ମୋ କାକୀ-ମୋ ବାପାଙ୍କ ଭାଇଙ୍କ ପତ୍ନୀ- ଜୟଶ୍ରୀ ପାରେଦ୍ ମୋତେ କହୁଥିଲେ, ‘‘ଏ ବର୍ଷ ଖୁବ୍ ଅଧିକ ବର୍ଷା ହୋଇଥିଲା। ତେଣୁ ମୁଁ ଭାବିଲି ଝରଣାରୁ ପାଣି ଅଧିକ ଦିନ ରହିବ। ମୁଁ ମୋ ସ୍ୱାମୀଙ୍କୁ କହିଲି ଗାଁ’ରେ ରହିଯିବା ପାଇଁ। ଆମେ ଆଉ କିଛି ଅଧିକା ପନି ପରିବା ଚାଷ କରିପାରିବା। କାମ ପାଇଁ ବାହାରକୁ ଯିବାଠାରୁ ଆମେ ନିଜ ଜମିରେ କାମ କରିବା ଅଧିକ ଭଲ। କିନ୍ତୁ ଦେଖ, କ’ଣ ହୋଇଗଲା।’’ ସେ ମେଘୁଆ ଆକାଶ ଆଡ଼କୁ ଅନାଇ କହୁଥିଲେ। ଏହା ୨୦୧୯ ନଭେମ୍ବର ଥିଲା ‘‘ଶୀତ ଆସିଯାଇଥିଲା କିନ୍ତୁ ବାୟୁମଣ୍ଡଳରେ କୌଣସି ଥଣ୍ଡା ନଥିଲା। ମୌସୁମୀ ଶେଷ ହୋଇଯାଇଥିଲା କିନ୍ତୁ ଆକାଶ ଏ ପର୍ଯ୍ୟନ୍ତ ପରିଷ୍କାର ହୋଇନଥିଲା ଏବଂ ମୋ ମେଥି ମରିବା ଉପରେ ଥିଲା, ପାଳଙ୍ଗ ମଧ୍ୟ। ସୋରିଷ ଗତକାଲି ପର୍ଯ୍ୟନ୍ତ ଭଲ ଥିଲା। କିନ୍ତୁ ଆଜି ସେଥିରେ ପୋକ ହୋଇଯାଇଛନ୍ତି। ଆମେ କ’ଣ କରିବୁ ?’’ କାକୀ ମୋ ସହ କଥା ହେବା ବେଳେ ସଂକ୍ରମିତ ଗଛଗୁଡ଼ିକ ଉପାଡ଼ିବାରେ ବ୍ୟସ୍ତ ଥିଲେ।
ସେ ମୋ ମୁଣ୍ଡ ଟୁଙ୍ଗାରିବା ଆଡ଼େ ଅନାଇ କହିଲେ, ‘‘ପାଣିପାଗ ବଦଳିଗଲାଣି। ଅଧିକ ଦିନ ଖରା ହେଉନାହିଁ। ତାହା ଏସବୁର କାରଣ ହୋଇଛି [ଏହି ସଂକ୍ରମଣ]। ଏହି କେମିକାଲ [କୀଟନାଶକ] ବିକ୍ରି କରୁଥିବା ଦୋକାନୀ ଏହା କହିଥିଲେ। ମୁଁ ନିଶ୍ଚିତ ଯେ ସେ ଏ ବିଷୟରେ ଅନେକ କିଛି ଜାଣିଛି।’’ ସେ ବ୍ୟସ୍ତ ହେଉଥିଲେ ଯେ, ଏହି ପତ୍ରପୋଡ଼ା ତାଙ୍କର ସମୁଦାୟ ଜମିରେ ବ୍ୟାପିଯିବ ଏବଂ ପନିପରିବାଗୁଡ଼ିକ ଶୁଖିଯିବ। କାକୀ କହିବା ଜାରି ରଖିଥିଲେ, ‘‘ମୁଁ ଏହି କାଦୁଆ କିଆରିରୁ ପରିବା ବିକି ଟ. ୨୦୦-୨୫୦ ଆୟ କରିପାରିଥାନ୍ତି। କିନ୍ତୁ ଏ ମଧ୍ୟରୁ ଅଧିକାଂଶ ଗଜା ହେବା ଅବସ୍ଥାରେ ମରିଗଲା। ଯାହା ବଢ଼ିଥିଲା ତାହା ମଧ୍ୟ ମରିଗଲା। ମୋର ବହୁ ଚିନ୍ତା ରହିଛି କାରଣ ମୁଁ କହିପାରୁନି ମୁଁ ଏଥିରୁ କେତେ ଆୟ କରିପାରିବି। ଶିମ୍ବ ଏବଂ ଗୁଆଁରରେ ଫୁଲ ଧରିଥିଲା କିନ୍ତୁ ସେତେବେଳେ ସବୁ ଫୁଲ ଶୁଖିଗଲା ଓ ଖସିପଡ଼ିଲା। ବିନ୍ ଗୁଡ଼ିକରେ ମଧ୍ୟ ପୋକ ଲାଗିଗଲା।’’
ସେ ତାଙ୍କ ପରିବାକୁ ଝୁଡ଼ିରେ ମୁଣ୍ଡରେ ବୋହି ଦୁଇକିଲୋମିଟର ଦୂରରେ ଥିବା ଗଣେଶପୁରିରେ ରାସ୍ତାକଡ଼ରେ ବସି ବିକ୍ରି କରନ୍ତି କିମ୍ବା ବେଳେ ବେଳେ ଗୋଟିଏ ବସ୍ରେ ବାସାଇରେ ଥିବା ହାଟକୁ ନିଅନ୍ତି; ଏହା ମୋ କାକା ଏବଂ କାକୀକୁ ଅତି ବେଶୀରେ ସପ୍ତାହକୁ ଟ. ୧୦୦୦ ଦେଇଥାଏ। ଏହା ହିଁ ସେମାନଙ୍କ ଆୟର ଏକମାତ୍ର ସ୍ରୋତ।






