ସନ୍ଧ୍ୟା ଛ’ଟା। ଗାଈମାନଙ୍କର ଘର ଲେଉଟାଣି ବେଳ। କିନ୍ତୁ ମସାଇୱାଡ଼ିର ଗାଈମାନେ ଛଅ ମାସ ପାଇଁ ଘରକୁ ଫେରିବେ ନାହିଁ। ନା ଗାଈଙ୍କ ବେକର ଘଣ୍ଟି ଶବ୍ଦ, ନା ହମ୍ବାରଡ଼ି, ନା କ୍ଷୀର ସଂଗ୍ରହ ପାଇଁ ଆସୁଥିବା ଗାଡ଼ିଗୁଡ଼ିକର ଧାଁଧପଡ଼ ଶବ୍ଦ, ନା ତାଜା ଗୋବରର ଗନ୍ଧ। ପ୍ରାୟ ୩୧୫ ପରିବାର ବିଶିଷ୍ଟ ମହାରାଷ୍ଟ୍ର ସତାରା ଜିଲ୍ଲାର ମାନ୍ବ୍ଲକ୍ଅନ୍ତର୍ଗତ ଏହି ଗାଁ ଆଜି ସଂପୂର୍ଣ୍ଣ ନିରବ । ପାଖାପାଖି ପାଞ୍ଚ କିଲୋମିଟର ଦୂର ମାସୱାଡ଼ ସହର ନିକଟରେ ଥିବା ଏକ ଗୋଖାଦ୍ୟ ଶିବିରକୁ ଯାଇଛନ୍ତି ଗାଁର ଅଧାଅଧି ଲୋକ ଏବଂ ପ୍ରାୟ ସବୁ ଗୃହପାଳିତ ପଶୁ । ଶିବିରଟି ସତାରାଠାରୁ ୧୦୦ କିଲୋମିଟରରୁ ଅଧିକ ଦୂରରେ ।
ଜାନୁଆରୀରୁ ସେଠାରେ ଡେରା ପକାଇଛନ୍ତି ୪୦ ବର୍ଷୀୟା ସଙ୍ଗୀତା ବିରକର। ସାଙ୍ଗରେ ଆଣିଛନ୍ତି ନିଜର ଦୁଇଟି ମଇଁଷି ଓ ଦୁଇଟି ଜର୍ସି ଗାଈ ଏବଂ ତାଙ୍କ ବୃଦ୍ଧ ଓ ରୋଗଣା ବାପାଙ୍କର ଗୋଟିଏ ଗାଈ ଓ ଗୋଟିଏ ବାଛୁରୀ । ୧୦ମ ଶ୍ରେଣୀ ପରୀକ୍ଷା ଦେଉଥିବା ୧୫ ବର୍ଷର ଝିଅ କୋମଲ ଏବଂ ୭ମ ଶ୍ରେଣୀରେ ପଢୁଥିବା ପୁଅ ବିଶାଲ ସହିତ ଗାଁରେ ଅଛନ୍ତି ତାଙ୍କର ୪୪ ବର୍ଷୀୟ ସ୍ଵାମୀ ନନ୍ଦୁ । ସବା ବଡ଼ ଝିଅ ବାହା ହୋଇଯାଇଛି । ଘରେ ତିନିଟି ଛେଳି, ଗୋଟିଏ ବିଲେଇ ଏବଂ ଗୋଟିଏ କୁକୁର ବି ଅଛନ୍ତି ।
“ଘରେ ପିଲାମାନେ ଏବଂ ଶିବିରରେ ଗୃହପାଳିତ ପଶୁ । ମତେ ଉଭୟଙ୍କର ଦେଖାରଖା (ସମାନ ଭାବରେ) କରିବାକୁ ପଡୁଛି ।” ଏକ ଯାଯାବର ଉପଜାତି ଅନ୍ତର୍ଗତ ଧନଗର ସଂପ୍ରଦାୟର ସଙ୍ଗୀତା କହନ୍ତି, “ଏ ବର୍ଷ ଆମେ ଅସରାଏ ବର୍ଷା ବି ପାଇନାହୁଁ । ଆମର ୧୨ ଏକର ଜମିକୁ ମୋ ସ୍ଵାମୀ ଏବଂ ତାଙ୍କ ଦୁଇ ଭାଇ ମିଶି ଚାଷ କରନ୍ତି । ସାଧାରଣତଃ (ଖରିଫ ଋତୁରେ) ଆମକୁ ୨୦-୨୫ କୁଇଣ୍ଟାଲ ଯଅ-ବାଜରା ମିଳିଥାଏ । କିନ୍ତୁ ଏ ବର୍ଷ ଆମକୁ କିଛି ହେଲେ ମିଳିନି । ପୂରା ଫସଲ ଉଜୁଡ଼ି ଯାଇଛି । ବର୍ଷା ନାହିଁ ମାନେ ଗୋଖାଦ୍ୟ ବି ନାହିଁ । ରବି ଋତୁରେ ବୁଣାବୁଣି ପ୍ରାୟ ନାହିଁ କହିଲେ ଚଳେ”। ଆଦରରେ ଗାଈକୁ ଥାପୁଡ଼େଇ ଦେଇ ସେ ପଚାରନ୍ତି,“ଆମେ ପୋଷିଥିବା ପ୍ରାଣୀମାନଙ୍କୁ କେମିତି ବା ଖାଇବାକୁ ଦେବୁ ?"









