ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା, ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।
ସାରା ଜୀବନ ନଇଁ ନଇଁ କାମ କରିବା
ବିଜିୟାନଗରମ୍ରେ ସେ ଅଟକିଗଲେ, ମଧ୍ୟାହ୍ନ ସମୟର ଖରାରେ ସେ ଉତ୍ତେଜିତ ହୋଇପଡ଼ିଥିଲେ । କିନ୍ତୁ ସେ ସେହିପରି ନଇଁ କରି ରହିଲେ । ସେ ଜାଣିଥିଲେ, କେଇ ମୁହୂର୍ତ୍ତ ଭିତରେ ସେ ପୁଣି ସେହି ଭଙ୍ଗୀରେ କାମ ଆରମ୍ଭ କରିବେ ।
ସମାନ କାଜୁ ବଗିଚାରେ ତାଙ୍କ ଗାଁରୁ ଆସିଥିବା ଆଉ ଦୁଇଟି ମହିଳାଙ୍କ ଗୋଷ୍ଠୀ ମଧ୍ୟ କାମ କରୁଥିଲେ । ସେଥିରୁ ଗୋଟିଏ ଗୋଷ୍ଠୀ 2 କିଲୋମିଟର ଦୂରରୁ ବଗିଚାକୁ ସାଙ୍ଗରେ ମଧ୍ୟାହ୍ନ ଭୋଜନ ଓ ପାଣି ନେଇ ଆସିଥିଲେ । ଅନ୍ୟମାନେ ବିପରୀତ ଦିଗରେ କାମ କରୁଥିଲେ । ସମସ୍ତେ ନଇଁଥିଲେ ।
ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ, ବଗିଚାରେ ପୁରୁଷମାନେ ମଧ୍ୟ ଥିଲେ । ଲେନ୍ସ ଦେଇ ଏହା ଅଧିକ ସ୍ଵଚ୍ଛ ଦେଖାଯାଉଥିଲା । ସବୁ ପୁରୁଷମାନେ ଛିଡ଼ା ହୋଇଥିଲେ । ସବୁ ମହିଳାମାନେ ନଇଁଥିଲେ । ଓଡ଼ିଶାର ନୂଆପଡ଼ାରେ, ବର୍ଷା ମହିଳାମାନଙ୍କୁ ଘାସ ବାଛିବାରୁ ଅଟକାଇପାରିନଥିଲା । ସେମାନେ ଗୋଟିଏ ଛତା ତଳେ ଅଣ୍ଟାରୁ ତଳକୁ ନଇଁ କାମ କରିଚାଲିଥିଲେ ।








