ବିଜୟୱାଡ଼ା ଜଙ୍କସନ ରେଳ ଷ୍ଟେସନର ୧୦ ନମ୍ବର ପ୍ଲାଟଫର୍ମରେ ପ୍ରାୟ ୧୦ଜଣ ଶ୍ରମିକ ସଂଘମିତ୍ରା ଏକ୍ସପ୍ରେସ୍ ପାଇଁ ଅପେକ୍ଷା କରିଥିଲେ। ଏହି ଏକ୍ସପ୍ରେସ୍ ବେଙ୍ଗାଲୁରୁରୁ ଆସେ ଏବଂ ପାଟନା ପର୍ଯ୍ୟନ୍ତ ଯାଏ। ଏହି ଟ୍ରେନ୍ ସେମାନଙ୍କୁ ବିହାରର ବେଲଗାଛିରେ ଥିବା ସେମାନଙ୍କ ଘରକୁ ନେଇଯିବ। ସେମାନେ ଏ ମଧ୍ୟରେ ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ ନଗରୀ ଅମରାବତୀକୁ ନିର୍ମାଣ କରିବା ପାଇଁ କେଇମାସ କାମ କରିସାରିଲେଣି।
୨୪ବର୍ଷ ବୟସ୍କ ମହମ୍ମଦ ଆଲମ୍ କୁହନ୍ତି, ‘‘ଗତ ଅଧଘଣ୍ଟା ମଧ୍ୟରେ ବିଭିନ୍ନ ଟିକେଟ ନିରୀକ୍ଷକ(TEs) ଆମକୁ ତିନିଥର ଟିକେଟ ଦେଖାଇବାକୁ କହିସାରିଲେଣି।’’ ପ୍ଲାଟଫର୍ମରେ ଅନେକ ଟିକେଟ ନିରୀକ୍ଷକ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମତେ କହିଥିଲେ, ‘‘ଏହି ‘ଶ୍ରମିକମାନେ’ ସାଧାରଣତଃ ଟିକେଟ୍ କିଣନ୍ତି ନାହିଁ। ସେଥିପାଇଁ ଆମେ କେତେକେ ଟ୍ରେନ୍ରେ ଅଧିକ ସଂଖ୍ୟକ ଟିକେଟ ନିରୀକ୍ଷକମାନଙ୍କୁ ନିୟୋଜନ କରିଛୁ। ବିଶେଷ କରି ଯେଉଁଗୁଡ଼ିକ ଉତ୍ତରକୁ କିମ୍ବା ଉତ୍ତର-ପୂର୍ବକୁ ଯାଉଛି। ’’
ପୁର୍ଣ୍ଣିଆ ଜିଲ୍ଲାର ଦାଗାରୁଆ ବ୍ଲକ୍ରେ ଥିବା ନିଜ ନିଜ ଗ୍ରାମକୁ ଫେରୁଥିବା ଶ୍ରମିକମାନେ ଲାର୍ସେନ ଆଣ୍ଡ ଟର୍ବୋ (L & T) ଏବଂ ସାପୁରଜୀ ପାଲୋନଜୀ ପ୍ରାଇଭେଟ ଲିମିଟେଡ୍ ପରି ବଡ଼ବଡ଼ କମ୍ପାନୀ ପାଇଁ କାମ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ଏବଂ ଅନ୍ୟ କେତୋଟି ମିଶି ଅମରାବତୀର ‘ଜଷ୍ଟିସ୍ ସିଟି’ (ଏକ ଉଚ୍ଚ ନ୍ୟାୟାଳୟ ପରିସର), ବିଧାୟକମାନଙ୍କ ପାଇଁ ଘର ଓ ଏକ ଆଇଏଏସ୍ ଅଫିସର୍ କଲୋନୀ ଏବଂ ଅନ୍ୟ କେତେଗୁଡ଼ିଏ ନିର୍ମାଣ କାର୍ଯ୍ୟ କରୁଛନ୍ତି।














