କିଷନ ଯାଦବ ଗୋଟିଏ ପେଡାଲ ଥିବା ଗୋଟିଏ ବାଇସାଇକେଲ ପାଇଁ ଟ. ୧୨୦୦ ଟଙ୍କା ଦିଅନ୍ତି। ଏହି ଅସ୍ୱାଭାବିକ ନେଣଦେଣ ଶେଷ ହେବା ପରେ ଏହାର ବାର୍ଗୁଡ଼ିକ ଲଗାଇବା ପାଇଁ ଟ. ୨୦୦ ଖର୍ଚ୍ଚ କରନ୍ତି। ଏହା ପରେ ସେ ଚେନ୍ଗୁଡ଼ିକ କାଢ଼ିଦେବେ କିମ୍ବା ଏହାକୁ ଢ଼ିଲା ଓହଳାଇ ଦିଅନ୍ତି ଏବଂ ସିଟ୍କୁ ଉପରକୁ ଅତି ଉଚ୍ଚକୁ ଉଠାଇ ଦିଅନ୍ତି।
ବର୍ତ୍ତମାନ ଯାଦବ ତାଙ୍କ ବାଇସାଇକେଲ ବ୍ୟବହାର କରିବା ପାଇଁ ପ୍ରସ୍ତୁତ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସାଇକେଲ ଚଳାଇବା ପାଇଁ ନୁହେଁ- ବିନା ଚେନ୍ରେ ଏହା କଷ୍ଟକର ହୋଇପାରେ। କିନ୍ତୁ ୪୦ରୁ ୬୦ କିଲୋମିଟର ଦୂରତା ପାଇଁ ୨୫୦ କିଲୋଗ୍ରାମ କୋଇଲା ବୋହିବା ନିମନ୍ତେ ଟ୍ରଲି ଭଳି। ଏହାକୁ ବ୍ୟବହାର କରାଯାଇପାରେ। ଏହି ବିପଜ୍ଜନକ ପରିଶ୍ରମ ପାଇଁ ସେ ଦିନକୁ ଟ. ୧୦ ପର୍ଯ୍ୟନ୍ତ ରୋଜଗାର କରନ୍ତି। ଯାହାକି ବିହାରରେ ସର୍ବନିମ୍ନ ମଜୁରୀର ମାତ୍ର ଏକ ତୃତୀୟାଂଶ।
ଯାଦବ ଲାଲମାଟିଆରୁ ଗୋଡ଼ାକୁ ଯିବେ ଏବଂ ଫେରିବେ। ପୁରା ତିନିଦିନ ଚାଲିବା, ବିଶ୍ରାମ ନେବା ଏବଂ ବୁଲି ବିକ୍ରି କରିବାରେ କଟାଇବେ। ଆତ୍ମନିଯୁକ୍ତିର ଏହି ଅଧିକ ଚାପଗ୍ରସ୍ତ ରୂପ ବିଷୟରେ ଚିନ୍ତା କରିବା କଷ୍ଟ ତଥାପି ଗୋଡାରେ ପ୍ରାୟ ୩୦୦୦ ପରିବାର ଏହା ଉପରେ ନିର୍ଭର କରନ୍ତି।
କୋଇଲାବାଲା ବା ସାଇକେଲ ବାଲା ଭାବରେ ଜଣାଶୁଣା ଏମାନଙ୍କ ମଧ୍ୟରୁ ସମସ୍ତେ ଗୋଟିଏ ପେଡାଲ ବା ଚେନ୍ ଅପସାରଣ କରିବେ ନାହିଁ। କିନ୍ତୁ ସେମାନେ ବାର୍ଗୁଡ଼ିକ ଲଗାଇବେ ଏବଂ ସିଟ୍କୁ ଉପର ଆଡ଼କୁ ନେବେ। ଯାଦବ କୁହନ୍ତି, କଷ୍ଟକର ଭାବରେ ଏହି ଛୋଟ କୌଶଳ ‘‘ସେମାନେ ଶିଖିବେ’’। ‘‘ଡାହାଣ ପାଖର ପେଡାଲ ଭାଙ୍ଗିଯିବ ଏବଂ ଯଦି ଚେନ୍ ଢ଼ିଲା ହୋଇନଥାଏ ଅସୁବିଧା କରିବ।’’
ଯାଦବ ନିଜର କୋଇଲା ବିକ୍ରି କରିସାରିବା ପରେ ହିଁ ପେଡାଲ ଏବଂ ଚେନ୍ ଲଗାଇବେ ଓ ଲାଲମାଟିଆ, ଯେଉଁଠାରୁ ସେ ନିଜର ଜିନିଷ କିଣନ୍ତି ସେଠାକୁ ସାଇକେଲ ଚଲାଇ ଫେରିବେ। ସେ ତାଙ୍କର ଏହି କଷ୍ଟକର ଯାତ୍ରା ସପ୍ତାହରେ ଦୁଇଥରଠାରୁ ଅଧିକ କରିପାରିବେ ନାହିଁ। କେତେକ ସମୟରେ କୋଇଲାବାଲାମାନେ ୬୦ କିଲୋମିଟର ଦୂରରେ ଥିବା ବାଙ୍କା ଜିଲ୍ଲାର ବାଉଁଶିକୁ ଯାଆନ୍ତି କିମ୍ବା ୮୦ କିଲୋମିଟର ଦୂରରେ ଥିବା ବାଙ୍କାର ରାଜାଉନଙ୍କୁ ଯାଆନ୍ତି। ଏମାନେ ପ୍ରତ୍ୟେକ ସମୟରେ ନିଜର ବିଶାଳ ବୋଝକୁ ପାଦରେ ଚାଲିଚାଲି ଠେଲନ୍ତି। ସାଧାରଣତଃ କୋଇଲାବାଲାମାନେ ୨୦୦ରୁ ୨୫୦ କିଲୋ ପର୍ଯ୍ୟନ୍ତ ବୁହନ୍ତି। କିନ୍ତୁ କେଇଜଣ କୁହନ୍ତି ସେମାନେ ବେଳେ ବେଳେ ଆହୁରି ଅଧିକ ଓଜନ ମଧ୍ୟ ଟାଣନ୍ତି। ଏଥିସହିତ ଆଦ୍ୟକୈଶୋରରେ ଥିବା କେତେକ କିଶୋର ମଧ୍ୟ ଛୋଟ ଛୋଟ ପରିମାଣର ବୋଝ ଟାଣନ୍ତି।
ଅଧିକାରୀମାନେ ସେମାନଙ୍କର ବ୍ୟବସାୟକୁ ଏକ ‘‘ବେଆଇନ’’ କାର୍ଯ୍ୟକଳାପର ଆଖ୍ୟା ଦିଅନ୍ତି। କାହିଁକି? କାରଣ ସେମାନେ ଗୋଟାଳିମାନଙ୍କଠାରୁ କୋଇଲା କିଣନ୍ତି। ଯେଉଁମାନେକି ଲାଲମାଟିଆର ରାଜମହଲ କୋଇଲା ଖନନ ପରିଯୋଜନାର ବର୍ଜ୍ୟଗଦାରୁ ଗୋଟାନ୍ତି। ଏହି ପରିଯୋଜନାରୁ ସୃଷ୍ଟି ହେଉଥିବା ବର୍ଜ୍ୟମାଟିର ପାହାଡ଼ ପରି ଗଦାରେ ପ୍ରାୟ ତିନି ପ୍ରତିଶତ ନିମ୍ନମାନର କୋଇଲା ଥାଏ।
ଜଣେ ବରିଷ୍ଠ ରାଜମହଲ ପ୍ରକଳ୍ପ ଅଧିକାରୀ ସ୍ୱୀକାର କରନ୍ତି, ‘‘ବାସ୍ତବରେ ଯଦି ଏହି ଗୋଟାଳିମାନେ ନଥାନ୍ତେ ତେବେ କୋଇଲା ବର୍ଜ୍ୟଗଦା ମଧ୍ୟରେ ଅବ୍ୟବହୃତ ଭାବରେ ପଡ଼ି ରହୁଥାନ୍ତା, ସାଇକେଲବାଲାଙ୍କ ବ୍ୟତୀତ ଏହା କେବେ ବି ଗୋଡ଼ାରେ ଏକ ଅତ୍ୟନ୍ତ ଶସ୍ତା ଶକ୍ତି ଉତ୍ସ ଭାବରେ ପହଞ୍ଚୁନଥାନ୍ତା ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଗ୍ରାହକ। ଏହା ଏକ ଜାତୀୟ ସଂଚୟ।’’
ପ୍ରସଙ୍ଗଗୁଡ଼ିକ ଅଧିକ ବିଭ୍ରାନ୍ତ ହୋଇଯାଏ କାରଣ କୋଇଲା ଖଣି ସହ ସମ୍ପର୍କିତ ଅନେକ ବେଆଇନ କାର୍ଯ୍ୟକଳାପ ରହିଛି। ତଥାପି ତିନୋଟି ମୁଖ୍ୟ ଅବୈଧ ରୂପ କୋଇଲା ଖନନ ଓ ବିକ୍ରୟରେ ରହିଛି:
- କୋଇଲା ଚାଲାଣ ସମୟରେ ରାଜମହଲ ପ୍ରକଳ୍ପର ଡିପୋଗୁଡ଼ିକରୁ ଚୋରି ଏବଂ ଡକାୟତି। କିନ୍ତୁ କେହି ଏପର୍ଯ୍ୟନ୍ତ ସେଥିପାଇଁ ସାଇକେଲବାଲାଙ୍କୁ ଦୋଷୀ କରିନାହାଁନ୍ତି।
- ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସାହାଯ୍ୟରେ କ୍ଷମତାଶାଳୀ କୋଇଲା ମାଫିଆମାନଙ୍କ ଦ୍ୱାରା ନିୟନ୍ତ୍ରିତ ବେଆଇନ ଖନନ। ଏହା ମଧ୍ୟ ନିଶ୍ଚିତ ଭାବରେ ଦିନକୁ ଟ. ୧୨ରୁ କମ୍ ରୋଜଗାର କରୁଥିବା ଯାଦବ କିମ୍ବା ପ୍ରହ୍ଲାଦ ପ୍ରସାଦ ଶାହାଙ୍କ ପରି ସାଇକେଲ ବାଲାଙ୍କ ଦ୍ୱାରା ଚାଲୁନାହିଁ।
- ଅତ୍ୟନ୍ତ ଗରିବ ଲୋକଙ୍କ ଦ୍ୱାରା ଆବର୍ଜନା ମଧ୍ୟରୁ କୋଇଲା ସଂଗ୍ରହ। ସେମାନଙ୍କଠାରୁ ହିଁ (କିମ୍ବା ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ଦାଦାମାନଙ୍କ ଠାରୁ) ଏହି ସାଇକେଲ ବାଲାମାନେ ମୁଖ୍ୟତଃ ସେମାନଙ୍କର କୋଇଲା ପାଇଥାନ୍ତି। ଏହିମାନେ ହେଉଛନ୍ତି ସେହି ଲୋକ ମୁଖ୍ୟତଃ ମହିଳା, ଯାହାଙ୍କୁ କି ଏହି ଅଧିକାରୀ ଏକ ‘‘ଜାତୀୟ ସଞ୍ଚୟ’’ ପାଇଁ ମୁଖ୍ୟତଃ ଦାୟୀ ବୋଲି କହିଥାନ୍ତି।
ଲାଲମାଟିଆ ବାହାରେ, ୪୦ କିଲୋମିଟର ଦୂରରେ ଥିବା ଗୋଡ଼ାକୁ ଯିବା ରାସ୍ତାରେ ମୁଁ ସାଇକେଲବାଲାମାନଙ୍କୁ ଠାବ କଲି। ଯଦିଓ ଏହି ଦୂରତା ଅଧିକ ନୁହେଁ, ସେମାନେ ରାତିରେ ବିଶ୍ରାମ ନେବା ଆବଶ୍ୟକ କରନ୍ତି। ସବୁଠାରୁ ଭଲ ସମୟରେ ଏହି ଶାରୀରିକ ଭାବରେ ଅସହନୀୟ ଯାତ୍ରା ସେପ୍ଟେମ୍ବର ମାସର ପାଗରେ ବି କଷ୍ଟକର ମନେ ହେଉଥିଲା। ସେମାନେ ଧୀରେ ଧୀରେ କଦର୍ଯ୍ୟ ରାସ୍ତାରେ ଆଗଉଥିଲେ ଯେଉଁଠି ସେମାନେ ଅନେକ ସମୟରେ ସେମାନଙ୍କ ପିଠି ଭାଙ୍ଗି ଦେବା ପରି ବୋଝକୁ ଉଠାଣିଆ ରାସ୍ତାରେ ଠେଲିବାକୁ ହେଉଥିଲା।
କୋଇଲାବାଲାମାନେ ଧାଡ଼ି କରି ପ୍ରାୟ ୨୦ଜଣ ଲେଖାଏଁ ଯାଉଥିଲେ। ‘‘ସହ ଯାତ୍ରୀ’’ ଖୁବ୍ ଜରୁରୀ, କାରଣ ସେମାନଙ୍କ ମଧ୍ୟରୁ କେହି ପଡ଼ିଯାଆନ୍ତି, ସେ ବିନା ସହାୟତାରେ ଆରମ୍ଭ କରିପାରିବେ ନାହିଁ। ଏହା ବ୍ୟତୀତ ପ୍ରତ୍ୟେକ ଲମ୍ବା କାଦୁଅ ରାସ୍ତା ଦେଇଯିବା ବେଳେ କିମ୍ବା ତୀଖ ଉଠାଣି ଉଠିବା ସମୟରେ ସାହାଯ୍ୟ ଆବଶ୍ୟକ କରନ୍ତି। ମୁଁ ଦେଖିଲି ଯାଦବ ଏପରି ଗୋଟିଏ ରାସ୍ତା ତାଙ୍କର ସାଙ୍ଗମାନଙ୍କ ସହାୟତାରେ ଅତିକ୍ରମ କଲେ। ଏହା ପରେ ସେ ତାଙ୍କ ସାଇକେଲକୁ ଅଖାତଳେ ଥିବା ଏକ ମୋଟାବାଡିରେ ଲଗାଇ ‘‘ରଖିଦେଲେ’’ ଏବଂ ପଛରେ ଥିବା ବ୍ୟକ୍ତିଙ୍କୁ ପାର୍ କରାଇବା ପାଇଁ ପଛକୁ ଗଲେ।



