କଥାବାର୍ତ୍ତା କଲାବେଳେ ତାଙ୍କ କପାଳରେ ଭାଙ୍ଗ ପଡ଼ି ଯାଉଛି, ତାଙ୍କର ମଳିନ ରୋଗିଣା ମୁହଁରେ କପାଳର ସେହି ରେଖାଗୁଡ଼ିକ ସ୍ପଷ୍ଟ ଦେଖାଯାଉଛି। ନିଶ୍ୱାସପ୍ରଶ୍ୱାସ ନେବା ପାଇଁ ସେ ସଂଘର୍ଷ କରୁଛନ୍ତି। ଶହେ ମିଟର ଚାଲିକି ଯିବା ପରେ ତାଙ୍କ ଅଣ୍ଟା ନଇଁ ଯାଉଛି। ପୁଣି ଥରେ ନିଶ୍ୱାସପ୍ରଶ୍ୱାସ ସଂଗ୍ରହ କରିବାକୁ ସେ ବଳ ସାଉଁଟୁଛନ୍ତି। ସେତିକିବେଳେ ଦଲକାଏ ପବନ ତାଙ୍କ ପାଚିଲା ବାଳଗୁଡ଼ିକୁ ଉଡ଼ାଇ ଖସ୍ ଖସ୍ ଶବ୍ଦ କରି ବହିଗଲା।
ଇନ୍ଦ୍ରାବତୀ ଯାଦବଙ୍କୁ ମାତ୍ର ୩୧ ବର୍ଷ ବୟସ ବୋଲି ଶୁଣିଲେ ଜମା ବିଶ୍ୱାସ ହେଉନି।
ମହାରାଷ୍ଟ୍ରର ନାଗପୁର ସହର ଉପକଣ୍ଠରେ ଅବସ୍ଥିତ ଏକ ବସ୍ତିର ବାସିନ୍ଦା ଇନ୍ଦ୍ରାବତୀ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ଡିଜିଜ୍ (ସିଓପିଡି) ରେ ପୀଡିତ, ଏହା ଏକ ସାଂଘାତିକ ଅସୁସ୍ଥତା ଯାହା ଯୋଗୁଁ ଫୁସଫୁସକୁ ପବନ ଯିବା ଆସିବାରେ ବାଧା ସୃଷ୍ଟି ହୋଇଥାଏ, ଶ୍ୱାସକ୍ରିୟାରେ ଅସୁବିଧା ହୁଏ ଏବଂ ଅଧିକାଂଶ ସମୟରେ ଲଗାତାର କାଶ ହୁଏ ଯାହା ଶେଷରେ ଫୁସଫୁସକୁ ନଷ୍ଟ କରିପାରେ। ପ୍ରାୟତଃ ଏହାକୁ ‘ଧୂମପାନକାରୀମାନଙ୍କ ରୋଗ’ କୁହାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ତଥ୍ୟ ଅନୁଯାୟୀ, ସ୍ୱଳ୍ପ ଏବଂ ମଧ୍ୟମ ଆୟ ବିଶିଷ୍ଟ ଦେଶଗୁଡ଼ିକରେ ସିଓପିଡି ରୋଗରେ ପୀଡ଼ିତ ପ୍ରାୟ ୩୦ ରୁ ୪୦ ପ୍ରତିଶତ ରୋଗୀଙ୍କର ଧୂମପାନ ଇତିହାସ ରହିଥାଏ।
ଇନ୍ଦ୍ରାବତୀ କେବେ ବି ସିଗାରେଟ୍ ଛୁଇଁ ନାହାଁନ୍ତି, କିନ୍ତୁ ତାଙ୍କ ବାମ ଫୁସଫୁସ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇ ସାରିଲାଣି। ଡବ୍ଲୁଏଚଓ କହିଛି ଯେ କାଠ କିମ୍ବା କୋଇଲା ଜଳା ଯାଉଥିବା ଚୁଲିରେ ରାନ୍ଧିବା ଦ୍ୱାରା ଘରର ବାୟୁ ପ୍ରଦୂଷିତ ହୋଇଥାଏ।
ଇନ୍ଦ୍ରାବତୀ କେବେ ବି ନିର୍ମଳ ରନ୍ଧନ ଇନ୍ଧନ ବ୍ୟବହାର କରି ପାରି ନାହାଁନ୍ତି। “ଖାଦ୍ୟ ରାନ୍ଧିବା କିମ୍ବା ପାଣି ଗରମ କରିବା ପାଇଁ ଆମେ ସବୁବେଳେ ଖୋଲା ଚୁଲିରେ କାଠ କିମ୍ବା କୋଇଲା ବ୍ୟବହାର କରିଥାଉ,” ଇନ୍ଦ୍ରାବତୀ କୁହନ୍ତି। “ଖୋଲା ଚୁଲିରେ ଖାଦ୍ୟ ରାନ୍ଧିବା ଯୋଗୁଁ ମୋର ଫୁସଫୁସ କାମ କରୁ ନାହିଁ,” ବୋଲି ଡାକ୍ତର ତାଙ୍କୁ ଏହା କହିଛନ୍ତି। କାଠ ଚୁଲୀର ଧୂଆଁରୁ ହେଉଥିବା ପ୍ରଦୂଷଣ ତାଙ୍କ ଫୁସଫୁସକୁ ଖରାପ କରିଦେଇଛି।
ବାୟୁ ପ୍ରଦୂଷଣ ହେତୁ ପ୍ରତିବର୍ଷ ପ୍ରାୟ ଛଅ ଲକ୍ଷ ଭାରତୀୟ ଅକାଳରେ ମୃତ୍ୟୁ ବରଣ କରନ୍ତି, ୨୦୧୯ ଲାନସେଟ୍ ଅଧ୍ୟୟନରୁ ଆକଳନ କରାଯାଇଛି ଏବଂ ଘରର ବାୟୁ ପ୍ରଦୂଷଣ ପରିବେଶର ବାୟୁ ଗୁଣବତ୍ତାକୁ ପ୍ରଭାବିତ କରିବାରେ ଏକ ପ୍ରମୁଖ କାରକ ଅଟେ।










