ଗୋଟିଏ ଛେଳି ଓ ତାର ମାସକର ଛୁଆକୁ ଧରି ହାଟରେ କିଣାଳିଙ୍କୁ ଅପେକ୍ଷା କରିଥିଲେ ବିଠବ ଯାଦବ। ଏ ହେଉଛି ସତାର ଜିଲ୍ଲା ମନ ତାଲୁକର ମହସ୍ୱାଦ ସହରର ଛେଳି ବଜାର। ଗୋଟିଏ ପାସେଞ୍ଜର ଜିପ୍ରେ ଛେଳିଙ୍କୁ ଧରି ସକାଳ ପ୍ରାୟ ୧୦ଟା ୩୦ରେ ପହଞ୍ଚିଗଲେ।
ଗୋଟିଏ ଦୁହାଁଳିଆ ଛେଳି ପ୍ରାୟ ୭,୦୦୦ ରୁ ୮,୦୦୦ ଟଙ୍କାରେ ଏଠି ବିକ୍ରି ହୁଏ। କିନ୍ତୁ ୮୦ ବର୍ଷୀୟ ଯାଦବ ନିଜ ଛେଳିର ଦାମ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ଖସେଇ ଦେବାକୁ ଚାହୁଁଛନ୍ତି। ତଥାପି ଛେଳିଟି ବିକ୍ରି ହୋଇପାରୁନି। ଏଠାରୁ ୧୬ କିଲୋମିଟର ଦୂର ଭାଲାଇ ଗାଁରୁ ସେ ଆସିଛନ୍ତି। ଗାଁକୁ ଫେରିଯିବା ପାଇଁ ଜିପ୍ ଧରିବାକୁ ତରତର ହେଉଥିଲେ। ହତାଶ ଭାବରେ କହିଲେ, ‘‘ମୂଲଚାଲ କଥା ଛାଡ, କେହି ପାଖକୁ ଆସିଲେନି କି ଦାମ୍ ବି ପଚାରିଲେନି।’’




