ଚଳିତ ଦଶନ୍ଧିରେ ଭାରତରେ ପିଲାଙ୍କ ବିଦ୍ୟାଳୟ ତାଲିକାଭୁକ୍ତି ସଂଖ୍ୟା ୩୦ କୋଟିକୁ ବୃଦ୍ଧି ପାଇଛି; କିନ୍ତୁ ଶିକ୍ଷାର ମାନ କିପରି ରହିଛି? ପିଲାମାନେ ବିଦ୍ୟାଳୟରେ କ’ଣ ପଢୁଛନ୍ତି, ସେମାନେ ପଢ଼ିପାରୁଛନ୍ତି କି ନା, ମୌଳିକ ଅକ୍ଷର ପ୍ରତି ସେମାନଙ୍କର ଧାରଣା ରହିଛି କି ଏବଂ ସେମାନେ ସଂଖ୍ୟା ବୁଝିପାରୁଛନ୍ତି କି ନା, ସେନେଇ ପ୍ରତ୍ୟେକ ବର୍ଷ ଜାନୁୟାରୀ ମାସରେ ଜଣେ ନାଗରିକଙ୍କ ରିପୋର୍ଟ କାର୍ଡ (ଏଏସ୍ଇଆର୍ ବା ଶିକ୍ଷା ବିବରଣୀର ବାର୍ଷିକ ସ୍ଥିତି) ଉପସ୍ଥାପନ କରାଯାଏ।
ଏହି ରିପୋର୍ଟର ଗୁଣାତ୍ମକ ଅନୁସନ୍ଧାନ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିସଂଖ୍ୟାନ ପାଇଁ ଏକ ରୋଗ ନିରୋଧକ ଔଷଧ ଭଳି। ବିଦ୍ୟାଳୟକୁ ଯାଉଥିବା ପ୍ରତ୍ୟେକ ପିଲାଙ୍କ ସର୍ବନିମ୍ନ ଶୈକ୍ଷିକ ସ୍ତର, ସେମାନେ ଅକ୍ଷର ପଢ଼ିପାରୁଛନ୍ତି କି ନା ଏବଂ ଦ୍ୱିତୀୟ ଶ୍ରେଣୀର ଗଣିତ ସମାଧାନ କରିପାରୁଛନ୍ତି କି ନା ତାହା ଏଏସ୍ଇଆର୍ ପରୀକ୍ଷା କରେ। ଉଦାହରଣସ୍ୱରୂପ ୨୦୦୮ରେ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪୪ ପ୍ରତିଶତ ୨ୟ ଶ୍ରେଣୀର ଗଣିତ ଭିତରୁ ସାଧାରଣ ଫେଡ଼ାଣ କିମ୍ବା ହରଣ ମଧ୍ୟ କରିପାରୁନାହାନ୍ତି।
ଏନେଇ ତିନିମାସ କାଳ ଯେଉଁ ସର୍ବେକ୍ଷଣ ପ୍ରକ୍ରିୟା ଚାଲିଥିଲା, ତାହାର ନେତୃତ୍ୱ ନେଇଥିଲା ବେସରକାରୀ ସଙ୍ଗଠନ ‘ପ୍ରଥମ’ ଯେଉଁଥିରେ ୩୦ ହଜାର ଆଗ୍ରହୀ ସ୍ୱେଚ୍ଛାସେବୀଙ୍କୁ ଏକାଠି କରାଯାଇଥିଲା। ସେମାନଙ୍କ ମଧ୍ୟରେ ଛାତ୍ର ଓ ଗବେଷକଙ୍କଠାରୁ ଆରମ୍ଭ କରି ପୁଞ୍ଜି ଲଗାଣକାରୀ ବ୍ୟାଙ୍କର୍ସ, ଏପରିକି ଆଚାର ପ୍ରସ୍ତୁତ କରୁଥିବା ଲୋକ ମଧ୍ୟ ରହିଥିଲେ ଯେଉଁମାନେ ପିଲାଙ୍କୁ ପରୀକ୍ଷା କରିବା ଓ ସେମାନଙ୍କ ବିଦ୍ୟାଳୟର ଭିତ୍ତିଭୂମି ଅନୁଧ୍ୟାନ କରିବା ପାଇଁ ଦେଶର ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ଖେଳେଇ ହୋଇଯାଇଥିଲେ। ଚଳିତ ବର୍ଷ ୩ ଲକ୍ଷ ପରିବାରରୁ ପ୍ରାୟ ୭ ଲକ୍ଷ ପିଲାଙ୍କୁ ଏହ ସର୍ବେକ୍ଷଣରେ ସାମିଲ କରାଯାଇଥିଲା।







