ଭୋର ୪ଟା ୪୫ ବେଳକୁ ଗୁଞ୍ଜି ଗାଁର ସବୁ ଘରର ସୁଶୋଭିତ କାଠ କବାଟ ଗୋଟିଏ ପରେ ଗୋଟିଏ ଖୋଲିଯାଏ। ପାଣି ବୋତଲ ଧରି ଲୋକେ ବାହାରକୁ ବାହାରନ୍ତି। କିଛି ବର୍ଷ ତଳେ ହାତରେ ଟିଣ କିମ୍ବା ଷ୍ଟିଲ ଡବା ଧରି ଲୋକେ ବାହାରକୁ ବାହାରୁଥିଲେ। କିନ୍ତୁ ନିତ୍ୟକର୍ମ ପାଇଁ ଏବେ ପ୍ଲାଷ୍ଟିକ ବୋତଲ ସୁବିଧା ହେଉଛି।
ସେମାନେ ସ୍ମିତ ହସି ପରସ୍ପରକୁ ଶୁଭେଛା ଜଣାନ୍ତି ଆଉ ଭିନ୍ନ ଭିନ୍ନ ଦିଗରେ ଚାଷ ଜମି ଆଡ଼କୁ ମୁହଁ କରନ୍ତି। ଚାଷ ଜମିରୁ ଅଧିକାଂଶ ନିଷ୍ଫଳା। କାରଣ ଜମିର ମାଲିକମାନେ ବାହାରକୁ ପଳାଇଛନ୍ତି। ସେଇ ଭୋର ସମୟରେ ବି ସଅଳ ଉଠିଥିବା କିଛି ଲୋକ ଖାଲି ବୋତଲ ଧରି ଫେରୁଥାନ୍ତି।
ସବୁଠାରୁ ଭଲ ଜାଗା ହେଉଛି ଘଞ୍ଚ ଆଉ ଡେଙ୍ଗାଳିଆ ବୁଦାର ପଛପାଖ। ୩,୨୦୦ ମିଟର ଉଚ୍ଚରେ ସ୍ଥାନେ ସ୍ଥାନେ ଏମିତି ବୁଦା ଦେଖାଯାଏ। ଯେଉଁମାନେ ଭୋରୁ ଉଠନ୍ତି, ସେମାନଙ୍କୁ ଏମିତି ଦୁର୍ଲଭ ଜାଗା ମିଳିଯାଏ। ବରଫରେ ଆଛାଦିତ ଆପି ପର୍ବତମାଳା କମଳା ରଂଗ ଧାରଣ କରିବା ପୂର୍ବରୁ ଏବଂ ସୂର୍ଯ୍ୟକିରଣ ପଡ଼ିବା ଆଗରୁ ଗୁଞ୍ଜି ଗାଁର ଲୋକେ ତାଙ୍କ ଶୌଚ କାମ ସାରିଦିଅନ୍ତି।
ପାଖରେ କୁଟୀ-ୟଂକ୍ତି ନଦୀ ଗର୍ଜନ କରେ। ପଥୁରିଆ ଚଟାଣରେ ଘୋଡ଼ାମାନଙ୍କ ପାଦଶବ୍ଦର କର୍କଷ ସଂଗୀତ ଶୁଣାଯାଏ। ଘୋଡ଼ାର ମାଲିକ କିମ୍ବା ତତ୍ତ୍ୱାବଧାରକମାନେ ଘୋଡ଼ାମାନଙ୍କୁ ଗର୍ବାଧର ନେଇ ଯାଆନ୍ତି। ଗର୍ବାଧର ଏଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ। ଏହା ଭାରତ-ଚୀନର ସୀମାନ୍ତ ଅଞ୍ଚଳ। ସେଠାରୁ ଚୀନ ସୀମା ମାତ୍ର ୨୨ କିଲୋମିଟର। ଏଠାରେ ସୀମା ପାର ରପ୍ତାନୀ ପାଇଁ ଘୋଡ଼ାମାନଙ୍କୁ ବ୍ୟବହାର କରାଯାଏ।








