ଯାହାକୁ ମିଡିଆ ଖୋଲାଖୋଲି ଭାବରେ ସ୍ୱୀକାର କରିପାରିବ ନାହିଁ ଯେ ଏହା ହେଉଛି ବିଶ୍ୱରେ ବହୁ ବର୍ଷ ପରେ ହୋଇଥିବା ସର୍ବ ବୃହତ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ବିକ୍ଷୋଭ - ନିଶ୍ଚିତରୂପେ ମହାମାରୀ ସମୟରେ ସଂଗଠିତ ହୋଇଥିବା - ଏକ ବୃହତ୍ ବିଜୟ ହାସଲ କରିଛି।
ଏକ ବିଜୟ ଯାହା ଏକ ଉତ୍ତରାଧିକାରୀ ବହନ କରେ। ସମସ୍ତ ପ୍ରକାରର କୃଷକ, ପୁରୁଷ ଏବଂ ମହିଳା- ଆଦିବାସୀ ଏବଂ ଦଳିତ ସମ୍ପ୍ରଦାୟର ମଧ୍ୟ - ଏହି ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବଂ ଆମର ସ୍ୱାଧୀନତାର ୭୫ ତମ ବର୍ଷରେ, ଦିଲ୍ଲୀର ଗେଟରେ କୃଷକମାନେ ସେହି ମହାନ ସଂଗ୍ରାମର ଆବେଗକୁ ଦୋହରାଇଲେ।
ପ୍ରଧାନମନ୍ତ୍ରୀ ମୋଦି ଚଳିତ ମାସ ୨୯ ତାରିଖରୁ ସଂସଦର ଆସନ୍ତା ଶୀତକାଳୀନ ଅଧିବେଶନରେ ଚାଷ ଆଇନକୁ ଖାରଜ ଏବଂ ପ୍ରତ୍ୟାହାର କରୁଛନ୍ତି ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ “ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ କିଛି ବର୍ଗର କୃଷକଙ୍କୁ ପ୍ରବର୍ତ୍ତାଇବାରେ" ବିଫଳ ହେବା ପରେ ସେ ଏହା କରୁଛନ୍ତି। ମନେରଖ ଯେ କେବଳ ଏକ ଗୋଷ୍ଠିକୁ ସେ ବୁଝାଇବାରେ ବିଫଳ ହୋଇଥିଲେ ଯେ ଏହି ତିନୋଟି ବିବାଦୀୟ ଆଇନ ବାସ୍ତବରେ ସେମାନଙ୍କ ପାଇଁ ଭଲ। ଏହି ଐତିହାସିକ ସଂଗ୍ରାମରେ ମୃତ୍ୟୁବରଣ କରିଥିବା ୬୦୦ ରୁ ଅଧିକ ଚାଷୀଙ୍କ ପାଇଁ କିମ୍ବା ସେମାନଙ୍କ ବିଷୟରେ ପଦୁଟିଏ ବି କହି ନଥିଲେ। ତାଙ୍କର ବିଫଳତା, ସେ ଏହା ସ୍ପଷ୍ଟ କରିଛନ୍ତି ଯେ କେତେକ ନିର୍ଦ୍ଦିଷ୍ଟ ’କୃଷକ ସଂଗଠନକୁ" ଏହାର ସୁଫଳ ବିଷୟରେ ବୁଝାଇ ନପାରିବାର ଦକ୍ଷତାର ଅଭାବ ରହିଗଲା। ଏହି ଆଇନଗୁଡିକ କିମ୍ବା ମହାମାରୀ ସମୟରେ ସେମାନଙ୍କୁ ଅସୁବିଧାରେ ପକାଇବା ପାଇଁ ତାଙ୍କ ସରକାରର ସମସ୍ତ ପ୍ରଚେଷ୍ଟାର ବିଫଳତା ବିଷୟରେ କିଛି କହିଲେ ନାହିଁ।
ଠିକ୍ ଅଛି, ଖଲିସ୍ତାନିମାନେ, ଦେଶ ବିରୋଧିମାନେ, ନକଲି କାର୍ଯ୍ୟକର୍ତ୍ତା ଯେଉଁମାନେ କି ନିଜକୁ କୃଷକ ବୋଲି ଦର୍ଶାଉଥିଲେ, ସେହିମାନେ ହିଁ "ଏକ ନିର୍ଦ୍ଦିଷ୍ଟ ଗୋଷ୍ଠିର" କୃଷକ ଭାବରେ ବିବେଚିତ ହେଉଥିଲେ ଯେଉଁମାନେକି ଶ୍ରୀଯୁକ୍ତ ମୋଦିଙ୍କର ଯାଦୁର ବଶବର୍ତ୍ତୀ ହୋଇନଥିଲେ। ପ୍ରରୋଚିତ ହେବାକୁ ମନାକଲେ? ପ୍ରରୋଚିତ କରିବାର ପ୍ରକ୍ରିୟା ଓ ପଦ୍ଧତି କ’ଣ ଥିଲା? ସେମାନଙ୍କର ଅଭିଯୋଗ ଜଣାଇବାକୁ ରାଜଧାନୀ ଯିବା ସମୟରେ ସେମାନଙ୍କୁ ସେଠାରେ ପ୍ରବେଶ କରାଇନଦେବା? ଖାତ ଓ କଣ୍ଟା ତାର ଦ୍ୱାରା ସେମାନଙ୍କର ରାସ୍ତା ଅବରୋଧ କରିବା? ସେମାନଙ୍କୁ ପାଣି ମାଡ଼ କରିବା? ସେମାନଙ୍କର କ୍ୟାମ୍ପକୁ ରାଜନୈତିକ କାରାଗାରରେ ପରିଣତ କରିବା? ପାଳିତ ମିଡିଆ ଦ୍ୱାରା ସେମାନଙ୍କୁ ପ୍ରତ୍ୟେକ ଦିନ ନିନ୍ଦା କରିବା? ସେମାନଙ୍କ ଉପରେ ଗାଡ଼ି ଚଢାଇ ଦେବା-ଆରୋପ ଅନୁସାରେ ଏକ କେନ୍ଦ୍ର ମନ୍ତ୍ରୀ କିମ୍ବା ତାଙ୍କ ପୁଅଙ୍କ ମାଲିକାନାରେ ଥିବା? ତାହା କ’ଣ ସରକାରଙ୍କର ପ୍ରବର୍ତ୍ତାଇବାର ଉପାୟ? ଯଦି ସେଗୁଡ଼ିକ ତାଙ୍କର ‘ସର୍ବୋତ୍ତମ ପ୍ରଚେଷ୍ଟା’ ହୋଇଥିବ ତେବେ ଆମେ ତାଙ୍କର ସମସ୍ତ ଅତ୍ୟନ୍ତ ଖରାପ ପ୍ରଚେଷ୍ଟାଗୁଡିକୁ ଦେଖିବାକୁ ଘୃଣା କରିବୁ।











