ଆଜି ଦଶହରା ଏବଂ ସକାଳେ ପୂଜା ଓ ପ୍ରାର୍ଥନା ଗାନ ପାଇଁ ସ୍କୁଲ୍ର ମୁଖ୍ୟ କକ୍ଷରେ ଏକତ୍ର ହୋଇଛନ୍ତି ଛାତ୍ରଛାତ୍ରୀମାନେ ।
ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାରେ ନାଟ୍ୟକଳାର ଏକ ଆବାସିକ ବିଦ୍ୟାଳୟ ହେଉଛି କଟ୍ଟାଇକୁଟ୍ଟୁ ଗୁରୁକୁଳମ୍। ଏଠାରେ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ସ୍କୁଲ୍ ଶିକ୍ଷା ସହିତ ରାଜ୍ୟର ଏକ ପ୍ରଚଳିତ ଗ୍ରାମୀଣ ନାଟ୍ୟକଳା, କଟ୍ଟାଇକୁଟ୍ଟୁରେ ପ୍ରଶିକ୍ଷଣ ଦିଆଯାଏ । ଅଧିକାଂଶ ପିଲା ଦୁଃସ୍ଥ ଏବଂ ଅର୍ଥନୈତିକ ଭାବେ ବଞ୍ଚିତ ପରିବାରରୁ ଆସିଛନ୍ତି ।
ସ୍କୁଲ୍ ସମୟ ସକାଳ ୭.୩୦ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ । ଶ୍ରେଣୀଗୁଡ଼ିକରେ ଗୋଟିଏ ପରେ ଗୋଟିଏ କରି ଆନୁଷ୍ଠାନିକ ଶିକ୍ଷା, କଟ୍ଟାଇକୁଟ୍ଟୁ ତାଲିମ ଏବଂ ସଂଗୀତ ଶିକ୍ଷା ପ୍ରଦାନ କରାଯାଏ । ଚେନ୍ନାଇରୁ ପ୍ରାୟ ୮୫ କିଲୋମିଟର ଏବଂ କାଞ୍ଚିପୁରମ୍ ସହରରୁ ଅଟୋରିକ୍ସାରେ ଗଲେ ୩୫ ମିନିଟ୍ର ଦୂରତାରେ ଥିବା ପୁଞ୍ଜାରାସାନ୍ତାଙ୍କଲ ଗାଁର ସବୁଜିମା ଘେରରେ ରହିଛି ଏହି ସ୍କୁଲ୍। ଅନ୍ୟ ଯେ କୌଣସି ସ୍କୁଲ୍ ଭଳି ଏଠାରେ ଛାତ୍ରଛାତ୍ରୀମାନେ ସକାଳ ବେଳା ଶ୍ରେଣୀକୁ ଯାଆନ୍ତି ଏବଂ ଅପରାହ୍ଣରେ ଦଳଗତ ଖେଳ ଖେଳନ୍ତି ।


















