“ଫେଙ୍କ ଦେବେ, ଖାଦାନ ମେ ଗାଡ୍ ଦେବେ [ଆମେ ତୁମମାନଙ୍କୁ ଫିଙ୍ଗି ଦେବୁ, ତୁମମାନଙ୍କୁ ବାଲି ଖଣିରେ ପୋତି ଦେବୁ]” ।
ଏହିପରି କିଛି ଜଣେ ଖଣି ଠିକାଦାର ଖପ୍ତିହା କଲାନ୍ ଗ୍ରାମ ନିବାସୀ ମଥୁରିୟା ଦେବୀଙ୍କୁ କହିଥିଲେ । ସେ ତାଙ୍କ ସହିତ କ୍ରୋଧପୂର୍ଣ୍ଣ ବ୍ୟବହାର କରୁଥିଲେ, ବୋଲି ସେ ଓ ବୁନ୍ଦେଲଖଣ୍ଡର ଅନ୍ୟତମ ପ୍ରମୁଖ ନଦୀ – କେନ୍ର ପ୍ରଭୂତ କ୍ଷତି ସାଧନ ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ଏକତ୍ରିତ ହୋଇଥିବା ଅନ୍ୟ ୨୦ ଜଣ କୃଷକ କୁହନ୍ତି ।
ସେ ଦିନ, ଗ୍ରାମବାସୀ ଦ୍ୱିପହର ସମୟରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଠିଆ ହୋଇ ରହିଥିଲେ, କେନ୍ରେ ହୋଇଥିବା ଜଳ ସତ୍ୟାଗ୍ରହରେ । ନଦୀଟି ମଧ୍ୟ ପ୍ରଦେଶର ଜବଲପୁରରୁ ବାହାରିଛି ଓ ଏମ୍ପି ଓ ଉତ୍ତର ପ୍ରଦେଶ ଦେଇ ୪୫୦ କିଲୋମିଟର ପ୍ରବାହିତ ହେବା ପରେ ବାନ୍ଦା ଜିଲ୍ଲାର ଚିଲ୍ଲା ଗ୍ରାମଠାରେ ଯମୁନା ସହିତ ମିଶିଛି । ମଥୁରିୟା ଦେବୀଙ୍କ ଗ୍ରାମ – ଯେଉଁଠାରେ ପ୍ରାୟ ୨୦୦୦ ଲୋକ ବାସ କରନ୍ତି – ଏହି ଜିଲ୍ଲାର ତିଣ୍ଡୱାରି ଗ୍ରାମରେ ଅବସ୍ଥିତ ।
ହେଲେ, ଅଳ୍ପ କେତେକ ଗ୍ରାମ ଦେଇ ପ୍ରବାହିତ ହେଉଥିବା କେନ୍ର ଧାର ଏଠାରେ କ୍ରମଶଃ ଶୁଖିବାରେ ଲାଗିଛି- କିଛି ସ୍ଥାନୀୟ ଲୋକ ଏହାର ଉଭୟ କୂଳରେ ଖାଦାନ କରୁଛନ୍ତି । ଏହି ମାଫିଆମାନେ ଦୁଇଟି ବାଲି ଖନନ କମ୍ପାନି ଆନୁକୂଲ୍ୟରେ କାମ କରୁଥିବା କୃଷକମାନେ ଅଭିଯୋଗ କରିଛନ୍ତି । ଏହି ଖନନ ଅନୈତିକ ଅଟେ ବୋଲି ୬୩ ବର୍ଷ ବୟସ୍କ ମଥୁରିୟା ଦେବୀ କୁହନ୍ତି – ଯାହାର କେନ୍ ପାଖରେ ୧ବିଘା ବା ପାଖାପାଖି ଅଧା ଏକର୍ ଜମି ଅଛି । ଏହା ସେମାନଙ୍କ ଚାଷ ଜମି ଓ ଜୀବିକା ବିପନ୍ନ କରୁଥିବା ମଧ୍ୟ ସେ କୁହନ୍ତି ।
“ସେମାନେ ଆମ ଭୂମିରେ ଅତ୍ୟଧିକ ଗଭୀରତା ପର୍ଯ୍ୟନ୍ତ ଖୋଳୁଛନ୍ତି – ପ୍ରାୟ ୧୦୦ଫୁଟ୍ ଗଭୀରତା ପର୍ଯ୍ୟନ୍ତ – ବୁଲ୍ଡୋଜର୍ସ ବ୍ୟବହାର କରି,” ବୋଲି ସେ କୁହନ୍ତି । ଜୁନ୍ ୨ରେ ସେ ମୋ ସହିତ ନଦୀ ପାଖରେ କଥା ହେଉଥିବା ବେଳେ ଦୁଇ ଜଣ ଯୁବକ, ଯେଉଁମାନଙ୍କୁ ସେ ଜାଣନ୍ତି ନାହିଁ, ତାଙ୍କର ଭିଡିଓ ସୁଟିଂ କରୁଥିଲେ । “ସେମାନେ ଆମର ଗଛଗୁଡିକୁ ମାରି ସାରିଲେଣି, ଆଉ ବର୍ତ୍ତମାନ ସେମାନେ ଆମର ନଦୀକୁ ମାରିଦେବାକୁ ବସିଛନ୍ତି, ଏକଦା ଆମେ ଯେଉଁଥିରୁ ଆମ ବ୍ୟବହାର ପାଇଁ ପାଣି ଆଣୁଥିଲୁ । ଆମେ ପୋଲିସ୍ ପାଖକୁ ମଧ୍ୟ ଯାଇଥିଲୁ, ହେଲେ କେହି ମଧ୍ୟ ଆମ କଥା ଶୁଣିଲେ ନାହିଁ । ଆମକୁ ଭୟ ଲାଗୁଛି…’’
ଖାଦାନ ପ୍ରକ୍ରିୟା ବିରୋଧରେ ଚାଲିଥିବା ଏହି ପ୍ରତିରୋଧରେ ମଥୁରିୟା ଓ କ୍ଷୁଦ୍ର ଠାକୁର କୃଷକ ଯେପରିକି ସୁମନ ସିଂ ଗୌତମ ନାମକ ଜଣେ ୩୮ ବର୍ଷୀୟ ବିଧବାଙ୍କ ମଧ୍ୟରେ ସାଧାରଣତଃ ଅସମ୍ଭବ ମନେ ହେଉଥିବା ବନ୍ଧୁତ୍ୱ ସ୍ଥାପନ ହୋଇପାରିଛି । ଖନକମାନେ ତାଙ୍କର ଏକ ଏକର ଜମିର ଗୋଟିଏ ଅଂଶରୁ ବାଲି ବାହାର କରିଛନ୍ତି। “ଏପରିକି ସେମାନଙ୍କୁ ଭୟଭୀତ କରିବା ପାଇଁ ପବନରେ ଗୁଳି ମଧ୍ୟ ଫୁଟାଇଥିଲେ,’’ ବୋଲି ସେ କୁହନ୍ତି ।
ଖପ୍ତିହା କଲାନ୍ ଗ୍ରାମର କୃଷକମାନେ ମୂଖ୍ୟତଃ ଗହମ, ମୁଗ, ସୋରିଷ ଓ ଡାଲି ଉତ୍ପାଦନ କରନ୍ତି । “ମୋର ନିଜସ୍ୱ ୧୫ ବିଶ୍ୱା ଜମିରେ ମୁଁ ସୋର୍ସୋଁ [ ସୋରିଷ] ଫସଲ କରିଥିଲି, ହେଲେ ମାର୍ଚ୍ଚରେ ସେମାନେ ସେ ସବୁକୁ ଖୋଳି ଦେଲେ,” ବୋଲି ସୁମନ କୁହନ୍ତି ।


















