“ସେମାନେ କହିଥିଲେ ଆମ ପିଲା ଗର୍ଭରେ ମୃତ୍ୟୁବରଣ କରିଛି। ଆମେ ମୃତ୍ୟୁକୁ ନେଇ ଡରିଯାଇଥିଲୁ। ଏହାପରେ ସେମାନେ ଆମକୁ ଚାଲିଯିବା ଲାଗି କହିଲେ, ଯେଉଁଠିକୁ ଚାହୁଁଛ ସେଠାକୁ ଯାଅ। ଏହାପରେ ମୁଁ ମୋ ବୋହୂକୁ ସହରର ଏକ ଘରୋଇ ଡାକ୍ତରଙ୍କ ପାଖକୁ ନେଇଯିବା ଲାଗି ନିଷ୍ପତ୍ତି ନେଲି”, ସୁଖିଆ ଦେବୀ ବିହାର ବୈଶାଳୀ ଜିଲ୍ଲା ମୁଖ୍ୟାଳୟରେ ଥିବା ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ଓ ତାଙ୍କ ବୋହୂଙ୍କ ସହିତ ହୋଇଥିବା ବ୍ୟବହାର ସମ୍ପର୍କରେ ମନେ ପକାଇ କହିଥିଲେ।
୬୨ ବର୍ଷୀୟ କୃଷି ଶ୍ରମିକ ନିଜ ସହିତ ଦିନକର ନାତୁଣୀ, ଯିଏକି ସମ୍ପୂର୍ଣ୍ଣ ଭାବେ ଜୀବିତ ଅଛନ୍ତି,ଙ୍କୁ ଟୀକା ଲଗାଇବା ଲାଗି କୋଳରେ ଧରି, ଦିନେ ସକାଳ ୧୦ଟା ସମୟରେ ନିକଟସ୍ଥ ପିଏଚସିରେ ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷା କରିଥିଲେ।
ସୁଖିଆଙ୍କ ୨୮ ବର୍ଷୀୟା ବୋହୂଙ୍କର ଯେତେବେଳେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା, ସେ ତାଙ୍କୁ ବୈଶାଳୀ ନିକଟବର୍ତ୍ତୀ ପିଏଚସିକୁ ନେଇଥିଲେ। ସେଠାରେ ଜଣେ ପରିଚାରକ ତାଙ୍କୁ କହିଲେ ଯେ ପିଲାଟି ମୃତ୍ୟୁବରଣ କରିସାରିଛି। ସମ୍ପୂର୍ଣ୍ଣ ଭାବେ ଡରିଯାଇ ସେ ଓ କୁସୁମ ଏକ ଅଟୋ ରିକ୍ସାରେ ପାଖାପାଖି ୧୫ କିମି ଦୂରରେ ଥିବା ନିଜ ଗ୍ରାମ (ଯାହାର ନାମ ନକହିବା ଲାଗି ସେ ଆମକୁ ଅନୁରୋଧ କରିଥିଲେ) ଫେରି ଆସିଥିଲେ। “ଆମେ ଆମ ଘରକୁ ଫେରିଆସିଲୁ ଏବଂ ମହିଳା ଡାକ୍ତର (ସ୍ତ୍ରୀରୋଗ ବିଶେଷଜ୍ଞ)ଙ୍କ ପାଖକୁ ଯିବା ଲାଗି ଏକ ଘରୋଇ ଗାଡ଼ି, ବୋଲେରୋ, ଭଡ଼ା କଲୁ। ମୁଁ ଭଡ଼ା ବିଷୟରେ ପଚାରିବା ସମ୍ପର୍କରେ ଚିନ୍ତା ମଧ୍ୟ କଲି ନାହିଁ। ମୁଁ ସନ୍ତାନ ପ୍ରସବକୁ ନେଇ ଅତି ଉତ୍ସୁକ ଥିଲି। ମୋର ପଡ଼ୋଶୀମାନଙ୍କ ସହାୟତାରେ ମୁଁ ମୋ ବୋହୂକୁ ଗାଡ଼ିରେ ବସାଇଲି। ଏହାପରେ ଆମେ କ୍ଲିନିକ୍ ଆଡ଼କୁ ଗଲୁ”, ସୁଖିଆ କହିଥିଲେ।
ସେମାନେ ଯେତେବେଳେ ଡାକ୍ତରଙ୍କ ପାଖକୁ ଯାଉଥିଲେ, ସେହି ଶିଶୁ, ‘ଯିଏକି ଗର୍ଭରେ ହିଁ ମୃତ୍ୟୁବରଣ କରିସାରିଥିଲା’ କାର୍ରେ ହିଁ ଜୀବିତ ହୋଇଉଠିଲା।
“ସେ ସେହି ଗାଡ଼ିରେ ହିଁ ଜନ୍ମ ନେଇଥିଲା”, ସୁଖିଆ କହିଥିଲେ। ତା’ର ଜନ୍ମ ଖୁବ ସହଜରେ ହୋଇଗଲା, ସେ କହିଥିଲେ। ତାଙ୍କ ପାଖରେ ପୂର୍ବରୁ ଏକ ଶାଢ଼ୀ ଥିଲା ଯାହାକୁ ସେ ଚଦର ରୂପରେ ବ୍ୟବହାର କରିଥିଲେ, ସ୍ଥାନୀୟ ଔଷଧ ଦୋକାନର ମାଲିକ (ଯିଏକି ତାଙ୍କ ସହିତ ଥିଲେ) ଗାଡ଼ିରେ ପାଣି ରଖିଥିଲେ। “କିନ୍ତୁ ଏଥିରେ ଅଧିକ ସମୟ ଲାଗିଗଲା...” ସୁଖିଆ କହିଥିଲେ।
ଆହୁରି ଏଥିରେ ଟଙ୍କା ମଧ୍ୟ ଖର୍ଚ୍ଚ ହେଲା। ଅପେକ୍ଷାକୃତ କମ୍ ଦୂରତା ହୋଇଥିଲେ ସୁଦ୍ଧା ଗାଡ଼ି ମାଲିକ ପରିବାରଠାରୁ ଯାତ୍ରା ଖର୍ଚ୍ଚ ବାବଦରେ ୩୦୦୦ ଟଙ୍କା-ଏବଂ ଅନ୍ୟ କାହା ଜରିଆରେ ଗାଡ଼ି ସଫା କରିବା ଲାଗି ପୃଥକ ଭାବେ ୧,୦୦୦ ଟଙ୍କା ନେଲେ।






