ଯେଉଁଦିନମାନଙ୍କରେ ଜୟଲକ୍ଷ୍ମାମ୍ମା କାମ ପାଆନ୍ତି, ସେଦିନ ୧୨ ଘଣ୍ଟାର ପରିଶ୍ରମ ପରେ ସେ ଜେଲ୍ମାନଙ୍କରେ ଅପରାଧିମାନଙ୍କୁ ଦିଆଯାଉଥିବା ଭାତର ଏକଚତୁର୍ଥାଂଶଠାରୁ କମ୍ ପାଇବାକୁ ସକ୍ଷମ ହୋଇଥାନ୍ତି। ପ୍ରକୃତରେ କହିବାକୁ ଗଲେ, ସେ ସାରାଦିନରେ ଯେତିକି ଭାତ ଖାଇବାକୁ ପାଆନ୍ତି ତାହା ଜଘନ୍ୟ ଅପରାଧୀମାନେ ପାଉଥିବା ଗୋଟିଏ ଭୋଜନଠାରୁ ବି କମ୍।
ଜୟଲକ୍ଷ୍ମାମ୍ମା ଜେଲ୍ରେ ଜଣେ ଅପରାଧୀ ନୁହଁନ୍ତି। ସେ ଜଣେ ନାମମାତ୍ର କୃଷକ ଯାହାଙ୍କ ସ୍ୱାମୀ ଏଚଏମ୍ କ୍ରିଷ୍ଣା ୪୫ବର୍ଷ ବୟସରେ ଚାରିବର୍ଷ ତଳେ ଆତ୍ମହତ୍ୟା କରିଥିଲେ। ସେମାନେ ମାଣ୍ଡ୍ୟା ଜିଲ୍ଲାର ହୁଲୁଗାନାହାଲ୍ଲି ଗ୍ରାମର ବାସିନ୍ଦା। କର୍ଣ୍ଣାଟକରେ ୨୦୦୩ କୃଷକ ଆତ୍ମହତ୍ୟା ସମୟରେ ଏହି ଜିଲ୍ଲା ସବୁଠାରୁ କଦର୍ଯ୍ୟ ଭାବରେ ପ୍ରଭାବିତ ହୋଇଥିଲା। ଏହି ଅବସ୍ଥାରେ ତାଙ୍କର ବିପିଏଲ୍ (ଦାରିଦ୍ର୍ୟ ସୀମାରେଖା ତଳେ) କାର୍ଡ ତାଙ୍କୁ ମାସିକ ମାତ୍ର ୪କେଜି ଚାଉଳ (ଏବଂ ଗୋଟିଏ କେଜି ଗହମ) ଦେଇଥାଏ। ଏକଥା ସତ ଏହି ୪କେଜି ରାଜ୍ୟ ଦ୍ୱାରା ସବ୍ସିଡିରେ ମିଳେ। କିନ୍ତୁ ସେ ଚାଲୁ ବଜାର ଦରରେ ଏହାଠାରୁ ଅଧିକ କିଣିବାକୁ ସକ୍ଷମ ହେବେ ନାହିଁ। ସେ ସାରା ଭାରତର ଏକଲକ୍ଷରୁ ଅଧିକ ମହିଳାଙ୍କ ମଧ୍ୟରେ ସାମିଲ ଯେଉଁମାନେ ଗତ ୧୪ବର୍ଷ ମଧ୍ୟରେ କୃଷି ବିପର୍ଯ୍ୟୟ କାରଣରୁ ସୃଷ୍ଟି ହୋଇଥିବା ଆତ୍ମହତ୍ୟାରେ ନିଜନିଜର ସ୍ୱାମୀମାନଙ୍କୁ ହରାଇଛନ୍ତି।
ଏହି ଜିଲ୍ଲାର କୃଷକ ପରିବାରରୁ ଆସିଥିବା ଟି ଯଶୱନ୍ତ କୁହନ୍ତି, ‘‘ମାସକୁ ଚାରି କେଜି ଅର୍ଥ ଦିନକୁ ୧୩୫ ଗ୍ରାମ’’। ସେ ଷ୍ଟୁଡେଣ୍ଟ ଫେଡ଼େରେସନ ଅଫ୍ ଇଣ୍ଡିଆର ମଧ୍ୟ ଜଣେ ରାଜ୍ୟ ଉପସଭାପତି। ସେ କୁହନ୍ତି, ‘‘ଜଣେ ବିଚାରାଧୀନ ବନ୍ଦୀ କିମ୍ବା ଅଭିଯୁକ୍ତ ଅଧିକ ପାଆନ୍ତି’’। ପୁଣି ସେମାନେ ରନ୍ଧା ଭାତ ପାଆନ୍ତି। ସେ କିନ୍ତୁ ଚାଉଳ ପାଆନ୍ତି। ରାଜ୍ୟରେ ଜେଲ୍ର ଖାଦ୍ୟ ଜଣେ ବନ୍ଦୀ ‘‘ଅନ୍ନଭୋଜନ’’, ‘‘ବାଜରା ଭୋଜନ’’ କିମ୍ବା ‘‘ଚପାତି ଭୋଜନ’’ ଗ୍ରହଣ କରୁଛନ୍ତି ସେ ଅନୁଯାୟୀ ପରିବର୍ତ୍ତିତ ହୋଇଥାଏ। ବାଙ୍ଗାଲୋରର ଜେଲ୍ ଅଧିକାରୀମାନେ ଦି ହିନ୍ଦୁ କୁ କହିଥିଲେ, ‘‘ଯେଉଁମାନେ ଅନ୍ନଭୋଜନ ବାଛିଥାନ୍ତି ଏବଂ ସଶ୍ରମ କାରାଦଣ୍ଡରେ ଥାଆନ୍ତି ଭୋଜନ ପିଛା ୭୧୦ ଗ୍ରାମ ରନ୍ଧା ଭାତ ପାଆନ୍ତି। ଯେଉଁମାନେ ଅଣ ଭାତ ଭୋଜନରେ ଥାଆନ୍ତି, ସେମାନେ ୨୯୦ ଗ୍ରାମ ଭାତ ପାଆନ୍ତି। ବିଚାରାଧୀନ ବନ୍ଦୀ ଏବଂ ସାଧାରଣ କାରାଦଣ୍ଡରେ ଥିବା ବ୍ୟକ୍ତି [ଯେଉଁମାନେ ଅନ୍ନ ଭୋଜନରେ ଅଛନ୍ତି] ଭୋଜନ ପିଛା ୫୦୫ ଗ୍ରାମ ଭାତ ପାଆନ୍ତି।’’
ସଶ୍ରମ କାରାଦଣ୍ଡରେ ଦଣ୍ଡିତ ବନ୍ଦୀମାନେ ଦିନରେ ଆଠଘଣ୍ଟା ପରିଶ୍ରମ କରନ୍ତି। ଜୟଲକ୍ଷ୍ମାମ୍ମା ୧୨ଘଣ୍ଟା କିମ୍ବା ଏହାଠାରୁ ଅଧିକ କରନ୍ତି। ଶ୍ରୀ ଯଶଓ୍ୱନ୍ତ ଏହା ସୂଚିତ କରି କୁହନ୍ତି, ‘‘ସେ କିନ୍ତୁ ଦିନରେ ୩ଥର ୪୫ ଗ୍ରାମ ପାଇବାକୁ ଯୋଗ୍ୟ’’। କିନ୍ତୁ ତାଙ୍କ ପାଖରେ ତୁଳନା କରିବାକୁ ସମୟ ନାହିଁ। ତାଙ୍କ ଝିଅ ବର୍ତ୍ତମାନ ବାଙ୍ଗାଲୋରର ଏକ ପୋଷାକ କମ୍ପାନୀରେ କେବଳ ସ୍ୱଳ୍ପ ମଜୁରୀରେ କାମ କରୁଛି। ସେ ତାଙ୍କ ଗାଁରେ ଆମକୁ କହିଥିଲେ, ‘‘ଅତି ବେଶୀରେ ସେ ଆମକୁ ବର୍ଷକୁ ୫୦୦ଟଙ୍କା ପଠାଇପାରିବ। ଘରେ ସେ ଏବଂ ତାଙ୍କ ପୁଅ ରହୁଛନ୍ତି। ବିପିଏଲ୍ କାର୍ଡରେ ମିଳିତ ଭାବରେ ସେମାନେ ଦିନକୁ ୨୭୦ ଗ୍ରାମ ଲେଖାଏଁ ପାଇବାକୁ ଯୋଗ୍ୟ। ଅର୍ଥାତ୍ ସେମାନେ ଏକାଠି ଜଣେ ବନ୍ଦୀଙ୍କ ‘‘ବାଜରା ଭୋଜନ’’ରେ ମିଳୁଥିବା ୨୯୦ ଗ୍ରାମ କିମ୍ବା ଏହାଠାରୁ ଅଧିକ ମିଳୁଥିବା ଭାତଠାରୁ ବି କମ୍ ଖାଇବାକୁ ପାଆନ୍ତି।




