା ବିଡ଼ା ଦେବା ସହିତ ମେ ମାସ ଶେଷ ସୁଦ୍ଧା ଚାରିଟି ଶାଢ଼ି ବୁଣିବା ବାବଦରେ ଅଗ୍ରୀମ ଆକାରରେ ୪,୦୦୦ ଟଙ୍କା ଦେଲେ । ବୁଣାକାରଙ୍କୁ ମିଳିବାକୁ ଥିବା ବାକି ଟଙ୍କା ପରେ ଦିଆଯିବ ବୋଲି ସେ କହିଲେ ।
ସୁରେଶ ଏବଂ ତାଙ୍କ ପରିବାର ପାରମ୍ପରିକ ବୁଣାକାର କୋଲି (‘କୋରି’ ବୋଲି ମଧ୍ୟ କୁହାଯାଏ) ସଂପ୍ରଦାୟର ଏବଂ ଏହା ଅଧିସୂଚିତ ଜାତି ରୂପେ ତାଲିକାଭୁକ୍ତ । ପାଖାପାଖି ୧୪ ବର୍ଷ ତଳେ ସୁରେଶ ତାଙ୍କ ବାପାଙ୍କ ପାଖରୁ ବୁଣାକାମ ଶିଖିଥିଲେ । ଚନ୍ଦେରୀ ସହର ଏବଂ ଆଖପାଖ ଅଞ୍ଚଳର ସଂଖ୍ୟାଧିକ ବସ୍ତ୍ର ବୁଣାକାର କୋଲି ଏବଂ ଆନ୍ସାରି ସଂପ୍ରଦାୟର । ଆନ୍ସାରି ସଂପ୍ରଦାୟ ମୁସଲମାନ ଧର୍ମାବଲମ୍ବୀ ଏବଂ ଅନ୍ୟାନ୍ୟ ପଛୁଆ ଶ୍ରେଣୀଭୁକ୍ତ ।
୨୦୧୯ ଡିସେମ୍ବରରେ ଆମେ ସୁରେଶଙ୍କୁ ଭେଟିବା ବେଳେ ତନ୍ତରେ ତାଙ୍କ କାର୍ଯ୍ୟ କରିବା ଶୈଳୀ ଜଣେ ପିଆନୋ ବାଦକଙ୍କ ଭଳି ମନେ ହେଉଥିଲା । ତନ୍ତରେ ଲାଗିଥିବା ଲିଭରକୁ ସେ ଗୋଟିଏ ଲୟରେ ଟାଣୁଥିଲେ ଏବଂ କାଠ ଗୋଟିଗୁଡ଼ିକ ସ୍ଥିର ଗତିରେ ଉପରୁ ତଳକୁ ଓ ବାମରୁ ଡାହାଣକୁ ହେଉଥିଲେ ଏବଂ ଏଥିରୁ ନିର୍ଗତ ଧ୍ୱନି କୋଠରି ଭିତରେ ଗୁଞ୍ଜରିତ ହେଉଥିଲା । ଏହା ଫଳରେ କପାସୂତାର ବାନା (ଭରଣି) ସହିତ ରେଶମର ତାନା (ଆଡ଼ସୂତା) ସୁବ୍ୟବସ୍ଥିତ ଢଙ୍ଗରେ ବୁଣି ହେଉଥିଲା । ଲକ୍ଡାଉନ୍ ପୂର୍ବରୁ ସେ ପ୍ରତିଦିନ ତନ୍ତରେ ୧୦ ଘଣ୍ଟା ବସୁଥିଲେ, ଏବଂ ବେଳେବେଳେ କାମ ଅଧିକ ଥିଲେ ୧୪ ଘଣ୍ଟା ଯାଏ ବି ବସୁଥିଲେ ।
ଅଠା ବାହାର କରାଯାଇ ନଥିବା କପାସୂତା ବ୍ୟବହାର ଯୋଗୁଁ ଚନ୍ଦେରୀ କପଡ଼ା ମସୃଣ ହୋଇଥାଏ । ଏହି କପଡ଼ାରୁ ପ୍ରସ୍ତୁତ ସବୁ ହାତବୁଣା ସାମଗ୍ରୀ ଭିତରୁ ଚନ୍ଦେରୀ ଶାଢ଼ିର ଚାହିଦା ସର୍ବାଧିକ । ଏହାର ହାଲୁକା ରଙ୍ଗ, ରେଶମୀ ଚମକ, ଏବଂ ସ୍ୱର୍ଣ୍ଣ ଜରିର ଧଡ଼ି ଓ ବୁଟ୍ଟି (ଜରିକାମ) ଏହାର ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରେ । ଚନ୍ଦେରୀ ଅଞ୍ଚଳରେ ୫୦୦ ବର୍ଷରୁ ଅଧିକ ସମୟ ଧରି ବୁଣା ହେଉଥିବା ଏହି ଶାଢ଼ିକୁ ୨୦୦୫ରେ ‘ଜିଓଗ୍ରାଫିକାଲ ଇଣ୍ଡିକେସନ୍’ ପ୍ରମାଣପତ୍ର ମିଳିଛି ।
ଚନ୍ଦେରୀ ସହରରେ ଏହି କାରବାର ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ । କୌଣସି ପ୍ରକାରେ କିଛିଟା ପାଉଣା ପାଇବାକୁ ସେଠ୍ମାନଙ୍କୁ ମନାଇବା ବ୍ୟତୀତ ବୁଣାକାରମାନଙ୍କ ପକ୍ଷରେ ଅନ୍ୟ ବାଟ ନାହିଁ । ଖୁଚୁରା ବଜାରରେ ଚାହିଦା ହ୍ରାସ ଯୋଗୁଁ ବୁଣାକାରମାନେ ହିଁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି
ସୁରେଶ କହନ୍ତି, ଗୋଟିଏ ସାଧାରଣ ଶାଢ଼ି ବୁଣିବାକୁ ଚାରି ଦିନ ଲାଗିପାରେ । କିନ୍ତୁ ଜରି ବୁଟ୍ଟି ବା ହାତବୁଣା ଜରିକାମ ଲାଗିବାକୁ ଥିଲେ, ଡିଜାଇନ୍ର ଜଟିଳତା ଉପରେ ନିର୍ଭର କରି ୮ରୁ ୩୦ ଦିନ ଯାଏ ଲାଗିପାରେ । ଗତିଶୀଳତାରେ ସାମଞ୍ଜସ୍ୟ ଏବଂ ଘଣ୍ଟା ଘଣ୍ଟାର ଏକାଗ୍ରତା ହିଁ ପରିଶେଷରେ ଏକ ଅନନ୍ୟ ଚନ୍ଦେରୀ ଶାଢ଼ିରେ ପରିଣତ ହୁଏ ।
ଲକ୍ଡାଉନ୍ ପୂର୍ବରୁ, ବର୍ଷାଋତୁର ଦୁଇ ମାସକୁ ବାଦ୍ ଦେଲେ, ବର୍ଷ ସାରା ସୁରେଶଙ୍କୁ କାମ ମିଳୁଥିଲା । ପାଣିପାଗରେ ଆର୍ଦ୍ରତା ଯୋଗୁଁ ସୂତା ଫୁଲିଯାଉଥିବାରୁ ଜୁନ୍ ଶେଷ ଭାଗରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ କାମ ରହୁ ନଥିଲା । ସୁରେଶ କହନ୍ତି, “ଏହି କାମରେ ଘଣ୍ଟା ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼େ । କିନ୍ତୁ ମୁଁ ବୁଣାକାମକୁ ଭଲ ପାଏ । ଏଥିରୁ ମୋତେ ଖାଦ୍ୟ ଓ ଜୀବିକା ମିଳିଥାଏ । ଏହି କାମକୁ ବାଦ୍ ଦେଲେ, ମୁଁ ଜାଣିନି କ’ଣ କରିବି । ଆମର ଚଳିବା ପାଇଁ ଜମି ନାହିଁ କି ଏହି ସଂକଟକୁ ପାରି ହେବା ପାଇଁ ସଞ୍ଚିତ ଅର୍ଥ ନାହିଁ ।”
ସାଧାରଣତଃ କୌଣସି ଉତ୍ପାଦ ଯେଉଁ ପାଇକାରୀ ଦରରେ ବିକ୍ରି ହୁଏ ତା’ର ୨୦-୩୦ ପ୍ରତିଶତ ହିଁ ଚନ୍ଦେରୀର ବୁଣାକାରଙ୍କୁ ମିଳିଥାଏ । ଗୋଟିଏ ସାଦାସିଧା ପଲ୍ଲୁ ଥିବା ସାଧାରଣ ଶାଢ଼ିକୁ ସେଠ୍ ଖୁଚୁରା ବେପାରୀଙ୍କୁ ୨,୦୦୦ ଟଙ୍କାରେ ବିକ୍ରି କରନ୍ତି ଏବଂ ସେଥିରୁ ସୁରେଶଙ୍କୁ ପ୍ରାୟ ୬୦୦ ଟଙ୍କା ମିଳିଥାଏ । ଏଥିପାଇଁ ଚାରି ଦିନ କାମ କରିବାକୁ ପଡ଼େ । ସେ ବୁଣୁଥିବା ଅଧିକାଂଶ ଶାଢ଼ି ପାଇକାରୀ ବଜାରରେ ୫,୦୦୦ ଟଙ୍କାରେ ବିକ୍ରି ହୁଏ ଏବଂ ପ୍ରତିଟି ଶାଢ଼ି ବୁଣିବା ପାଇଁ ପ୍ରାୟ ଆଠ ଦିନ ଲାଗିଯାଏ । ଯେଉଁଥିରେ ସୂକ୍ଷ୍ମ ବୁଟ୍ଟି କାମ ହୋଇଥାଏ, ତାହା ୨୦,୦୦୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହୁଏ ଏବଂ ବୁଣିବା ଲାଗି ମାସେ ପର୍ଯ୍ୟନ୍ତ ଲାଗିପାରେ । ଅଧିକ ଜଟିଳ ଓ ସୂକ୍ଷ୍ମ ଡିଜାଇନ୍ ଥିବା ଗୋଟିଏ ଶାଢ଼ିରୁ ବୁଣାକାର ୧୨,୦୦୦ ଟଙ୍କା ରୋଜଗାର କରିପାରନ୍ତି ।
ବୁଡ୍ୱାରରେ ସୁରେଶଙ୍କ ସହିତ ତାଙ୍କ ସ୍ତ୍ରୀ ଶ୍ୟାମବାଇ, ପାଞ୍ଚ ବର୍ଷୀୟା ଝିଅ ଏବଂ ମାଆ ଚାମୁବାଇ ରହନ୍ତି ଏବଂ ତାଙ୍କ ଘରର ତିନିଟି କୋଠରିରୁ ପୂରା ଗୋଟିଏ କୋଠରିକୁ ଦୁଇଟି ହସ୍ତତନ୍ତ ଅକ୍ତିଆର କରିନେଇଛି ।
ଯେତେବେଳେ ନିୟମିତ କାମ ମିଳେ, ଦୁଇଟି ଯାକ ତନ୍ତର ଖଟଖଟ ଶବ୍ଦରେ ଐକତାନ ସୃଷ୍ଟି ହୁଏ, ପ୍ରତିଦିନ ଶାଢ଼ି ତିଆରି ହୁଏ । ତାଙ୍କ ବାପା ଯେଉଁ ତନ୍ତଟିକୁ କିଣିଥିଲେ ତାହାକୁ ସୁରେଶ ଚଳାନ୍ତି । ଆର ତନ୍ତଟିକୁ ଶ୍ୟାମବାଇ । ଦୁହେଁ ମିଶି ମାସକୁ ପ୍ରାୟ ୧୦,୦୦୦-୧୫,୦୦୦ ଟଙ୍କା ରୋଜଗାର କରନ୍ତି ।
ଶ୍ୟାମବାଇ ଚନ୍ଦେରୀର ଗୋଟିଏ ବୁଣାକାର ପରିବାରରେ ବଢ଼ିଛନ୍ତି ଏବଂ ତାଙ୍କ ବାପା ଓ ଭାଇଙ୍କ ନିକଟରୁ ବୁଣାକାମର ସୂକ୍ଷ୍ମ ଦିଗ ସଂପର୍କରେ ଶିଖିଛନ୍ତି । ଶ୍ୟାମବାଇ କହନ୍ତି, “ସୁରେଶଙ୍କୁ ମୁଁ ବାହା ହେଲା ବେଳେ ଏ ଘରେ ଗୋଟିଏ ତନ୍ତ ଥିଲା । ମୁଁ କିଛିଟା ସାହାଯ୍ୟ ଯାହା କରିପାରୁଥିଲି, କିନ୍ତୁ ଆମେ ଆମ ରୋଜଗାର ବଢ଼ାଇ ପାରୁ ନଥିଲୁ । ଦୁଇ ବର୍ଷ ତଳେ, ମୋ ପାଇଁ ଗୋଟିଏ ତନ୍ତ କିଣିବାକୁ ଆମେ ୫୦,୦୦୦ ଟଙ୍କା ଋଣ କଲୁ । ଏହା ଫଳରେ ଏବେ ଆମେ ବୁଣୁଥିବା ଶାଢ଼ି ଓ ସୂତା ସଂଖ୍ୟା ବଢ଼ାଇ ପାରିଛୁ ।” ବୁଣାକାରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନାରେ ବ୍ୟାଙ୍କରୁ ନେଇଥିବା ଏହି ଋଣ ପରିଶୋଧ କରିବା ବାବଦରେ ସେମାନେ ମାସକୁ ୧,୧୦୦ ଟଙ୍କାର କିସ୍ତି ପ୍ରଦାନ କରନ୍ତି ।
ମଝିରେ ମଝିରେ, ଯେତେବେଳେ ସେଠ୍ଙ୍କ ପାଖରୁ କାମର ଅର୍ଡର କମ୍ ମିଳେ, କେନ୍ଦୁପତ୍ର ସଂଗ୍ରହରେ ଚାମୁବାଇଙ୍କୁ ସାହାଯ୍ୟ କରନ୍ତି ଶ୍ୟାମବାଇ। ଚାମୁବାଇ ଜୀବିକା ଅର୍ଜନ ପାଇଁ ବିଡ଼ି ବଳନ୍ତି ଏବଂ ପ୍ରତି ୧,୦୦୦ ବିଡ଼ି ପାଇଁ ୧୧୦ ଟଙ୍କା ରୋଜଗାର କରନ୍ତି । ଲକ୍ଡାଉନ୍ ଯୋଗୁଁ ତାଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି ।
ଚନ୍ଦେରୀ ସହରରେ ଏହି କାରବାର ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ । କୌଣସି ପ୍ରକାରେ, କିଛିଟା ପାଉଣା ପାଇବାକୁ ବୁଣାକାରମାନଙ୍କ ପକ୍ଷରେ ସେଠ୍ମାନଙ୍କୁ ମନାଇବା ବ୍ୟତୀତ ଅନ୍ୟ ବାଟ ନାହିଁ । ଖୁଚୁରା ବଜାରରେ ଚାହିଦା ହ୍ରାସ ଯୋଗୁଁ ବୁଣାକାରମାନେ ହିଁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଅଧିକାଂଶ ବୁଣାକାର, ବ୍ୟବସାୟୀମାନଙ୍କ ପାଇଁ କିମ୍ବା ପୁରୁଖା ବୁଣାକାରମାନଙ୍କ (ସାଧାରଣତଃ ପ୍ରବୀଣ ବୁଣାକାର, ଯେଉଁମାନେ ବ୍ୟବସାୟୀ ମଧ୍ୟ) ପାଇଁ କାମ କରନ୍ତି ।
ଏପ୍ରିଲ ମଧ୍ୟଭାଗରେ, ଚନ୍ଦେରୀରେ ରହୁଥିବା ୩୩ ବର୍ଷୀୟ ପ୍ରଦୀପ କୋଲିଙ୍କୁ ତାଙ୍କ ସେଠ୍ କହିଲେ ଯେ, “ମାହୌଲ (ବାତାବରଣ) ନ ବଦଳିବା ପର୍ଯ୍ୟନ୍ତ”, ସେମାନଙ୍କ ପାରିଶ୍ରମିକର ହାର କମ୍ କରାଯାଇ ସପ୍ତାହକୁ ୧,୫୦୦ ଟଙ୍କାରୁ ୧,୦୦୦ ଟଙ୍କା କରାଯିବ । ପ୍ରଦୀପ କହନ୍ତି, “ଆମେ ଯୁକ୍ତିତର୍କ କଲୁ ଏବଂ ପୂର୍ବରୁ ଥିବା କାମର ଅର୍ଡର ଉପରେ ନୁହେଁ, କେବଳ ନୂଆ ଅର୍ଡର ଉପରେ ନୂଆ ଦର ଲାଗୁ କରିବାକୁ ସେ ରାଜି ହେଲେ । କିନ୍ତୁ ମାହୌଲ ଯଦି ଶୀଘ୍ର ନ ବଦଳେ ତେବେ ଆମେ ଖୁବ୍ ଅସୁବିଧାରେ ପଡ଼ିଯିବୁ ।”
ଲକ୍ଡାଉନ୍ ସମୟରେ ଚନ୍ଦେରୀର ବୁଣାକାରମାନଙ୍କୁ ମାଗଣାରେ ସରକାରୀ ଖାଉଟି ସାମଗ୍ରୀ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ସେମାନେ ଏପ୍ରିଲ ମାସରେ ମାତ୍ର ୧୦ କିଲୋ ଲେଖାଏଁ ଚାଉଳ ପାଇଛନ୍ତି । ୨୪ ବର୍ଷରୁ ଅଧିକ ସମୟ ଧରି ବୁଣାକାମ କରୁଥିବା ୪୨ ବର୍ଷୀୟ ଦୀପ କୁମାର କହନ୍ତି, “ନଗର ପାଳିକା ଅଧିକାରୀମାନେ ଆମ ମୋହଲ୍ଲାରେ ସର୍ଭେ କରିଥିଲେ ଏବଂ ଆମକୁ ଡାଲି, ଚାଉଳ ଏବଂ ଅଟା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରକୃତରେ ଦେଲା ବେଳକୁ ସେମାନେ କେବଳ ଚାଉଳ ହିଁ ଦେଲେ ।” ଏବେ ସେ ତାଙ୍କ ଛଅ ଜଣିଆ ପରିବାରର
ଖାଦ୍ୟରେ ବ୍ୟବହୃତ ଖାଉଟି ସାମଗ୍ରୀର ହିସାବ ରଖିବାରେ ଲାଗିପଡ଼ିଛନ୍ତି ଏବଂ କହନ୍ତି, “ପୂର୍ବରୁ ମୋ ଚା’ରେ ଚିନି ପକାଇବା ପୂର୍ବରୁ ମୁଁ କେବେ ବି ପୁଣି ଥରେ ଚିନ୍ତା କରି ନଥିଲି । ଗହମ ରୁଟି ଯେ ସବୁଦିନିଆ ଭୋଜନରେ ମିଳିବ ନାହିଁ ବୋଲି ବି କେବେ ଭାବି ନଥିଲି ।”
ସୂତା ସରି ସରି ଯାଉଥିବାରୁ, ଦୀପ କୁମାରଙ୍କ ଘରେ ଥିବା ଦୁଇଟି ଯାକ ତନ୍ତ ଏବେ ନିରବ ହୋଇଯିବ । ଦ୍ୱିତୀୟ ତନ୍ତଟିକୁ ତାଙ୍କ ଭାଇ ଚଳାନ୍ତି । ଲକ୍ଡାଉନ୍ ପୂର୍ବରୁ ତାଙ୍କ ପରିବାରର ସାପ୍ତାହିକ ଆୟ ୪,୫୦୦ ଟଙ୍କା ଥିବା ବେଳେ ଏବେ ତାହା ୫୦୦ ଟଙ୍କାକୁ କମି ଯାଇଛି । କୁମାର କହନ୍ତି, “ଶନିବାର ଦିନ (ପ୍ରତି ସପ୍ତାହରେ) ମୁଁ ସେଠ୍ଙ୍କ ପାଖରୁ ଟଙ୍କା ଆଣିବାକୁ ଯାଏ । ବୁଧବାର ବେଳକୁ, ମୋ ପାଖରେ ଆଉ ଟଙ୍କା ନଥିବ ।”
୫୦ ବର୍ଷରୁ ଅଧିକ ସମୟ ହେଲା ବୁଣାକାମ କରିଆସୁଥିବା ଏବଂ ୧୯୮୫ ମସିହାରେ ଜାତୀୟ ପୁରସ୍କାର ପାଇଥିବା ୭୩ ବର୍ଷୀୟ ତୁଲସୀରାମ କୋଲି କହନ୍ତି, “ଯେତେବେଳେ କଳତନ୍ତର ପ୍ରଚଳନ ଲୋକପ୍ରିୟ ହେଲା, ଚନ୍ଦେରୀ ଶାଢ଼ିର ଚାହିଦା କମିବାରେ ଲାଗିଲା ଏବଂ ଆମେ ସେ ସମୟ ଭିତର ଦେଇ ଆସିଛୁ । କୌଣସିମତେ ଆମେ ଚଳେଇ ନେଲୁ । କିନ୍ତୁ ଏମିତି ଏକ ସଂକଟ କଥା ମୁଁ ବୁଝିପାରୁନି । ଯୋଗାଣ ନାହିଁ, ଚାହିଦା ନାହିଁ କି ଅର୍ଥ ନାହିଁ ।” ଚନ୍ଦେରୀର ତାଙ୍କ ଘରେ ଛଅଟି ତନ୍ତ ବସିଛି, ଯେଉଁଗୁଡ଼ିକୁ ସେ, ତାଙ୍କ ସ୍ତ୍ରୀ, ସେମାନଙ୍କର ଦୁଇ ପୁଅ ଓ ବୋହୂ ଚଳାନ୍ତି ।
ଯଦିଓ ଏ ପର୍ଯ୍ୟନ୍ତ ଅଶୋକନଗର ଜିଲ୍ଲାରେ କୌଣସି କୋଭିଡ୍-୧୯ ରୋଗୀଙ୍କ ସଂପର୍କରେ ରିପୋର୍ଟ ମିଳିନାହିଁ, ତଥାପି ଲକ୍ଡାଉନ୍ ପ୍ରତ୍ୟାହାର ପରେ ମଧ୍ୟ ସ୍ଥିତି ସୁଧୁରିବାକୁ ଦୀର୍ଘ ଦିନ ଲାଗିଯିବ.
ପ୍ରାୟ ୧୦୦ ହସ୍ତତନ୍ତ ବୁଣାକାରଙ୍କ ସହ କାମ କରୁଥିବା ଚନ୍ଦେରୀର ଜଣେ ବ୍ୟବସାୟୀ ଅମିନୁଦ୍ଦିନ ଆନସାରି କହନ୍ତି, “ଆସନ୍ତା ୬-୭ ମାସ ଯାଏ ଆମକୁ କୌଣସି କାମର ଅର୍ଡର ମିଳିବ ବୋଲି ମୁଁ ଭାବୁନି । ତା’ ପରେ ବି ଆମ କାମ ଖୁବ୍ ଧିମେଇ ଯିବ, କାରଣ ହାତବୁଣା ଶାଢ଼ି କିଣିବାରେ ଯଥେଷ୍ଟ ଖର୍ଚ୍ଚ କରିବା ଲାଗି ଲୋକଙ୍କର ସାମର୍ଥ୍ୟ ନଥିବ । ସେମାନେ କଳତନ୍ତ ପ୍ରସ୍ତୁତ (ଶସ୍ତା) ଶାଢ଼ି କିଣିବେ ।”
ଲକ୍ଡାଉନ୍ ପୂର୍ବରୁ ଅମିନୁଦ୍ଦିନଙ୍କୁ ପ୍ରତି ମାସରେ ୮-୯ ଲକ୍ଷ ଟଙ୍କାର ଅର୍ଡର ମିଳୁଥିଲା । ତାଙ୍କ ଗ୍ରାହକଙ୍କ ମଧ୍ୟରେ ଦିଲ୍ଲୀର ବଡ଼ ବଡ଼ ଶୋ’ ରୁମ୍ ଏବଂ ଲୁଗାପଟାର ବହୁ ଖ୍ୟାତନାମା ବ୍ରାଣ୍ଡର ମାଲିକମାନେ ଥିଲେ, ଯେଉଁମାନେ କି କଞ୍ଚାମାଲ କିଣିବା ପାଇଁ ତାଙ୍କୁ ଅଗ୍ରୀମ ଟଙ୍କା ଦେଉଥିଲେ । ଆଗାମୀ ମାସଗୁଡ଼ିକରେ ବହୁ ବୁଣାକାର ଭଲ ରୋଜଗାର ପାଇଁ ବୁଣାକାମ ଛାଡ଼ି ଦିନ ମଜୁରିଆ ଭାବେ କାମ କରିବେ ବୋଲି ଅମିନୁଦ୍ଦିନ ଆଶା କରନ୍ତି ।
ଶୋ’ ରୁମ୍ ଓ ଜଣାଶୁଣା ଲୁଗାପଟା ବ୍ରାଣ୍ଡର କମ୍ପାନି ଅର୍ଡର ବାତିଲ କରିବା ଆରମ୍ଭ କରିଦେଇଛନ୍ତି । ୧୨୦ ଜଣ ବୁଣାକାରଙ୍କ ସହ କାମ କରୁଥିବା ସୁରେଶଙ୍କ ସେଠ୍ ଆନନ୍ଦି ଲାଲ କହନ୍ତି ଯେ,ସାଧାରଣତଃ ଅନେକ ବଡ଼ ବଡ଼ ବ୍ରାଣ୍ଡ୍ର ଶୋ’ରୁମ୍ ଅର୍ଡର ଦେବା ପାଇଁ ସେମାନଙ୍କ କର୍ମଚାରୀଙ୍କୁ ଚନ୍ଦେରୀକୁ ପଠାନ୍ତି । “ଏ ବର୍ଷ ଜାନୁଆରୀରେ (ବଡ଼ ବଡ଼ ବ୍ରାଣ୍ଡ୍ର କମ୍ପାନି ପାଖରୁ) ଆମେ ୧ କୋଟି ଟଙ୍କାର ଅର୍ଡର ପାଇଥିଲୁ। ବୁଣାକାରମାନଙ୍କ ମଧ୍ୟରେ ବାଣ୍ଟି ଦେବା ପାଇଁ ମୁଁ ୧୦-୧୫ ଲକ୍ଷ ଟଙ୍କାର ସାମଗ୍ରୀ କିଣିଲି । ପ୍ରାୟ ପାଞ୍ଚ ଦିନ ପରେ ଲକ୍ଡାଉନ୍ ଘୋଷଣା କରାଗଲା ଏବଂ କାମ କେତେ ବାଟ ଆଗେଇଥିଲା ବୋଲି ଜଣାଇବାକୁ ସେମାନଙ୍କ ପାଖରୁ ଫୋନ୍ ଆସିବା ଆରମ୍ଭ ହୋଇଗଲା ।” ସେ କହନ୍ତି ପ୍ରାୟ ୧୦ ଦିନ ପରେ, ତନ୍ତରେ ଲାଗି ସାରିଥିବା କାମକୁ ଛାଡ଼ି, ବାକି ସବୁ ଅର୍ଡର ବାତିଲ କରିଦିଆଗଲା ।
ଲକ୍ଡାଉନ୍ ପୂର୍ବରୁ, ଶାଢ଼ି ବିକ୍ରିରୁ ବ୍ୟବସାୟୀମାନେ କେମିତି ଅଧିକ ଲାଭ କରୁଛନ୍ତି ଏବଂ ସାମଗ୍ରୀ କିଣା ଏବଂ ବୁଣାକାରଙ୍କ ପାଉଣା ବାବଦ ଖର୍ଚ୍ଚ ବାଦ୍ ଦେବା ପରେ ସେମାନେ ପାଇକାରୀ ଦରର ୪୦ ପ୍ରତିଶତ ଲାଭ ପାଉଛନ୍ତି ବୋଲି ବୁଣାକାରମାନେ ଅନେକ ସମୟରେ କହୁଥିଲେ । ଦୁଇ ବର୍ଷ ତଳେ, ମଧ୍ୟସ୍ଥମାନଙ୍କ କବଳରୁ ମୁକୁଳିବା ଲକ୍ଷ୍ୟ ନେଇ ୩୪ ବର୍ଷୀୟ ମହମ୍ମଦ ଦିଲଶାଦ ଆନ୍ସାରି ଓ ତାଙ୍କର ୧୨-୧୩ ଜଣ ବନ୍ଧୁ ଓ ସଂପର୍କୀୟ ମିଶି ବୁଣାକାରମାନଙ୍କର ଏକ ଅଣ ଆନୁଷ୍ଠାନିକ ସମିତି ଆରମ୍ଭ କଲେ। ସେମାନେ ସ୍ଵାଧୀନ ବୁଣାକାର ଭାବେ ହସ୍ତତନ୍ତ ନିଗମରେ ନାମ ପଞ୍ଜୀକରଣ କରାଇଲେ ଏବଂ ମିଳୁଥିବା ଅର୍ଡର ପାଇଁ ମିଳିମିଶି କାମ କଲେ। ସେ କହନ୍ତି, “ଆମେ ହ୍ଵାଟ୍ସଆପ୍ ଏବଂ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଭଳି ସାମାଜିକ ଗଣମାଧ୍ୟମ ଜରିଆରେ ଅର୍ଡର ନେବା ଶିଖିଲୁ ।” ଏହି ସମିତିରେ ଏବେ ୭୪ ଜଣ ବୁଣାକାର ଅଛନ୍ତି ।
କିନ୍ତୁ, ତା’ପରେ ଆସିଲା କୋଭିଡ୍-୧୯। ହସ୍ତଶିଳ୍ପ ଓ ହସ୍ତଶିଳ୍ପୀମାନଙ୍କର ବିକାଶ ଦିଗରେ କାର୍ଯ୍ୟରତ ଦସ୍ତକାର ନାମକ ଏକ ବେସରକାରୀ ସଂଗଠନ ପକ୍ଷରୁ ମାର୍ଚ୍ଚ ମାସରେ ଆୟୋଜିତ ଏକ ପ୍ରଦର୍ଶନୀରେ ଭାଗ ନେବାକୁ ଯାଇ ଦିଲଶାଦ ଦିଲ୍ଲୀରେ ଥିଲେ। ସେଠାରେ ୧୨-୧୫ ଲକ୍ଷ ଟଙ୍କାର ଜିନିଷ ବିକ୍ରି ହେବ ବୋଲି ସେ ଆଶା କରିଥିଲେ। କିନ୍ତୁ ମାର୍ଚ୍ଚ ୧୩ ତାରିଖ ଦିନ ସାମୂହିକ ସମାବେଶ ଉପରେ ଦିଲ୍ଲୀ ସରକାର ନିଷେଧାଦେଶ ଜାରି କଲେ। ସେ କହନ୍ତି, “ସେଠାରେ ମାତ୍ର ୭୫,୦୦୦ ଟଙ୍କାରୁ କମ୍ ମୂଲ୍ୟର ଜିନିଷ ବିକ୍ରି କରି ଆମକୁ ଘରକୁ ଫେରିବାକୁ ପଡ଼ିଲା।”
ଏପ୍ରିଲ୍ ପ୍ରଥମ ସପ୍ତାହ ସୁଦ୍ଧା, ବର୍ଷର ଅବଶିଷ୍ଟ ସମୟ ପାଇଁ ଯେଉଁ ଗ୍ରାହକମାନେ ଅର୍ଡର ଦେଇଥିଲେ, ସେମାନେ ସେସବୁକୁ ବାତିଲ କରିବା ଆରମ୍ଭ କଲେ। ଦିଲଶାଦ ଏବେ ନିରାଶ ହୋଇପଡ଼ିଛନ୍ତି । “ମୋତେ ରାତିରେ ନିଦ ହେଉନି । ଆମେ ଜାଣିନୁ ପୁଣି କେବେ ଶାଢ଼ି ବିକ୍ରି ହେବ । ସେ ପର୍ଯ୍ୟନ୍ତ ଆମେ କ’ଣ ବା କରିବୁ ?” ସେ ପଚାରନ୍ତି ।
ପୁଣି ବଜାର ଖୋଲିଲେ, ହୁଏତ କଞ୍ଚାମାଲ କିଣିବା ସହିତ ଥୋକରେ ଅର୍ଡର ଦେବା ପାଇଁ ବ୍ୟବସାୟୀମାନଙ୍କ ହାତରେ ସମ୍ବଳ ରହିଥିବ । କିନ୍ତୁ, ଦିଲ୍ଶାଦ ଅନୁମାନ କରନ୍ତି, “ଆମକୁ ପୁଣି ସେଇ ସେଠ୍ ବ୍ୟବସ୍ଥା ଭିତରକୁ ଫେରି ଯିବାକୁ ପଡ଼ିବ । କିମ୍ବା ଆମ ଭଳି ଅନେକ ବୁଣାକାରଙ୍କୁ ଚନ୍ଦେରୀ ବାହାରକୁ ଯାଇ ଦିନ ମଜୁରିଆ ଭାବେ କାମ କରିବାକୁ ପଡ଼ିପାରେ ।”
ଅନୁବାଦ: ଓଡ଼ିଶାଲାଇଭ୍