ଯେତେବେଳେ ମାର୍ଚ୍ଚ ୬ରେ ନାସିକରୁ କୃଷକଙ୍କ ପଦଯାତ୍ରା ଆରମ୍ଭ ହେଲା, ଆଗରେ ଥିଲେ ୬୦ ବର୍ଷ ବୟସ୍କା ରୁକ୍ମାବାଇ ବେନ୍ଦକୁଲେ। ତାଙ୍କ ଘର ଦିଣ୍ଡୋରି ତାଲୁକର ଦୋଣ୍ଡେଗାଓଁରେ। ଏକ ଲାଲ୍ ପତାକା ହାତରେ ଧରି ସେ ଖୁବ ଦୃଢ ଭାବେ ନାଚୁଥିଲେ। ଏହି ପଦଯାତ୍ରାରେ ହଜାରହଜାର ମହିଳା ଚାଷୀ ସାମିଲ ହୋଇଥିଲେ। ୧୮୦ କିଲୋମିଟର ବାଟ ଖରା ତାତିରେ ପାଦରେ ଚାଲିଚାଲି ମୁମ୍ବାଇକୁ ଆସିଥିଲେ। କିଛି ମହିଳାଙ୍କ ପାଦରେ ଚପଲ ମଧ୍ୟ ନଥିଲା। କିଛି ମହିଳାଙ୍କ ସହ ତାଙ୍କ ଛୁଆ ଥିଲେ ଆଉ କିଛି ମହିଳା ସେମାନଙ୍କ ନାତି ନାତୁଣୀଙ୍କୁ ସାଙ୍ଗରେ ଆଣିଥିଲେ, ଯେଉଁମାନଙ୍କୁ ଘରେ ଛାଡି ଆସିବା ସମ୍ଭବ ନୁହେଁ।
ଆଦିବାସୀ ମହିଳା ଚାଷୀମାନେ ନାସିକ, ପାଲଘର, ହଦନୁ, ଅହମଦନଗର ଏବଂ ଅନ୍ୟ ଜିଲ୍ଲାର। ଏମାନେ ମରାଠାୱାଡ଼ା ଏବଂ ବିଦର୍ଭରୁ ଆସିଥିବା ମହିଳା ଚାଷୀଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ। ଏମାନଙ୍କ ସଂଖ୍ୟା ଖୁବ ଅଧିକ ଥିଲା। ଆଦିବାସୀ ପରିବାରଗୁଡିକ ପ୍ରାୟ ଅଳ୍ପ ଜମିର ମାଲିକ। ସେଥିପାଇଁ ମହିଳା ଆଦିବାସୀ ଚାଷୀମାନେ ପ୍ରାୟ ଅନ୍ୟ ଲୋକଙ୍କ କୃଷି କ୍ଷେତରେ ଶ୍ରମିକ ଭାବେ କାମ କରିଥାନ୍ତି। ସପ୍ତାହେ ବ୍ୟାପୀ ଏହି ଲମ୍ବା ପଦଯାତ୍ରାରେ ସାମିଲ ହୋଇ ଏମାନେ ତାଙ୍କ ମାସିକ ରୋଜଗାରର ଏକ ଚତୁର୍ଥାଂଶ ହରାଇ ସାରିଲେଣି।
ପିପୁଲ୍ସ ଆର୍କାଇଭ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ପି. ସାଇନାଥ କହନ୍ତି, “ ଚାଷର ଅଧିକାଂଶ କାର୍ଯ୍ୟ (ବୁଣିବା, ରୋଇବା, କାଟିବା, ଅମଳ କରିବା, ଜମିରୁ ଘରକୁ ବୋହି ଆଣିବା, ଖାଦ୍ୟ ପ୍ରକ୍ରିୟାକରଣ, ଗୋପାଳନ) ମହିଳାମାନେ କରିଥାନ୍ତି। କିନ୍ତୁ ଆଇନଗତ ସ୍ଥିତି ଥିଲେ ମଧ୍ୟ ମହିଳାମାନଙ୍କୁ ଜମିର ମାଲିକାନା ଅଧିକାର ଦେବାକୁ ଏବଂ ତାଙ୍କୁ ଚାଷୀ ଭାବେ ଗ୍ରହଣ କରିବାକୁ ଆମେ ନାରାଜ। ”
ଅଖିଳ ଭାରତୀୟ କିଷାନ ସଭା ଦ୍ୱାରା ଏହି ପଦଯାତ୍ରାର ଆୟୋଜନ କରାଯାଇଥିଲା। ନିଜ ଅଧିକାର ଦାବି କରି ଉଭୟ ମହିଳା ଏବଂ ପୁରୁଷ ଚାଷୀମାନେ ରାସ୍ତାକୁ ଓହ୍ଲାଇଥିଲେ। ଅନ୍ୟାନ୍ୟ ଦାବି ମଧ୍ୟରେ ଥିଲା ଜଙ୍ଗଲ ଅଧିକାର ଆଇନ ୨୦୦୬ ଲାଗୁ କରିବା। ଏହି ଆଇନ କାର୍ଯ୍ୟକାରୀ ହେଲେ ସେମାନେ ଦଶନ୍ଧି ଦଶନ୍ଧି ଧରି ଚାଷ କରୁଥିବା ଜମିର ମାଲିକାନା ପାଇବେ।
କିଛି ମହିଳା ଚାଷୀଙ୍କ ସଂପର୍କରେ