“ମୋ ପାଖରୁ ସୂତା ସରିଗଲାଣି । ହାତରେ ଆଉ ଟଙ୍କା ବି ନାହିଁ । କିନ୍ତୁ, ଲକ୍ଡାଉନ୍ କାରଣରୁ ମୁଁ (ପ୍ରସ୍ତୁତ) ଶାଢ଼ିଗୁଡ଼ିକୁ ସେଠ୍ଙ୍କୁ ଦେଇପାରିବି ନାହିଁ ।” ଏହା କହନ୍ତି ସୁରେଶ କୋଲି, ବୁଡ୍ୱାର ଗାଁର ଜଣେ ଚନ୍ଦେରୀ ବସ୍ତ୍ର ବୁଣାକାର ।
କୋଭିଡ୍-୧୯ ଲକ୍ଡାଉନ୍ର ପାଖାପାଖି ଗୋଟିଏ ସପ୍ତାହ ଭିତରେ ୩୧ ବର୍ଷ ବୟସ୍କ ସୁରେଶଙ୍କ ପାଖରେ ଥିବା ଶେଷ ସୂତା ବଣ୍ଡିଲଗୁଡ଼ିକ ବୁଣା ସରିଥିଲା। ବୁଣାକାମ ସରିଥିବା ତିନିଟି ଶାଢ଼ି, ପ୍ରାନ୍ପୁର ଗାଁରେ ରହୁଥିବା ଚନ୍ଦେରୀ ବସ୍ତ୍ର ଉଦ୍ୟୋଗର ଜଣେ ସେଠ୍ ଆନନ୍ଦି ଲାଲଙ୍କୁ ଦିଆଯିବା ପାଇଁ ପଡ଼ି ରହିଥିଲା।
ଉତ୍ତର ପ୍ରଦେଶର ଲଲିତପୁର ଜିଲ୍ଲା ଅନ୍ତର୍ଗତ ବେଟୱା ନଦୀର ରାଜଘାଟ ବନ୍ଧ ନିକଟରେ ଏହି ବୁଣାକାରଙ୍କ ଗାଁ । ନଈ ଆରପଟେ, ମଧ୍ୟ ପ୍ରଦେଶର ଅଶୋକନଗର ଜିଲ୍ଲାରେ ରହିଛି ଚନ୍ଦେରୀ ସହର- ସେଇ ଏକା ନାଁରେ ଜଣାଶୁଣା ହସ୍ତତନ୍ତ ବସ୍ତ୍ରର ପ୍ରମୁଖ କେନ୍ଦ୍ର । ଏହି ସହର ନିକଟରେ ସେଠ୍ଙ୍କ ଗାଁ ପ୍ରାନ୍ପୁର ।
ସଡ଼କ ପଥରେ ବୁଡ୍ୱାର ଓ ଚନ୍ଦେରୀ ମଧ୍ୟରେ ଦୂରତା ୩୨ କିଲୋମିଟର ଏବଂ ଲକ୍ଡାଉନ୍ ଯୋଗୁଁ ଦୁଇ ଗାଁ ମଝିରେ ଥିବା ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ସୀମାରେ ବ୍ୟାରିକେଡ୍ ଲଗାଇ ପହରା ଦେଉଥିବା ପୋଲିସ୍ ଆନନ୍ଦି ଲାଲ ଓ ସୁରେଶଙ୍କୁ ଅଲଗା କରିଦେଇଛି। ସୁରେଶ କହନ୍ତି, “ମୁଁ ବୁଝିପାରୁନି କ’ଣ ସବୁ ହେଉଛି। ଦିଲ୍ଲୀରୁ ଯେଉଁମାନେ ଘରକୁ ଫେରୁଛନ୍ତି, ସେମାନଙ୍କୁ ପୋଲିସ ଧରି ନେଇଯାଉଛି। ଆମ ଗାଁକୁ ଏ ବୀମାରି (ରୋଗ) ଆଉ କେମିତି ଆସିବ ? ହେଲେ ସରକାର ଆମ ଜିଲ୍ଲାରେ ଲକ୍ଡାଉନ୍ କରିଦେଇଛନ୍ତି ଏବଂ ଆମମାନଙ୍କର ଜୀବନଧାରା ପୂରା ଓଲଟି ଯାଇଛି ।”
ବୁଣା ସରିଥିବା ତିନିଟି ଶାଢ଼ିର ପାଉଣା ବାବଦରେ ୫,୦୦୦ ଟଙ୍କା ଦେବା ଲାଗି ସୁରେଶ ଆନନ୍ଦି ଲାଲଙ୍କୁ କହିଥିଲେ । ସେ କହନ୍ତି, “ସେ ଯୋଗାଡ଼ କରି ମୋ ପାଖକୁ ମାତ୍ର ୫୦୦ ଟଙ୍କା ପଠାଇଲେ ଏବଂ କହିଲେ ଯେ ବଜାର ନ ଖୋଲିଲା ଯାଏଁ ପୂରା ପାଉଣା ଦେଇ ହେବନାହିଁ ।”
ଲକ୍ଡାଉନ୍ ପୂର୍ବରୁ, ସେଠ୍ ସୁରେଶଙ୍କୁ କପା ସୂତା, ରେଶମ ସୂତା ଏବଂ ଜରି ସୂତା ଭଳି କଞ୍ଚାମାଲ ଦେଉଥିଲେ ଏବଂ ଶାଢ଼ି, ଦୁପଟ୍ଟା, ଷ୍ଟୋଲ୍, କପଡ଼ାର ଛୋଟମୋଟ ସାମଗ୍ରୀ କିମ୍ବା କେବଳ କପଡ଼ା ବୁଣିବାକୁ ତାଙ୍କୁ ନିୟୋଜିତ କରୁଥିଲେ। ସେ ତାଙ୍କୁ ଡିଜାଇନ୍ ମଧ୍ୟ ଦେଉଥିଲେ । ଅର୍ଡର ଅନୁସାରେ ଦର ସ୍ଥିର ହେଉଥିଲା ଏବଂ ପ୍ରସ୍ତୁତ ସାମଗ୍ରୀ ପହଞ୍ଚାଇବା ବେଳେ, ସବୁ ସମୟରେ ନଗଦ ଟଙ୍କାରେ ହିଁ ପ୍ରାପ୍ୟ ମିଳି ଯାଉଥିଲା ।









