ଏକଦା କୌଣସି ଏକ ସ୍ଥାନରେ ରହୁଥିଲେ ତିନି ପଡ଼ୋଶୀ- କାଥେରିନ୍ କୌର, ବୋଧି ମୁର୍ମୁ ଏବଂ ମହମ୍ମଦ ତୁଲସୀରାମ । କାଥି ଥିଲେ ଜଣେ କୃଷକ; ବୋଧି ଝୋଟକଳରେ କାମ କରୁଥିଲେ; ଏବଂ ମହମ୍ମଦ ଥିଲେ ଗୋପାଳକ । ଭାରତୀୟ ସମ୍ବିଧାନ ଶୀର୍ଷକ ଯେଉଁ ବୃହଦାକାର ଏବଂ ଓଜନିଆ ପୁସ୍ତକକୁ ନେଇ ସାରା ସହରର ପଣ୍ଡିତମାନେ ହୋ-ହଲ୍ଲାରେ ମାତିଥିଲେ, ସେହି ପୁସ୍ତକ ବଳରେ କ’ଣ ସବୁ କରାଯାଇପାରିବ ବୋଲି ତିନି ଜଣଙ୍କ ମଧ୍ୟରୁ କେହି ଜଣେ କିଛି ହେଲେ ଜାଣି ନଥିଲେ । କାଥି ଏହାକୁ ଅଦରକାରୀ ବୋଲି କହିଲେ, ବୋଧି ଭାବିଲେ ବୋଧହୁଏ ଏହା ଥିଲା ଅଲୌକିକ, ଏବଂ ମହମ୍ମଦ ତ ପଚାରି ବସିଲେ, “ଏହା କ’ଣ ଆମ ପିଲାମାନଙ୍କୁ ଖାଇବାକୁ ଦେବ, ହେଁ ? ”
ଜଣେ ଦାଢ଼ିଆ ରାଜା ନିର୍ବାଚିତ ହୋଇସାରିଥିଲେ, ଏବଂ ତିନି ଜଣ ଯାକ ପଡ଼ୋଶୀ ଏହି ଘଟଣାକୁ ହାଲୁକା ଭାବରେ ନେଇ ପାରୁନଥିଲେ । ‘ଆଖିର ଇତନି ୱକ୍ତ କିସକେ ପାସ୍ ହୈ?” ଆଉ ତା ପରେ ବର୍ଷା ହେଲା ନାହିଁ, ଋଣଭାର ବଢ଼ିବାରେ ଲାଗିଲା, ଏବଂ କାଥେରିନ୍ ଜାଣିପାରିଲେ ଯେ କୀଟନାଶକ ବୋତଲଟି ବି ଫିସଫିସ୍ ହୋଇ ତାଙ୍କରି ନାଁ କହୁଛି । ତା’ପରେ ଝୋଟକଳଟି ଦେବାଳିଆ ହୋଇଗଲା । ଆନ୍ଦୋଳନରତ ଶ୍ରମିକଙ୍କ ଉପରେ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କଲା ଏବଂ ସେମାନଙ୍କ ନେତୃତ୍ବ ନେଉଥିବାରୁ ବୋଧି ମୁର୍ମୁଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ ଲଗାଇଲା । ଶେଷରେ ମହମ୍ମଦ ତୁଲସୀରାମଙ୍କ ପାଳି ପଡ଼ିଲା । ଥରେ, ଗୋଟିଏ ସନାତନୀ (ପବିତ୍ର) ସନ୍ଧ୍ୟାରେ ତାଙ୍କ ଗାଈମାନେ ଘରକୁ ଫେରିଲେ, ସେମାନଙ୍କ ପଛେ ପଛେ ଆସିଲେ ଖଣ୍ଡା ବୁଲାଉଥିବା ଦୁଇଗୋଡ଼ିଆ ବାଛୁରୀମାନେ। “ଗୌ-ମାତା କୀ ଜୟ ! ଗୌ-ମାତା କୀ ଜୟ !”
ସେହି ପୈଶାଚିକ ଚିତ୍କାର ଭିତରେ କେଜାଣି କେଉଁଠି ବହିର କେତେକ ପୃଷ୍ଠା ଓଲଟିଲା, ଗୋଟିଏ ନୀଳ ସୂର୍ଯ୍ୟ ଉଇଁଲା, ଆଉ ରହି ରହି ଶୁଭୁଥିଲା ଗୋଟିଏ ଚାପା କଣ୍ଠର ସ୍ୱର:
“ଆମେ, ଭାରତର ଲୋକମାନେ, ଦୃଢ଼ ସଂକଳ୍ପ ନେଇଛୁ....


