“ବିକ୍ନର ନହି ହ୍ୟାଣ୍ଡଲୁମ୍ । ଆୟୁଷ୍ୟା କଢ଼ଲେ ତ୍ୟାଚାବର (ହସ୍ତତନ୍ତକୁ ମୁଁ ବିକିବି ନାହିଁ । ଏଥିରେ ହିଁ ମୁଁ ଜୀବନ ବିତାଇଛି ।” ତାଙ୍କ ଘର ମଝିରେ ଥିବା ସାତ ଫୁଟ ଉଚ୍ଚ ଏକ ତନ୍ତକୁ ଆଙ୍ଗୁଠି ଦେଖାଇ ଏହା କହନ୍ତି ବସନ୍ତ ତାମ୍ବେ । ଗର୍ବର ସହ ସେ କଥା ଯୋଡନ୍ତି, “ଏହାକୁ ବ୍ୟବହାର କରି ଆପଣ ଯେ କୌଣସି ପ୍ରକାର କପଡ଼ା ତିଆରି କରିପାରିବେ ।”
ଶାଗୁଆନ୍ କାଠରେ ତିଆରି ଏହି ତନ୍ତରେ ତାମ୍ବେ ପ୍ରତି ଦୁଇ ସପ୍ତାହରେ ୬୬ ମିଟର କପଡ଼ା ବୁଣନ୍ତି ଏବଂ ମାସକୁ ହାରାହାରି ୧୩୦ ମିଟର ସୂତା ବ୍ୟବହାର କରନ୍ତି। ଏହି କପଡ଼ା ଉଚ୍ଚ ଗୁଣମାନର ସାର୍ଟ ସିଲାଇ ହେବାକୁ ପଠାଯାଏ । ୬୦ ବର୍ଷରୁ ଅଧିକ ସମୟ ହେଲା ବିଭିନ୍ନ ତନ୍ତରେ ସେ ଏହି କାମ କରିଆସୁଛନ୍ତି ଏବଂ ଏ ପର୍ଯ୍ୟନ୍ତ ୧୦୦,୦୦୦ ମିଟର କପଡ଼ା ବୁଣି ସାରିଛନ୍ତି ।
ଗୋଟିଏ ନଉବାରି ବା ନ’-ଗଜ ଲମ୍ବା ଶାଢ଼ିରୁ ଏହି ୧ ଲକ୍ଷ ମିଟର ଆରମ୍ଭ ହୋଇଥିଲା। ସେତେବେଳେ ତାଙ୍କ ବୟସ ଥିଲା ପ୍ରାୟ୧୮ ବର୍ଷ । ଏବେକାର ୮୨ବର୍ଷୀୟ ତାମ୍ବେ ପ୍ରଥମେ ଜଣେ ପ୍ରଶିକ୍ଷାର୍ଥୀ ଭାବେ ରେନ୍ଦାଲ ଗାଁର ଏକ କାରଖାନାରେ ବସିବା ଆରମ୍ଭ କରିଥିଲେ । ଯେଉଁଠାରୁ ସେ ଶାଢ଼ି କିପରି ତିଆରି କରିବାକୁ ହୁଏ ଶିଖିଥିଲେ। ପୁରୁଣା କଥା ମନେ ପକାଇ ସେ କହନ୍ତି, “ମାସକ ପାଇଁ ଆମକୁ କାରଖାନାରେ (କାର୍ଯ୍ୟଶାଳାରେ) ବିନା ଦରମାରେ କାମ କରିବାକୁ ପଡ଼ିଥିଲା ।”
ଖୁବ୍ ଶୀଘ୍ର ତାମ୍ବେ ଚାରି ଘଣ୍ଟାରେ ଗୋଟିଏ ନଉବାରି (ଆଠ ମିଟରରୁ କିଛିଟା ଅଧିକ) ବୁଣିବା ଆରମ୍ଭ କଲେ ଏବଂ ପ୍ରତି ଶାଢ଼ି ପିଛା ୧ ଟଙ୍କା ୨୫ ପଇସା ରୋଜଗାର କଲେ । ଅତୀତକୁ ମନେ ପକାଇ ସେ କହନ୍ତି, “ଅଧିକରୁ ଅଧିକ ଶାଢ଼ି ବୁଣିବା ପାଇଁ ଆମେମାନେ ପ୍ରତିଯୋଗିତା କରୁଥିଲୁ। ଗୋଟିଏ ସପ୍ତାହରେ ୨୧ଟି ଶାଢ଼ି ବୁଣିବା ଥିଲା ସବୁଠୁ ଅଧିକ ।” ୧୯୬୦ ଓ ୭୦ ଦଶକରେ, ଏଭଳି ଏକ କାର୍ଯ୍ୟ ହାସଲ କଲେ ତାଙ୍କୁ ଓ ତାଙ୍କ ସହକର୍ମୀମାନଙ୍କୁ ବୋନସ୍ ରୂପରେ ୨ ଟଙ୍କା ମିଳୁଥିଲା ।
ବସନ୍ତଙ୍କ ପରିବାରର କେହି ବୁଣାକାର ହୋଇ ନଥିବା କାରଣରୁ ତାଙ୍କ ପାଇଁ କାରଖାନାରେ ପ୍ରଶିକ୍ଷଣ ନେବା ଆବଶ୍ୟକ ଥିଲା । ତାଙ୍କ ପରିବାର ଧାଙ୍ଗଡ଼ ସଂପ୍ରଦାୟର, ଯାହାକି ଯାଯାବର ଜନଜାତି ରୂପେ ତାଲିକାଭୁକ୍ତ । ବସନ୍ତଙ୍କ ବାପା, ଶଙ୍କର ତାମ୍ବେ ଜଣେ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ ଏବଂ ତାଙ୍କ ମାଆ ସୋନାବାଇ ଥିଲେ ଜଣେ କୃଷି ଶ୍ରମିକ ଏବଂ ଗୃହିଣୀ । କାହିଁକି ସେ ରାଜମିସ୍ତ୍ରୀ କାମ କଲେନାହିଁ ପ୍ରଶ୍ନର ଉତ୍ତରରେ ସେ କହନ୍ତି, “ଘର ଛାତ ଉପରୁ ପଡ଼ିଯିବି ବୋଲି ମତେ ଡର ଲାଗୁଥିଲା । “ତେଣୁ ମୁଁ ଅଲଗା କିଛି କରିବାକୁ ସ୍ଥିର କଲି ।”










