“ଏତେ ବର୍ଷ ହେଲା ତୁମେ ମୋ ଫଟୋ ଉଠାଇ ଆସୁଛ, ତାକୁ ନେଇ କ’ଣ କରିବାକୁ ଯାଉଛ?” ଥରିଲା ଥରିଲା କଣ୍ଠରେ ମୋତେ ଏହା ପଚାରି କାନ୍ଦି ପକାନ୍ତି ଗୋବିନ୍ଦାମ୍ମା । ଏ ବର୍ଷ ମାର୍ଚ୍ଚ ମାସରେ, ତାଙ୍କ ପୁଅ ସେଲ୍ଲାୟାଙ୍କ ମୃତ୍ୟୁ ଘଟିବା ପରେ ସେ ପୂରା ଭାଙ୍ଗି ପଡ଼ିଛନ୍ତି । “ମୋ ଆଖିକୁ ଆଉ କିଛି ହେଲେ ଦିଶୁନି । ମୁଁ ତୁମକୁ ଦେଖିପାରୁନି । ମୋର ଆଉ ମୋ ବୁଢ଼ୀ ମାଆଟିର କଥା ଆଉ କିଏ ବୁଝିବ ?”
ସେ ମୋତେ ତାଙ୍କ ହାତର କଟାଦାଗ ଓ କ୍ଷତଚିହ୍ନ ଦେଖାନ୍ତି । ଗୋବିନ୍ଦାମ୍ମା କହନ୍ତି, “ଘରକୁ ଟଙ୍କା ୨୦୦ ନେଇ ଯିବା ଲାଗି ମୋତେ ଖୁବ୍ କଷ୍ଟ କରିବାକୁ ପଡ଼େ। ମୋର ଆଉ କ’ଣ ସେ ବୟସ ଅଛି ଯେ, ଚିଙ୍ଗୁଡ଼ି ଧରିବାକୁ ଜାଲ ପକାଇ ପାରିବି ? ନା, ମୁଁ କରିପାରିବିନି । ମୁଁ କେବଳ ମୋ ହାତ ଦୁଇଟିକୁ କାମରେ ଲଗାଇ ପାରିବି ।” ବୟସର ୭୦ ଦଶକରେ ପହଞ୍ଚି ସାରିଥିବା ଏହି ଛୋଟ ଏବଂ ଦୁର୍ବଳ ମହିଳା ଚିଙ୍ଗୁଡ଼ି ଧରାଳି ଜଣକ ଧରି ନେଇଛନ୍ତି ଯେ ତାଙ୍କ ବୟସ ଏବେ ୭୭ ବର୍ଷ । “ଲୋକେ ତ ମୋତେ ସେଇଆ ହିଁ କହନ୍ତି,” ସେ କହନ୍ତି । “ନଦୀଶଯ୍ୟା ବାଲି ଭିତରେ ହାତ ପୂରାଇ ଚିଙ୍ଗୁଡ଼ି ଧରିବା ଯୋଗୁଁ ହାତ କଟିଯାଏ । ପାଣିରେ ହାତ ବୁଡ଼ାଇ ଥିବା ବେଳେ ମୋ ହାତରୁ ରକ୍ତ ଝରୁଛି ବୋଲି ମୁଁ ଜାଣିପାରେନି ।”
୨୦୧୯ରେ ବକିଂହାମ କେନାଲ ଅଞ୍ଚଳ ଦେଇ ଯିବା ସମୟରେ ମୁଁ ତାଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲି । ଉତ୍ତର ଚେନ୍ନାଇର ଏନ୍ନୋର ଅଞ୍ଚଳରେ କୋସସ୍ତାଲାଇୟାର ନଦୀ ସହ ସମାନ୍ତରାଳ ଭାବେ ଏହି କେନାଲ ପଡ଼ୋଶୀ ତିରୁବାଲ୍ଲୁର ଜିଲ୍ଲା ପର୍ଯ୍ୟନ୍ତ ବହିଯାଇଛି । ମାଛରଙ୍କା ପକ୍ଷୀ ଭଳି କ୍ଷୀପ୍ର ଗତିରେ ପାଣିରେ ବୁଡ଼ିବା ଏବଂ କେନାଲ ତଳ ପାଣି ଭିତରେ ପହଁରିବାରେ ତାଙ୍କର ଦକ୍ଷତା ଯୋଗୁଁ ତାଙ୍କ ଉପରେ ମୋର ନଜର ପଡ଼ିଥିଲା । ଆଖି ପିଛୁଳାକେ ନଦୀଶଯ୍ୟାର କଠିନ ବାଲିରେ ହାତ ପୂରାଇ ସେ ଅନ୍ୟମାନଙ୍କ ତୁଳନାରେ ଖୁବ୍ ଶୀଘ୍ର ଚିଙ୍ଗୁଡ଼ି ଧରିପାରୁଥିଲେ । ଅଣ୍ଟାଏ ପାଣିରେ ରହି, ଧରିଥିବା ଚିଙ୍ଗୁଡ଼ିମାନଙ୍କୁ ତାଙ୍କ ଅଣ୍ଟାରେ ବନ୍ଧା ହୋଇଥିବା ଏକ ତାଳପତ୍ର ଟୋକେଇରେ ରଖିବା ସମୟରେ ତାଙ୍କ ଦେହର ରଙ୍ଗ କେନାଲ ପାଣିର ରଙ୍ଗ ସହ, ମିଶିଗଲା ଭଳି ମନେ ହେଉଥିଲା । ସତେ ଯେମିତି ଦୁଇଟା ଯାକ ରଙ୍ଗ ଥିଲା ଅଭିନ୍ନ ।
ଜଳପଥରେ ଯାତ୍ରା ଉଦ୍ଦେଶ୍ୟରେ ୧୯ଶ ଶତାବ୍ଦୀରେ ନିର୍ମିତ ବକିଂହାମ କେନାଲ, ଏବଂ ଏନ୍ନୋର ଦେଇ ବହିଯାଉଥିବା କୋସସ୍ତାଲାଇୟାର ଓ ଆରାନିଆର ନଦୀ ସମାହାରରେ ସୃଷ୍ଟ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଜଳସ୍ରୋତ ବ୍ୟବସ୍ଥା ଚେନ୍ନାଇ ନଗରୀକୁ ଏକ ଜୀବନରେଖା ପ୍ରଦାନ କରୁଥିଲା ।

















