ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା, ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।
ଏକ ଜମି, କିନ୍ତୁ ଜଣଙ୍କର ନିଜର ନୁହେଁ
ଜମି ମାଲିକ ଜଣକ ଫଟୋରେ ଦେଖାଯିବାକୁ ନେଇ ଗର୍ବ ଅନୁଭବ କରୁଥିଲେ । ସେ ଛିଡ଼ା ହୋଇଥିଲେ ଯେତେବେଳେ କି ୯ ଜଣ ମହିଳା ଶ୍ରମିକଙ୍କ ଗୋଟିଏ ଧାଡ଼ି ଆଗକୁ ନଇଁ ତାଙ୍କ ଜମିରେ ରୋଇବା କାମରେ ଲାଗିଥିଲେ । ସେ କହିଲେ ଯେ, ସେ ସେମାନଙ୍କୁ ଦିନକୁ ୪୦ ଟଙ୍କା ଲେଖାଏଁ ଦିଅନ୍ତି । ମହିଳାମାନେ ପଛରେ ଆମକୁ କହିଲେ, ସେ ସେମାନଙ୍କୁ ୨୫ ଟଙ୍କା ଲେଖାଏଁ ଦିଅନ୍ତି । ସେମାନେ ସମସ୍ତେ ଓଡ଼ିଶାର ରାୟଗଡ଼ାର ଭୂମିହୀନ ଶ୍ରମିକ ।
ଭାରତରେ ଜମି ଥିବା ପରିବାରର ମହିଳାମାନଙ୍କର ମଧ୍ୟ ଜମି ଉପରେ କୌଣସି ଅଧିକାର ନଥାଏ । ସେମାନଙ୍କ ପିତାମାତାଙ୍କ ଘରେ ନଥାଏ କିମ୍ବା ସ୍ୱାମୀ କିମ୍ବା ଶାଶୂ-ଶ୍ୱଶୁରଙ୍କ ଘରେ ମଧ୍ୟ ନଥାଏ । ପରିତ୍ୟକ୍ତ, ବିଧବା କିମ୍ବା ଛାଡ଼ପତ୍ର ପାଇଥିବା ମହିଳାମାନଙ୍କ ପାଇଁ ଶେଷରେ ନିଜ ସମ୍ପର୍କିୟ ମାନଙ୍କ ଜମିରେ ଶ୍ରମିକ ଭାବରେ କାମ କରିବା ଶେଷ ରାସ୍ତା ଥାଏ ।








