ଯେତେବେଳେ ତାଙ୍କ ପତ୍ନୀଙ୍କର ନିଃଶ୍ୱାସ ନେବାରେ କଷ୍ଟ ହେଲା, ୨୦୨୧ ମସିହା ମେ ମାସରେ ରାଜେନ୍ଦ୍ର ପ୍ରସାଦ ବାଧ୍ୟ ହୋଇ ଉତ୍ତରପ୍ରଦେଶର ଦୁର୍ଗମ ଗାଁ ପାଖରେ ଥିବା ଟାଉନ୍ର ଏକ ଘରୋଇ ଡାକ୍ତରଖାନାକୁ ଗଲେ। ଯଦିଓ ତାଙ୍କର ପ୍ରଥମ ପସନ୍ଦ ହେଉଛି ଦେଶର ସୀମା ଟପି ନିକଟରେ ରହିଥିବା ନେପାଳର ଏକ ଡାକ୍ତରଖାନା।
୩୭ ବର୍ଷ ବୟସ୍କ ରାଜେନ୍ଦ୍ର କୁହନ୍ତି ‘‘ଆମେ ସମସ୍ତେ ସୀମା ଆରପଟେ ଚିକିତ୍ସା ଲାଭ କରିବା ଅତି ସାଧାରଣ କଥା, ଆମ ଗାଁର ଅଧିକାଂଶ ଲୋକ ବର୍ଷ ବର୍ଷ ଧରି ଏହା ଉପରେ ନିର୍ଭର କରୁଛନ୍ତି’’। ସେମାନଙ୍କର ଅସ୍ୱାଭାବିକ ପ୍ରାଥମିକତା ବିଷୟରେ କହନ୍ତି। ନେପାଳରେ ଥିବା ଡାକ୍ତରଖାନା ରାଜେନ୍ଦ୍ରଙ୍କ ଗ୍ରାମ ବାଙ୍କାଟିଠାରୁ ମାତ୍ର ୧୫ କିଲୋମିଟର ଦୂର। ବାଙ୍କାଟି ଗ୍ରାମ ଲକ୍ଷ୍ମୀପୁର ଖେରି (ଖେରି ଭାବରେ ମଧ୍ୟ ଜଣାଶୁଣା) ଉତ୍ତରପ୍ରଦେଶର ବୃହତ୍ତମ ଜିଲ୍ଲାରେ ରହିଛି ଯାହାକି ନେପାଳ ସୀମାରେ ଅବସ୍ଥିତ।
ଏହି ମୁକ୍ତ ସୀମା ନୀତି ଭାରତ ଓ ନେପାଳ ମଧ୍ୟରେ ୧୯୫୦ ମସିହାରେ ଶାନ୍ତି ଓ ବନ୍ଧୁତ୍ୱ ସନ୍ଧିପତ୍ର ସ୍ୱାକ୍ଷରିତ ହେବାଠାରୁ ବଳବତ୍ତର ରହିଛି। ଏହା ଫଳରେ ଉଭୟ ଭାରତ ଓ ନେପାଳର ନାଗରିକମାନେ ଦୁଇ ଦେଶ ମଧ୍ୟରେ ଅବାଧରେ ମିଳାମିଶା କରିପାରନ୍ତି। ବାଣିଜ୍ୟ ବ୍ୟବସାୟ କରିବା ହେଉ, ସମ୍ପତ୍ତି ଦଖଲ କରିବା ହେଉ ଏବଂ ଚାକିରି ହେଉ ସେମାନେ ଅନାୟାସରେ କରିପାରନ୍ତି। ବାଙ୍କାଟିର ବାସିନ୍ଦାମାନେ ସୀମାମୁକ୍ତ ରହିବା ଫଳରେ ସେମାନେ ନେପାଳର ଶସ୍ତା ଏବଂ ଉନ୍ନତ ସ୍ୱାସ୍ଥ୍ୟ ଯତ୍ନ ଲାଭ କରିବାକୁ ସକ୍ଷମ ହେଉଛନ୍ତି।
କିନ୍ତୁ କୋଭିଡ୍-୧୯ ସେସବୁ ବଦଳାଇଦେଇଛି।
କିନ୍ତୁ ରାଜେନ୍ଦ୍ରଙ୍କର ୩୫ ବର୍ଷୀୟା ପତ୍ନୀ ଗୀତା ଦେବୀ ଯେତେବେଳେ ଡାକ୍ତରଖାନାରେ ଦାଖଲ ହେବା ପରିସ୍ଥିତି ଉପୁଜିଲା, ଭାରତରେ ମହାମାରୀର ଦ୍ୱିତୀୟ ଲହର ଉତ୍କଟ ରୂପ ଧାରଣ କରିଥିଲା। କିନ୍ତୁ ସେମାନେ ସୀମା ଟପି ନେପାଳର ଡାକ୍ତରଖାନାକୁ ଯାଇପାରିଲେ ନାହିଁ କାରଣ ନେପାଳ କୋଭିଡ୍ ୧୯ ବ୍ୟାପିବା ପରଠାରୁ ମାର୍ଚ୍ଚ ୨୩,୨୦୨୦ରୁ ଭାରତର ପାଞ୍ଚଟି ରାଜ୍ୟ ବ୍ୟାପୀ ରହିଥିବା ୧୮୫୦ କିଲୋମିଟର ସୀମା ପଥକୁ ବନ୍ଦ କରିଦେଇଛି।
ଏଥିପାଇଁ ରାଜେନ୍ଦ୍ରଙ୍କ ପରିବାରକୁ ଭାରି ମୂଲ୍ୟ ଦେବାକୁ ପଡ଼ିଛି।








