ବଜରଡିହାର ସଙ୍କୀର୍ଣ୍ଣ ଗଳିରେ ପାୱାରଲୁମ୍ (ବିଦ୍ୟୁତ ଚାଳିତ ତନ୍ତ) କର୍କଶ ଶବ୍ଦ ମଧ୍ୟରେ ୱସୀମ ଅକ୍ରମ ନିଜ କାମରେ ବ୍ୟସ୍ତ ରହିଛନ୍ତି। ସେ ୧୪ ବର୍ଷ ବୟସରୁ ଇଟା-ସିମେଣ୍ଟରେ ନିର୍ମିତ ସେହି ଦୁଇ ମହଲା ଘରେ ବୁଣାକାର ଭାବେ କାମ କରିଥାନ୍ତି, ଯାହାକି ଅନେକ ପିଢ଼ି ଧରି ଏହି କାମର ସାକ୍ଷୀ ରହିଛି। ତାଙ୍କ ପରିବାରରେ ଦୀର୍ଘ ଦିନରୁ ବନାରସୀ ଶାଢ଼ୀ ବୁଣିବାର ପରମ୍ପରା ପ୍ରଚଳିତ ହୋଇ ରହିଆସିଛି।
ସେ କୁହନ୍ତି ତାଙ୍କର ଦାଦା-ପରଦାଦା (ଜେଜେବାପା-ଅଣଜେଜେବାପା) ହସ୍ତତନ୍ତରେ ଲୁଗା ବୁଣିବା କାମ କରୁଥିଲେ। କିନ୍ତୁ ତାଙ୍କ ପିଢ଼ିରେ ଅଧିକାଂଶ ପାୱାରଲୁମରେ ହିଁ ଲୁଗା ବୁଣିବା ଶିଖିଛନ୍ତି। ୩୨ ବର୍ଷୀୟ ୱସୀମ କୁହନ୍ତି, “୨୦୦୦ ମସିହା ବେଳକୁ ଏଠାକୁ ପାୱାରଲୁମ ଆସିଥିଲା। ପିଲାଦିନେ ମୁଁ କେବେ ବି ସ୍କୁଲ ଯାଇନାହିଁ ଏବଂ ତନ୍ତରେ ଲୁଗା ବୁଣିବା କାମ ଆରମ୍ଭ କରିଛି।”
ବାରାଣସୀର ବଜରଡିହା ଇଲାକାରେ ୧,୦୦୦ରୁ ଅଧିକ ବୁଣାକାର ପରିବାର (ସ୍ଥାନୀୟ ବୁଣାକାରଙ୍କ ଅନୁମାନ ଅନୁଯାୟୀ) ରହିଥାନ୍ତି ଏବଂ ବୁଣାକାରଙ୍କ କାମ କରିଥାନ୍ତି। ସେମାନେ ରାସନ ପାଇବା, ଋଣ ହାସଲ କରିବା ଏବଂ କ୍ରେତାମାନଙ୍କଠାରୁ ମୋଟା ଅଙ୍କରେ ଅର୍ଡର ପାଇବାରେ ପରସ୍ପରକୁ ସାହାଯ୍ୟ କରିଥାନ୍ତି। ଫଳରେ ସମସ୍ତଙ୍କୁ କାମ ମିଳିପାରିଥାଏ।
କିନ୍ତୁ ମାର୍ଚ୍ଚ ୨୦୨୦ରେ ଲାଗୁ ହୋଇଥିବା ଲକଡାଉନ କାରଣରୁ ତନ୍ତ ଚାଲିବା ବନ୍ଦ ହୋଇଥିଲା। ଏଠାକାର ବୁଣାକାର (ବୁଣାକାର, ତନ୍ତ ମାଲିକ, ଏବଂ ଲୁଗା ବୁଣିବା ବ୍ୟବସାୟରେ କାର୍ଯ୍ୟରତ ଅନ୍ୟ ଲୋକମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ସମ୍ବୋଧନ କରାଯାଏ) ମାନଙ୍କ ପାଖରେ କିଛି କାମ ନଥିଲା। ଶାଢ଼ି ଅର୍ଡର ରଦ୍ଦ କରି ଦିଆଯାଇଥିଲା ଏବଂ ୱାର୍କସପ ବନ୍ଦ କରି ଦିଆଯାଇଥିଲା। ୱସୀମ କୁହନ୍ତି, “ମୋର ସବୁତକ ସଞ୍ଚୟ ଲକଡାଉନର ପ୍ରାରମ୍ଭିକ ୨-୪ ମାସ ମଧ୍ୟରେ ସରିଗଲା। ମୁଁ (ରାଜ୍ୟ ପରିଚାଳିତ) ବୁଣାକାର ସେବା କେନ୍ଦ୍ର ଯାଇ ପଚାରିଥିଲି ଯେ ଆମ ପାଇଁ (ସେହି ଅବଧିରେ) କିଛି ଯୋଜନା ରହିଛି କି; କିନ୍ତୁ କୌଣସି ଯୋଜନା ଆମ ପାଇଁ ସେତେବେଳେ ନଥିଲା।”







