ଦାଦରର ବ୍ୟସ୍ତବହୁଳ ରାସ୍ତାକଡ଼ରେ ପ୍ରତିଦିନ ସକାଳେ ଏକ ନାଲି ଗାଲିଚା ବିଛାଇଥାନ୍ତି ଶିବମ ସିଂ। ୪/୫ ଫୁଟ ଆକାରର ଏହି ଗାଲିଚା ଉପରେ ସେ ଅତି ସନ୍ତର୍ପଣରେ ପାଞ୍ଚଟି ପ୍ଲାଷ୍ଟିକ ଷ୍ଟୁଲ ରଖିଥାନ୍ତି। ଏହାପରେ ସେ ଷ୍ଟୁଲ ତଳେ ଦେବୀ ଲକ୍ଷ୍ମୀଙ୍କର ଏକ ଫଟୋ ଫ୍ରେମ ରଖିଥାନ୍ତି ଏବଂ ତା’ନିକଟରେ ଏକ ଧୂପ କାଠି ଜଳାଇଥାନ୍ତି।
ଏକ ଅଶ୍ୱତ୍ଥ ଗଛ ତଳେ ସେ ନିଜର ଦୋକାନ ଖୋଲିଛନ୍ତି, ସେହି ଗଛର ଶାଖାରେ ଝୁଲୁଥିବା ଏକ ବ୍ୟାନରରେ ଲେଖା ରହିଥାଏ ‘ଶିବମ ମେହେନ୍ଦି ଆର୍ଟିଷ୍ଟ’। ଏହି ବ୍ୟାନର ସମେତ ସେ ଷ୍ଟୁଲ ଉପରେ କେତେକ ଫଟୋ ଆଲବମ ରଖିଥାନ୍ତି ଯେଉଁଥିରେ ମେହେନ୍ଦି ଲଗା ହାତ ଓ ପାଦର ଫଟୋ ରହିଥାଏ। ଏହାପରେ ଶିବମ ନିଜର ପ୍ରଥମ ଗ୍ରାହକଙ୍କୁ କୌଣସି ଏକ ଡିଜାଇନ ଚୟନ କରିବା ଲାଗି କହିଥାନ୍ତି-ଫୁଲ, ଆଳଙ୍କାରିକ ଡିଜାଇନ, ପତ୍ର ସହିତ ଫୁଲର ଭିନ୍ନ ଭିନ୍ନ ଡିଜାଇନ କିମ୍ବା ବେଳେ ବେଳେ ଗ୍ରାହକଙ୍କ ହାତ ଅନୁଯାୟୀ ଡିଜାଇନର ମେହେନ୍ଦି ସେ ଆଙ୍କିଥାନ୍ତି। “କେହି ଜଣେ ଆସିବେ….” ସେ କୁହନ୍ତି, ସେଦିନ ଗ୍ରାହକ ଆସିବା ନେଇ ତାଙ୍କ ମନରେ ଆଶା ରହିଥାଏ।
ଏଠାରୁ ୨୦୦ ମିଟର ଦୂରରେ, ରାଣାଡେ ରୋଡଠାରେ ଶିବା ନାୟକ ମଧ୍ୟ ଏକ ଦୋକାନ ଖୋଲିଛନ୍ତି, ଏହି ସ୍ଥାନ କେନ୍ଦ୍ରୀୟ ମୁମ୍ବାଇ ଉପନଗର ରେଳ ଷ୍ଟେସନଠାରୁ ଅଳ୍ପ ଦୂରରେ ରହିଛି। ପ୍ଲାଷ୍ଟିକ କାହାଳୀ ଭିତରେ ହିନା ପେଷ୍ଟ ଭର୍ତ୍ତି କରି ତାଙ୍କର ଦିନ ଆରମ୍ଭ ହୋଇଥାଏ। ଏହି ଦୁଇ କଳାକାର ଯେଉଁ ଫୁଟପାଥ ଉପରେ ସେମାନଙ୍କର ଦୋକାନ କରିଛନ୍ତି, ତାହା ଦିନ ସାରା ଖୁବ ଜନଗହଳିପୂର୍ଣ୍ଣ ରହିଥାଏ। ଅନ୍ୟ ପ୍ରବାସୀମାନେ ମଧ୍ୟ ଏଠାରେ ବିଭିନ୍ନ ସାମଗ୍ରୀ ଓ ସେବାର କାରବାର କରିଥାନ୍ତି-ସୋଲାପୁରର ଫୁଲ ଦୋକାନୀ, ଅଳଙ୍କାର ମରାମତି କରୁଥିବା ଲକ୍ଷ୍ନୌର ଜଣେ ବ୍ୟକ୍ତି, କୋଲକାତାର ଜୋତା ବିକ୍ରେତା ଏବଂ ଆଇସକ୍ରିମ ବିକ୍ରି କରୁଥିବା ରାଜସ୍ଥାନର ଜଣେ ବ୍ୟକ୍ତି।





