ସାଥୀ ମନି ରାତି ପାଇଁ ପ୍ରସ୍ତୁତ ହେବା ସମୟରେ ସେ ନିଜ ଘର ଚାରିପାଖକୁ ଦେଖନ୍ତି ଏବଂ ଏକ ଦ୍ରୁତ ଯାଞ୍ଚ କରନ୍ତି: ତାଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଭଲ ପୋଷାକପତ୍ରଗୁଡ଼ିକ ପ୍ଲାଷ୍ଟିକ୍ରେ ଗୁଡ଼ାଯାଇ କାନ୍ଥରେ ଝୁଲିଛି; ରୋଷେଇ ବାସନ ଚଟାଣରୁ ଦୁଇ ଫୁଟ୍ ଉଚ୍ଚରେ ଥିବା ସିମେଣ୍ଟ୍ ସ୍ଲାବ୍ ଉପରେ ରହିଛି ।
କେରଳର କୋଚିଠାରେ ଥିବା ଥେବରା- ପେରାନ୍ଦୁର କେନାଲ କଡ଼ରେ ଥିବା ଗାନ୍ଧିନଗର ପି ଆଣ୍ଡ୍ ଟି କଲୋନୀର ୬୫ ବର୍ଷ ବୟସ୍କ ବାସିନ୍ଦା (ଟିପି)ସାଥୀ କହିଲେ, ‘‘ଅନେକ ସମୟରେ ମୁଁ ରାତି ୨ଟାରେ ମଧ୍ୟ ଉଠିଯାଏ, ଦେଖେ ମୋ ଘରେ ପାଣି ଭାସୁଛି । ମୁଁ ଅନେକ ତକିଆ ଓ ବେଡ୍ସିଟ୍ ହରେଇଛି, ଯେଉଁଗୁଡ଼ିକ ସଫା କରିବା ପରେ ମଧ୍ୟ କଳାଦାଗ ଏବଂ ଦୁର୍ଗନ୍ଧ ଯାଏ ନାହିଁ, ମୋତେ ସେଗୁଡ଼ିକ ଫିଙ୍ଗିବାକୁ ହୋଇଥାଏ ।
ଟିପି କେନାଲ ପେରାନ୍ଦୁର ପୁଝାଠାରୁ ଉତ୍ତରରେ ଥେବରାଠାରୁ ଦକ୍ଷିଣରେ କୋଚି ପର୍ଯ୍ୟନ୍ତ ପ୍ରବାହିତ। ଏହା ସହରର ସ୍ଥିର ଜଳରେ ମିଶିବା ପୂର୍ବରୁ ପ୍ରାୟ ୯.୮୪ କିଲୋମିଟର ଯାତ୍ରା କରିଥାଏ । ଏହି କେନାଲ ହେଉଛି କୋଚିରେ ପ୍ରବାହିତ ହେଉଥିବା ଛଅଟି ମୁଖ୍ୟ ଜଳପଥ ମଧ୍ୟରୁ ଅନ୍ୟତମ । ଅନ୍ୟଗୁଡ଼ିକ ହେଉଛି ଇରାପାଲି କେନାଲ, ଚିଲାଭନୁର୍ କେନାଲ, ଥେବରା କେନାଲ ଏବଂ ମାର୍କେଟ୍ କେନାଲ୍; ଏର୍ନାକୁଲମ୍ରେ ଏବଂ ଏହାର ଆଖପାଖରେ ଟ୍ରାଫିକ୍ ଗହଳିକୁ ସହଜ କରିବା ପାଇଁ ରାଜ୍ୟ ଏଗୁଡ଼ିକୁ ଜଳପଥ ଭାବରେ ପ୍ରୋତ୍ସାହିତ କରିବାକୁ ଯୋଜନା କରିଥାଏ ।
ଗତ ତିନି ଦଶକ ମଧ୍ୟରେ କୋଚିର ଜନସଂଖ୍ୟା ଦୁଇ ଗୁଣିତ ହୋଇ ୨.୧ ନିୟୁତରେ ପହଞ୍ଚିଛି, ଏକ ମିଟରରୁ କମ୍ ଗଭୀର ଟିପି କେନାଲ ଏକ ଖୋଲା ନର୍ଦ୍ଦମା ପାଲଟିଛି; ଏହା ମେଟ୍ରୋ ନିର୍ମାଣ କାର୍ଯ୍ୟ ଏବଂ ଜଳ ପ୍ରବାହ ଅଭାବ କାରଣରୁ ଦୁଇଟି ସ୍ଥାନରେ ଅବରୁଦ୍ଧ ହୋଇଛି । କେନାଲ କଡ଼ରେ ଥିବା ଡାକ୍ତରଖାନା, ସ୍ଥାନୀୟ ବଜାର, ଶିଳ୍ପ ଏବଂ ଘରମାନଙ୍କର ବର୍ଜ୍ୟ ସିଧାସଳଖ ଏଥିରେ ମିଶୁଛି । ପ୍ରାୟ ୬୩୨ ଆଉଟ୍ଲେଟ୍ ପାଇପ୍ ଏବଂ ୨୧୬ ଷ୍ଟ୍ରିଟ୍ ଡ୍ରେନେଜ୍ ଚ୍ୟାନେଲ୍ ଅଶୋଧିତ ବର୍ଜ୍ୟ, ଔଦ୍ୟୋଗିକ ବର୍ଜ୍ୟ ଏବଂ ବର୍ଷା ଜଳ କେନାଲ ମଧ୍ୟକୁ ଛାଡ଼ନ୍ତି । କୂଳରେ ଶୁଷ୍କ ବର୍ଜ୍ୟ ଜମା ହୋଇ ରହିଥିବାରୁ ଏହି କେନାଲ କେତେକ ସ୍ଥାନରେ ଆଠ ମିଟରରୁ କମ୍ ହୋଇଯାଇଛି ।
ସାଥିଙ୍କ ଘର, ଏର୍ନାକୁଲମ୍ ଜଙ୍କସନ୍ ରେଲୱେ ଷ୍ଟେସନ୍ ପଛ ପଟେ ଥିବା ପି ଆଣ୍ଡ୍ ଟି କଲୋନୀରେ ଥିବା ଅନ୍ୟ ସମସ୍ତଙ୍କ ଘର ପରି କେନାଲ କୂଳରେ ରହିଛି । ଏହି କଲୋନୀ ପ୍ରାୟ ୨୫୦ ମିଟର ପୋରାମ୍ବୋକେ ଜମି (ଅନାଦାବୀ ଜମି ଯାହା ସରକାରଙ୍କ ସମ୍ପତ୍ତି କିମ୍ବା ସାର୍ବଜନୀନ ଉଦ୍ଦେଶ୍ୟ ପାଇଁ ସଂରକ୍ଷିତ) ଅକ୍ତିଆର କରିଛି । ବାସିନ୍ଦାମାନେ କୁହନ୍ତି, ‘‘ପାରାମ୍ବୋକେ ଜମିରେ ଏକ ଅସ୍ଥାୟୀ ଘର ତିଆରି କରିବା ଘର ଭଡ଼ା ନେବାଠାରୁ ଅଧିକ ଶସ୍ତା । ସମୟ କ୍ରମେ, ସେମାନେ କଂକ୍ରିଟ୍ ବ୍ଲକ୍ ଏବଂ ସ୍ଥାନୀୟ ପାଦ୍ରୀଙ୍କ ଦ୍ୱାରା ଦାନ କରାଯାଇଥିବା ଟିଣ ଛାତ ବ୍ୟବହାର କରି ସେମାନେ ସେମାନଙ୍କର ଚାଳ ଏବଂ ତାର୍ପୋଲିନ୍ ଘରକୁ ଅର୍ଦ୍ଧ ପକ୍କା ଘରରେ ପରିଣତ କରିଥିଲେ ।










