ଘୂରି ଘୂରି, କଟର କଟର କରୁଥିବା ଲଲିପପ ଆକୃତି ବିଶିଷ୍ଟ କଟକ୍ୟେଟି ର ଶବ୍ଦ ବେଙ୍ଗାଲୁରୁର ରାସ୍ତାକଡ଼ରେ ଖେଳନା ବିକ୍ରେତାଙ୍କ ଆଗମନର ସଙ୍କେତ ଦେଇଥାଏ । ଆଉ ଏ ଅଞ୍ଚଳର ସବୁ ପିଲା ଏଥିରୁ ଗୋଟିଏ ଗୋଟିଏ ନେବାକୁ ଚାହାନ୍ତି । ରାସ୍ତା କଡ଼ ଓ ଟ୍ରାଫିକ୍ ସିଗ୍ନାଲ, ସବୁଆଡ଼େ ଏହି ଚକଚକିଆ ଖେଳନାର ଖଡ଼ ଖଡ଼ ଶବ୍ଦ ଶୁଣିବାକୁ ମିଳେ । ୨,୦୦୦ କିଲୋମିଟରରୁ ଅଧିକ ଦୂର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ବୁଲା ବିକାଳିମାନେ ଏ ଖେଳନା ବେଙ୍ଗାଲୁରୁ ସହରକୁ ନେଇ ଆସିଥାନ୍ତି । ‘‘ଆମ ହାତ ତିଆରି ଖେଳନା ଏତେ ଦୂରକୁ ଯାଇପାରୁଥିବାରୁ ଆମକୁ ଖୁସି ଲାଗୁଛି,’’ ଜଣେ ଖେଳନା ନିର୍ମାତା ଗର୍ବର ସହ କହିଥାନ୍ତି । ‘‘ଆମେ ଚାହିଁଲେ ବି ଯାଇପାରିବୁ ନାହିଁ ... କିନ୍ତୁ ଆମ ଖେଳନା ଯାଇପାରୁଛି... ଏହା ସୌଭାଗ୍ୟର ବିଷୟ।’’
ମୁର୍ଶିଦାବାଦ ଜିଲ୍ଲା ହରିହରପଡ଼ା ବ୍ଲକ୍ ଅନ୍ତର୍ଗତ ରାମପଡ଼ା ଗାଁର ଉଭୟ ପୁରୁଷ ଓ ମହିଳାମାନେ କଟକ୍ୟେଟି (ବଙ୍ଗଳା ଭାଷାରେ କୋଟିକୋଟି ନାମରେ ପରିଚିତ) ତିଆରି କରିଥାନ୍ତି । ରାମପଡ଼ାରେ ଥିବା ନିଜ ଘରେ ଏହାକୁ ତିଆରି କରୁଥିବା ତପନ କୁମାର ଦାସ କୁହନ୍ତି, କଟକ୍ୟେଟି ତିଆରି କରିବା ଲାଗି ବ୍ୟବହୃତ ହେଉଥିବା ମାଟି ଗାଁ ଧାନ କ୍ଷେତରୁ ଅଣାଯାଏ ଏବଂ ଅନ୍ୟ ଗାଁରୁ ବାଉଁଶ ବାଡ଼ି ଆଣିବାକୁ ହୁଏ । ତାଙ୍କ ପରିବାରରେ ସମସ୍ତେ ଏହାକୁ ତିଆରି କରିବା କାମରେ ନିୟୋଜିତ ଅଛନ୍ତି । ସେମାନେ ରଙ୍ଗ, ତାର, ରଙ୍ଗୀନ କାଗଜ- ଏବଂ ଏପରିକି ପୁରୁଣା ଫିଲ୍ମ ରିଲ ଉପଯୋଗ କରିଥାନ୍ତି । ‘‘ଦୁଇଟି ଫିଲ୍ମ ଷ୍ଟ୍ରିପ ବା ପଟ୍ଟିକୁ ଏକ ଇଞ୍ଚ ଲେଖାଏଁ ଆକାରରେ କଟା ଯାଇଥାଏ, ଏହାକୁ (ବାଉଁଶ କାଠିର) ଚିରା ହୋଇଥିବା ପାର୍ଶ୍ୱରେ ଭର୍ତ୍ତି କରାଯାଏ। ଏହା ଚାରିଟି ଫ୍ଲାପ୍ ବା ଡେଣା ପ୍ରସ୍ତୁତ କରିଥାଏ,’’ ଶକ୍ତି ଦାସ କୁହନ୍ତି । କିଛି ବର୍ଷ ପୂର୍ବରୁ କୋଲକାତାର ବଡ଼ ବଜାର ଅଞ୍ଚଳରୁ ସେ ଫିଲ୍ମ ରିଲର ଗୋଟିଏ ବଣ୍ଡଲ ଆଣିଥିଲେ । ଏହି ଡେଣା କଟକ୍ୟେଟି କୁ ଗତିଶୀଳ କରିବା ସହିତ ଏଥିରେ ଶବ୍ଦ ସୃଷ୍ଟି କରିଥାଏ ।


