“ମୁଁ କିଛି ପନିପରିବା ବିକ୍ରି କରୁଛି, କିନ୍ତୁ ଏଥିରେ ସେତେ ଲାଭ ହେଉନାହିଁ । ଆମେ ସମସ୍ତେ ପ୍ରାୟତଃ ଘରେ ବେକାର ବସୁଛୁ। ସ୍ଥାନୀୟ ସିମେଣ୍ଟ ଫ୍ୟାକ୍ଟ୍ରି ଚାଲୁଛି, କିନ୍ତୁ ଆମେ କାମକୁ ଯାଉନାହୁଁ,” କରିମ ଜାଟ ମୋତେ ଫୋନରେ କୁହନ୍ତି । କରିମଙ୍କ ଘର କଚ୍ଛ ଜିଲ୍ଲା ଅନ୍ତର୍ଗତ ଲଖପତ ତାଲୁକାର ମୋରି ଗ୍ରାମରେ। କରିମ ଜାଟ ହେଉଛନ୍ତି ଫକିରାନି ଜାଟ ସମୁଦାୟର ଜଣେ ମାଲଧାରୀ । କଚ୍ଛି ଭାଷାରେ ‘ମାଲ’ର ଅର୍ଥ ପଶୁ, ଏବଂ ‘ଧାରୀ’ର ଅର୍ଥ ରକ୍ଷକ ବା ମାଲିକ । ସମଗ୍ର କଚ୍ଛରେ ମାଲଧାରୀମାନେ ଗାଈ, ମଇଁଷି, ଓଟ, ଘୋଡ଼ା, ମେଣ୍ଢା ଓ ଛେଳି ପାଳିଥାନ୍ତି ।
କରିମ ଜାଟ କୁହନ୍ତି, ସେ ସ୍ଥାନୀୟ ବଜାର ଓ ଗାଁମାନଙ୍କରୁ ସଂଗ୍ରହ କରିଥାନ୍ତି, ମାତ୍ର ସେଗୁଡ଼ିକୁ ବିକ୍ରି କଲେ ସେତେ ଭଲ ମୂଲ୍ୟ ମିଳିନଥାଏ । ସହରରେ ଥିବା ସିମେଣ୍ଟ କାରଖାନା ଏଠାରୁ କିଛି କିମି ଦୂରରେ ଅବସ୍ଥିତ, କିନ୍ତୁ ଲକଡାଉନ କାରଣରୁ କରିମ ଏବଂ ତାଙ୍କର ସହଯୋଗୀ ଫକିରାନି ଜାଟମାନେ ବାହାରକୁ ବାହାରିପାରୁନାହାନ୍ତି । ଏହାଛଡ଼ା ଉକ୍ତ କାରଖାନାରେ ପୂର୍ବରୁ ବହୁସଂଖ୍ୟକ ଶ୍ରମିକ ନିୟୋଜିତ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମବଙ୍ଗ ଓ ଅନ୍ୟସ୍ଥାନର; ଏମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଶ୍ରମିକ ଘରକୁ ଯାଇନପାରି ସେଠାରେ ରହିଯାଇଛନ୍ତି । ପ୍ରବାସୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ କେବେ ବି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିନାହିଁ।
ଲକଡାଉନ କାରଣରୁ, ଭାରତ-ପାକିସ୍ତାନ ସୀମାରେ ଥିବା ସାଭଲା ପୀର ପୀଠ ଏବଂ ସେଠାରେ ଅନୁଷ୍ଠିତ ହେବାକୁ ଥିବା ମେଳାକୁ ସେ ଯାଇପାରିଲେ ନାହିଁ ବୋଲି କରିମ ଜାଟ ମୋତେ କୁହନ୍ତି । “ପବିତ୍ର ରମଜାନ ମାସ ଆରମ୍ଭ ହୋଇସାରିଛି । ଇଦକୁ ଆଉ ଏକ ମାସରୁ କମ ସମୟ ବାକି ଅଛି”, ବୋଲି ସେ ଚିନ୍ତିତ ହୋଇ କୁହନ୍ତି । “ଏଥର ଇଦ ସମ୍ପୂର୍ଣ୍ଣ ଭିନ୍ନ ହେବ”।
ଲଖପତ ତାଲୁକାରୁ କଚ୍ଛର ପ୍ରଥମ କୋଭିଡ-୧୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା, ସଂକ୍ରମିତ ଜଣେ ମହିଳା ଓ ସେ ବିଦେଶରୁ ଫେରିଥିଲେ। ତାଙ୍କୁ ମାର୍ଚ୍ଚରେ ଭୁଜକୁ ନିଆଯାଇଥିଲା ଓ ସେଠାରେ ତାଙ୍କର ନମୁନା ପଜିଟିଭ ବାହାରିଥିଲା। ଲଖପତରେ ଅଧିକ ସଂଖ୍ୟାରେ ଓଟ ପାଳକମାନେ ରହିଥାନ୍ତି ।
ମାର୍ଚ୍ଚ ୨୪ରେ ଲକଡାଉନ ଘୋଷଣା ହେବା ପରେ କଚ୍ଛରେ ଅଧିକାଂଶ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଗଲା। ଓଟ ପାଳକମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଲେ କାରଣ ସେମାନେ ଅଧିକାଂଶ ସମୟରେ ନିଜର ପାଳିତ ପଶୁଙ୍କୁ ଚରାଇବା ଲାଗି ଘରଠାରୁ ଦୂରରେ ଥାଆନ୍ତି । ଆହୁରି ସେମାନେ ରହୁଥିବା ଅଞ୍ଚଳ ଅନ୍ତର୍ଜାତୀୟ ସୀମାରେ କିମ୍ବା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥାଏ। ଏଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଏବଂ ଏଠାରେ ଅତ୍ୟଧିକ କଡ଼ା ସୁରକ୍ଷା ନିୟମ ଲାଗୁ ହୋଇଥାଏ। ହଠାତ ଲକଡାଉନ ଘୋଷଣା କରାଯିବା କାରଣରୁ ମାଲଧାରୀମାନଙ୍କୁ ସେମାନଙ୍କ ଗାଁକୁ ଫେରିବା ଲାଗି ସମୟ ମିଳିଲା ନାହିଁ କିମ୍ବା ସେଠାରେ ରହୁଥିବା ସେମାନଙ୍କ ପରିବାର ଲୋକଙ୍କ ପାଇଁ ଯଥେଷ୍ଟ ଖାଦ୍ୟସାମଗ୍ରୀ ଯୋଗାଡ଼ କରିବାର ସୁଯୋଗ ମିଳିଲା ନାହିଁ।
ସେମାନେ କୁହନ୍ତି, ବର୍ତ୍ତମାନ ସେମାନଙ୍କ ପଶୁମାନେ ଠିକ ଅଛନ୍ତି, କାରଣ ସେମାନେ ଘାସ ପଡ଼ିଆରେ ଅଛନ୍ତି । କିନ୍ତୁ ଲକଡାଉନ ଯଦି ଆହୁରି ଅଧିକ ଦିନ ବଢ଼େ, ସେମାନଙ୍କୁ ଖାଇବାକୁ ଦେବା କଷ୍ଟକର ହୋଇପଡ଼ିବ। ତାହାପୁଣି ଖୁବ ଦ୍ରୁତ ବେଗରେ ମାଡ଼ି ଆସୁଥିବା ଗ୍ରୀଷ୍ମ ଉତ୍ତାପରେ ।
ନଖତ୍ରାନା ବ୍ଲକର କିଛି ସ୍ଥାନୀୟ ବାସିନ୍ଦା ମୋତେ ଫୋନରେ କହିଛନ୍ତି, ପୋଲିସ ଚାରଣ ଭୂମି ନିକଟରେ ରହୁଥିବା କିଛି ମାଲଧାରୀଙ୍କ ନିକଟକୁ ଆସିଥିଲା ଏବଂ ସେମାନଙ୍କୁ ଏଣେତେଣେ ନବୁଲିବା ନିମନ୍ତେ ତାଗିଦ କରିଯାଇଥିଲା। ତେଣୁ ଏହି ମାଲଧାରୀମାନେ କେବଳ ନିଜ ଗାଁକୁ ହିଁ ରାସନ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଯିବେ। ତାହା ମଧ୍ୟ ଏବେ କଷ୍ଟକର ହୋଇପଡ଼ିଛି।










