୭୦ ବର୍ଷ ଧରି କୃଷି ଶ୍ରମିକ ଭାବେ କରିବା ପରେ ଗଙ୍ଗାପ୍ପା (ବର୍ତ୍ତମାନ ପ୍ରାୟ ୮୩ ବର୍ଷ) ନିଜକୁ ମହାତ୍ମା ଗାନ୍ଧୀ ଭାବେ ଭୂଷିତ କରିନେଇଛନ୍ତି । ଅଗଷ୍ଟ ୨୦୧୬ରୁ ସେ ଗାନ୍ଧୀଙ୍କ ଭଳି ବେଶଭୂଷା ହୋଇଆସୁଛନ୍ତି ଏବଂ ପଶ୍ଚିମ ଆନ୍ଧ୍ରପ୍ରଦେଶର ଅନନ୍ତପୁର ସହରରେ ଥିବା ସର୍ବସାଧାରଣ ସ୍ଥାନମାନଙ୍କର ସେ ଛିଡ଼ା ହେଉଛନ୍ତି । କୃଷି ଶ୍ରମିକ ଭାବେ ସେ ଯେତିକି ଅର୍ଥ ରୋଜଗାର କରୁଥିଲେ ଏହି ଉପାୟରେ ସେ ତା’ ଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ।
“ଯେତେବେଳେ ମୁଁ ଆପଣଙ୍କ ବୟସର ହୋଇଯିବି, ମୁଁ ମଧ୍ୟ ଆପଣଙ୍କ ଭଳି ବେଶଭୂଷା ହେବି, ସ୍ୱାମୀ”, ପିଲାଦିନେ ଅନନ୍ତପୁରରେ ଏକ ଗସ୍ତ କାର୍ଯ୍ୟକ୍ରମରେ ଗାନ୍ଧିଜୀଙ୍କୁ ଭେଟିବା ଅବସରରେ ଗଙ୍ଗାପ୍ପା ଗାନ୍ଧିଜୀଙ୍କୁ ଏହା କହିଥିବାର ଦାବି କରନ୍ତି । ‘‘ସେ ସମୟରେ ମୁଁ ମୋର ବାପା ମା’ଙ୍କ ସହିତ ଥିଲି ଯେଉଁମାନେ କି ପେରୁରୁ ଟ୍ୟାଙ୍କରେ ଶ୍ରମିକ ଭାବେ କାମ କରୁଥିଲେ ।’’ ଚେନ୍ନାମପାଲ୍ଲୀ ଯେଉଁଠାରେ ଗଙ୍ଗାପ୍ପା ଜନ୍ମଗ୍ରହଣ କରିଥିଲେ ତାହା ପେରୁରୁଠାରୁ ବେଶୀ ଦୂର ନୁହଁ । ଗାନ୍ଧିଜୀ ଯାହାବି ହାସଲ କଲେ ତାକୁ ହାସଲ କରିବାରେ ଗାନ୍ଧିଜୀଙ୍କର କ୍ଷମତା, ଶକ୍ତିଶାଳୀମାନଙ୍କୁ ଆଦେଶ ଦେବାରେ ତାଙ୍କର ଦକ୍ଷତା ସାନ ଗଙ୍ଗାପ୍ପାଙ୍କୁ ପ୍ରଭାବିତ କରିଥିଲା ।
ଯଦିଓ ମହାତ୍ମା ଗାନ୍ଧୀଙ୍କୁ ଭେଟିବା ସଂପର୍କରେ ଗଙ୍ଗାପ୍ପାଙ୍କର ଦାବିର ଯାଞ୍ଚ କରିବା କିମ୍ବା ସେ ସାକ୍ଷାତର ତାରିଖ ନିର୍ଦ୍ଧାରଣ କରିବା ଖୁବ୍ କଷ୍ଟକର, ଗାନ୍ଧୀଜୀଙ୍କ ସଂପର୍କରେ ତାଙ୍କର ସ୍ମୃତି ତାଙ୍କର ଜୀବନକୁ ପ୍ରଭାବିତ କରିଛି । ଗଙ୍ଗାପ୍ପା ଯାତ୍ରା କରିବାକୁ ଭଲ ପାନ୍ତି- ଗାନ୍ଧୀଙ୍କ ଭଳି ହେବା ଲାଗି ଭ୍ରମଣ କରିବା ଏବଂ ଧୈର୍ଯ୍ୟ ଆବଶ୍ୟକ ବୋଲି ସେ ବିଶ୍ୱାସ କରନ୍ତି ।
ଗଙ୍ଗାପ୍ପା (ଯିଏକି କେବଳ ଏହି ନାଁରେ ପରିଚିତ) କହନ୍ତି ଏବେ ତାଙ୍କର ନାଁ ହେଉଛି ଗଙ୍ଗୁଲାପ୍ପା କାରଣ ଲୋକମାନେ ତାଙ୍କୁ ଭୁଲ୍ରେ ତାହା ହିଁ ଡାକୁଛନ୍ତି । ଗାନ୍ଧୀଙ୍କ ଭଳି ନିଜର ଲୁକ୍ ଦେଖାଯିବା ଲାଗି ସେ ଛାତିରେ ଧାର୍ମିକ ପଇତା ପିନ୍ଧିଛନ୍ତି । ଗାନ୍ଧୀଙ୍କ ବେଶଭୂଷାରେ ଥିବାବେଳେ ସେ ତାଙ୍କର ମଥା ଓ ପାଦରେ କୁଙ୍କୁମ ଲଗାନ୍ତି ଏବଂ ସମୟ ସମୟରେ ନିଜର ହାତ ଉଠାଇ ଲୋକଙ୍କୁ ‘ପୁରୋହିତ’ଙ୍କ ଭଳି ଆଶୀର୍ବାଦ ଦିଅନ୍ତି ।
ତାଙ୍କର ଗ୍ରହଣୀୟ ଜାତି ପରିଚୟ ତାଙ୍କ ପାଇଁ ଏକ ସ୍ଥାନୀୟ ମନ୍ଦିରର ଦ୍ୱାର ଖୋଲି ଦେଇଛି । ଦିନବେଳା ମନ୍ଦିର ପରିସରରେ ଥିବା ପଥର ବେଞ୍ଚରେ ଆରାମ କରିବାକୁ ତାଙ୍କୁ ଅନୁମତି ମିଳିଛି । ମନ୍ଦିରର ଟ୍ୟାପରେ ସେ ଗାଧୋଇବା ସହିତ ତାଙ୍କର ମେକଅପ୍କୁ ଧୋଇଥାନ୍ତି ।







