ପଣ୍ଡୁରଙ୍ଗ ଅଡ଼ସୁଲ ଏବଂ ମଜୁରୀ କରିବାକୁ ଆସିଥିବା ଶ୍ରମିକମାନେ ୬୦ ଫୁଟ ଖୋଳିବା ପରେ ବି ମାଟିତଳୁ ‘‘ଗୋଟିଏ ଗ୍ଲାସ ପାଣି’’ ବାହାରିଲାନି। ତାଙ୍କ ବିଧବା ପତ୍ନୀ ଇନ୍ଦୁବାଇ କହିଲେ, ‘‘ସେ ଗାଁକୁ ପାଣି ଆଣିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଏଇଆ ହେଲା।’’
ତାଙ୍କ କପା ଓ ସୋୟାବିନ ଫସଲ ପାଇଁ ପାଣି ଅଭାବ ଯୋଗୁ ତାଙ୍କ ପରିବାର ସବୁବେଳେ ଚିନ୍ତିତ ରହୁଥିଲେ। ଏହାର ସମାଧାନ ଉଦ୍ଦେଶ୍ୟରେ ୨୦୧୨ ମସିହାରେ ଏକ କୂଅ ଖୋଳିବା ପାଇଁ ସେ ସଂକଳ୍ପ ନେଲେ। ଏଥିପାଇଁ ପଣ୍ଡୁରଙ୍ଗ ୧ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ଆଣିଲେ। ଏହା ଛଡା ସଂପର୍କୀୟଙ୍କଠାରୁ ମଧ୍ୟ କିଛି ଟଙ୍କା ଧାର ସୂତ୍ରରେ ଆଣିଥିଲେ। ଯୋଜନା କରିଥିଲେ, କୂଅର ପାଣି ବ୍ୟବହାର କରି ଭଲ ଫସଲ ଉତ୍ପାଦନ କରିବେ ଆଉ ଋଣ ପରିଶୋଧ କରିବେ।
କିନ୍ତୁ ମାଟିରୁ ଆଦୌ ପାଣି ବାହାରିଲାନି। ଏ ହେଉଛି ମହାରାଷ୍ଟ୍ରର ମରୁଡ଼ି ପ୍ରବଣ ଅଞ୍ଚଳ ଓସମାନାବାଦ ଜିଲ୍ଲା କାଲାମ୍ବ ତାଲୁକର ଭୋଗଜୀ ଗାଁ। ପଣ୍ଡୁରଙ୍ଗଙ୍କ ଭିତରେ ଋଣ ଚିନ୍ତା ଧୀରେ ଧୀରେ କୂଅଠାରୁ ଅଧିକ ଗଭୀର ହେଲା। ୨୦୧୪ରେ (ଠିକ କେଉଁ ସମୟର ଘଟଣା ଇନ୍ଦୁବାଇ ମନେ ପକାଇ ପାରିଲେନି) ସେ ଘର ଭିତରେ ରଶି ଲଗାଇ ଦେଲେ। ଇନ୍ଦୁବାଇ କହିଲେ, ‘‘ମୁଁ କ୍ଷେତରେ ଥିଲି। ଜଣେ ପଡୋଶୀ ଦୌଡ଼ି ଦୌଡ଼ି ଯାଇ କହିଲେ ଘରର ଭିତର ପଟୁ ସେ କବାଟ ବନ୍ଦ କରିଦେଇଛନ୍ତି ...’’।
କ୍ଷତିକୁ ନେଇ ମାନସିକ ସ୍ତରରେ ସଂଘର୍ଷ କରୁଥିବା ବେଳେ ତାଙ୍କୁ ଆଉ ଏକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଲା: ସରକାରଙ୍କ ଅଜବ ମାନଦଣ୍ଡ ଯୋଗୁ ଏହି ଆତ୍ମହତ୍ୟା ଗ୍ରହଣୀୟ ହେଲା ନାହିଁ (ଏହାର ଉଦ୍ଦେଶ୍ୟ ଥିଲା ଚାଷୀ ଆତ୍ମହତ୍ୟା ସଂଖ୍ୟା କାଗଜ କଲମରେ କମ୍ ଦର୍ଶାଇବା)। ସରକାରୀ ଗାଇଡ୍ ଲାଇନ୍ ଅନୁସାରେ ପଣ୍ଡୁରଙ୍ଗଙ୍କ ଆତ୍ମହତ୍ୟା ପାଇଁ ଇନ୍ଦୁବାଇ ରାଜ୍ୟ ସରକାରଙ୍କଠାରୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପାଇବେ। ଏଥିରୁ ୩୦ ହଜାର ଟଙ୍କା ନଗଦ ଅର୍ଥ ଏବଂ ୭୦ ହଜାର ଟଙ୍କାର ବ୍ୟାଙ୍କ ଫିକ୍ସ ଡିପୋଜିଟ୍।









