‘ଶ୍ରୀ ପ୍ରସନ୍ନଞ୍ଜନେୟର ବୃନ୍ଧାମ୍’ କଣ୍ଢେଇ ନାଚ ଗ୍ରୁପର ମୁଖ୍ୟ ପୁରୁଷ କଳାକାର ଏବଂ ପ୍ରତିଷ୍ଠାତା ରେଖାନରା କୋଟିଲିଙ୍ଗମ୍ କହନ୍ତି, “ଗତବର୍ଷ ମୁଁ ମାତ୍ର ପାଞ୍ଚଟି ସୋ’ କରିଛି।”
୨,୫୦୦ରୁ ଅଧିକ ସୋ” କରିଥିବା ୪୮ ବର୍ଷୀୟ କୋଟିଲିଙ୍ଗମ୍ ଜଣେ ପ୍ରଫେସନାଲ କଣ୍ଢେଇନଚାଳୀ। ୧୨ ବର୍ଷ ବୟସରୁ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ବାପା ବାଲାଜୀଙ୍କ ଦ୍ୱାରା ପରିଚାଳିତ ଟ୍ରୁପରେ ସେ ଗୀତ ଗାଇବା ସହ ମୃଦଙ୍ଗ ବଜାଉଥିଲେ। ୨୫ ବର୍ଷ ତଳେ ସେ ନିଜସ୍ୱ ଦଳ ଗଠନ କରିଥିଲେ।
କୋଟିଲିଙ୍ଗମଙ୍କର ୬୦ ବର୍ଷୀୟ ଭାଇ ରେଖାନରା ହନୁମନ୍ତ ରାଓ ମଧ୍ୟ ତାଙ୍କ ଦଳର ଜଣେ ସଦସ୍ୟ। ସେ କହନ୍ତି, “ମୁଁ ମୋ ବାପାଙ୍କଠାରୁ ଏହି କଳା ଶିଖିଥିଲି, ଯିଏକି ତାଙ୍କ ବାପାଙ୍କଠାରୁ ଏହାକୁ ଶିକ୍ଷା କରିଥିଲେ। ଆମେ କଣ୍ଢେଇନାଚ ପାଇଁ ଆବଶ୍ୟକୀୟ ଉପକରଣ (ଡ୍ରମ, ହାରମୋନିୟମ୍, ମଞ୍ଚସାମଗ୍ରୀ) ଏବଂ ଦୈନନ୍ଦିନ ଆବଶ୍ୟକୀୟ ଜିନିଷ ଯେପରିକି ବାସନକୁସନ ଏବଂ ଲୁଗାପଟାକୁ ନେଇ ବଳଦଗାଡ଼ିରେ ରଖୁଥିଲୁ ଏବଂ କଣ୍ଢେଇ ନାଚ ପାଇଁ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ଯାଉଥିଲୁ।”
କିନ୍ତୁ ଏବେ କେବଳ ହାଇଦ୍ରାବାଦର ରବୀନ୍ଦ୍ର ଭାରତୀ, ଚେନ୍ନାଇର ମାଡ୍ରାସ ବିଶ୍ୱବିଦ୍ୟାଳୟ ଏବଂ ତିରୁପତିର ବ୍ରହ୍ମୋତ୍ସବମ୍ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାରମାନଙ୍କୁ ସମୟ ସମୟରେ ଡକାଯାଉଛି।









