ଘରପୁରୀରେ ତାଙ୍କ ଘର ନିକଟ ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିବା ବେଳେ ଜୟଶ୍ରୀ ମହାତ୍ରେଙ୍କୁ କ’ଣ ଗୋଟିଏ କାମୁଡ଼ିଲା । ଦୁଇ ଜଣ ଝିଅଙ୍କର ମା’ ୪୩ ବର୍ଷୀୟା ଜୟଶ୍ରୀ ଏହାକୁ ଅଣଦେଖା କଲେ, ସମ୍ଭବତଃ ଏକ ଖେଣ୍ଟା ତାଙ୍କ ଦେହରେ ବାଜିଥିବା ସେ ଭାବିଥିଲେ । ଜାନୁଆରୀ ୨୦୨୦ର ସେହି ହାଲୁକା ଶୀତୁଆ ଅପରାହ୍ନରେ ସେ ସଂଗ୍ରହ କରିଥିବା ଜାଳେଣିକୁ ଧରି ଶୀଘ୍ର ଘର ଅଭିମୁଖେ ବାହାରିଲେ ।
କିଛି ସମୟ ପରେ ସେ ନିଜ ଘର ଦୁଆର ମୁହଁରେ ଛିଡ଼ା ହୋଇ ଜଣେ ସମ୍ପର୍କୀୟଙ୍କ ସହ କଥା ହେଉଥିବା ବେଳେ, ଭୂମିରେ ଟଳିପଡ଼ିଲେ । ପ୍ରାଥମିକ ଭାବେ, ନିକଟରେ ଥିବା ଲୋକେ ଅନୁମାନ କଲେ ଯେ ସେ ଉପବାସ କରିଥିବାରୁ ଦୁର୍ବଳତା ଯୋଗୁଁ ବେହୋସ ହୋଇଗଲେ ।
ଜୟଶ୍ରୀଙ୍କର ବଡ଼ ଝିଅ ୨୦ ବର୍ଷୀୟା ଭାବିକା ମନେପକାନ୍ତି, ‘‘ସେ ବେହୋସ ହୋଇଯାଇଥିବା ମୋତେ କୁହାଗଲା।’’ ସେ ବା ତାଙ୍କର ସାନ ଭଉଣୀ, ୧୪ ବର୍ଷୀୟା ଗୌରୀ ଏହି ଘଟଣା ଦେଖିନଥିଲେ, କାରଣ ସେମାନେ ଦୂରରେ ଜଣେ ସମ୍ପର୍କୀୟଙ୍କ ଘରେ ଥିଲେ। ସେମାନେ ଏ ସମ୍ପର୍କରେ ସେଠାରେ ଉପସ୍ଥିତ ଥିବା ପଡ଼ୋଶୀ ଓ ସମ୍ପର୍କୀୟଙ୍କଠାରୁ ଶୁଣିଲେ ଏବଂ ସେମାନେ କହିଲେ ଯେ କିଛି ସମୟ ପରେ ଜୟଶ୍ରୀଙ୍କର ଚେତା ଫେରିବା ବେଳକୁ ତାଙ୍କର ହାତ ଥରୁଥିଲା । ଭାବିକା ଆହୁରି କହିଲେ, ‘‘କ’ଣ ହୋଇଥିଲା କେହି ଜାଣିନଥିଲେ ।’’
କେହି ଜଣେ ଏ ସମ୍ପର୍କରେ ଜୟଶ୍ରୀଙ୍କର ସ୍ୱାମୀ, ୫୩ ବର୍ଷୀୟ ମଧୁକର ମହାତ୍ରେଙ୍କୁ ଖବର ଦେବାକୁ ଧାଇଁଗଲେ, ଯିଏକି ଘରପୁରୀ ଦ୍ୱୀପରେ ଚଳାଉଥିବା ଏକ ଖାଦ୍ୟ ଦୋକାନରେ ଥିଲେ । ଆରବ ସାଗରରେ ଥିବା ଏହି ଦ୍ୱୀପ ପ୍ରସିଦ୍ଧ ଏଲିଫାଣ୍ଟା ଗୁମ୍ଫା ପାଇଁ ପରିଚିତ। ମୁମ୍ବାଇ ସହର ନିକଟବର୍ତ୍ତୀ ଏହି ପର୍ଯ୍ୟଟକ ଆକର୍ଷଣ କେନ୍ଦ୍ର ୟୁନେସ୍କୋ ଦ୍ୱାରା ମାନ୍ୟତାପ୍ରାପ୍ତ ଏକ ବିଶ୍ୱ ଐତିହ୍ୟ ସ୍ଥଳୀ- ଏଠାରେ ଥିବା ପ୍ରସ୍ତର କାରୁକାର୍ଯ୍ୟ ଷଷ୍ଠରୁ ଅଷ୍ଟମ ଶତାବ୍ଦୀର-ଏବଂ ଏଗୁଡ଼ିକ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଦ୍ୱୀପର ବାସିନ୍ଦା ରୋଜଗାର ପାଇଁ ପର୍ଯ୍ୟଟନ ଉପରେ ନିର୍ଭର କରନ୍ତି – ସେମାନେ ଟୋପି, ସନ୍ ଗ୍ଲାସ୍ , ସୋଭେନିୟର ଏବଂ ଖାଦ୍ୟ ପଦାର୍ଥ ବିକ୍ରି କରନ୍ତି; କେତେକ ବାସିନ୍ଦା ଗୁମ୍ଫାରେ ଗାଇଡ୍ ଭାବେ କାମ କରନ୍ତି ।
ପର୍ଯ୍ୟଟନ ମାନଚିତ୍ରରେ ଏହା ପ୍ରମୁଖ ସ୍ଥାନ ପାଇଥିବା ବେଳେ, ଦ୍ୱୀପରେ ଥିବା ଘରପୁରୀ ଗାଁ ଏକ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ମୌଳିକ ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ। ଦୁଇ ବର୍ଷ ପୂର୍ବରୁ ଗୋଟିଏ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା, କିନ୍ତୁ ଏଠାରେ କେହି ନାହାନ୍ତି । ଗାଁର ୧,୧୦୦ ବାସିନ୍ଦା ତିନିଟି ବସ୍ତି: ରାଜବନ୍ଦର, ଶେତବନ୍ଦର ଏବଂ ମୋରବନ୍ଦରରେ ରହନ୍ତି । ସ୍ୱାସ୍ଥ୍ୟସେବାର ଅଭାବ ସେମାନଙ୍କୁ ଚିକିତ୍ସା ପାଇଁ ଦୂର ସ୍ଥାନକୁ ନୌକାରେ ଯାତ୍ରା କରିବାକୁ ବାଧ୍ୟ କରେ। ଏହା କେବଳ ବ୍ୟୟବହୁଳ ତାହା ନୁହେଁ, ବରଂ ବେଳେବେଳେ ଚିକିତ୍ସା ମିଳିବାରେ ବିଳମ୍ବ ପ୍ରାଣଘାତକ ହୁଏ।














