

Kachchh, Gujarat
|TUE, OCT 01, 2019
ଗୁଜୁରାଟରେ ଚାରଣ ଭୂମି ସଙ୍କୁଚିତ ହେବା ସହ ମେଣ୍ଢାଙ୍କ ସଂଖ୍ୟା କମୁଛି
ଗୁଜୁରାଟର କଚ୍ଛ ଜିଲ୍ଲାର ଗାଈ ମେଣ୍ଢା ଚରାଉଥିବା ଲୋକମାନେ ଚାରଣଭୂମି ଅନ୍ୱେଷଣରେ ବହୁ ଦୂର ଚାଲି ଚାଲି ଯାଇଥାନ୍ତି। ଏପରିକି ଚାରଣଭୂମିଗୁଡ଼ିକ ଅଦୃଶ୍ୟ ହୋଇଗଲାଣି କିମ୍ବା ଆଉ ପହଞ୍ଚି ହେଉଥିବା ଦୂରତା ମଧ୍ୟରେ ନାହିଁ ଏବଂ ଜଳବାୟୁ ଶୈଳୀ ମଧ୍ୟ ଅଧିକରୁ ଅଧିକ ଅପ୍ରତ୍ୟାଶିତ ହେଲାଣି
Reporter
Editor
Series Editors
Translator
‘‘ଆପଣଙ୍କ ଗାଁରେ ବର୍ଷା ହେଉଛି କି?’’ ଏହା ଥିଲା ଉତ୍ତର ଗୁଜୁରାଟର ବନସକଣ୍ଠା ଗାଁରୁ କାରାଭାଇ ଆଲଙ୍କର ଫୋନ୍। ‘‘ଏଠାରେ ବର୍ଷାର ଦେଖାନାହିଁ’’। ଏଥିଲା ଏ ବର୍ଷ ଜୁଲାଇ ମାସ ଶେଷ ସପ୍ତାହର କଥା। ‘‘ଯଦି ବର୍ଷା ହେବ, ତେବେ ଆମେ ଘରକୁ ଫେରିବୁ’’, ସେ ଅଧା ଆଶା ଭରା କଣ୍ଠରେ କହିଲେ।
ସେ ଅତ୍ୟନ୍ତ ସହରାଞ୍ଚଳରେ ଅବସ୍ଥିତ, ୯୦୦ କିଲୋମିଟର ଦୂରରେ ରହୁଥିବା ପୁନେର ଜଣେ କୃଷକ ହୋଇନଥିବା ବ୍ୟକ୍ତିଙ୍କୁ କହୁଥିଲେ, ତାଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବିଷୟ ନଥିଲା, ତାଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ଭରି ରହିଥିଲା। କାରଭାଇ ସମ୍ପୂର୍ଣ୍ଣ ଭାବରେ ମେଘ ଉଠାଇବାକୁ ଚାହିଁ ରହିଥିଲେ, ସେ ଓ ତାଙ୍କ ପରିବାର ପ୍ରତି ବର୍ଷ ଜୀବିକା ଅର୍ଜନ ପାଇଁ ଏହି ବର୍ଷାକୁ ଭରସା କରିଥାନ୍ତି।
ଏହି ଗୋପାଳନକାରୀଙ୍କର ବୟସ ୭୫ ହେଲାଣି, ସେ ୧୨ ମାସ ହେଲା ତାଙ୍କ ପୁଅ, ବୋହୁ, ନାତିନାତୁଣି ଏବଂ ପରିବାର ସହ ବାର୍ଷିକ ପ୍ରବାସନରେ ଗାଁ ଛାଡ଼ିଲେଣି। ଏହି ୧୪ଜଣ ସଦସ୍ୟ ବିଶିଷ୍ଟ ତାଙ୍କ ପରିବାର ୩୦୦ ମେଣ୍ଢା, ତିନୋଟି ଓଟ ଏବଂ ଏହି ଗୋଠକୁ ରାତିରେ ଜଗୁଥିବା କୁକୁର ବିଚିଓକୁ ନେଇ ବାହାରିଥିଲେ। ଏହି ୧୨ ମାସ ମଧ୍ୟରେ ସେମାନେ ତାଙ୍କ ପଶୁମାନଙ୍କୁ ନେଇ କଚ୍ଛ, ସୁରେନ୍ଦ୍ରନଗର, ପାଟଣ ଏବଂ ବନସକଣ୍ଠା ଜିଲ୍ଲା ଇତ୍ୟାଦି ଭ୍ରମଣ କରିସାରିଲେଣି।

କାରାଭାଇଙ୍କର ପତ୍ନୀ ଦୋସିବାଇ ଏବଂ ସେମାନଙ୍କର କୁନି କୁନି ସ୍କୁଲ୍ ଯାଉଥିବା ନାତି ନାତୁଣି ଗୁଜୁରାଟର କଚ୍ଛ ଜିଲ୍ଲାର ରପର୍ ତାଲୁକାର ଜାଟୱାଡା ଗାଁରେ ରହିଯାଇଥିଲେ। ସେମାନେ ରାବାରି ବଂଶର ଲୋକ (ସେହି ଜିଲ୍ଲାର ଅନ୍ୟାନ୍ୟ ପଛୁଆ ବର୍ଗରେ ତାଲିକାଭୁକ୍ତ ହୋଇଛନ୍ତି) ଏବଂ ପ୍ରତିବର୍ଷ ତାଙ୍କର ମେଣ୍ଢାମାନଙ୍କ ପାଇଁ ଚାରଣଭୂମି ଅନ୍ୱେଷଣରେ ୮ରୁ ୧୦ ମାସ ଏଗ୍ରାମରୁ ସେ ଗ୍ରାମକୁ ବୁଲିଥାନ୍ତି। ସାଧାରଣତଃ ଗୋଟିଏ ବର୍ଷରେ, ଏହି ଯାଯାବର ଗୋପାଳନକାରୀମାନେ ଦୀପାବଳି ପରେ (ଅକ୍ଟୋବର- ନଭେମ୍ବର) ମାସରେ ବାହାରି ଯାଇଥାନ୍ତି ଏବଂ ପରବର୍ତ୍ତୀ ମୌସୁମୀ ଆରମ୍ଭ ବେଳକୁ ଫେରି ଆସିଥାନ୍ତି।
ଅର୍ଥାତ୍ ସେମାନେ କେବଳ ବର୍ଷା ଋତୁ ବ୍ୟତୀତ ବାକି ସବୁ ସମୟରେ ବାହାରେ ବୁଲିଥାନ୍ତି। ଏପରିକି ଯେତେବେଳେ ସେମାନେ ଘରକୁ ଫେରିଥାନ୍ତି, କେତେକ ପରିବାରର ସଦସ୍ୟ ମେଣ୍ଢାମାନଙ୍କୁ ଜାଟୱାଡା ଉପକଣ୍ଠରେ ଚରାଇବାକୁ ନେବା ପାଇଁ ବାହାରେ ରହିଥାନ୍ତି। ଏହି ପଶୁମାନେ ଗାଁ ଭିତରେ ରହିପାରିବେ ନାହିଁ କାରଣ ରହିବା ପାଇଁ ସ୍ଥାନ ଓ ଚରିବା ପାଇଁ ଘାସ ପଡ଼ିଆ ଦରକାର।
‘‘ମୁଁ ଭାବିଲି ଗାଁର ପଟେଲ୍ ଆମକୁ ଏଠାରୁ ତଡ଼ିଦେବା ପାଇଁ ଆପଣଙ୍କୁ ପଠେଇଛନ୍ତି।’’ କାରାଭାଇ ଆମକୁ ଏହା କହି ଅଭିବାଦନ ଜଣାଇଲେ, ଯେତେବେଳେ ମାର୍ଚ୍ଚ ମାସର ଆରମ୍ଭ ସମୟରେ ଆମେ ତାଙ୍କୁ ସୁରେନ୍ଦ୍ରନଗରର ଗାବାନା ଗ୍ରାମର ଏକ ପଡ଼ିଆରେ ଭେଟିଲୁ। ଏହା ଅହମ୍ମଦାବାଦଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଅବସ୍ଥିତ।
ତାଙ୍କ ସନ୍ଦେହର ଏକ ଆଧାର ରହିଛି। ଯେତେବେଳେ ଅସମୟ ଆସେ, ଯେପରିକି ଦୀର୍ଘ ଦିନ ଧରି ମରୁଡି ପଡ଼ିବା, ଜମି ମାଲିକମାନେ ତାଙ୍କ ଆଖପାଖ ଅଞ୍ଚଳରୁ ଗୋପାଳନକାରୀ ଓ ତାଙ୍କର ଗୋଠକୁ ତଡ଼ି ଦେଇଥାନ୍ତି- ସେମାନେ ତାଙ୍କ ନିଜ ଗାଈମାନଙ୍କ ପାଇଁ ଘାସ ଓ ଫସଲର ଅବଶିଷ୍ଟାଂଶ ସଞ୍ଚୟ କରି ରଖିବାକୁ ଚାହାଁନ୍ତି।
‘‘ଦୁଷ୍କାଳ/ [ମରୁଡି ] ଏଥର ଭାରି ଖରାପ ଅବସ୍ଥା ସୃଷ୍ଟି କରିଛି,’’ କାରାଭାଇ ଆମକୁ କହିଲେ। ‘‘ସେଥିପାଇଁ ଆମେ ଅଖାଡ [ଜୁନ୍-ଜୁଲାଇ] ମାସରେ ଗତ ବର୍ଷ ରାପର ଛାଡି ଚାଲିଆସିଲୁ, କାରଣ ସେଠାରେ ଆଦୌ ବର୍ଷା ନଥିଲା।’’ ମରୁଡି ଲାଗିରହିଲେ ଆମର ଆର୍ଦ୍ର ମୂଳ ଜିଲ୍ଲା ବାଧ୍ୟ ହୋଇ ବର୍ଷ ସାରା ଯାଯାବର ହୋଇ ବୁଲିବେ।
‘‘ଆମେ ବର୍ଷା ଋତୁ ଆରମ୍ଭ ହେବା ପର୍ଯ୍ୟନ୍ତ ମେଣ୍ଢା ଧରି ଏଣେତେଣେ ବୁଲୁଥାଉ। ଯଦି ବର୍ଷା ହୁଏ ନାହିଁ, ଆମେ ଘରକୁ ଯାଉ ନାହିଁ! ଏହା ହେଉଛି ଜଣେ ମାଲଧାରୀଙ୍କର ଜୀବନ।’’ ସେ ଆମକୁ କହିଲେ। ମାଲଧାରୀ ଶବ୍ଦ ଗୁଜୁରାଟୀ ଶବ୍ଦ ମାଲ (ଗୃହପାଳିତ ପଶୁ) ଏବଂ ଧାରୀ (ତାଙ୍କର ପାଳନକାରୀ) ଶବ୍ଦରୁ ଆସିଛି।
‘‘୨୦୧୮-୧୯ରେ ଗୁଜୁରାଟରେ ମରୁଡ଼ି ପଡ଼ିଛି। ଶୁଷ୍କ ଏବଂ ଅର୍ଦ୍ଧ ଶୁଷ୍କ ଅଞ୍ଚଳରେ ଏତେ ଗୁରୁତର ରହିଛି ଯେ ଏପରିକି କେତେକ ପଶୁପାଳନକାରୀ ଯେ କି ପ୍ରାୟ ୨୫ ବର୍ଷ ତଳେ ନିଷ୍କ୍ରିୟ ହୋଇଯାଇଥିଲେ ପୁଣି ଏବେ ଚାରଣଭୂମି, ଗୋଖାଦ୍ୟ ଓ ଜୀବିକା ସନ୍ଧାନରେ ଯାଯାବର ଭାବରେ ବିଭିନ୍ନ ସ୍ଥାନକୁ ଯିବା ଆରମ୍ଭ କଲେଣି’’, କହନ୍ତି ନୀତା ପାଣ୍ଡିଆ। ସେ ହେଉଛନ୍ତି ମାଲଧାରୀ ରୁରାଲ୍ ଆକ୍ସନ୍ ଗ୍ରୁପ୍ (ଏମଏଆରଏଜି), ଅହମ୍ମଦାବାଦ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା, ଯାହାକି ୧୯୯୪ ମସିହାରୁ ଗୋପାଳନକାରୀଙ୍କ ମଧ୍ୟରେ ସକ୍ରିୟ ରହିଛି।

Namita Waikar

Namita Waikar
୨୦୧୮ରେ, କଚ୍ଛରେ ବୃଷ୍ଟିପାତ, ମାଲଧାରୀ ପରିବାରର ଘର, ରହିଥିବା ସ୍ଥାନରେ ମାତ୍ର ୧୩୧ ମିଲିମିଟର ରହିଥିଲା। କଚ୍ଛ ପାଇଁ ‘ସାଧାରଣ’ ବୃଷ୍ଟିପାତର ବାର୍ଷିକ ହାରାହାରି ହେଉଛି ୩୫୬ ମିଲିମିଟର। କିନ୍ତୁ ଏହା ପୂର୍ବ ବର୍ଷ ପରି ନଥିଲା। ଜିଲ୍ଲାରେ ମୌସୁମୀ ୧୦ ବର୍ଷରୁ ଅଧିକ ଦିନ ହେଲା କେବେ ଆସୁଛି କେବେ ଯାଉଛି କିଛି ଅନୁମାନ କରି ହେଉ ନାହିଁ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦର୍ଶାଇଛି ଯେ ଜିଲ୍ଲାରେ ବୃଷ୍ଟିପାତ ୨୦୧୪ରେ ୨୯୧ ମିଲିମିଟର, ୨୦୧୬ରେ ୨୯୪କୁ ହ୍ରାସ ପାଇଥିଲା, କିନ୍ତୁ ୨୦୧୭ରେ ବୃଦ୍ଧି ପାଇଁ ୪୯୩ ମିଲିମିଟରରେ ପହଞ୍ଚିଥିଲା। ଠିକ୍ ସେହିପରି ଭାବରେ ୪ ବର୍ଷ ତଳେ ୫ ବର୍ଷ ଅବଧି ମଧ୍ୟରେ ୧୯୭୪-୭୮ଏକ ଦୁର୍ଦ୍ଦଶାପୂର୍ଣ୍ଣ ବର୍ଷ ଥିଲା (୧୯୭୪ରେ ୮୮ ମିଲିମିଟର ବର୍ଷା ହୋଇଥିଲା) ଏବଂ କ୍ରମାଗତ ଭାବରେ ୪ ବର୍ଷ ଧରି ବୃଷ୍ଟିପାତ ହାରାହାରି ‘ସାଧାରଣ’ ରୁ ଅଧିକ ରହିଛି।
୨୦୧୮ରେ ରିପୋର୍ଟ ଗୁଜୁରାଟରେ ଜଳସଙ୍କଟ ବର୍ଷ ବର୍ଷର ଅଗ୍ରାଧିକାରକୁ ଅଣଦେଖା କରିବା ଯୋଗୁଁ ଦେଖାଦେଇଛିରେ ସାଉଥ୍ ଏସିଆ ନେଟୱାର୍କ ଅନ୍ ଡ୍ୟାମସ୍, ରିଭର୍ସ ଆଣ୍ଡ ପିପୁଲର ହିମାଂଶୁ ଠକ୍କର ଲେଖିଛନ୍ତି ଯେ ଗତ ତିନି ଦଶନ୍ଧି ଧରି କ୍ରମାଗତ ଭାବରେ ରାଜ୍ୟ ସରକାର ନର୍ମଦା ନଦୀ ବନ୍ଧକୁ କଚ୍ଛ ଅଞ୍ଚଳର ମରୁଡ଼ି ପ୍ରବଣ କ୍ଷେତ୍ରର ଜୀବନରେଖା ଭାବରେ ପ୍ରେରିତ କରି ଚାଲିଛନ୍ତି। ପ୍ରକୃତରେ କାର୍ଯ୍ୟରେ ଏହି ଅଞ୍ଚଳକୁ ସର୍ବନିମ୍ନ ଗୁରୁତ୍ୱ ଦିଆଯାଉଛି। ସେମାନେ ସହରାଞ୍ଚଳ ଶିଳ୍ପ ଓ କେନ୍ଦ୍ରୀୟ ଗୁଜୁରାଟର କୃଷକମାନଙ୍କର ଆବଶ୍ୟକତା ପୂରଣ ହେବା ପରେ ଅବଶିଷ୍ଟ ଜଳ ପାଉଛନ୍ତି।

‘‘ଏହି ନର୍ମଦା ନଦୀର ଜଳ ଏହି ଅଞ୍ଚଳରେ କୃଷକ ଏବଂ ପଶୁପାଳନକାରୀଙ୍କ ପାଇଁ ବ୍ୟବହାର କରାଯିବା ଉଚିତ୍,’’ ଫୋନରେ ଆମକୁ କହିଥିଲେ ଠକ୍କର। ‘‘ଜଳ ଭରଣା ପାଇଁ କାର୍ଯ୍ୟକ୍ରମ ଓ ଜଳ ଅଟକାଇ ରଖିବା ପାଇଁ ବନ୍ଧ ବ୍ୟବସ୍ଥା ଯାହାକି ଅତୀତରେ ଗ୍ରହଣ କରାଯାଇଥିଲା ସେସବୁର ପୁନରୁଦ୍ଧାର କରାଯିବା ଆବଶ୍ୟକ।’’
ଏହି ମାଲଧାରୀମାନେ ସାଧାରଣ ଗୋଚର ଜମି ଉପରେ ନିର୍ଭର କରିଥାନ୍ତି ଏବଂ ଗାଁର ପଡ଼ିଆଗୁଡ଼ିକରେ ତାଙ୍କ ପଶୁମାନଙ୍କୁ ଚରାଇଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ନିଜର କୌଣସି ଜମି ନାହିଁ ଏବଂ ଯାହାର ଜମି ଅଛି ସେମାନେ ବର୍ଷା ଜଳସେଚିତ ଶସ୍ୟ ଯେପରିକି ବାଜରା ଚାଷ କରିଥାନ୍ତି- ଫସଲ ନିଜେ ଖାଇଥାନ୍ତି ଏବଂ ଚାରା ବା ନଡ଼ା ଖାଇଥାନ୍ତି ପଶୁମାନେ।
‘‘ଆମେ ଦୁଇଦିନ ପୂର୍ବରୁ ଏଠାକୁ ଆସିଲୁ ଏବଂ ଆଜି ଏଠାରୁ ଚାଲିଯାଉଛୁ। ଏଠାରେ ବେଶି [ଆମ ପାଇଁ] କିଛି ନାହିଁ,’’ ମାର୍ଚ୍ଚ ମାସରେ କାରାଭାଇ ଏକ ପଡ଼ିଆ ଜିରା ଜମିକୁ ଦେଖାଇ କହିଲେ। ଜମି ଶୁଖି ଫାଟି ଯାଇଥିଲା ଏବଂ ବହୁତ ଗରମ ଥିଲା। ୧୯୬୦ ମସିହା ବେଳକୁ, ଯେତେବେଳେ କାରାଭାଇ କିଶୋର ଅବସ୍ଥାରେ ଥିଲେ, ସୁରେନ୍ଦ୍ର ନଗର ତାପମାତ୍ରା ବର୍ଷରେ ୨୨୫ ଦିନ ୩୨ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରୁଥିଲା। କିନ୍ତୁ ଆଜିକାଲି ବର୍ଷରେ ୨୭୪ ବା ଅଧିକ ଦିନ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସରୁ ଅଧିକ ରହୁଛି, ଅତିକମ୍ରେ ୫୯ ବର୍ଷ ମଧ୍ୟରେ ୪୯ ଦିନ ଉତ୍ତାପ ଅତ୍ୟଧିକ ରହୁଛି, ଜୁଲାଇରେ ନ୍ୟୁୟର୍କ ଟାଇମସ ଦ୍ୱାରା ଅନଲାଇନରେ ପୋଷ୍ଟ କରାଯାଇଥିବା ବିଶ୍ୱତାପନ ଏବଂ ଜଳବାୟୁ ଉପରେ ଏକ ଇଣ୍ଟରଆକ୍ଟିଭ୍ ଟୁଲର ହିସାବରେ ଏହା ଦର୍ଶାଯାଇଛି।
ସୁରେନ୍ଦ୍ରନଗରରେ ଆମେ ଭେଟିଥିବା କର୍ମଜୀବୀ ବ୍ୟକ୍ତିମାନଙ୍କ ମଧ୍ୟରୁ ୬୩%, ଆମେ ପଶୁପାଳନକାରୀଙ୍କୁ ଭେଟିଲୁ, ଯେଉଁମାନେ କି କୃଷି କାର୍ଯ୍ୟରେ ଜଡ଼ିତ ଅଛନ୍ତି। ସମଗ୍ର ଗୁଜୁରାଟ ପାଇଁ ଏହି ଅଙ୍କ ହେଉଛି ୪୯.୬୧%। ଏଠାରେ ମୁଖ୍ୟତଃ କପା, ଜିରା, ଗହମ, ବାଜରା, ଡାଲିଜାତୀୟ ଶସ୍ୟ, ଚିନାବାଦାମ ଏବଂ ଜଡ଼ା ଚାଷ କରାଯାଉଛି। ଅମଳ ପରେ ଶସ୍ୟର ଅବଶିଷ୍ଟାଂଶ ମେଣ୍ଢାମାନଙ୍କ ପାଇଁ ଗୋଖାଦ୍ୟ ଭାବରେ ବ୍ୟବହୃତ ହେଉଛି।
ଗୁଜୁରାଟର ୩୩ଟି ଜିଲ୍ଲାରେ ମୋଟ୍ ମେଣ୍ଢାମାନଙ୍କର ସଂଖ୍ୟା ୧.୭ ନିୟୁତ, କେବଳ କଚ୍ଛରେ ୫,୭୦,୦୦୦ ମେଣ୍ଢା ଅଛନ୍ତି। କିମ୍ବା ମୋଟ ସଂଖ୍ୟାର ଏକ ତୃତୀୟାଂଶ, ୨୦୧୨ ଭାରତୀୟ ଗୃହପାଳିତ ପଶୁ ଗଣନା ସୂତ୍ର ଅନୁଯାୟୀ। ୱଗଡ ଜିଲ୍ଲାର ଉପଅଞ୍ଚଳଗୁଡ଼ିକରେ, କାରାଭାଇ ଯେଉଁ ସ୍ଥାନରୁ ଆସିଛନ୍ତି, ସେଠାରେ ତାଙ୍କପରି ୨୦୦ ପରିବାର ଅଛନ୍ତି, ଯେଉଁମାନେ ବର୍ଷରେ ୮୦୦ କିଲୋମିଟର ପଥ ମୋଟ ୩୦,୦୦୦ ମେଣ୍ଢାଙ୍କ ସହିତ ଯାତ୍ରା କରିଥାନ୍ତି, ଏହା ଉକ୍ତ ଗୋଷ୍ଠୀ ସହିତ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଙ୍ଗଠନ ମାର୍ଗ ସୂତ୍ରରୁ ସ୍ପଷ୍ଟ ହୋଇଛି। ସେମାନେ ତାଙ୍କ ମୂଳ ବାସସ୍ଥାନର ୨୦୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏଣେତେଣେ ବିଚରଣ କରିଥାନ୍ତି।
ପାରମ୍ପରିକ ଭାବରେ, ଏହି ଗୋଠ ଅମଳ ପରେ ଖତ ଭାବରେ ତାଙ୍କର ମଳମୂତ୍ର ପ୍ରଦାନ କରିଥାନ୍ତି, ଏହା ବଦଳରେ ଚାଷୀମାନେ ଏହି ପଶୁପାଳକମାନଙ୍କୁ ବାଜରା, ଚିନି ଏବଂ ଚାହା ଦେଇଥାନ୍ତି। ଜଳବାୟୁ ପରି, ଏହି ଶହ ଶହ ବର୍ଷର ପରସ୍ପର ପାଇଁ ମଙ୍ଗଳକାରୀ ସମ୍ପର୍କର ମଧ୍ୟ ବ୍ୟାପକ ପରିବର୍ତ୍ତନ ଦେଖାଯାଉଛି।
‘‘ଆପଣଙ୍କ ଗାଁରେ ଅମଳ ସରିଗଲାଣି କି? କାରାଭାଇ ଏହି କଥା ପାଟଣ ଜିଲ୍ଲାର ଗୋବିନ୍ଦ ଭରୱାଡଙ୍କୁ ପଚାରିଲେ। ‘‘ଆମେ ସେହି ଜମିରେ ରହିପାରିବୁ କି?’’
‘‘ଆପଣଙ୍କ ଗାଁରେ ଅମଳ ସରିଗଲାଣି କି? କାରାଭାଇ ଏହି କଥା ପାଟଣ ଜିଲ୍ଲାର ଗୋବିନ୍ଦ ଭରୱାଡଙ୍କୁ ପଚାରିଲେ ଯେ କି ଆମ ସାଙ୍ଗରେ ଥିଲେ। ‘‘ଆମେ ସେହି ଜମିରେ ରହିପାରିବୁ କି?’’
‘‘ଦୁଇ ଦିନ ପରେ ଅମଳ ହେବ,’’ ଗୋବିନ୍ଦ କହିଲେ, ସେ ହେଉଛନ୍ତି ମାରଗ ଦଳର ଜଣେ ସଦସ୍ୟ ଏବଂ ପାଟଣ ଜିଲ୍ଲାର ସମି ତାଲୁକାରେ ଥିବା ଧାନୋରା ଗାଁର ଜଣେ କୃଷି- ପଶୁପାଳକ। ‘‘ବର୍ତ୍ତମାନ ସମୟରେ, ମାଲଧାରୀମାନେ ଜମି ମଧ୍ୟଦେଇ ଯାଇପାରିବେ କିନ୍ତୁ ସେଠାରେ ରହିପାରିବେ ନାହିଁ। ଏହା ଆମ ପଞ୍ଚାୟତର ନିଷ୍ପତ୍ତି କାରଣ ଜଳ ଓ ନଡ଼ାକୁଟାର ବ୍ୟାପକ ଅଭାବ ରହିଛି।’’
ଏଠାରୁ କାରାଭାଇ ଏବଂ ତାଙ୍କର ପରିବାର ପରବର୍ତ୍ତୀ ଲକ୍ଷ୍ୟସ୍ଥଳରେ ଦିଗରେ ଆଗେଇଲେ - ପାଟଣ ଆଡ଼କୁ। ସେମାନେ ଘରେ ପହଞ୍ଚିଲା ବେଳକୁ ତିନୋଟି ମୁଖ୍ୟ ଅଞ୍ଚଳ: କଚ୍ଛ, ସୌରାଷ୍ଟ୍ର ଏବଂ ଉତ୍ତର ଗୁଜୁରାଟ ଅତିକ୍ରମ କରିସାରିଥିବେ।
ଜଳବାୟୁ ଓ ପାଣିପାଗ ବଦଳିବା ସହିତ, ତାଙ୍କ ଆତିଥ୍ୟରେ ଗୋଟିଏ କଥା ସ୍ଥିର ରହିଥାଏ, ବାଟରେ ଥିବା ସେମାନଙ୍କର ଅସ୍ଥାୟୀ ଘର। ହିରାବେନ୍ ଆଲ୍, କାରାଭାଇଙ୍କର ବୋହୁ ପରିବାର ପାଇଁ ବାଜରା ରୋଟଲାର ଗୋଟିଏ ଗଦା ସେକି ସାରିଥିଲା ଏବଂ ସମସ୍ତଙ୍କ ପାଇଁ ଗରମ ଗରମ ଚାହା ତିଆରି କଲା। ‘‘ ତୁମେ କେତେ ପର୍ଯ୍ୟନ୍ତ ପାଠ ପଢ଼ିଛ? ମୁଁ କେବେ ବି ସ୍କୁଲ୍ ଯାଇନାହିଁ’’ ସେ କହିଲେ ଏବଂ ବାସନ ମାଜିବା ଆରମ୍ଭ କଲେ। ସେ ପ୍ରତିଥର ଠିଆ ହେଲାବେଳେ. ନିଜ କଳା ଓଢ଼ଣୀକୁ ମୁହଁ ଉପରେ ଢାଙ୍କି ଦେଉଥିଲେ କାରଣ ପରିବାରରେ ବୟସ୍କ ଲୋକମାନେ ରହିଥିଲେ ଏବଂ ତଳେ ବସି କାମ କଲାବେଳେ ମୁହଁରୁ ଓଢ଼ଣୀ ଖସାଇ କାମ କରୁଥିଲେ।
ପରିବାରର ମେଣ୍ଢା ହେଉଛନ୍ତି ମାରୱାଡି ପ୍ରଜାତିର, ଗୁଜୁରାଟ ଏବଂ ରାଜସ୍ଥାନର ସ୍ୱଦେଶୀ ପ୍ରଜାତି। ବର୍ଷରେ ସେମାନେ ୨୫ରୁ ୩୦ଟି ମେଣ୍ଢା ପ୍ରତିଟି ୨୦୦୦-୩୦୦୦ ଟଙ୍କାରେ ବିକ୍ରି କରିଥାନ୍ତି। ମେଣ୍ଢା କ୍ଷୀର ମଧ୍ୟ ଆୟର ଅନ୍ୟତମ ଉତ୍ସ ହୋଇଥାଏ। ଅବଶ୍ୟ ଏହି ଗୋଠର ଆୟ କମ୍ ରହିଥାଏ। କାରାଭାଇ କହନ୍ତି ୨୫-୩୦ଟି ମେଣ୍ଢାରୁ ଦୈନିକ ତାଙ୍କୁ ୯-୧୦ ଲିଟର କ୍ଷୀର ମିଳେ। ସ୍ଥାନୀୟ କ୍ଷୁଦ୍ର ଦୁଗ୍ଧ ଫାର୍ମରେ ଏହି କ୍ଷୀର ପାଇଁ ଲିଟର ପିଛା ୩୦ ଟଙ୍କା ମିଳେ। ଯେଉଁ କ୍ଷୀର ବଳିଯାଏ ସେଥିରୁ ଆମେ ଘରେ ଘିଅ, ଦହି ପ୍ରସ୍ତୁତ କରିଥାଉ।
‘‘ଘି ପେଟ ମା ଛେ! [ଘିଅ ପେଟରେ ଅଛି!] କାରାଭାଇ ହସି ହସି କହିଲେ।’’ ଗରମରେ ଚାଲିଲାବେଳେ ପାଦ ପୋଡ଼ିଯାଏ, ତେଣୁ ଘିଅ ଖାଇଲେ ବଳ ଆସେ।’’
‘‘ଉଲ୍ ବା ପଶମ ବିକ୍ରି କଥା କ’ଣ?’’ ଦୁଇ ବର୍ଷ ତଳ ପର୍ଯ୍ୟନ୍ତ ଲୋକେ ପଶୁ ପିଛା ୨ଟଙ୍କା ମୂଲ୍ୟରେ ଉଲ୍ କିଣୁଥିଲେ। ଆଜିକାଲି ଆଉ କେହି କିଣୁନାହାନ୍ତି। ଏହି ଉଲ୍ ଆମ ପାଇଁ ସୁନା ପରି କିନ୍ତୁ ଆମକୁ ଏହା ଫିଙ୍ଗିଦେବାକୁ ପଡ଼ୁଛି,’’ କାରାଭାଇ କହିଲେ। କେବଳ ସିଏ ନୁହନ୍ତି, ଆହୁରି ହଜାର ହଜାର ପଶୁପାଳକ, ଭୂମିହୀନ, କ୍ଷୁଦ୍ର ଏବଂ ନାମକୁ ମାତ୍ର ଚାଷୀଙ୍କ ପାଇଁ ମେଣ୍ଢା (ଏବଂ ଛେଳି) ହେଉଛନ୍ତି ତାଙ୍କର ସମ୍ପତ୍ତି ଓ ଜୀବିକାର ମୁଖ୍ୟ ଅଂଶ। ଏବେ ସେହି ସମ୍ପତ୍ତି ହ୍ରାସ ପାଇବାରେ ଲାଗିଛି।

Namita Waikar
ଭାରତରେ ମେଣ୍ଢା ସଂଖ୍ୟା ୨୦୦୭ ଏବଂ ୨୦୧୨ ମଧ୍ୟରେ ପାଞ୍ଚ ବର୍ଷ ମଧ୍ୟରେ ୬ ନିୟୁତରୁ ଅଧିକ ହ୍ରାସ ପାଇଛି - ସେନସସ୍ ଅନୁଯାୟୀ, ଏହା ୭୧.୬ ନିୟୁତରୁ ୬୫.୧ ନିୟୁତରେ ପହଞ୍ଚିଛି। ଏହା ହେଉଛି ୯ ପ୍ରତିଶତ ହ୍ରାସ। ଗୁଜୁରାଟରେ ମଧ୍ୟ ଏହି ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇ ପାଖାପାଖି ୩,୦୦,୦୦୦ରୁ ୧.୭ ନିୟୁତ ଅଙ୍କରେ ପହଞ୍ଚିଛି।
କଚ୍ଛରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି, ପଶୁଗୁଡ଼ିକ ଅପେକ୍ଷାକୃତ ଭାବରେ ସୁସ୍ଥ ଅଛନ୍ତି, ମାଲଧାରୀଙ୍କ ଯତ୍ନକୁ ଧନ୍ୟବାଦ। ୨୦୦୭ ତୁଳନାରେ ୨୦୧୨ ମସିହାରେ ଏଠାରେ ପଶୁମାନଙ୍କ ସଂଖ୍ୟା ପ୍ରାୟ ୪,୨୦୦ ହ୍ରାସ ପାଇଛି।
୨୦୧୭ ମସିହାରେ ଗୃହପାଳିତ ପଶୁ ସେନସସ୍ ଡାଟା ୬ ମାସ ପାଇଁ ପ୍ରକାଶିତ ହେବ ନାହିଁ, କିନ୍ତୁ କାରାଭାଇ କହନ୍ତି ସେ ମେଣ୍ଢା ସଂଖ୍ୟା ହ୍ରାସ ପାଇବାର ଧାରା ଓ ଏହାର କାରଣର ମିଶ୍ରଣ ଦେଖୁଛନ୍ତି। ‘‘ଯେତେବେଳେ ମୋତେ ୩୦ ବର୍ଷ ହୋଇଥିଲା, ଅଧିକରୁ ଅଧିକ ଘାସ ଥିଲା, ଗଛ ଥିଲା, ମେଣ୍ଢା ଚରିବାରେ ଅସୁବିଧା ନଥିଲା। ଏବେ ଜଙ୍ଗଲ ଓ ଗଛ କାଟ କାରଣରୁ ଚାରଣ ଭୂମି ସଙ୍କୁଚିତ ହୋଇଯାଉଛି, ଦିନକୁ ଦିନ ଛୋଟ ହୋଇଯାଉଛି। ଉତ୍ତାପ ମଧ୍ୟ ବଢ଼ୁଛି’’ ସେ କହନ୍ତି, ମନୁଷ୍ୟମାନଙ୍କର କାର୍ଯ୍ୟକଳାପ ଜଳବାୟୁ ଓ ବାୟୁମଣ୍ଡଳରେ ବିଭ୍ରାଟର କାରଣ ହେଉଛି।
‘‘ମରୁଡ଼ି ବର୍ଷରେ, ଆମେ ଯେମିତି କଷ୍ଟ ପାଉ, ମେଣ୍ଢାମାନେ ମଧ୍ୟ ଠିକ୍ ସେମିତି କଷ୍ଟ ପାଆନ୍ତି,’’ ସେ କହନ୍ତି। ‘‘ଚାରଣ ଭୂମି ସଙ୍କୁଚିତ ହେବାର ଅର୍ଥ ସେମାନଙ୍କୁ ଘାସ ଓ ଚାରା ସନ୍ଧାନରେ ଅଧିକରୁ ଅଧିକ ରାସ୍ତା ଚାଲିବାକୁ ହେବ ଓ ଖୋଜିବାକୁ ହେବ। ପଶୁମାନଙ୍କର ସଂଖ୍ୟା ମଧ୍ୟ ହ୍ରାସ ପାଉଛି କାରଣ ଲୋକେ ଜୀବିକା ମେଣ୍ଟାଇବା ପାଇଁ ଅଧିକରୁ ଅଧିକ ପଶୁ ବିକ୍ରି କରିଦେଉଛନ୍ତି।’’
ସେ ଠିକ୍ କହୁଛନ୍ତି ଯେ ଗୋଚର ଭୂମି ଓ ଘାସ ପଡ଼ିଆ ହ୍ରାସ ପାଇବା କାରଣରୁ ମେଣ୍ଢାମାନଙ୍କ ସଂଖ୍ୟା କମୁଛି। ଅହମ୍ମଦାବାଦର ସେଣ୍ଟର ଫର୍ ଡେଭଲପମେଣ୍ଟ ଅଲଟରନେଟିଭସର ପ୍ରଫେସର ଇନ୍ଦିରା ହିରାୱେଙ୍କ ସୂଚନା ଅନୁଯାୟୀ ଗୁଜୁରାଟର ୪.୫% ଜମି ହେଉଛି ଗୋଚର ଜମି। କିନ୍ତୁ ଔପଚାରିକ ତଥ୍ୟ ଅନୁଯାୟୀ, ସେ ଯାହା କହନ୍ତି ବହୁମାତ୍ରାରେ ଏହି ଜମି ଅବୈଧ ଭାବରେ ଜବରଦଖଲରେ ରହିଛି। ତେଣୁ ବାସ୍ତବ ଚିତ୍ର ଲୁକ୍କାୟିତ ହୋଇ ରହିଛି। ମାର୍ଚ୍ଚ ୨୦୧୮ରେ, ସରକାର ରାଜ୍ୟ ସଂସଦରେ ପ୍ରଶ୍ନର ଉତ୍ତର ଦେଇ ସ୍ୱୀକାର କରିଥିଲେ ଯେ ୪.୭୨୫ ହେକ୍ଟରର ଗୋଚର ଜମି ୩୩ଟି ଜିଲ୍ଲାରେ ଜବରଦଖଲ ଅଧୀନରେ ରହିଛି। ଏପରିକି ସେହି ଅଙ୍କକୁ ମଧ୍ୟ କେତେକ ବିଧାୟକ ଜାଣିଶୁଣି କମ୍ କୁହାଯାଇଛି ବୋଲି ପ୍ରତିବାଦ କରିଥିଲେ।
ସରକାର ୨୦୧୮ ମସିହାରେ ସ୍ୱୀକାର କରିଛନ୍ତି ଯେ, ରାଜ୍ୟର ୨,୭୫୪ ଗ୍ରାମରେ ଆଦୌ ଗୋଚର ଜମି ନାହିଁ।
ଜମିରେ ମଧ୍ୟ ବୃଦ୍ଧି ଘଟିଛି- ଏହା ମଧ୍ୟରୁ କିଛି ରାଜ୍ୟ ସରକାର ଅଧିକାରକୁ ନେଇ ଗୁଜୁରାଟ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ କର୍ପୋରେସନ ମାଧ୍ୟମରେ ଶିଳ୍ପ ନିମନ୍ତେ ପ୍ରଦାନ କରିଛନ୍ତି। କେବଳ ଏସଇଜେଡ ପାଇଁ, ୧୯୯୦ରୁ ୨୦୦୧ ମଧ୍ୟରେ ୪୬୨୦ ହେକ୍ଟର ଶିଳ୍ପକୁ ହସ୍ତାନ୍ତର କରାଯାଇଛି। ଏହି ସମୟ ଶେଷରେ ୨୦୦୧ -୨୦୧୧ରେ ଏହା ୨୧,୩୦୮ ହେକ୍ଟରକୁ ବୃଦ୍ଧି ପାଇଥିଲା।

Namita Waikar

Namita Waikar
ମାର୍ଚ୍ଚ ମାସରେ ସୁରେନ୍ଦ୍ରନଗରକୁ ଫେରିଲେ, ଦିନର ତାପମାତ୍ରା ବଢ଼ି ଯାଇଥିଲା, କାରାଭାଇ ଲୋକମାନଙ୍କୁ କହିଲେ, ‘‘ଏହା ପ୍ରାୟ ଅପରାହ୍ଣ ହେଲାଣି, ଚାଲନ୍ତୁ ବାହାରିବା!’’ ଲୋକେ ଆଗେ ଆଗେ ଚାଲିଲେ ଏବଂ ମେଣ୍ଢା ଦଳ ପଛେ ପଛେ ଚାଲିଲେ। ତାଙ୍କ ନାତି ପ୍ରଭୁବାଲା, ୧୩, ବର୍ଷ ବୟସ କାରାଭାଇଙ୍କ ଦଳର ଏକମାତ୍ର ସଦସ୍ୟ ଯେ କି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲକୁ ଯାଇଛି। ଜମି ଚାରିପଟେ ଥିବା ବୁଦାକୁ ଖଡ଼ ଖଡ଼ କରି ଏଣେତେଣେ ବୁଲୁଥିବା ମେଣ୍ଢାମାନଙ୍କୁ ବାଟ କଢ଼ାଇ ନେଉଥିଲେ।
ତିନି ଜଣ ମହିଳା ତାଙ୍କର ଦଉଡିଆ ଖଟ, ଷ୍ଟିଲ୍ କ୍ଷୀର କ୍ୟାନ୍ ଓ ଅନ୍ୟ ଜିନିଷ ସଜାଡୁଥିଲେ। ପ୍ରଭୁବାଲା ଦୂରରେ ଥିବା ଏକ ଗଛରୁ ଓଟମାନଙ୍କୁ ଖୋଲିଦେଲେ ଏବଂ ସେମାନଙ୍କୁ ତାଙ୍କ ମାଆ ହୀରାବେନଙ୍କ ପାଖକୁ ଆଣିଲେ, ସେମାନଙ୍କ ଘର ଏବଂ ରୋଷେଇଘରର ଜିନିଷ ଏକାଠି କଲେ, ପଶୁମାନଙ୍କ ପିଠିରେ ଜିନିଷପତ୍ର ଲଦିବା ପାଇଁ।
ଆମ୍ଭେମାନେ ପୁଣି କାରଭାଇଙ୍କୁ ଭେଟିଲୁ, ପାଞ୍ଚ ମାସ ପରେ ଅଗଷ୍ଟ ମାସ ମଝାମଝି ସମୟରେ ରପାର ତାଲୁକାର ରାସ୍ତାରେ ଏବଂ ଜାଟୋୱାଡା ଗ୍ରାମରେ ତାଙ୍କ ଘରକୁ ବୁଲି ଯାଇଥିଲେ। ‘‘ମୁଁ ମଧ୍ୟ ପରିବାର ସହିତ ୧୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ଭ୍ରମଣ କରୁଥିଲି।’’ ତାଙ୍କ ସ୍ତ୍ରୀ ଦୋସିବାଇ ଆଲ୍, ୭୦ ବର୍ଷ ବୟସ କହିଲେ ଓ ଆମ ସମସ୍ତଙ୍କୁ ଚାହା ପିଆଇଲେ। ‘‘ମେଣ୍ଢା ଓ ମେଣ୍ଢା ଛୁଆ ହେଉଛନ୍ତି ଆମର ସମ୍ପତ୍ତି। ସେମାନଙ୍କର ଯଥେଷ୍ଟ ଯତ୍ନ ନିଆଯିବା ଆବଶ୍ୟକ, ଆମେ କେବଳ ଏତିକି ଚାହୁଁ।’’
‘‘ଭାୟାଭାଇ ମାକୱାନା, ଜଣେ ପଡୋଶୀ, ଗୁଣୁଗୁଣୁ ହୋଇ କହିଲେ ଯେ ବାରମ୍ବାର ମରୁଡ଼ି ପଡ଼ୁଛି। ‘‘ଯଦି ପାଣି ମିଳିବ ନାହିଁ, ଆମେ ଘରକୁ ଫେରିପାରିବୁ ନାହିଁ। ଗତ ଛଅ ମାସରେ ମୁଁ ମାତ୍ର ଦୁଇ ଥର ଘରକୁ ଆସିଛି।’’
ରତ୍ନାଭାଇ ଧଗଲ, ଆଉ ଜଣେ ପଡୋଶୀ ଅନ୍ୟ ଅସୁବିଧା ବିଷୟରେ କହିଲେ, ‘‘ମୁଁ ଦୁଇ ବର୍ଷର ମରୁଡି ପରେ ଘରକୁ ଫେରିଲି ଏବଂ ଦେଖିଲି ଯେ ସରକାର ଗୋଚର ଜମିରେ ତାରବାଡ଼ ଘେରାଇ ଦେଇଛନ୍ତି। ଆମ୍ଭେମାନେ ଦିନସାରା ଏଣେତେଣେ ବୁଲିଲୁ ଯେ ଆମ ମାଲ୍ମାନେ ଯଥେଷ୍ଟ ଘାସ ପାଇଲେ ନାହିଁ ଆମେ କ’ଣ କରିବୁ? ତାଙ୍କୁ ଚରାଇବାକୁ ନେବୁ ନା ପଞ୍ଜୁରିରେ ବାନ୍ଧିଦେବୁ? ଆମେ ଗୋଟିଏ ମାତ୍ର କାମ ଜାଣୁ ପଶୁପାଳନ [ପଶୁଙ୍କର ଯତ୍ନ ନେବା/ ପଶୁପାଳିବା] ଏବଂ ଏହା ଦ୍ୱାରା ଆମର ଜୀବିକା ଅର୍ଜନ କରୁ।’’
‘‘ଏହି ମରୁଡି ଯୋଗୁଁ ବହୁତ କଷ୍ଟ ହେଉଛି,’’ କାରାଭାଇ କହନ୍ତି, ଜଳବାୟୁର ଏହି ବିପର୍ଯ୍ୟୟ ଓ ପାଣିପାଗ ବିଗିଡ଼ିବା ତାଙ୍କ ପାଇଁ ଜୀବିକା ଜୀବନ ପାଇଁ ଦୁର୍ବିସହ ହେଲାଣି। ‘‘ପଶୁମାନଙ୍କ ପାଇଁ ଖାଇବାକୁ ଖାଦ୍ୟ ନାହିଁ କି ପିଇବାକୁ ପାଣି ନାହିଁ ଏପରିକି ପଶୁମାନଙ୍କ ପାଇଁ ମଧ୍ୟ ଖାଦ୍ୟ ବା ଜଳ ମିଳୁନାହିଁ।’’
ଅଗଷ୍ଟ ମାସରେ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ଏହି ବର୍ଦ୍ଧିତ ଆଲ୍ ପରିବାରର ମିଳିତ ଭାବରେ ଆଠ ଏକର ବର୍ଷା ଜଳସେଚିତ ଜମି ରହିଛି ଯେଉଁଥିରେ ସେମାନେ ବାଜରା ବୁଣିଛନ୍ତି।
ବିଭିନ୍ନ ବିଷୟ ପଶୁପାଳକମାନଙ୍କର ପଶୁ ଚରାଇବା ଏବଂ ଯାଯାବର ଜୀବନଶୈଳୀକୁ ପ୍ରଭାବିତ କରୁଛି। ଆଦୌ ମୌସୁମୀ ବର୍ଷା ନ ହେବା ବା ଯଥେଷ୍ଟ ବର୍ଷା ନ ହେବା ବାରମ୍ବାର ମରୁଡ଼ି ହେବା, ଚାରଣ ଭୂମି ହ୍ରାସ ପାଇବା, ଦ୍ରୁତ ଶିଳ୍ପାୟନ ଏବଂ ରାଜ୍ୟରେ ସହରୀକରଣ, ଜଙ୍ଗଲକାଟ୍ ଓ ଗୋଖାଦ୍ୟ ଏବଂ ଜଳର ଉପଲବ୍ଧତା ହ୍ରାସ ପାଇବା ମାଲଧାରୀମାନଙ୍କର ନିଜ ଅଙ୍ଗେ ଲିଭା ଅନୁଭୂତି ହେଉଛି ଏମିତି ବିଭିନ୍ନ ବିଷୟ ଯୋଗୁଁ ଜଳବାୟୁ ଓ ପାଣିପାଗ ବଦଳୁଛି। ଶେଷରେ ଏହି ଗୋଷ୍ଠୀଗୁଡ଼ିକର ଗତିବିଧି ଗୁରୁତର ଭାବରେ ପ୍ରଭାବିତ ହେଉଛି, ସେମାନଙ୍କର ଶହ ଶହ ବର୍ଷର ଜୀବନଚର୍ଯ୍ୟା ନୂଆ ରୂପ ନେଉଛି।
‘‘ଆମର ସବୁ ଅସୁବିଧା ବିଷୟରେ ଲେଖନ୍ତୁ,’’ ଆମେ ବାହାରିଆସିଲା ବେଳେ କାରାଭାଇ କହିଲେ, ‘‘ଏବଂ ଆମେ ଦେଖିବୁ ଯେ ଏହାଦ୍ୱାରା କିଛି ପରିବର୍ତ୍ତନ ହେଉଛି କି ନା।’’
ଲେଖିକା ଅହମ୍ମଦାବାଦ ଏବଂ ଭୁଜର ମାଲଧାରୀ ରୁରାଲ ଆକ୍ସନ୍ ଗ୍ରୁପ୍ ମାରଗ୍ ଦଳକୁ ସହାୟତା ପାଇଁ ଓ ଏହି ବିଷୟ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ସ୍ଥାନକୁ ଯାଇ ସାହାଯ୍ୟ କରିବା ପାଇଁ କୃତଜ୍ଞତା ଜଣାଉଛନ୍ତି।
ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ୟୁଏନ୍ଡିପିର ମିଳିତ ସହଯୋଗରେ ଚାଲିଥିବା ପରୀର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ସାଧାରଣ ଜନତାଙ୍କ ସ୍ୱର ଓ ଅଙ୍ଗେନିଭା କଥା ମାଧ୍ୟମରେ ଏହାର ସତ୍ୟତାକୁ ତୋଳିବା ।
ଆପଣ କ’ଣ ଏହି ଆଲେଖ୍ୟକୁ ପୁଣି ପ୍ରକାଶ କରିବାକୁ ଚାହୁଁଛନ୍ତି? ତେବେ, ଦୟାକରି [email protected]କୁ ଲେଖନ୍ତୁ ଓ [email protected]କୁ acc କରନ୍ତୁ ।
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଗୁଜୁରାଟରେ-ଚାରଣ-ଭୂମି-ସଙ୍କୁଚିତ-ହେବା-ସହ-ମେଣ୍ଢାଙ୍କ-ସଂଖ୍ୟା-କମୁଛି

