ନବଜାତଙ୍କ ନାମକରଣ ନେଇ ଆମ ଆଦିବାସୀମାନଙ୍କର ନିଜସ୍ୱ ମାର୍ଗ ରହିଛି । ଆମେ ନଦୀ, ଜଙ୍ଗଲ, ସେମାନଙ୍କର ଭୂମି, ସପ୍ତାହର ଦିନ, ବା ଏକ ନିର୍ଦ୍ଦିଷ୍ଟ ତାରିଖ, କିମ୍ବା ଏମିତିକି ସେମାନଙ୍କର ପୂର୍ବପୁରୁଷମାନଙ୍କଠାରୁ ନାମ ଧାର ନେଇଥାଉ । କିନ୍ତୁ ସମୟ ସହ ଆମେ ଚାହୁଁଥିବା ବାଟରେ ଆମକୁ ନାମକରଣର ଅଧିକାର ଆମଠାରୁ ଛଡ଼ାଇ ନିଆଯାଇଥିଲା। ପ୍ରଯୋଜିତ ଧର୍ମ ଏବଂ ଧର୍ମାନ୍ତରୀକରଣ ଏହି ନିଆରା ଅଧିକାର ଆମଠାରୁ ନେଇଗଲା । ଆମର ନାମଗୁଡ଼ିକ ପରିବର୍ତ୍ତିତ ହୋଇଚାଲିଲା, ଏବଂ ପୁନଃ ଦିଆଗଲା । ଯେତେବେଳେ ଆଦିବାସୀ ପିଲାମାନେ ସହରର ଆଧୁନିକ ସ୍କୁଲକୁ ଗଲେ, ପ୍ରଯୋଜିତ ଧର୍ମ ଆମ ନାମ ପରିବର୍ତ୍ତନ କରାଇଦେଲେ । ସେମାନେ ଗ୍ରହଣ କରିଥିବା ସାର୍ଟିଫିକେଟ୍‌ ଆମ ଉପରେ ଲଦାଯାଇଥିବା ନୂଆ ନାମରେ ଥିଲା । ଏମିତି ହିଁ ଆମର ଭାଷାଗୁଡିକ, ଆମର ନାମ, ଆମର ସଂସ୍କୃତି ଏବଂ ଇତିହାସକୁ ହତ୍ୟା କରାଗଲା । ନାମକରଣରେ ଏକ ଷଡ଼ଯନ୍ତ୍ର ରହିଛି । ବର୍ତ୍ତମାନ ଆମେ ସେହି ଭୂମି ସନ୍ଧାନରେ ଅଛୁ ଯାହା ଆମର ମୂଳ, ଆମର ଇତିହାସ ସହିତ ସମ୍ପୃକ୍ତ । ଆମେ ସେହି ସବୁ ଦିନ ଏବଂ ତାରିଖର ସନ୍ଧାନ କରୁଛୁ ଯାହା ଆମର ଅସ୍ତିତ୍ୱକୁ ଚିହ୍ନିତ କରେ ।

ତାଙ୍କର ଏହି କବିତା ହିନ୍ଦୀରେ ଆବୃତ୍ତି କରୁଥିବା ଜାସିଣ୍ଟା କେର୍କେଟାଙ୍କୁ ଶୁଣନ୍ତୁ

ଇଂରାଜୀ ଅନୁବାଦରେ ଏହି କବିତା ଆବୃତ୍ତି କରୁଥିବା ପ୍ରତିଷ୍ଠା ପାଣ୍ଡ୍ୟାଙ୍କୁ ଶୁଣନ୍ତୁ

ଇଏ କାହାର ନାମ ?

ମୁଁ ସୋମବାର ଜନ୍ମ ହେଲି
ଏଥିପାଇଁ ସୋମରା ଡକାଗଲି
ମୁଁ ମଙ୍ଗଳବାର ଜନ୍ମ ହେଲି
ଏଥିପାଇଁ ମଙ୍ଗଳ, ମଙ୍ଗର ବା ମଙ୍ଗରା ଡକାଗଲି
ମୁଁ ବୁଧବାର ଜନ୍ମ ହେଲି
ତେଣୁ ବିର୍‌ସା ଡକାଗଲି

ମୁଁ ଦିନ, ତାରିଖ ଭଳି
ନିଜ ସମୟର ଛାତି ଉପରେ ଛିଡ଼ା ହୋଇଥିଲି
କିନ୍ତୁ ସେମାନେ ଆସିଲେ ଆଉ ମୋର ନାମ ବଦଳାଇଦେଲେ
ସେହି ଦିନ, ତାରିଖ ସବୁକିଛି ଲିଭାଇଦେଲେ
ଯାହା ଦ୍ୱାରା ମୋର ଅସ୍ତିତ୍ୱ ପ୍ରମାଣିତ ହେଉଥିଲା

ଏବେ ମୁଁ ରମେଶ, ନରେଶ ଓ ମହେଶ
ଆଲବର୍ଟ, ଗିଲବର୍ଟ ବା ଆଲ୍‌ଫ୍ରେଡ୍‌
ସେହି ସବୁ ଦୁନିଆର ନାମ ମୋ ପାଖରେ ଅଛି
ଯାହାର ମାଟି ସହ ମୋର କିଛି ସମ୍ପର୍କ ନାହିଁ
ଯାହାର ଇତିହାସ ମୋର ଇତିହାସ ନୁହେଁ

ମୁଁ ସେମାନଙ୍କ ଇତିହାସ ଭିତରେ
ଖୋଜୁଛି ନିଜର ଇତିହାସ
ଆଉ ଦେଖୁଛି
ଦୁନିଆର ପ୍ରତି କୋଣରେ, ପ୍ରତି ସ୍ଥାନରେ
ମୋର ହିଁ ହତ୍ୟା ସାଧାରଣ
ଆଉ ସବୁ ହତ୍ୟାର କିଛି ନା କିଛି ସୁନ୍ଦର ନାଁ ରହିଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

Poem and Text : Jacinta Kerketta

ଓରାଓଁ ଆଦିବାସୀ ସମୁଦାୟର ଜେସିଣ୍ଟା କେରକେଟ୍ଟା ଜଣେ ନିରପେକ୍ଷ ଲେଖିକା ଏବଂ ଗ୍ରାମୀଣ ଝାଡ଼ଖଣ୍ଡର ଖବରଦାତା। ତାଙ୍କ କବିତାରେ ଆଦିବାସୀ ସମୁଦାୟଙ୍କ ସଂଘର୍ଷ ଏବଂ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟର ବର୍ଣ୍ଣନା ଦେଖିବାକୁ ମିଳିଥାଏ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Jacinta Kerketta
Painting : Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Editor : Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Pratishtha Pandya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE