କେରଳର ପରପ୍ପା ଗାଁରେ ପ୍ରାୟ ୧୫ ଜଣ ପୁରୁଷଙ୍କ ଏକ ଦଳ ‘ଘାସ’ ଉପରେମୁଲାମ ଚେଣ୍ଡା ନାମକ ଏକ ବାଉଁଶର ଢୋଲ ବଜାନ୍ତି । ସେମାନେ ହେଲେ ମୁଖ୍ୟତଃ କାସରଗୋଡ଼ ଏବଂ କନ୍ନୁର ଜିଲ୍ଲାରେ ରହୁଥିବା ମାଭିଲନ୍ ଆଦିବାସୀ ସଂପ୍ରଦାୟର ପାରମ୍ପରିକ କଳାକାର ।
“ବହୁ ପୂର୍ବରୁ, ଆମ ପୂର୍ବପୁରୁଷ ସଙ୍ଗୀତ ସୃଷ୍ଟି କରିବା ପାଇଁ ଏହି ବାଉଁଶ ଢୋଲ ବ୍ୟବହାର କରୁଥିଲେ ।” ଏହା କହନ୍ତି କେ.ପି. ଭାସ୍କରନ୍, ଯାହାଙ୍କର ବାଦ୍ୟକାର ଦଳ ଏଠାରେ ଦିଆଯାଇଥିବା ଭିଡ଼ିଓରେ ରହିଛି । ସେମାନେ ସମସ୍ତେ କାସରଗୋଡ଼ର ଭେଲ୍ଲାରିକୁଣ୍ଡ ତାଲୁକ ଅନ୍ତର୍ଗତ ପରପ୍ପା ଗାଁର । “ଆଜି ମଧ୍ୟ (କେରଳର ଅନ୍ୟ କେତେକ ସ୍ଥାନରେ) ଗୋରୁ ଚମଡ଼ାରେ ଢୋଲ ତିଆରି ହେଉଛି । ପରମ୍ପରାଗତ ଭାବେ, ଗୋମାଂସ କିମ୍ବା ଗୋରୁ ଚମଡ଼ାକୁ ଆମେ କେବେ ହେଲେ ନିତିଦିନିଆ ଜୀବନରେ ବ୍ୟବହାର କରୁନାହିଁ । ତେଣୁ ଆମ ପୂର୍ବପୁରୁଷ, ଥେୟମ୍ ଭଳି ପର୍ବରେ ସଙ୍ଗୀତ ପରିବେଷଣ ପାଇଁ ବାଉଁଶରୁ ଢୋଲ ତିଆରି କରିଥିଲେ ।”
କିଛି ଦଶନ୍ଧି ପୂର୍ବରୁ, ଏହି ସଂପ୍ରଦାୟକୁ ସହଜରେ ଜଙ୍ଗଲଜାତ ଦ୍ରବ୍ୟ ମିଳୁଥିଲା । କିନ୍ତୁ ଜଙ୍ଗଲ ଯିବା ଉପରେ ସରକାରୀ କଟକଣା ଯୋଗୁଁ, ବାଉଁଶ ଢୋଲ ତିଆରି କରିବା ବ୍ୟୟବହୁଳ ହୋଇଗଲାଣି। ଆଜିକାଲି ମାଭିଲନ୍ମାନେ ୫୦ କିଲୋମିଟର ଦୂର ବାଡ଼ିଆଡ୍କା ସହରରେ ଥିବା ବଜାରରୁ ବାଉଁଶ କିଣନ୍ତି । ପ୍ରତି ବାଉଁଶ ଗଣ୍ଡିର ମୂଲ୍ୟ ୨,୫୦୦ ଟଙ୍କାରୁ ୩,୦୦୦ ଟଙ୍କା ଏବଂ ଏଥିରୁ ୩ରୁ ୪ଟି ଢୋଲ ପ୍ରସ୍ତୁତ ହୋଇପାରିବ । ଗୋଟିଏ ଢୋଲକୁ ଅତି ବେଶୀରେ ଦୁଇଟି ପ୍ରଦର୍ଶନ ପାଇଁ ବ୍ୟବହାର କରାଯାଏ, ଏବଂ ତା’ପରେ ଏହା ଫାଟିବା ଆରମ୍ଭ ହୁଏ । ଢୋଲଟିଏ ତିଆରି କରିବା ପାଇଁ ଢୋଲବାଦକଙ୍କୁ ୩ରୁ ୪ ଦିନ ଲାଗେ । ଏଥିରେ ଖୋଦେଇ କରି ଖରାରେ ଶୁଖିବାକୁ ରଖି ଦିଆଯାଏ । ଢୋଲବାଦକ ସୁନୀଲ ଭୀଟିୟୋଡ଼ି କହନ୍ତି, “ଖଣ୍ଡିଏ ବାଉଁଶ ଢୋଲ ତିଆରି କରିବା ଲାଗି ବହୁ କଠିନ ପରିଶ୍ରମ କରିବାକୁ ପଡ଼େ ।”




