୧୯୮୦ ପରଠାରୁ ଜାମନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଯଥେଷ୍ଟ ଶିଳ୍ପାୟନ ଦେଖିବାକୁ ମିଳିଛି। ‘‘ଲବଣ ଉଦ୍ୟୋଗ, ତୈଳ ଜେଟୀ ଏବଂ ଅନ୍ୟ ଶିଳ୍ପାୟନ ଏହି ଅଞ୍ଚଳରେ ମୁଣ୍ଡ ଟେକିଛି,’’ ରିତୁଜା କୁହନ୍ତି। ‘‘ବ୍ୟବସାୟିକ ସୁଗମତା ପାଇଁ ଜମି ପ୍ରଦାନ କରାଯିବା ସମୟରେ ସେମାନେ ଅତି କମ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ! କିନ୍ତୁ ପଶୁପାଳକମାନଙ୍କ ବେଉସା କଥା ଉଠିଲେ, ବିଭାଗ ସଂରକ୍ଷକ ପାଲଟିଯାଏ। ଏହା, ଘଟଣାକ୍ରମେ, ସମ୍ବିଧାନର ଅନୁଚ୍ଛେଦ ୧୯ (ଜି)ର ଉଲ୍ଲଙ୍ଘନ, ଯେଉଁଥିରେ ‘କୌଣସି ଜୀବିକା ନିର୍ବାହ କରିବା, କିମ୍ବା ଯେକୌଣସି ପେସା, ବାଣିଜ୍ୟ କିମ୍ବା ବ୍ୟବସାୟ ଚଳାଇବା’ ପାଇଁ ଅଧିକାର ଦିଆଯାଇଛି ।’’
ସାମୁଦ୍ରିକ ପାର୍କ ଭିତରେ ପଶୁପାଳକମାନଙ୍କୁ ଓଟ ଚରାଇବାକୁ ନିଷେଧ କରାଯାଇଥିବା କାରଣରୁ ଓଟ ପାଳକମାନେ ଅଧିକାଂଶ ସମୟରେ ଜଙ୍ଗଲ ବିଭାଗ ଠାରୁ ନିର୍ଯାତନାର ଶିକାର ହୋଇଥାନ୍ତି। ଏପରି ଶୋଷଣର ଶିକାର ହୋଇଥିବା ଜଣେ ମାଲଧାରୀ ହେଉଛନ୍ତି ଆଦମ ଜାଟ। ‘‘କିଛି ବର୍ଷ ପୂର୍ବରୁ,’’ ସେ କୁହନ୍ତି, ‘‘ଏଠାରେ ଓଟ ଚରାଇବା ପାଇଁ ବନ ବିଭାଗ ଅଧିକାରୀମାନେ ମୋତେ ଅଟକ ରଖିଥିଲେ ଏବଂ ଏଥିପାଇଁ ମୁଁ ୨୦,୦୦୦ ଟଙ୍କାର ଜୋରିମାନା ଦେଇଥିଲି।’’ ଏଠାକାର ଅନ୍ୟ ପଶୁପାଳକମାନେ ମଧ୍ୟ ସମାନ ସମସ୍ୟାର ସମ୍ମୁଖିନ ହୋଇଥିବା କୁହନ୍ତି।
‘‘କେନ୍ଦ୍ର ସରକାରଙ୍କ ୨୦୦୬ର ଆଇନ ଏବେ ସୁଦ୍ଧା କୌଣସି ସହାୟତା କରିପାରୁନାହିଁ,’’ ରିତୁଜା ମିତ୍ର କୁହନ୍ତି। ଜଙ୍ଗଲ ଅଧିକାର ଆଇନ ୨୦୦୬ର ଧାରା ୩(୧) (ଘ)ରେ ଉପଯୋଗ ଏବଂ ଚାରଣ (ଉଭୟ ସ୍ଥାୟୀ ବାସିନ୍ଦା କିମ୍ବା ଯାଯାବର ପଶୁପାଳକଙ୍କ ପାଇଁ) ଅଧିକାର ପ୍ରଦାନ କରାଯାଇଛି। ଯାଯାବର କିମ୍ବା ପଶୁପାଳକ ସମୁଦାୟକୁ ପାରମ୍ପରିକ ଋତୁକାଳୀନ ସମ୍ବଳର ଉପଯୋଗ ଅଧିକାର ମଧ୍ୟ ଏଥିରେ ଦିଆଯାଇଛି।
‘‘ତଥାପି, ଜଙ୍ଗଲ ବିଭାଗ ସୁରକ୍ଷା କର୍ମୀମାନେ ପଶୁ ଚରାଇବା ଲାଗି ଏହି ମାଲଧାରୀମାନଙ୍କ ଠାରୁ ଜୋରିମାନା ଆଦାୟ କରିଥାନ୍ତି। ଧରାପଡ଼ିଲେ ଏମାନେ ୨୦,୦୦୦ରୁ ଆରମ୍ଭ କରି ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ବାଧ୍ୟ ହୁଅନ୍ତି,’’ ରିତୁଜା କୁହନ୍ତି। ଏଫଆରଏ ଅଧୀନରେ ଏମାନଙ୍କ ସୁରକ୍ଷା ପାଇଁ କରାଯାଇଥିବା ବିଭିନ୍ନ ନିୟମ କେବଳ କାଗଜପତ୍ରରେ ସୀମିତ ରହିଯାଇଥିବା ସେ କହିଥାନ୍ତି।
ଅନେକ ପିଢ଼ି ଧରି ଏଠାରେ ରହିଆସିଥିବା ତଥା ଅନ୍ୟ କାହା ଅପେକ୍ଷା ଏହି କ୍ଷେତ୍ରର ଜଟିଳ ଢାଞ୍ଚାକୁ ଭଲ ଭାବେ ଜାଣିଥିବା ପଶୁପାଳକମାନଙ୍କୁ ସମ୍ପୃକ୍ତ ନକରି ହେନ୍ତାଳ ଜଙ୍ଗଲ ଘନତ୍ୱ ବଢ଼ାଇବା ଲାଗି ଚେଷ୍ଟା କରିବା ନିଷ୍ଫଳ ପ୍ରତୀୟମାନ ହୋଇଥାଏ। ‘‘ଆମେ ଏ ଭୂମିକୁ ଭଲ ଭାବେ ଜାଣିଛୁ, ଏଠାକାର ପରିବେଶ କିଭଳି କାର୍ଯ୍ୟ କରିଥାଏ ଜାଣିଛୁ ଏବଂ ବିଭିନ୍ନ ପ୍ରଜାତି, ହେନ୍ତାଳର ସୁରକ୍ଷା ପାଇଁ ସରକାରଙ୍କ ନୀତି ବିରୋଧରେ ଆମେ କାମ କରୁନାହୁଁ,’’ ଜଗାଭାଇ ରବାରୀ କୁହନ୍ତି। ‘‘ଆମର କହିବା କଥା ହେଉଛି: କୌଣସି ନୀତି ପ୍ରଣୟନ କରିବା ପୂର୍ବରୁ ଦୟାକରି ଆମ କଥା ଶୁଣନ୍ତୁ। ନଚେତ୍ ଏହି ଅଞ୍ଚଳ ଆଖପାଖରେ ରହୁଥିବା ୧,୨୦୦ ଲୋକଙ୍କ ଜୀବନଜୀବିକା ଏବଂ ଏମାନଙ୍କ ସହ ରହୁଥିବା ଓଟମାନଙ୍କର ଜୀବନ ବାଜି ଲାଗିଯିବ।’’