“ଇରାନରେ ଅବସ୍ଥାପିତ ଭାରତୀୟ ଦୂତାବାସ ହ୍ଵାଟ୍ସଆପ ବାର୍ତ୍ତା ଜରିଆରେ ଆମର କୋଭିଡ-19 ପରୀକ୍ଷା ରିପୋର୍ଟ ପଜିଟିଭ କିମ୍ବା ନେଗେଟିଭ ପଠାଇଛି। ଏଥିରେ (କେବଳ ଆମର) ପାସପୋର୍ଟ ନମ୍ବର ରହିଛି। ଆମ ରିପୋର୍ଟ ନେଗେଟିଭ କିମ୍ବା ପଜିଟିଭ ଆସିଛି ସେ ସମ୍ପର୍କରେ ସୁନିଶ୍ଚିତ ହେବାକୁ ଏହା ଆମ ପାଇଁ ପରୀକ୍ଷା ଫଳ [ସିଟ୍] ଜାଣିବାକୁ ନିଜ ରୋଲ ନମ୍ବର ଖୋଜିବା ଭଳି ପରିସ୍ଥିତି ସୃଷ୍ଟି କରିଛି। କିନ୍ତୁ କୌଣସି ପ୍ରକୃତ ରିପୋର୍ଟ ଆମକୁ ଏବେ ବି ଦିଆଯାଇନାହିଁ,” ବୋଲି କୁହନ୍ତି ଶବିର ହୁସେନ ହାକିମି। କେବଳ ଏକ ପଜିଟିଭ ଓ ନେଗେଟିଭ ରାଙ୍କିଙ୍ଗ। ଲଦାଖ କାର୍ଗିଲ ଅଞ୍ଚଳର ୨୯ ବର୍ଷ ବୟସ୍କ ଏହି ଯୁବକ ଜଣକ ଇରାନର କୋମ ସହରରୁ ଆମ ସହିତ କଥା ହେଉଥିଲେ। ସେ ଗତ ଜାନୁଆରୀରେ ନିଜ ମାତାପିତାଙ୍କ ସହିତ ଶିୟା ମୁସଲିମଙ୍କ ପାଇଁ ପବିତ୍ର ସ୍ଥଳୀକୁ ତୀର୍ଥ ଉଦ୍ଦେଶ୍ୟରେ ଯାଇଥିଲେ।
ପ୍ରତିବର୍ଷ ଭାରତରୁ ହଜାର ହଜାର ଶିୟା ମୁସଲିମ ଇରାନରେ ଥିବା ମହାପୁରୁଷ ମହମ୍ମଦଙ୍କ ପରିବାର ସଦସ୍ୟ ଇମାମ ଅଲି, ହୁସେନ ଏବଂ ଅନ୍ୟମାନଙ୍କ ସହିତ ଜଡ଼ିତ ଧର୍ମସ୍ଥଳୀରେ ପ୍ରାର୍ଥନା କରିବାକୁ ଇରାନ ଯାଇଥାନ୍ତି। ଇରାନରେ କରୋନା ଭୂତାଣୁ ମହାମାରୀ ବ୍ୟାପିବା ପରେ ସଂକ୍ରମଣ ଆଶଙ୍କା କରି ସେଠାରୁ ଭାରତକୁ ଆସିବାକୁ ଥିବା ସମସ୍ତ ବିମାନକୁ ରଦ୍ଦ କରି ଦିଆଯାଇଛି। ଫଳରେ ଜମ୍ମୁ, କଶ୍ମୀର, ଲଦାଖ ଓ ମହାରାଷ୍ଟ୍ରର ପାଖାପାଖି ୧,୧୦୦ ତୀର୍ଥଯାତ୍ରୀ ଇରାନର କୋମ ସହରରେ ଫସି ରହିଛନ୍ତି।
“ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆମର ନମୁନା ସଂଗ୍ରହ ଆରମ୍ଭ ହୋଇଥିଲା। ଆମକୁ ପ୍ରତିଶ୍ରୁତି ଦିଆଗଲା ଯେ ଆମର ନମୁନା ପ୍ରଥମେ ପୁନେକୁ ପରୀକ୍ଷଣ ପାଇଁ ପଠାଯିବ, ଏହାପରେ ଅଟକି ରହିଥିବା ସମସ୍ତ ତୀର୍ଥଯାତ୍ରୀଙ୍କୁ ବିମାନ ଯୋଗେ ଉଦ୍ଧାର କରି ଭାରତକୁ ପଠାଇ ଦିଆଯିବ,” ଶବିର କୁହନ୍ତି। ପ୍ରଥମେ ୭୮ ଜଣ ତୀର୍ଥଯାତ୍ରୀଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଭାରତୀୟ ବାୟୁସେନାର ସି-୧୭ ବିମାନ ଯୋଗେ ମାର୍ଚ୍ଚ ୧୦ରେ ଭାରତକୁ ପଠାଇବା ଲାଗି ତେହେରାନ ଡକାଗଲା।
“ମାତ୍ର ଆଶ୍ଚର୍ଯ୍ୟର କଥା, କୌଣସି କାରଣ ଦର୍ଶାନଯାଇ ସେମାନଙ୍କ ମଧ୍ୟରୁ ୧୯ଜଣଙ୍କୁ ପୁଣିଥରେ କୋମକୁ ଫେରାଇ ଦିଆଗଲା”, ବୋଲି କୁହନ୍ତି ଶବିର। ଏହାପରେ, ଲଦାଖର ୨୫୪ ତୀର୍ଥଯାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ଦୂତାବାସ ପକ୍ଷରୁ ଘୋଷଣା କରାଗଲା। ଶବିର କୁହନ୍ତି, “ଭାରତୀୟ ଦୂତାବାସ’’ ପକ୍ଷରୁ “ପଜିଟିଭ ରିପୋର୍ଟ ଆସିଥିବା ଲୋକଙ୍କୁ କ୍ଵାରେଣ୍ଟାଇନରେ ରଖିବା ତ’ ଦୂରର କଥା ଗୋଟିଏ ସାଧାରଣ ମାସ୍କ ମଧ୍ୟ ଦିଆଗଲା ନାହିଁ। ଅନ୍ୟପଟେ, ଆମ ଭିତରୁ କିଛି ଲୋକ ସ୍ଵେଚ୍ଛାକୃତ ଭାବେ ସେମାନଙ୍କୁ କୋମରେ ଥିବା ଏକ ହସ୍ପିଟାଲକୁ ପରୀକ୍ଷା ପାଇଁ ନେଇଗଲୁ। ଆଶା ଥିଲା ଯେ ସେମାନଙ୍କୁ ସେଠାରେ ଭର୍ତ୍ତି କରାଯିବ’’।
କିଛି ଦିନ ପୂର୍ବରୁ ଏହି ରିପୋର୍ଟର ତେହେରାନସ୍ଥିତ ଭାରତୀୟ ଦୂତାବାସକୁ କିଛି ପ୍ରଶ୍ନାବଳୀ ପଠାଇଥିଲେ, ସେ ସମ୍ପର୍କରେ ଏଯାଏ କିଛି ଉତ୍ତର ମିଳିନାହିଁ।








