ଜୀବନ ଆମକୁ ଯାହା କିଛି ଶିକ୍ଷା ଦିଏ, ତା ପଛରେ ଥାଏ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ। ରୀତା ଆକ୍କାଙ୍କ ସଂପର୍କରେ ସବୁକିଛି କେବଳ ଏହାର ହିଁ ପରିପ୍ରକାଶ। ଦିବ୍ୟାଙ୍ଗ (ସେ କହି ପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ) ରୀତା ଆକ୍କା ଜଣେ ବିଧବା ସଫେଇ କର୍ମଚାରୀ। ତାଙ୍କର ଜଣେ ୧୭ ବର୍ଷ ବୟସର ଝିଅ ଅଛି, ଯେ କି ନିଜ ଜେଜେମାଙ୍କ ପାଖକୁ ଚାଲିଯାଇଛି। ୪୨ ବର୍ଷୀୟା ଏହି ମହିଳାଙ୍କ ଜୀବନରେ ଏବେ କେବଳ ଶୂନ୍ୟତା ହିଁ ଶୂନ୍ୟତା। କିନ୍ତୁ ଏହା ଆଗରେ ସେ ହାର ମାନିନାହାନ୍ତି।
ଆଖପାଖ ଲୋକେ ତାଙ୍କୁ ରୀତା ଆକ୍କା (ବଡ଼ ଭଉଣୀ) ବୋଲି ଡାକନ୍ତି। ଅବଶ୍ୟ କେତେକ ପଡୋଶୀ ତାଙ୍କୁ ଉମଚୀ (ଜାଡ଼ି) (ଶୁଣିପାରୁନଥିବା ଲୋକଙ୍କୁ ବ୍ୟଙ୍ଗାତ୍ମକ ଭାବେ) ବୋଲି ମଧ୍ୟ ସମ୍ବୋଧନ କରନ୍ତି। ପ୍ରତି ସକାଳେ ସେ ଉଠିବା ପରେ ଚେନ୍ନାଇ କର୍ପୋରେସନ ସହ ଅନୁବନ୍ଧିତ ଥିବା କାରଣରୁ ନିଷ୍ଠାପର ଭାବେ ବିଭିନ୍ନ ଅଞ୍ଚଳରୁ ଅଳିଆ ସଂଗ୍ରହ କାମରେ ଲାଗି ଯାଆନ୍ତି । ଦିନଯାକର କଠିନ ପରିଶ୍ରମ ପରେ ସେ ବେଳେବେଳେ ଶାରୀରିକ କଷ୍ଟ ମଧ୍ୟ ଅନୁଭବ କରନ୍ତି। ଏକ ନିର୍ଦ୍ଦିଷ୍ଟ ଧରଣର ସାଇକେଲ ରିକସା ଟ୍ରଲି ଧରି ଅଳିଆ ବୋହୁଥିବା ବେଳେ କେତେ କଷ୍ଟ ତାଙ୍କୁ କରିବାକୁ ପଡୁଥିବ, ସେକଥା ଆପଣ ଅନୁମାନ କରି ପାରୁଥିବେ। ରୀତା ସେ ଟ୍ରଲି ଦେହରେ ନିଜ ନାଁ ତିନି ତିନି ଥର ଲେଖିଛନ୍ତି ବିଭିନ୍ନ ରଙ୍ଗରେ। ଦିନଯାକର କାମ ସାରି ସେ କୋଟ୍ଟୁପୁରମ ଅଞ୍ଚଳରେ ଥିବା ହାଉସିଂ ବୋର୍ଡ କ୍ୱାର୍ଟର୍ସରେ ନିଜ ଛୋଟ ଓ ଶୂନଶାନ ଘରକୁ ଫେରନ୍ତି ।
ତେବେ ନିଜ ଗନ୍ତବ୍ୟସ୍ଥଳରେ ବୁଲା କୁକୁର ଓ ବିଲେଇମାନଙ୍କୁ ଭେଟିବା ପୂର୍ବରୁ ସେ ଦୁଇଟି ସ୍ଥାନରେ ଅଟକିଥାନ୍ତି। ଗୋଟିଏ ହେଉଛି ଛୋଟ ଦୋକାନ ପାଖରେ ।
ତେବେ ସେ ନିଜ ଜୀବନର ଲକ୍ଷ୍ୟ ନିଜେ ସ୍ଥିର କରୁଛନ୍ତି । ନିଜ ଦୈନନ୍ଦିନ କାମ ଶେଷ ହେବା ପରେ ହେଉ କି ନିଜ ଘରର ଶୂନ୍ୟତା ଭିତରେ ସେ ସବୁବେଳେ ସେହି ବିଲେଇ କୁକୁରମାନଙ୍କ ଗହଣରେ ହିଁ ରହୁଛନ୍ତି । ସେ ଏମାନଙ୍କ ସହ ଅଧିକ ସମୟ କାଟନ୍ତି, ସେମାନଙ୍କୁ ଖୁଆଇବାରେ, ସେମାନଙ୍କ ସହ କଥା ହେବାରେ... ପ୍ରତି ସଂଧ୍ୟାରେ ରୀତା ନିଜ କାମ ସାରି କେତେବେଳେ ଫେରିବେ, ଆଉ ସେମାନଙ୍କ ପାଖକୁ ଆସିବେ, କୋଟ୍ଟୁପୁରମର ଗଳିରେ ଏହାକୁ ଧୈର୍ଯ୍ୟର ସହ ଅପେକ୍ଷା କରିଥାନ୍ତି କୁକୁରମାନେ।
ପ୍ରକୃତରେ ତାଙ୍କ ଘର ହେଉଛି ତିରୁବନ୍ନାମଲାଇ (୨୦୧୧ ଜନଗଣନା ଅନୁଯାୟୀ, ଏହି ଜିଲ୍ଲାରେ ଗ୍ରାମୀଣ ଜନସଂଖ୍ୟା ହେଉଛି ପ୍ରାୟ ୮୦ ପ୍ରତିଶତ) ଅନ୍ତର୍ଗତ ଏକ ସହରରେ । ଦୁଇ ଦଶକ ପୂର୍ବରୁ କାମ ଧନ୍ଦା ଅନ୍ୱେଷଣରେ ଯେତେବେଳେ ତାଙ୍କ ବାପାମାଆ ଚେନ୍ନାଇ ଚାଲିଗଲେ, ରୀତା ବି ତାଙ୍କ ସହ ଚେନ୍ନାଇ ଆସିଲେ। ତେବେ ନିର୍ଦ୍ଦିଷ୍ଟ ଭାବେ ତାଙ୍କର ତାରିଖ ମନେ ନାହିଁ। ତେବେ ତାଙ୍କର କେବଳ ଏତିକି ମନେ ଅଛି, ଅନେକ ବର୍ଷ ହେବ କେବଳ କିଛି ସାମାନ୍ୟ ଅର୍ଥ ରୋଜଗାର ଲାଗି ସେ ବିଭିନ୍ନ ଲୋକଙ୍କ ଘରେ କାମ କରିଥିଲେ। ୭ ବର୍ଷ ହେବ ସେ ଚେନ୍ନାଇ ପୌର ସଂସ୍ଥା (ବର୍ତ୍ତମାନ ବୃହତ ଚେନ୍ନାଇ କର୍ପୋରେସନ)ରେ ଜଣେ ଠିକା କର୍ମଚାରୀ ଭାବେ କାମ କରୁଛନ୍ତି । ପୂର୍ବରୁ ସେ ଦିନକୁ ମାତ୍ର ୧୦୦ ଟଙ୍କା ରୋଜଗାର କରୁଥିଲେ, ଏବେ ମାସିକ ରୋଜଗାର କରୁଛନ୍ତି ପ୍ରାୟ ୮୦୦୦ଟଙ୍କା।
କୋଟ୍ଟୁରପୁରମର ୬ଟି ବଡ଼ ବଡ଼ ରାସ୍ତାକୁ ଝାଡୁ ମାରି ସଫା କରନ୍ତି ରୀତା। ସେ ସେଠାରେ ବ୍ଲିଚିଂ ପାଉଡର ପକାନ୍ତି । ତାଙ୍କ ହାତରେ ସବୁବେଳେ ଥାଏ ଗୋଟିଏ ଝାଡୁ ଓ ଅଳିଆ ଦାନୀ। କୌଣସି ପ୍ରକାର ଗ୍ଲୋଭସ, ଜୋତା କିମ୍ବା ସୁରକ୍ଷା ଉପକରଣ ନ ପିନ୍ଧି ସେ ଏସବୁ କାମ କରିଥାନ୍ତି। ସେ ଯେଉଁ ଅଳିଆ ଆବର୍ଜନା ସଂଗ୍ରହ କରନ୍ତି, ତାକୁ ରାସ୍ତା କଡ଼ରେ ଥିବା କର୍ପୋରେସନର ଅଳିଆ ବାକ୍ସଗୁଡ଼ିକ ଭିତରେ ହିଁ ସେ ଜମା କରିଥାନ୍ତି ।
ପୁନଃଚକ୍ରୀକରଣ ଲାଗି ସେଠାରୁ ଏଗୁଡ଼ିକୁ ସଂଗ୍ରହ କରିନେଇଥାନ୍ତି କର୍ପୋରେସନର ଭ୍ୟାନ ଓ ଲରିଗୁଡ଼ିକ। ରୀତା ସକାଳ ୮ଟାରେ କାମ ଆରମ୍ଭ କରନ୍ତି ଆଉ ତାଙ୍କ କାମ ଶେଷ ହେଉ ହେଉ ଅପରାହ୍ନ ହୋଇଯାଏ। ସେ କହନ୍ତି, ରାସ୍ତାରେ ଅଳିଆ ସଫା କରୁଥିବା ସମୟରେ ଥରେ ତାଙ୍କର ଗୋଟିଏ ଦୁର୍ଘଟଣା ହୋଇଥିଲା, ଆଉ ଏଥିରେ ତାଙ୍କର ଗୋଟିଏ ଆଖିର ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଛି । ଖାଲି ଗୋଡ଼ରେ ଚାଲି ଚାଲି ତାଙ୍କ ପାଦରେ ଛାଲି ପଡ଼ିଗଲାଣି। କିନ୍ତୁ ତାଙ୍କ କହିବା ମୁତାବକ ସେ ସୁସ୍ଥ ଅଛନ୍ତି, ତାଙ୍କର କୌଣସି ବିଶେଷ ଅସୁବିଧା ନାହିଁ।
ତାଙ୍କ ରୋଜଗାରର ଏକ ପ୍ରମୁଖ ଅଂଶ କୁକୁର ଓ ବିଲେଇଙ୍କ ପାଇଁ ଖାଦ୍ୟ କିଣିବାରେ ଯାଏ। ପଡ଼ୋଶୀଙ୍କ କହିବା କଥା, ସେ ଦୈନିକ ପ୍ରାୟ ୩୦ ଟଙ୍କା ଏଥିରେ ଖର୍ଚ୍ଚ କରନ୍ତି। କିନ୍ତୁ ଏ ସଂପର୍କରେ ସେ କେବେ କିଛି କହନ୍ତି ନାହିଁ।
ନିଜ ଗନ୍ତବ୍ୟସ୍ଥଳରେ ବୁଲା କୁକୁର ଓ ବିଲେଇମାନଙ୍କୁ ଭେଟିବା ପୂର୍ବରୁ ସେ ଦୁଇଟି ଜାଗାରେ ଅଟକିଥାନ୍ତି। ଗୋଟିଏ ହେଉଛି ଛୋଟ ଦୋକାନ ପାଖରେ । ସେଠାରୁ ସେ କୁକୁରମାନଙ୍କ ପାଇଁ କିଛି ବିସ୍କୁଟ କିଣନ୍ତି । ଆଉ ଏକ ମାଂସ ଦୋକାନ ପାଖରେ ବି ଅଟକନ୍ତି, ଯେଉଁଠୁ ସେ ବଳି ପଡ଼ିଥିବା କିଛି ମାଂସ କିଣନ୍ତି ବିଲେଇମାନଙ୍କ ଲାଗି। ଏହି ବଳକା ମାଂସଗୁଡ଼ିକୁ କୋଝି ସିଲରା କୁହାଯାଏ- ଅର୍ଥାତ ‘ଚିକେନର ବଳକା ଅଂଶ’। ଚିକେନ ବିକ୍ରି କରିବା ବେଳେ, ତାକୁ ସଫା କରିବା ଦ୍ୱାରା ବଳକା ଅଂଶ, ଯାହାକୁ କେହି ନିଅନ୍ତି ନାହିଁ। ଏହାକୁ ସେ ୧୦ ଟଙ୍କାରେ କିଣି ନିଅନ୍ତି।
ରୀତାଙ୍କ ପାଇଁ, ସେ ନିଜ କୁକୁର, ବିଲେଇମାନଙ୍କ ସମାନ ସାଥୀମାନଙ୍କ ସହିତ ରହିବା ଦ୍ୱାରା ପାଇଥିବା ସୁଖ, ତାହା ସେ କରୁଥିବା ଖର୍ଚ୍ଚ ତୁଳନାରେ ଢେର ବେଶୀ।
କିଛି ବର୍ଷ ତଳେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଯାଇଛି । ବୋଧହୁଏ ରୀତାଙ୍କର କିଛି ମନେ ନାହିଁ, କିମ୍ବା ସେ ଏ ସଂପର୍କରେ କିଛି କହିବାକୁ ଚାହାନ୍ତି ନାହିଁ । ସେବେଠୁ ସେ କେବଳ ନିଜସ୍ୱ ଜୀବନ ବଞ୍ଚୁଛନ୍ତି । ପଡ଼ୋଶୀ କହନ୍ତି, ତାଙ୍କ ସ୍ୱାମୀ ମଦ୍ୟପ ଥିଲେ। ଆଉ ତାଙ୍କ ଝିଅ ବି ମଝିରେ ମଝିରେ ବୁଲିବାକୁ ଆସନ୍ତି, କିନ୍ତୁ ସବୁବେଳେ ନୁହେଁ।
ତଥାପି ରୀତା ସବୁବେଳେ ଆନନ୍ଦରେ ଥାଆନ୍ତି-ତାଙ୍କର ହସରେ ସବୁଠୁ ଅଧିକ ଚମକ ଥାଏ ସେତେବେଳେ, ଯେତେବେଳେ ସେ ନିଜ କୁକୁରମାନଙ୍କ ପାଖରେ ଥାଆନ୍ତି।