ଏସ. ମୁଥୁପେଚି ଶାନ୍ତ ଭାବରେ ନିଜର ଅସୁବିଧାଗୁଡିକର ତାଲିକା କରୁଛନ୍ତି। ଏହି ପାରମ୍ପରିକ କଳା କାରାଗଟ୍ଟମ, ଯାହାକୁ ସେ ନିଜର ଜୀବିକା ନିର୍ବାହ ପାଇଁ ପରିବେଷଣ କରନ୍ତି, ତାହା ସାରାରାତି ନାଚିବା ପାଇଁ ଦକ୍ଷତା ଓ ସାମର୍ଥ୍ୟ ରଖିବାକୁ ପଡ଼େ। ଯଦିଓ ଏହି କଳାକାରମାନଙ୍କୁ ଅନେକ କ୍ଷେତ୍ରରେ ନିନ୍ଦା ଓ ଅପମାନ ସହିବାକୁ ପଡେ, ଏବଂ ସେମାନଙ୍କ ପାଇଁ ସମାନ୍ୟତମ ସାମାଜିକ ସୁରକ୍ଷା ନଥାଏ। ଏହି ୪୪ ବର୍ଷୀୟା ମହିଳା ସମସ୍ତ ପ୍ରତିବନ୍ଧକ ପାର କରିଛନ୍ତି।
ଜଣେ ଏକାକୀ ମହିଳା - ତାଙ୍କର ସ୍ୱାମୀ ଦଶ ବର୍ଷ ପୂର୍ବେ ମରିଯାଇଥିଲେ -ମୁଥୁପେଚି ନିଜ ରୋଜଗାରରେ ଘରର ସମସ୍ତ ଖର୍ଚ୍ଚ ବହନ କରିବା ସହ ନିଜର ଦୁଇ ଝିଅଙ୍କର ବିବାହ କରାଇଛନ୍ତି। କିନ୍ତୁ ତା’ପରେ, କୋଭିଡ-୧୯ ଆସିଗଲା।
ଯେତେବେଳେ ସେ ଏହି କରୋନା ଭୂତାଣୁ ବିଷୟରେ କହୁଥିଲେ ତାଙ୍କର ସ୍ୱର କ୍ରୋଧ ଓ ଯନ୍ତ୍ରଣାରେ ଭରି ଯାଉଥିଲା। ସେ ଏହି ରୋଗକୁ ଅଭିଶାପ ଦେଇ କୁହନ୍ତି, "ପାଝା ପୋନା କରୋନା [ଏହି ଘୃଣ୍ୟ କରୋନା]"। "ସାର୍ବଜନୀନ ପ୍ରଦର୍ଶନ ବନ୍ଦ ହୋଇଯାଇଥିବାରୁ ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି। ମୁଁ ମୋ ଝିଅମାନଙ୍କଠାରୁ ଟଙ୍କା ନେବାକୁ ବାଧ୍ୟ ହେଉଛି।"
ମୁଥୁପେଚି କୁହନ୍ତି, "ଗତ ବର୍ଷ ସରକାର ୨୦୦୦ଟଙ୍କା ସହାୟତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ"। "କିନ୍ତୁ ଆମେ ମାତ୍ର ୧୦୦୦ ଟଙ୍କା ପାଇଛୁ। ଏହି ବର୍ଷ ଆମେ ମଦୁରାଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ମାତ୍ର ଏପର୍ଯ୍ୟନ୍ତ କିଛି ଜଣାପଡି ନାହିଁ।" ୨୦୨୦ ମସିହା ଏପ୍ରିଲ-ମଇ ମାସରେ ତାମିଲନାଡୁ ସରକାର ଘୋଷଣା କରିଥିଲେ ଯେ ରାଜ୍ୟ ଲୋକ କଳା କଳାକାର କଲ୍ୟାଣ ବୋର୍ଡରେ ପଞ୍ଜିକୃତ କଳାକାରମାନଙ୍କୁ ୧୦୦୦ଟଙ୍କା ଲେଖାଏଁ ଦୁଇଥର ସ୍ୱତନ୍ତ୍ର ଅର୍ଥ ରାଶି ପ୍ରଦାନ କରାଯିବ।
ମଦୁରାଇ ଗୋବିନ୍ଦରାଜ, ଯିଏକି ଜଣେ ଲୋକ ପ୍ରିୟ କଳାକାର ଓ ଜଣେ ଲୋକ କଳା ଶିକ୍ଷକ, କୁହନ୍ତି, ଏହି ମହାମାରୀ ଆରମ୍ଭ ହେବାଠାରୁ ମଦୁରାଇ ଜିଲ୍ଲାରେ ପାଖାପାଖି ୧୨୦୦ କଳାକାର ଜୀବିକା ନପାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଆମ୍ବେଦକର ନଗରର ପାଖ ସହର ଅବନିଅପୁରମରେ ପାଖାପାଖି ୧୨୦ ଜଣ କାରାଗଟ୍ଟମ କଳାକାର ରୁହନ୍ତି, ଯେଉଁଠାରେ କି ମୁଁ ମୁଥୁପେଚି ଓ ଅନ୍ୟ କିଛି କଳାକାରମାନଙ୍କୁ ମଇ ମାସରେ ଭେଟିଥିଲି।
କାରାଗଟ୍ଟମ୍ ହେଉଛି ଅନେକାଂଶରେ ଏକ ଗ୍ରାମୀଣ ନୃତ୍ୟ କଳା ଯାହାକି ମନ୍ଦିରରେ ଧାର୍ମିକ ଉତ୍ସବ ସମୟରେ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଏବଂ ବିବାହ ଓ ଅନ୍ତିମ ସଂସ୍କାର ଭଳି ପର୍ବରେ ପରିବେଷଣ କରାଯାଏ। ଏହି କଳାକାରମାନେ ଦଳିତ ଶ୍ରେଣୀର ଯାହାକି ଆଦି ଦ୍ରାଭିଡ ଜାତିରେ ଅର୍ନ୍ତଭୁକ୍ତ। ସେମାନେ ଜୀବିକା ନିର୍ବାହ ନିମନ୍ତେ ନିଜ କଳା ଉପରେ ନିର୍ଭର କରନ୍ତି।
ଉଭୟ ପୁରୁଷ ଓ ମହିଳାମାନଙ୍କ ଦ୍ୱାରା ସମ୍ପୁର୍ଣ୍ଣ ରୂପେ ସଜ୍ଜିତ ପାତ୍ରକୁ ମୁଣ୍ଡ ଉପରେ ଭାରସାମ୍ୟ ରକ୍ଷା କରି ପରିବେଷଣ କରାଯାଉଥିବା ଗୋଷ୍ଠୀ ନୃତ୍ୟ ହେଉଛି କାରାଗଟ୍ଟମ। ସେମାନେ ଅଧିକାଂଶ ସମୟ ସାରା ରାତି, ରାତି ୧୦ଟା ରୁ ଭୋର ୩ଟା ପର୍ଯ୍ୟନ୍ତ କଳା ପରିବେଷଣ କରିଥାଆନ୍ତି।













